ଜୟନାରାୟଣଙ୍କ ବିରୋଧରେ ସବୁଠି ତୀବ୍ର ପ୍ରତିବାଦ

ଭୁବନେଶ୍ୱର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ପାଇଁ ବଢୁଛି ଅଡୁଆ । ଖାଲି ମହିଳା ନୁହଁନ୍ତି, ଜୟନାରାୟଣଙ୍କ ବିରୋଧରେ ଚାରିଆଡେ ହୋଇଛି ତୀବ୍ର ପ୍ରତିବାଦ । ମହିଳାଙ୍କ ଆକ୍ରମଣ କରିବା ଘଟଣାରେ ଏବେ ରାସ୍ତାକୁ ଓହ୍ଲାଇଛି ଅଲ୍ ଓଡ଼ିଶା ଷ୍ଟୁଡେଣ୍ଟସ ଭଏସ । ଜୟନାରାୟଣ କ୍ଷମା ନମାଗିଲେ ଅଣ୍ଡାମାଡ କରାଯିବ ବୋଲି କହିଛି ଅଲ୍ ଓଡ଼ିଶା ଷ୍ଟୁଡେଣ୍ଟସ ଭଏସ । ନିଜ ଦଳର ବିଧାୟକଙ୍କ ଏଭଳି ଅଶୋଭନୀୟ ଆଚରଣ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କାହିଁକି ଚୁପ୍ ବୋଲି ପ୍ରଶ୍ନ କରିଛନ୍ତି ଛାତ୍ର ସଙ୍ଗଠନ ।

ଜୟନାରାୟଣଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି କହିଛି ଅଲ୍ ଓଡ଼ିଶା ଷ୍ଟୁଡେଣ୍ଟସ ଭଏସ । ଅନ୍ୟପକ୍ଷରେ ସମ୍ବଲପୁର ଧନୁପାଲି ଆଇଆଇସିଙ୍କୁ ଆକ୍ରମଣ ପ୍ରତିବାଦରେ ଜୟନାରାୟଣଙ୍କ ବାସଭବନ ଘେରାଉ କରିଛନ୍ତି ମହିଳା । ଜୟ ନାରାୟଣ ମିଶ୍ରଙ୍କ ଭୁବନେଶ୍ବର ସ୍ଥିତ ସରକାରୀ ବାସଭବନ ଘେରାଉ କରିଛନ୍ତି ମହିଳା ସଙ୍ଗଠନ । ବିରୋଧୀ ଦଳ ନେତା ପଦରୁ ବହିଷ୍କାର ଦାବି କରିଛନ୍ତି ମହିଳା । ଏଥିସହ ମହିଳାଙ୍କୁ କ୍ଷମା ମାଗିବାକୁ ଦାବି କରିଛନ୍ତି ଆନ୍ଦୋଳନକାରୀ ମହିଳା । ଗତକାଲି ପ୍ରଗତି ଫାଉଣ୍ଡେସନ ପକ୍ଷରୁ ଜୟନାରାୟଣଙ୍କ ବାସଭବନ ଘେରାଉ କରାଯାଇଥିଲା । ଏହା ପୂର୍ବରୁ କିନ୍ନର ସଂଘ ପକ୍ଷରୁ ମଧ୍ୟ ଜୟନାରାୟଣଙ୍କ ବାସଭବନ ଘେରାଉ କରାଯାଇଥିଲା । ଜୟନାରାୟଣଙ୍କ ଏପରି କାର୍ଯ୍ୟକଳାପକୁ ତାଙ୍କ ଦଳର ନେତା ମଧ୍ୟ ଏବେ ବିରୋଧ କରିଛନ୍ତି ।

ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି, ବିରୋଧୀ ଦଳ ନେତା ପଦ ଏକ ମର୍ଯ୍ୟାଦାଜନକ ଓ ସାମ୍ବିଧାନିକ ପଦବୀ । ଏହାର ମର୍ଯ୍ୟାଦା ରକ୍ଷା କରିବା ବିରୋଧୀ ଦଳ ନେତାଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ । ଜୟନାରାୟଣ ମିଶ୍ରଙ୍କ ଅହଙ୍କାର ଗ୍ରହଣୀୟ ନୁହେଁ ବୋଲି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି । ବିରୋଧୀ ଦଳ ନେତା ନିଜ ସୀମା ଭିତରେ ରହି କାମ କରିବା ଦରକାର । ଅତୀତରେ ବିରୋଧୀ ଦଳ ନେତାମାନେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ବିଶ୍ୱାସ ଭାଜନ ହୋଇଛନ୍ତି। ସେମାନଙ୍କ ସମ୍ପର୍କରେ ଏଭଳି ଟିପ୍ପଣୀ ଦେବା ଆଦୌ ଉଚିତ ନୁହେଁ ବୋଲି ବିଜୟ ମହାପାତ୍ର କହିଛନ୍ତି। ପୂର୍ବତନ ବିରୋଧୀ ଦଳ ନେତା ମ୍ୟାନେଜ୍‌ ହେଉଥିବା ନେଇ କହିଥିଲେ ଜୟନାରାୟଣ ମିଶ୍ର । ଏହାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି ।