ଆଜି ପବିତ୍ର ମହାଶିବରାତ୍ରୀ, ଚଳଚଞ୍ଚଳ ବିଭିନ୍ନ ଶୈବପୀଠ

ଭୁବନେଶ୍ୱର: ଆଜି ପବିତ୍ର ମହାଶିବରାତ୍ରୀ । ଚଳଚଞ୍ଚଳ ସମସ୍ତ ଶୈବପୀଠ । ଲିଙ୍ଗରାଜ ମନ୍ଦିରରେ ଭୋରୁ ଆରମ୍ଭ ହୋଇଛି ନୀତିକାନ୍ତି । ପ୍ରଥମେ ମଙ୍ଗଳ ଆଳତୀ ଏବଂ ଅବକାଶ ପରେ ୩ଟା ୩୦ରୁ ଆରମ୍ଭ ହୋଇଛି ସାହାଣ ମେଲା ଦର୍ଶନ । ପ୍ରଥମେ ଉତ୍ତର ଦ୍ୱାର ଦେଇ ସେବାୟତ ଏବଂ ତାଙ୍କ ପରିବାର ପ୍ରଭୁଙ୍କ ଦର୍ଶନ କରିବା ପରେ ସିଂହଦ୍ୱାର ଦେଇ ପ୍ରବେଶ କରୁଛନ୍ତି ଶ୍ରଦ୍ଧାଳୁ । ରାତି ୧୦ଟାରେ ଉଠିବ ମହାଦୀପ । ଶୃଙ୍ଖଳିତ ଦର୍ଶନ ପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟାରିକେଡ୍ ବ୍ୟବସ୍ଥା । ୪ଟି ସିଫ୍ଟରେ ଡ୍ୟୁଟି କରୁଛନ୍ତି ପୋଲିସ । ୫ ଜଣ ଆଡସିନାଲ ଏସପି, ୧୧ ଜଣ ଏସିପି, ୧୯ ଜଣ ଆଇଆଇସି, ୮୦ ଜଣ ଏଏସଆଇ, ୧୧୦ ହୋମଗାର୍ଡ ଏବଂ ୩୨ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି ।

ମହାଶିବରାତ୍ରୀ ପାଇଁ ୧୩ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ସଂପୂର୍ଣ୍ଣ ମନ୍ଦିର ଭିତର ଏବଂ ବାହାରେ ସିସିଟିଭି ଲଗାଯାଇଛି । ସେପଟେ ପୁରୀ ଲୋକନାଥ ମନ୍ଦିରରେ ମଧ୍ୟ ରାତିରେ ହରିହର ଭେଟ ନୀତି କରାଯାଇ ରାତି ୩ଟାରୁ ୪ଟା ମଧ୍ୟରେ ମହାଦୀପ ଉଠିବ । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ ସହ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।