ଟ୍ୱିଟର ପରେ ପେଡ୍ ସବସ୍କ୍ରିପ୍ସନ ସେବା ଆରମ୍ଭ କଲା ମେଟା

1 min read

ନୂଆଦିଲ୍ଲୀ: ଟ୍ୱିଟର ପରେ ପେଡ୍ ସବସ୍କ୍ରିପ୍ସନ ସେବା ଆରମ୍ଭ କଲା ମାର୍କ ଜୁକରବର୍ଗଙ୍କ ମେଟା କମ୍ପାନୀ । ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟ୍ସଆପର ପ୍ୟାରେଣ୍ଟ୍ କମ୍ପାନୀ ମେଟା ମଧ୍ୟ ଏକ ପ୍ରିମିୟମ୍ ଯାଞ୍ଚ ସେବା ଘୋଷଣା କରିଛି । ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ମଧ୍ୟ ଯାଞ୍ଚ ହୋଇଥିବା ଆକାଉଣ୍ଟ ଅର୍ଥାତ ବ୍ଲୁ ଟିକ୍ ପାଇଁ ଦେୟ ଦେବାକୁ ପଡ଼ିବ । ୱେବ୍ ପାଇଁ ଏହାର ମୂଲ୍ୟ ୯୯୩ ଟଙ୍କା ଏବଂ iOS ପାଇଁ ୧୨୪୧ ଟଙ୍କା ନିର୍ଦ୍ଧାରିତ କରାଯାଇଛି । କମ୍ପାନୀର ସିଇଓ ମାର୍କ ଜୁକରବର୍ଗ ଏନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଚଳିତ ସପ୍ତାହରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡରେ ପ୍ରଥମ ଥର ପାଇଁ ଏହି ସେବା ଆରମ୍ଭ ହେବ ।

ଖୁବ୍ ଶୀଘ୍ର ଏହି ସେବା ଅନ୍ୟ ଦେଶରେ ଆରମ୍ଭ ହେବ । ଉପଭୋକ୍ତାମାନେ ସେମାନଙ୍କର ସରକାରୀ ଆଇଡି କାର୍ଡ ମାଧ୍ୟମରେ ସେମାନଙ୍କ ଆକାଉଣ୍ଟ ଯାଞ୍ଚ କରିବାରେ ସକ୍ଷମ ହେବେ । ଏହା ବଦଳରେ ବ୍ୟବହାରକାରୀଙ୍କ ଆକାଉଣ୍ଟକୁ ଅତିରିକ୍ତ ସୁରକ୍ଷା ମଧ୍ୟ ଯୋଗାଇ ଦିଆଯିବ । ତେବେ, ଭାରତରେ ଏହି ସେବା କେବେ ଆରମ୍ଭ ହେବ? ସେନେଇ କୌଣସି ସୂଚନା ସାମ୍ନାକୁ ଆସିନାହିଁ । ଏହାପୂର୍ବରୁ, ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ନିକଟରେ ପେଡ୍ ସବସ୍କ୍ରିପସନ୍ ସେବା ‘ଟ୍ୱିଟର ବ୍ଲୁ’ ଲଞ୍ଚ କରିଥିଲା ।

ବ୍ଲୁ ଟିକ୍ ପାଇବାକୁ ଏବଂ ପ୍ରିମିୟମ୍ ସବସ୍କ୍ରିପସନ୍ ସେବାର ଫିଚର ବ୍ୟବହାର କରିବାକୁ ଭାରତରେ ମୋବାଇଲ୍ ବ୍ୟବହାରକାରୀଙ୍କୁ ମାସକୁ ୯୦୦ ଟଙ୍କା ଦେବାକୁ ପଡିବ । ସେହିପରି କମ୍ପାନୀ ୬୫୦ ଟଙ୍କାରେ ସବୁଠୁ କମ୍ ମୂଲ୍ୟର ପ୍ରିମିୟର ସବସ୍କ୍ରିପ୍ସନ ପ୍ଲାନ ମଧ୍ୟ ଜାରି କରିଥିଲା । ଏହି ଯୋଜନା ୱେବ୍ ବ୍ୟବହାରକାରୀଙ୍କ ପାଇଁ ଅଟେ । ପ୍ରକାଶଥାଉ ଯେ, କମ୍ପାନୀ ଗତ ବର୍ଷ ଟ୍ୱିଟର ବ୍ଲୁ’କୁ ଏକ ନୂଆ ରୂପରେ ଜାରି କରିଥିଲା । ଏହା ପୂର୍ବରୁ ଆମେରିକା, ବ୍ରିଟେନ, କାନାଡା, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଏବଂ ଜାପାନ ସମେତ କେତେକ ଦେଶରେ ଆରମ୍ଭ କରାଯାଇଥିଲା ।