spot_img
Home Blog Page 3654

ସୁପର ୩୦ ପ୍ରତିଷ୍ଠାତାଙ୍କୁ ସୁପର ସମ୍ମାନ, ପଦ୍ମଶ୍ରୀ ପାଇବେ ଆନନ୍ଦ କୁମାର

ପାଟନା: ସୁପର ୩୦ ପ୍ରତିଷ୍ଠାତାଙ୍କୁ ସୁପର ସମ୍ମାନ । ପଦ୍ମଶ୍ରୀ ପାଇବେ ଗରିବ ପିଲାଙ୍କ ଦେବଦୂତ ଆନନ୍ଦ କୁମାର । ଅର୍ଥନୈତିକ ପଛୁଆ ବର୍ଗର ପିଲାଙ୍କ ମୁହଁରେ ଆନନ୍ଦ ଦେଉଥିବା ଆନନ୍ଦ କୁମାରଙ୍କୁ ସାଉଁଟିଛନ୍ତି ସମ୍ମାନ । ବାଲ୍ୟକାଳରୁ ଆର୍ଥିକ ଦୁର୍ଦ୍ଦଶାରେ ସଢ଼ିଥିବା ଆନନ୍ଦଙ୍କ ଗଣିତ ପ୍ରତି ଥିଲା ସ୍ବତନ୍ତ୍ର ଆଗ୍ରହ । ତାଙ୍କ ଦ୍ବାରା ରଚିତ ନମ୍ବର ଥିଓରି ମାଥମେଟିକାଲ ସ୍ପେକ୍ଟ୍ରମରେ ପ୍ରକାଶିତ ହେବା ପରେ ବଢ଼ିଥିଲା ଖ୍ୟାତି । କେମ୍ବ୍ରିଜରେ ପଢ଼ିବା ଲାଗି ସୁଯୋଗ ଆସିଥିଲା । ହେଲେ ବାପାଙ୍କ ମୃତ୍ୟୁ କାରଣରୁ ସେ ସେଠାକୁ ଯାଇପାରି ନଥିଲେ । ଗରିବ ପିଲାଙ୍କୁ ମାଗଣାରେ ଜେଇଇ କୋଚିଂ ଦେବା ଲାଗି ପଣ କରି ପ୍ରତିଷ୍ଠା କରିଥିଲେ ସୁପର ୩୦ ।

ପ୍ରତିବର୍ଷ ୩୦ ଜଣ ଗରିବ ପିଲାଙ୍କୁ ଜେଇଇ ଏଣ୍ଟ୍ରାନସ ଲାଗି କରୁଛନ୍ତି ପ୍ରସ୍ତୁତ । ୨୦୦୩ରୁ ୨୦୧୭ ମଧ୍ୟରେ ୫୦୦ ପିଲାଙ୍କ ମଧ୍ୟରୁ ୩୯୧ ଛାତ୍ରଛାତ୍ରୀ ଜେଇଇ ପାସ୍ କରିଥିଲେ । ୨୦୧୦ରେ ସମସ୍ତ ୩୦ ଜଣ ପିଲା ଏଣ୍ଟ୍ରାନ୍ସ ପାସ୍ କରିଥିଲେ । ତାଙ୍କୁ ନେଇ ନିର୍ମିତ ହୋଇଛି ଚଳଚ୍ଚିତ୍ର ସୁପର ୩୦ । ଆନନ୍ଦଙ୍କ ଭୂମିକାରେ ଅଭିନୟ କରିଥିଲେ ହ୍ରିତିକ ରୋଶନ । ଆରକ୍ଷଣ ଫିଲ୍ମରେ ଅଭିନେତା ଅମିତାଭ ବଚ୍ଚନଙ୍କୁ ବି ସାହାଯ୍ୟ କରିଥିଲେ ଆନନ୍ଦ । ଆଂଶିକ ଶ୍ରବଣ ଶକ୍ତି ସମସ୍ୟାରେ ଥିବା ଆନନ୍ଦଙ୍କ ଉପରେ ଏକ ପୁସ୍ତକ ମଧ୍ୟ ରଚନା କରିଥିଲେ କାନାଡାର ସାଇକିଆଟ୍ରିଷ୍ଟ ବିଜୁ ମାଥ୍ୟୁ ।

ହକି ବିଶ୍ୱକପ୍: କାଲିଠାରୁ ଆରମ୍ଭ ହେଉଛି ସେମିଫାଇନାଲ ଟକ୍କର

ଭୁବନେଶ୍ୱର: ହକି ବିଶ୍ବକପ ପାଇଁ କାଲିଠାରୁ ଆରମ୍ଭ ହେଉଛି ସେମି ଫାଇନାଲ ଟକ୍କର । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ସେମିଫାଇନାଲ ମୁକାବିଲା । ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ-ଜର୍ମାନୀ । ସେହିଭଳି ଦ୍ବିତୀୟ ସେମିରେ ବେଲଜିୟମ ଓ ନେଦରଲାଣ୍ଡ୍ସ ମଧ୍ୟରେ ହେବ ମୁକାବିଲା । ଫାଇନାଲ ଟିକେଟ ପାଇ ୪ଟି ଟିମ୍ କାଲି ଟର୍ଫକୁ ଓଲ୍ହାଇବେ । ପ୍ରଥମ ସେମିଫାଇନାଲ ଅଷ୍ଟ୍ରେଲିଆ ଓ ଜର୍ମାନୀ ମଧ୍ୟରେ ହେବାକୁ ଥିବା ବେଳେ ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଶତପ୍ରତିଶତ ଭଲ ପ୍ରଦର୍ଶନ କରିବାକୁ ଉଦ୍ୟମ କରିବ ବୋଲି କହିଛନ୍ତି ଅଷ୍ଟ୍ରେଲିଆ କୋଚ ବ୍ୟାଚ କୋଲିନ । ଅଷ୍ଟ୍ରେଲିଆ ଏବେ ବିଶ୍ୱର ଏକ ନମ୍ବର ରାଙ୍କିଙ୍ଗ ଟିମ୍ । ଚଳିତ ବିଶ୍ୱକପରେ ଦଳ ଅପରାଜେୟ ରହିଛି ।

ଅନ୍ୟପକ୍ଷରେ ବିଶ୍ୱର ୪ଟି ଶ୍ରେଷ୍ଠ ଟିମ୍ ସେମିରେ ପ୍ରବେଶ କରିଛନ୍ତି । ତେବେ ଯେଉଁ ଟିମ୍ ଶ୍ରେଷ୍ଠ ପ୍ରଦର୍ଶନ କରିବ ସେହି ଟିମ୍ ଫାଇନାଲକୁ ଯିବ ବୋଲି କହିଛନ୍ତି ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ । ତେବେ ଚଳିତ ବିଶ୍ୱକପର ପ୍ରଦର୍ଶନ ଆଧାରରେ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ୍ସ ଭଲ ପ୍ରଦର୍ଶନ କରୁଥିବା ବେଳେ ଏହି ଦୁଇଟି ଟିମ୍ ଫାଇନାଲ ଯିବାର ସମ୍ଭାବନା ଅଧିକ ବୋଲି ଦିଲ୍ଲୀପ ତିର୍କୀ କହିଛନ୍ତି ।

କେଉଁଠି କେତେ ପାଣି, ସାଧାରଣ ଲୋକେ ବି ଜାଣିପାରିବେ ରାଜ୍ୟ ଜଳ ସମ୍ପଦର ସ୍ଥିତି

ଭୁବନେଶ୍ୱର: ରାଜ୍ୟରେ ପ୍ରତିଷ୍ଠା ହେବ ଜଳ ସୂଚନା କେନ୍ଦ୍ର । ମିଳିବ ଜଳସମ୍ପଦ ସମ୍ପର୍କୀତ ସମସ୍ତ ତଥ୍ୟ । ଏସବୁ ତଥ୍ୟ ରହିବ ପବ୍ଲିକ ଡୋମେନରେ । ସାଧାରଣ ଲୋକଟିଏ ବି ଜାଣିପାରିବ ରାଜ୍ୟରେ ଥିବା ଜଳସମ୍ପଦର ସ୍ଥିତି । ରାଜ୍ୟ ଜଳ ସୂଚନା କେନ୍ଦ୍ର ବା ଏସ୍ଡବ୍ଲ୍ୟୁଆଇସି ଜାତୀୟ ଜଳ ସୂଚନା କେନ୍ଦ୍ରର ସହାୟତା ଏବଂ ମାର୍ଗଦର୍ଶନରେ ରାଜ୍ୟ ଜଳ ସମ୍ପଦ ତଥ୍ୟର ସମନ୍ବୟ, ସଂଗ୍ରହ ଏବଂ ପ୍ରସାର ପାଇଁ ଏକ ଉତ୍ସର୍ଗୀକୃତ ସଂସ୍ଥା ଭାବେ କାର୍ଯ୍ୟ କରିବ । ପ୍ରତ୍ୟେକ ବିଭାଗ ଏବଂ ସଂସ୍ଥାରୁ ଅଧିକାରୀଙ୍କୁ ଏଥିରେ ଡୋମେନ ବିଶେଷଜ୍ଞ ଭାବରେ ସାମିଲ କରାଯିବ । ଜଳସମ୍ପଦ ବିଭାଗ ପକ୍ଷରୁ ଯୋଜନା ଏବଂ ସମନ୍ବୟ, କୃଷି ଏବଂ କୃଷକ ସଶକ୍ତିକରଣ, ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସହିତ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟରକୁ ମତାମତ ମଗାଯାଇଛି । ଏହାକୁ ଜଳ ବିଶେଷଜ୍ଞମାନେ ସ୍ବାଗତ କରିଛନ୍ତି ।

ରାଜ୍ୟରେ କେଉଁ ନଦୀର ଜଳ ସ୍ଥିତି କ’ଣ ରହିଛି ? ନଦୀବନ୍ଧ କେତେ ସୁରକ୍ଷିତ ? ନଦୀର ଜଳ କେତେ ପ୍ରଦୂଷିତ? ଖରାଦିନେ କେଉଁଠି ଜଳ ଅଭାବ ରହୁଛି? ନଦୀ ବ୍ୟତୀତ ରାଜ୍ୟରେ ଥିବା ବିଭିନ୍ନ ଡ୍ୟାମ, ହ୍ରଦ, ନାଳର ଜଳ କେତେ ବ୍ୟବହାର ଯୋଗ୍ୟ ? ଅଂଶୁପା, ଚିଲିକା, ଟାମ୍ପରା, କୁସୁମା ଭଳି ଆଉ କେଉଁଠି ଜଳ ପର୍ଯ୍ୟଟନର ସୁଯୋଗ ରହିଛି? କେଉଁ ଜାଗାରେ ପର୍ଯ୍ୟଟକଙ୍କ ପାଇଁ ଜଳକ୍ରୀଡ଼ାର ସମ୍ଭବ ହୋଇପାରିବ ? ଏପରିକି ଆନ୍ତଃ-ରାଜ୍ୟ ନଦୀର ପ୍ରବାହ ସମ୍ପର୍କୀତ ତଥ୍ୟ ବି ରହିବ ଜଳ ସୂଚନା କେନ୍ଦ୍ରରେ । କେନ୍ଦ୍ର ସରକାରଙ୍କ ଏନଡବ୍ଲ୍ୟୁଆଇସିର ମାର୍ଗଦର୍ଶନରେ ରାଜ୍ୟରେ ପ୍ରତିଷ୍ଠା ହେବାକୁ ଯାଉଥିବା ଏହି କେନ୍ଦ୍ରର ଅନେକ ଉପାଦେୟ ରହିଛି । ଏଭଳି ଏକ ପଦକ୍ଷେପ ରାଜ୍ୟବାସୀଙ୍କ ପାଇଁ ଖୁବ୍ ସହାୟକ ହେବ ବୋଲି ଜଳ ସମ୍ପଦ ବିଭାଗର ପୂର୍ବତନ ଯନ୍ତ୍ରୀ କହିଛନ୍ତି ।

ଜଳ ଉତ୍ସଗୁଡ଼ିକର ପରିଚାଳନା ହେଉଛି ଏକ ଜଟିଳ କାର୍ଯ୍ୟ ଯାହା ବହୁମୁଖୀ ଡୋମେନଗୁଡ଼ିକର ପାରଦର୍ଶିତାକୁ ଅର୍ନ୍ତଭୁକ୍ତ କରେ । ଏନ୍ଡବ୍ଲ୍ୟୁଆଇସି ଓ ଏସ୍ଡବ୍ଲ୍ୟୁଆଇସି ମଧ୍ୟରେ ଜଳ ସୂଚନା କେନ୍ଦ୍ର ପ୍ରତିଷ୍ଠା ନେଇ ଶୀଘ୍ର ଏକ ରାଜିନାମା ସ୍ବାକ୍ଷରିତ ହେବ ।

ଓଡ଼ିଶାରେ ମିଳିବ ବିଶ୍ବସ୍ତରୀୟ ଉଚ୍ଚଶିକ୍ଷା, ବ୍ରେନ ଡ୍ରେନ୍ ରୋକିବାକୁ ମୁଖ୍ୟମନ୍ତ୍ରୀଙ୍କ ମାଷ୍ଟରପ୍ଲାନ୍

ଭୁବନେଶ୍ୱର: ଆମ ପାଖରେ ରହିବେ ଆମ ପ୍ରତିଭା । ଓଡ଼ିଶାରେ ରହିବେ, ଉଚ୍ଚଶିକ୍ଷା ଲାଭ କରିବେ । ବ୍ରେନ୍ ଡ୍ରେନ ରୋକିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାଷ୍ଟରପ୍ଲାନ । ବିଶ୍ବସ୍ତରୀୟ ଶିକ୍ଷା ପାଇଁ ବିଶ୍ବର ବଛା ବଛା ବିଶ୍ବବିଦ୍ୟାଳୟକୁ ଓଡ଼ିଶା ଡାକି ଆଲେଚନା ଆରମ୍ଭ ହୋଇଛି । ଫ୍ରେଞ୍ଚ ବିଜନେସ୍ ସ୍କୁଲ, ଏମଲ୍ୟୋନ ବିଜନେସ୍ ସ୍କୁଲ, ୟୁନାଇଟେଡ୍ କିଙ୍ଗଡମ ବିଶ୍ବବିଦ୍ୟାଳୟ, ଅଷ୍ଟ୍ରେଲିଆନ ବିଶ୍ବବିଦ୍ୟାଳୟ, ଡେକିନ୍ ବିଶ୍ବବିଦ୍ୟାଳୟ ଓ ୟୁନିଭର୍ସିଟି ଅଫ୍ ଚିକାଗୋ ପରି ପ୍ରତିଷ୍ଠିତ ଉଚ୍ଚଶିକ୍ଷାନୁଷ୍ଠାନ ଏବେ ଓଡ଼ିଶାମୁହାଁ ହୋଇଛନ୍ତି । ଓଡ଼ିଶା ସହଯୋଗରେ ସେମାନଙ୍କ ଶିକ୍ଷା ଢାଞ୍ଚାକୁ ସଂଯୋଜନ କରିବା ପାଇଁ ସେହି ଦେଶର ହାଇ କମିଶନରଙ୍କଠାରୁ ଆରମ୍ଭ କରି କୁଳପତିମାନେ ରାଜ୍ୟ ସରକାରଙ୍କୁ ଭେଟୁଛନ୍ତି । ଏହାଦ୍ବାରା ଆଗକୁ ରାଜ୍ୟର ପ୍ରତିଭାବାନ୍ ଛାତ୍ରଛାତ୍ରୀଙ୍କୁ ଓଡ଼ିଶାରେ ହିଁ ବିଶ୍ବସ୍ତରୀୟ ଶିକ୍ଷା ମିଳିବ ।

ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ବିଭାଗ ସହ ୟୁନିଭର୍ସିଟି ଅଫ୍ ଚିକାଗୋ ୫ ବର୍ଷୀୟ ଷ୍ଟ୍ରାଟେଜିକ୍ ପାର୍ଟନରସିପ କରିଛି । ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ବିଭାଗକୁ ନୋଡାଲ ବିଭାଗ କରି ସେମାନେ ଡାଟା ପଲିସି ଓ ଇନୋଭେସନ୍ ସେଣ୍ଟର କରିବେ। ଚଳିତ ବର୍ଷ ଡିସେମ୍ବର ପହିଲାରୁ ୩ ତାରିଖ ଯାଏ ଓଡ଼ିଶାରେ ଏଡୁ ଇନଭେଷ୍ଟ କନକ୍ଲେଭ ହେବ। ଶିକ୍ଷା କ୍ଷେତ୍ରରେ ଏକ ହଜାର କୋଟିର ପୁଞ୍ଜିନିବେଶର ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଏହା ପୂର୍ବରୁ ବିଶ୍ବର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଗୁଡ଼ିକ ସହଯୋଗରେ ରାଜ୍ୟରେ ବିଶ୍ବସ୍ତରୀୟ ଶିକ୍ଷାର ବାତାବାରଣ ସୃଷ୍ଟି କରାଯାଉଛି।

ପୂର୍ବରୁ ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କୁ ବିଦେଶ ପଠାଯାଇ ଶିକ୍ଷା ବା ସାଂସ୍କୃତିକ ବ୍ୟବସ୍ଥା ଉପରେ ଲେକଚର୍ ଦେବାକୁ ସୁଯୋଗ ଦିଆଯାଉଥିଲା । ହେଲେ ସ୍ଥିତି ଏପରି ହେଲା ଯେ ଛାତ୍ରଛାତ୍ରୀମାନେ ବିଦେଶର ଶିକ୍ଷା ବ୍ୟବସ୍ଥାକୁ ଆପଣେଇବାରେ ଲାଗିଲେ । ଅନେକ ଛାତ୍ରଛାତ୍ରୀ ବିଦେଶରେ ରହିଗଲେ । ଯାହା ଭାରତକୁ ଶିକ୍ଷା ଓ ବୈଷୟିକ ଦିଗରୁ ଧକ୍କା ଦେଲା । ହେଲେ ଶିକ୍ଷାର ହବ୍ ପାଲଟିଥିବା ଓଡ଼ିଶା ଏବେ ଯେପରି ଶିକ୍ଷାର ଅନ୍ତର୍ଜାତୀୟ ପ୍ଲାଟଫର୍ମ ସୃଷ୍ଟି କରୁଛି, ତାହା ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି କରିବ ।

ଏବେ ଦେଶ ସହ ବିଦେଶରେ ଚାକିରିରୁ ଛଟେଇ ଚାଲିଛି । କେମିତି ଭାରତ ଫେରି ପୁଣି ସ୍ବାଭାବିକ ଭାବେ ବୃତ୍ତିଗତ ଜୀବନ ବିତାଇବେ ସେହି ଚିନ୍ତାରେ ଛାତ୍ରଛାତ୍ରୀ । ଏପରି ସ୍ଥିତିରେ ଓଡ଼ିଶାରେ ବିଶ୍ବସ୍ତରୀୟ ଶିକ୍ଷା ଓ ହାଇଟେକ୍ ରୋଜଗାରର ମାଧ୍ୟମ ସୃଷ୍ଟି କରାଯାଉଛି ।

ଆବାସ ପାଇବେ ଯୋଗ୍ୟ ହିତାଧିକାରୀ, ସ୍ବଚ୍ଛତାର ସହ କାମ କରୁଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର: ଆବାସରେ ବନ୍ଦ କର ମାଇଲେଜ ପଲିଟିକ୍ସ । ଗରିବ କିପରି ଘର ପାଇବେ କର ସହଯୋଗ । ପ୍ରଥମେ ଆବାସ ଯୋଜନାରେ କେନ୍ଦ୍ରର ବିଜେପି ସରକାର ଅର୍ଥ କାଟ, ପରେ ଲୋଗୋକୁ ନେଇ ଝଗଡ଼ା । ଏହାପରେ ବହୁଦିନ ଧରି ପୋର୍ଟାଲ ବନ୍ଦ କରି ଗରିବଙ୍କୁ ଘର ଦେବାରୁ ବଞ୍ଚିତ କଲା । ରାଜ୍ୟ ସରକାର ଲଢ଼େଇ କରି ଗରିବଙ୍କୁ ଆବାସ ଘର ଯୋଗଇ ଦେବାକୁ ପ୍ରୟାସ ଜାରି ରଖିଥିବା ବେଳେ ଅଯୋଗ୍ୟ ହିତାଧିକାରୀ ପ୍ରସଙ୍ଗ ଉଠାଇ ଅସନ୍ତୋଷର ମଞ୍ଜି ବୁଣୁଛନ୍ତି ବିରୋଧୀ । ଯାହାକି ଏବେ  ବିରୋଧୀଙ୍କ ପାଇଁ ବୁମେରାଂଙ୍କ ହେଲାଣି । କାରଣ ଆବାସ ଘର ଯୋଗଇ ଦେବା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ସ୍ବଚ୍ଛତାର ସହ କାମ କରୁଛନ୍ତି ବୋଲି କହିଛି  ଶାସକ ଦଳ ।

ଆବାସ କାର୍ଯ୍ୟକ୍ରମ ଠିକରେ କରେଇ ନଦେବା ପାଇଁ ବୋଧେ ବିଜେପି ଅଣ୍ଟା ଭିଡ଼ିଛି  । ଯେହେତୁ ନିର୍ବାଚନ ଅଛି ଇସ୍ୟୁ କରି ଭୋଟ ହାତେଇବା ଚାହୁଁଛନ୍ତି ବୋଲି ବରିଷ୍ଠ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି  । ଶାସକ ଦଳର କହିବା କଥା ହେଉଛି ଲୋକମାନେ ନିଜେ ବସିବେ, ନିଜେ ଜାଣିବେ । ଆବାସ ଯୋଜନା କଥା ଲୋକେ ଜାଣିଛନ୍ତି, ନାମ ତାଲିକା ଝୁଲା ହୋଇଛି ସବୁଠି । କ୍ରସ ଚେକ ବି ହୋଇଛି । ସମ୍ବିଧାନରେ ଗ୍ରାମସଭାକୁ ସ୍ୱୀକୃତି ଦିଆଯାଇଛି । ତେଣୁ ଆଜିଠାରୁ ଆବାସ ପାଇଁ ଗ୍ରାମସଭା ଆରମ୍ଭ କରାଯାଇଛି  ବୋଲି ଶାସକ ଦଳ କହିଛି  । ସେପଟେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ବି ଘର ବଣ୍ଟନ ରାଜନୀତି ନକରିବାକୁ ପରାମର୍ଶ ଦେଇଛନ୍ତି ।

ଅନ୍ୟପଟେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଆବାସ ତାଲିକା ନେଇ ଅଭିଯୋଗ ପରେ ଗ୍ରାମସଭା ଆରମ୍ଭ ହୋଇଛି । ଗ୍ରାମ ସଭାରେ ଯୋଗ୍ୟ, ଅଯୋଗ୍ୟ ହିତାଧିକାରୀଙ୍କ ନାମକୁ ନେଇ ଆଲୋଚନା କରାଯାଇଛି  l କିଛି ସ୍ଥାନରେ ନିଜ ନାମ କଟିଥିବାରୁ ବହୁ ଯୋଗ୍ୟ ହିତାଧିକାରୀ ଗ୍ରାମ ସଭାକୁ ଆସି ଅସନ୍ତୋଷ ପ୍ରକାଶ କରିଛନ୍ତି l ପରେ ଏସବୁ ଉପରେ ଘମାଘୋଟ ଆଲୋଚନା ହେବା ପରେ ଯୋଗ୍ୟ ହିତାଧିକାରୀଙ୍କ ନାମକୁ ସୁପାରିସ କରି ବିଡିଓଙ୍କୁ ପ୍ରଦାନ କରାଯାଇଛି l ବହୁ ଯୋଗ୍ୟ ଅସହାୟ ହିତାଧିକାରୀ ଗ୍ରାମ ସଭାକୁ ନିଜ ସମସ୍ୟା ଜଣାଇଛନ୍ତି l ତଦନ୍ତ କରି ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ଯୋଜନାରେ ସାମିଲ କରାଯିବ ବୋଲି ପ୍ରତିଶୃତି ଦିଆଯାଇଛି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ଯେତିକି ସହାୟତା ଦେଉଛି ପ୍ରଶାସନିକ ଖର୍ଚ୍ଚକୁ ମିଶାଇଲେ ରାଜ୍ୟ ସରକାର ମଧ୍ୟ ସମାନ ପରିମାଣର ଅର୍ଥ ଖର୍ଚ୍ଚ କରୁଛନ୍ତି । ରାଜ୍ୟ ସରକାରଙ୍କ ସ୍ବଚ୍ଛ ପ୍ରକ୍ରିୟା ଯୋଗୁଁ ଅଯୋଗ୍ୟ ହିତାଧିକାରୀ ନାଁରେ ଗରିବଙ୍କ ମୁଣ୍ଡରୁ ଛାତ ଛଡ଼ାଇନେବାକୁ ବିରୋଧୀ ଯେଉଁ ଚକ୍ରାନ୍ତ ରଚିଛନ୍ତି ତାହା ଏବେ ଧୀରେଧୀରେ ଫସର ଫାଟୁଛି ।

ବାହାରିନର ଭାରତୀୟ ଦୂତବାସରେ ପାଳିତ ହୋଇଛି ଗଣତନ୍ତ୍ର ଦିବସ

ନୂଆଦିଲ୍ଲୀ: ଆଜି ବାହାରିନର ଭାରତୀୟ ଦୂତାବାସରେ ପାଳିତ ହୋଇଛି ୭୪ ତମ ଗଣତନ୍ତ୍ର ଦିବସ । ଗଣତନ୍ତ୍ର ଦିବସ ପାଳନ ଅବସରରେ ଭାରତର ରାଷ୍ଟ୍ରଦୂତ ପୀୟୁଷ ଶ୍ରୀବାସ୍ତବ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ପ୍ରଦାନ କରିଥିଲେ । ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ସଭାପତି ଡ. ଅରୁଣ କୁମାର ପ୍ରହରାଜଙ୍କୁ ନିମନ୍ତ୍ରଣ କରାଯାଇଥିଲା । ସମସ୍ତ ଭାରତୀୟଙ୍କୁ ଅରୁଣ କୁମାର ପ୍ରହରାଜ ଭାରତର ୭୪ ତମ ଗଣତନ୍ତ୍ର ଦିବସ ପାଇଁ ଶୁଭେଚ୍ଛା ଜଣାଇଥିଲେ ।

ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଆରମ୍ଭ ହେଲା ରଥ ନିର୍ମାଣ ପ୍ରକ୍ରିୟା

ପୁରୀ: ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଆରମ୍ଭ ହେଲା ରଥ ନିର୍ମାଣ ପ୍ରକ୍ରିୟା । ପବିତ୍ର ଶ୍ରୀ ପଞ୍ଚମୀରେ ରଥକାଠ ଅନୁକୂଳ କରାଯାଇଛି । ନୟାଗଡ଼ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଖାଯାଇ ସନ୍ଧ୍ୟାରେ ପୂଜାର୍ଚ୍ଚନା କରାଯାଇଛି । ଧଉରା କାଠକୁ ପୂଜାର୍ଚ୍ଚନା କରିଛନ୍ତି ରାଜ ପୁରୋହିତ ଓ ଶ୍ରୋତ୍ରୀୟ ବ୍ରାହ୍ମଣ । ମାଆ ସରସ୍ବତୀଙ୍କ ନିକଟରେ ସ୍ବତନ୍ତ୍ର ପୂଜା କରାଯିବା ପରେ ରଥଖଳାରେ ତିନିଖଣ୍ଡ ଧଉରା କାଠକୁ ରାଜଗୁରୁ ଓ ବ୍ରାହ୍ମଣମାନେ ବନ୍ଦାପନା ସହିତ ପୂଜା କରିଛନ୍ତି ।

ଆସନ୍ତା ରାମନବମୀ ତିଥିରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବାର ବିଧି ରହିଛି । ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ । ପୁରୀରେ ପ୍ରଥମ ପର୍ଯ୍ୟାୟରେ ୧୦୪ ଖଣ୍ଡ ରଥକାଠ ପହଞ୍ଚିଛି । ଅକ୍ଷୟ ତୃତୀୟା ତିଥିରେ ରଥଖଳାରେ ତିନିରଥ ନିର୍ମାଣ ଆରମ୍ଭ ହେବ ।

ରାହୁଲ-ଆଥିଆଙ୍କ ଉପରେ ଗିଫ୍ଟ ବର୍ଷା, ରାହୁଲଙ୍କୁ ବିଏମଡବ୍ଲ୍ୟୁ କାର ଗିଫ୍ଟ ଦେଲେ କୋହଲି

ମୁମ୍ବାଇ: ଚର୍ଚ୍ଚିତ ନବଦମ୍ପତିଙ୍କୁ ଗିଫ୍ଟ ବର୍ଷା । ବଲିଉଡ ଅଭିନେତ୍ରୀ ଆଥିୟା ସେଟ୍ଟୀ ଓ କ୍ରିକେଟର କେ.ଏଲ. ରାହୁଲଙ୍କୁ ଗିଫ୍ଟ ବର୍ଷା । ଚର୍ଚ୍ଚିତ ବାହାଘରରେ ଉଭୟଙ୍କୁ ମିଳିଛି କୋଟି କୋଟି ଟଙ୍କାର ଗିଫ୍ଟ । କନ୍ୟା ଆଥିୟାଙ୍କୁ ବାପା ତଥା ଅଭିନେତା ସୁନୀଲ ସେଟ୍ଟୀ ଦେଇଛନ୍ତି ଆଖି ଝଲସିଯିବା ପରି ଆପାର୍ଟମେଣ୍ଟ । ଯାହାର ଦାମ୍ ୫୦ କୋଟି ଟଙ୍କା । ମୁମ୍ବାଇରେ ଥିବା ଏକ ଫ୍ୟାନସି ଆପାର୍ଟମେଣ୍ଟ ଲାଭ କରିଛନ୍ତି ଆଥିୟା । ପଛରେ ପଡିନାହାନ୍ତି ସୁପରଷ୍ଟାର ସଲମାନ ଖାଁ । ଆଥିୟାଙ୍କୁ ସଲମାନ ଖାନ୍ ଦେଇଛନ୍ତି ଏକ ଅଡି କାର । ଯାହାର ଦାମ୍ ରହିଛି ୧ କୋଟି ୬୪ ଲକ୍ଷ ଟଙ୍କା ।

ବର୍ଡର, ରିଫ୍ୟୁଜି ଆଦି ଚଳଚ୍ଚିତ୍ରରେ ସୁନୀଲ ସେଟ୍ଟୀଙ୍କ ସହତାରକା ଥିବା ଜ୍ୟାକି ସ୍ରଫ ଦେଇଛନ୍ତି ସୁଇସ ଲକ୍ଜରୀ ଘଣ୍ଟା ଯାହାର ଦାମ ୩୦ ଲକ୍ଷ ଟଙ୍କା । ଆଥିୟାଙ୍କ ବନ୍ଧୁ ଅର୍ଜୁନ କପୁର ଦେଇଛନ୍ତି ଦେଢ କୋଟି ଟଙ୍କାର ଡାଏମଣ୍ଡ ବ୍ରେସଲେଟ । ଆଥିୟାଙ୍କ ସ୍ବାମୀ ତଥା କ୍ରିକେଟର କେ.ଏଲ. ରାହୁଲଙ୍କ ଉପରେ ହୋଇଛି ଗିଫ୍ଟ ବର୍ଷା । ଭାରତୀୟ ଦଳର ଷ୍ଟାର କ୍ରିକେଟର ବିରାଟ କୋହଲି ରାହୁଲଙ୍କୁ ଦେଇଛନ୍ତି ୨ କୋଟି ୧୭ ଲକ୍ଷ ଟଙ୍କାର ଏକ ବିଏମଡବ୍ଲୁ କାର । ସେହିପରି କ୍ରିକେଟର ମହେନ୍ଦ୍ର ସିଂ ଧୋନି ଦେଇଛନ୍ତି ୮୦ ଲକ୍ଷ ଟଙ୍କାର ଏକ କାଓ୍ବାସାକି ନିଞ୍ଜା ବାଇକ ।

ମଦ ପିଇଲେ ଇଂରାଜୀ କହିବା ଦକ୍ଷତା ବଢେ !

ନୂଆଦିଲ୍ଲୀ: ମଦ୍ୟପାନ କରିବା ଦ୍ୱାରା କିଡନୀ, ଯକୃତ ଓ ହାର୍ଟକୁ କ୍ଷତି ପହଞ୍ଚାଇଥାଏ । କିନ୍ତୁ ଏମିତି କିଛି ଜିନିଷ ଅଛି ଯାହା ମଦ୍ୟପାନ କରିବା ଦ୍ୱାରା ଫାଇଦା ମିଳିଥାଏ । କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଯଦି ଜଣେ ବ୍ୟକ୍ତି ମଦ୍ୟପାନ କରେ ତାହାଲେ ସେ ଅନ୍ୟ ଭାଷା ତଥା ବିଦେଶୀ ଭାଷା କହିବା ଆରମ୍ଭ କରେ । ପୂର୍ବରୁ ସେ ବ୍ୟକ୍ତି ଜଣକ ସେ ଭାଷା ଜାଣିନଥିଲେ ମଧ୍ୟ ମଦ୍ୟପାନ ପରେ ଭଲ କହିବା ଆରମ୍ଭ କରେ । ଭାରତରେ ଏହା ଇଂରାଜୀ ଭାଷା ହୋଇପାରେ । ଅର୍ଥାତ ଭାରତରେ ଯେଉଁମାନେ ହିନ୍ଦୀ କୁହନ୍ତି, କିନ୍ତୁ ସେମାନେ ମଦ୍ୟପାନ କରିବା ପରେ ଭଲ ଇଂରାଜୀ କହିବା ଆରମ୍ଭ କରନ୍ତି । ଏହି ଅଧ୍ୟୟନ ସାଇକୋଫାରମାକୋଲୋଜି ପତ୍ରିକାରେ ପ୍ରକାଶିତ ହୋଇଛି । ଏହି ଅଧ୍ୟୟନ ଲିଭରପୁଲ୍ ବିଶ୍ୱବିଦ୍ୟାଳୟ, ମାଷ୍ଟ୍ରିଚ୍ ବିଶ୍ୱ ବିଦ୍ୟାଳୟ ଏବଂ କିଙ୍ଗ୍ କଲେଜ୍ ଲଣ୍ଡନର ଅନୁସନ୍ଧାନକାରୀଙ୍କ ଦ୍ୱାରା ମିଳିତ ଭାବରେ କରାଯାଇଛି ।

ସାଇନ୍ସ ଡେଲୀ ପ୍ରକାଶିତ ଏହି ଅଧ୍ୟୟନ ଅନୁଯାୟୀ ଆମେ ଜାଣିଛୁ ଯେ ଇଂରାଜୀ କିମ୍ବା ବିଦେଶୀ ଭାଷା କହିବା ପାଇଁ ବୈଦ୍ଧିକ ଦକ୍ଷତାରେ ସଚେତନ ହେବା ଆବଶ୍ୟକ । ଏଭଳି ପରିସ୍ଥିତିରେ ଆମମାନଙ୍କ ମନରେ ଏକ ଧାରଣ ଥିଲା କି ମଦ୍ୟପାନ ବୈଦ୍ଧିକ କ୍ଷମତାକୁ ନଷ୍ଟ କରିଥାଏ । କିନ୍ତୁ ଏହି ଅଧ୍ୟୟନରେ ଏହାର ବିପରୀତ ଫଳ ବାହାରିଛି । ଅଧ୍ୟୟନରୁ ଜଣାପଡ଼ିଛି ଯେ ମଦ୍ୟପାନ ଆତ୍ମବିଶ୍ୱାସକୁ ବହୁଗୁଣିତ କରିଥାଏ । ଏହା ସହିତ ମଦ୍ୟପାନ କରିବା ପରେ ବହୁତ ଲୋକଙ୍କୁ ଦେଖିବା ପରେ ଯେଉଁ ଭୟଭୀତ ହୋଇଥାଏ ତାହା ମଧ୍ୟ ଦୂର ହୋଇଥାଏ । ଏହି ଦୁଇଟିର ପ୍ରଭାବ ହେତୁ, ଯେତେବେଳେ ଅନ୍ୟ ଲୋକଙ୍କ ସହ କଥାବାର୍ତ୍ତା ହୁଏ । ସେତେବେଳେ ଅନ୍ୟ ଭାଷା କହିବାର କ୍ଷମତା ମଧ୍ୟ ବଢ଼ିଥାଏ । ତେବେ ଏହା ପରେ ଯେତେବେଳେ ମଦ ନିଶା ଭାଙ୍ଗି ଥାଏ, ସେତେବେଳେ ବ୍ୟକ୍ତି ଅନୁଭବ କରେ ଯେ ତାଙ୍କର ଦ୍ୱିତୀୟ ଭାଷା ବହୁତ ଉନ୍ନତି ହୋଇଛି ।

ଅନୁସନ୍ଧାନକାରୀମାନେ ଏହାକୁ ନେଦରଲାଣ୍ଡ୍ସ କିଛି ଜର୍ମାନ ମାତୃଭାଷା ଲୋକଙ୍କ ଉପରେ ପରୀକ୍ଷା କରିଥିଲେ । ଏହି ଲୋକମାନେ ଡଚ୍ ବିଶ୍ୱ ବିଦ୍ୟାଳୟରେ ପଢ଼ୁଥିଲେ । ଏଥିପାଇଁ ସେ ଏହି ଲୋକଙ୍କୁ ଅଳ୍ପ ପରିମାଣରେ ମଦ୍ୟପାନ କରାଇଥିଲେ । ଏହି ଲୋକମାନେ ସମସ୍ତେ ଜର୍ମାନ ଭାଷାରେ କଥା ହେଉଥିଲେ ଏବଂ ଡଚ୍ ଭାଷା ଶିଖୁଥିଲେ । କିନ୍ତୁ ମଦ୍ୟପାନ କରିବା ପରେ ଡଚ୍ ଭାଷାରେ ଭଲରେ କଥା ହୋଇଥିଲେ ।

 

ଆଜିଠୁ ବଦଳିଲା ବଡ଼ଗଡ଼, ଲକ୍ଷ୍ମୀସାଗର ଓ ସହିଦନଗର ଥାନାର ପରିସୀମା

ଭୁବନେଶ୍ବର: ଭୁବନେଶ୍ବର ଥାନା ପରିସୀମା ବିବାଦରେ ପୂର୍ଣ୍ଣଚ୍ଛେଦ । ବଡ଼ଗଡ଼, ଲକ୍ଷ୍ମୀସାଗର ଓ ସହିଦନଗର ଥାନାର ପରିସୀମା ବଦଳା ଯାଇଛି । ଗଣତନ୍ତ୍ର ଦିବସଠାରୁ ଥାନାର ପରିସୀମା ପରିବର୍ତ୍ତନ କରାଯାଇଛି । ପୂର୍ବରୁ ସହିଦନଗର ଥାନା ଅଧୀନରେ ଥିବା ବାସୁଆଘାଇ ପଞ୍ଚାୟତ ଏବେ ବଡ଼ଗଡ଼ ଥାନା ଅଧୀନରେ ରହିବ । ସେହିପରି ଲକ୍ଷ୍ମୀସାଗର ଥାନା ଅଧୀନରେ ରହିବ ଜଗନ୍ନାଥ ନଗର । ପୂର୍ବରୁ ମଞ୍ଚେଶ୍ୱର ଓ ସହିଦନଗର ଅଧୀନରେ ଥିଲା ଜଗନ୍ନାଥ ନଗର । ଥାନା ପରିସୀମା ବଦଳିବା ଯୋଗୁ କେଶୁରା, କୋରଡକଣ୍ଟା, ବାଙ୍କୁଆଳ ଲୋକଙ୍କୁ ମଧ୍ୟ ଆଶ୍ୱସ୍ତି ମିଳିଛି ।

ପୂର୍ବରୁ ଥାନା ପରିସୀମାକୁ ନେଇ ବିବାଦ ଉପୁଜିଥିବା ବେଳେ ଏନେଇ ନନ୍ଦିଘୋଷ ଟିଭିର ଖବର ପରିବେଶଣ କରାଯାଇଥିଲା । ପାଟ୍ରୋଲିଂ ଓ ଆଇନଶୃଙ୍ଖଳାକୁ ନେଇ ଅସୁବିଧା ହେଉଥିବା ଅଭିଯୋଗ ହେଉଥିବା ବେଳେ ଏହାକୁ ଗୁରୁତ୍ବ ଦେଇ ଥାନାର ପରିସୀମା ପରିବର୍ତ୍ତନ କରାଯାଇଛି । କିଛିଦିନ ତଳେ ସ୍ଥାନୀୟ ଲୋକେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କୁ ଭେଟି ଏନେଇ ଅଭିଯୋଗ କରିଥିଲେ ।