ତେଲେଙ୍ଗାନା ଭାରତର ଆଫଗାନିସ୍ତାନ ଏବଂ କେସିଆର୍ ଏହାର ତାଲିବାନ: ୱାଇଏସ୍ ଶର୍ମିଳା

ମେହବୁବାବାଦ: ତେଲେଙ୍ଗାନା ହେଉଛି ଭାରତର ଆଫଗାନିସ୍ତାନ ଏବଂ ମୁଖ୍ୟମନ୍ତ୍ରୀ କେସିଆର୍ ଏହାର ତାଲିବାନ ଅଟନ୍ତି । ଏଭଳି ମନ୍ତବ୍ୟ ଦେଇଛନ୍ତି ରାଜ୍ୟର ବିରୋଧୀ ୱାଇଏସଆର୍ ତେଲେଙ୍ଗାନା ପାର୍ଟି (ୱାଇଏସଆରଟିପି)ର ମୁଖିଆ ୱାଇଏସ୍ ଶର୍ମିଳା । ଶର୍ମିଳା ମେହବୁବାବାଦରେ ଗଣମାଧ୍ୟମକୁ ସାକ୍ଷାତକାରରେ କହିଛନ୍ତି, ତେଲେଙ୍ଗାନା ସିଏମ୍ କେସିଆର୍ ଜଣେ ଏକଛତ୍ରବାଦୀ ଶାସକ, ସେ ଅତ୍ୟାଚାରୀ ଅଟନ୍ତି, ତେଲେଙ୍ଗାନାରେ କୌଣସି ଭାରତୀୟ ସମ୍ବିଧାନ ନାହିଁ, କେବଳ କେସିଆରଙ୍କ ସମ୍ବିଧାନ ରହିଛି । ତେଲେଙ୍ଗାନା ଭାରତର ଆଫଗାନିସ୍ତାନ ଅଟେ ଏବଂ କେସିଆର୍ ଏହାର ତାଲିବାନ ।

ପ୍ରକାଶଥାଉକି, ତେଲେଙ୍ଗାନା ପୋଲିସ ୱାଇଏସ୍ ଶର୍ମିଳାଙ୍କୁ ମେହବୁବାବାଦର ବିଧାୟକ ଏବଂ ବିଆରଏସ୍ ନେତା ଶଙ୍କର ନାଇକଙ୍କ ବିରୋଧରେ ଅନୁଚିତ ଟିପ୍ପଣୀ କରିବା ଅଭିଯୋଗରେ ରବିବାର ହେପାଜତକୁ ନେଇଛି । ଏହି ଅବସରରେ ମେହବୁବାବାଦ ସହରରେ ଆଇନ ବ୍ୟବସ୍ଥାର କୌଣସି ବି ସମସ୍ୟାରୁ ରକ୍ଷା ପାଇବା ପାଇଁ ପୋଲିସ ତାଙ୍କୁ ହାଇଦ୍ରାବାଦ ନେଇଯାଇଥିଲା । ପୋଲିସ ତାଙ୍କ ବିରୋଧରେ ଆଇପିସିର ଧାରା ୫୦୪ ଏବଂ ଏସସି/ଏସଟି ପିଓଏ ଅଧିନିୟମର ଧାରା ୩(କ) ଆର୍ ଆଧାରରେ ମାମଲା ରୁଜୁ କରାଯାଇଛି ।

ପ୍ରକାଶଯୋଗ୍ୟ, ୱାଇଏସ୍ ଶର୍ମିଳା ଶନିବାର ଏକ ଜନସଭାକୁ ସମ୍ବୋଧିତ କରି ମେହବୁବାବାଦର ବିଧାୟକଙ୍କ ଉପରେ କଥିତ ଭାବେ ନିଜର ପ୍ରତିଶ୍ରୁତି ପୂରଣ ନକରିବାକୁ ନେଇ ଶାଣିତ ଆକ୍ରମଣ କରିଥିଲେ । ସେ କହିଥିଲେ, ନିଜ ଲୋକଙ୍କୁ ସେ ଅନେକ ପ୍ରତିଶ୍ରୁତି ଦେଇଥିଲେ, ଯାହାକୁ ସେ ପୂରଣ କରିପାରିନାହାନ୍ତି । ଯଦି ଆପଣ ନିଜର ପ୍ରତିଶ୍ରୁତି ପୂରଣ କରୁନାହାନ୍ତି ତେବେ ଏହାର ଅର୍ଥ ଯେ ଆପଣ ନମ୍ପୁସକ ଅଟନ୍ତି । ତାଙ୍କର ଏହି ବୟାନ ପରେ ବିଆରଏସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ପ୍ରତିବାଦ କରାଯିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଥିଲା ।