‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା, ୩ଟି କାଟାଗୋରିରେ କୃତୀ ପ୍ରତିଯୋଗୀଙ୍କୁ କରାଗଲା ପୁରସ୍କୃତ

1 min read

ଭୁବନେଶ୍ୱର: ‘ନନ୍ଦିଘୋଷ ଟିଭି’ ଓ ‘ସକାଳ’ ପରିବାର ପକ୍ଷରୁ ବୁଦ୍ଧ ପାର୍କରେ ଆୟୋଜିତ ହୋଇଛି ହର ହର ମହାଦେବ ଚିତ୍ରାଙ୍କନ ପ୍ରତିଯୋଗିତା । ମହାଶିବରାତ୍ରୀ ଅବସରରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲର ୫୦୦ରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ପ୍ରଥମରୁ ତୃତୀୟ, ଚତୁର୍ଥରୁ ଷଷ୍ଠ ଓ ସପ୍ତମରୁ ଦଶମ ୩ଟି ବିଭାଗରେ ପ୍ରତିଯୋଗିତା ହୋଇଥିଲା । ପିଲାମାନଙ୍କ ମଧ୍ୟରେ ଅତ୍ୟନ୍ତ ଉତ୍ସାହ ଦେଖିବାକୁ ମିଳିଥିଲା । ବିଭିନ୍ନ ସମସାମୟିକ ପ୍ରସଙ୍ଗକୁ ନେଇ ଚିତ୍ର ଆଙ୍କିଥିଲେ ଛାତ୍ରଛାତ୍ରୀ । କୃତି ପ୍ରତିଯୋଗୀମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ମଧ୍ୟ ପ୍ରମାଣପତ୍ର ଦିଆଯାଇଥିଲା ।

ପ୍ରଥମରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନେଇ ହୋଇଥିବା କାଟାଗୋରୀ-୧ରେ ପ୍ରିୟାଂଶୀ ମହାପାତ୍ର ପ୍ରଥମ ସ୍ଥାନ ଅକ୍ତିଆର କରିଥିବା ବେଳେ, ନମନ ପଣ୍ଡା ଦ୍ବିତୀୟ ଓ ଚେରି ସାହୁ ଓ ଅମ୍ରିତା ପ୍ରଧାନ ତୃତୀୟ ସ୍ଥାନ ହାସଲ କରିଛନ୍ତି । ସେହିପରି ଚତୁର୍ଥରୁ ଷଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନେଇ ହୋଇଥିବା କାଟାଗୋରୀ-୨ରେ ଶ୍ରୀୟାଂସ ଦାସ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ସେହିପରି ଦ୍ୱିତୀୟରେ ଚିତ୍ରାଞ୍ଜଳି ପ୍ରିୟଦର୍ଶିନୀ ଥିବା ବେଳେ ତୃତୀୟରେ ମନିଷା ପ୍ରିୟଦର୍ଶିନୀ ନାୟକ ଓ ଚତୁର୍ଥରେ ନିଖିଲରାଜ ନାୟକ ଓ ସଚିକା ମହାନ୍ତିଙ୍କୁ ପୁରସ୍କୃତ କରାଯାଇଛି । ତୃତୀୟ କାଟାଗୋରିରେ ଆୟୁଷ୍ମାନ ଦେହୁରି ଓ ଅନ୍ୱେଷା ମିଶ୍ର ପ୍ରଥମ ସ୍ଥାନ ହାସଲ କରିଛନ୍ତି । ସେହିପରି ଦ୍ୱିତୀୟରେ ଶୁଭଙ୍କର ଦାସ, ତୃତୀୟରେ ଲକ୍ଷ୍ମୀ ମହାରଣା ଓ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି ଶ୍ରବଣ କୁମାର ସାହୁ ।

ଏହି ପ୍ରତିଯୋଗିତାର ବିଚାରକ ଦାୟିତ୍ୱ ତୁଲାଇଥିଲେ ବିକେ ଆର୍ଟ କଲେଜର ଅଧ୍ୟକ୍ଷ ଗଜେନ୍ଦ୍ର ପାଢ଼ୀ, ଚିତ୍ରଶିଳ୍ପୀ ଚିନ୍ତାମଣି ବିଶ୍ୱାଳ, ପ୍ରିୟଙ୍କା ସାହାଣୀ ଓ ଶୁଦ୍ଧସତ୍ତା ମିଶ୍ର । ନନ୍ଦିଘୋଷ ଟିଭିର ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ରଙ୍କ ସଂଯୋଜନାରେ ପ୍ରତିଯୋଗିତା ଆୟୋଜିତ ହୋଇଥିବାବେଳେ ସକାଳର ସିଇଓ ସୁବ୍ରତ ଦାସ, ପ୍ରକାଶକ ଅମିତ କୁମାର ମଲ୍ଲିକ, ବ୍ୟୁରୋ ମୁଖ୍ୟ ରଞ୍ଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିବାବେଳେ ବିଚାରକମଣ୍ଡଳୀଙ୍କୁ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ନନ୍ଦିଘୋଷ ଟିଭି ଓ ସକାଳ ପରିବାରର କର୍ମଚାରୀମାନେ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ସହ ସହଯୋଗ କରିଥିଲେ । ପବିତ୍ର ଶିବରାତ୍ରୀରେ ଏହି ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲିକ୍ଷିତ ହୋଇଥିଲା । ବହୁ ସଂଖ୍ୟାରେ ଅଭିଭାବକ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ ।