ଧର୍ମେନ୍ଦ୍ରଙ୍କୁ ତାଙ୍କ ପ୍ରତିଶ୍ରୁତି ମନେ ପକାଇଲେ ବିଜେଡି ସାଂସଦ ସସ୍ମିତ

ଭୁବନେଶ୍ୱର: ରାଜ୍ୟ ବିଜେପି ଯାହା କୁହେ, ତାହା କରେନି । ନିର୍ବାଚନ ବେଳେ ରାଜ୍ୟ ବିଜେପି ମାଳମାଳ ପ୍ରତିଶ୍ରୁତି ଦିଏ, ଫଳାଫଳ ଘୋଷଣା ପରେ ସବୁ ଭୁଲି ଯାଏ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏଭଳି କିଛି ପ୍ରତିଶ୍ରୁତି ମନେ ପକାଇଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ୨୦୧୪ ନିର୍ବାଚନ ପୂର୍ବରୁ ଦଳୀୟ ଇସ୍ତାହାରରେ ରାଜ୍ୟ ବିଜେପି ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲା । ହେଲେ ନିର୍ବାଚନ ପରେ ଭୁଲିଗଲେ । ୨୦୧୪ ଓ ୨୦୧୯ରେ ଧାନ ସଂଗ୍ରହ ମୂଲ୍ୟକୁ ଦୁଇଗୁଣ କରିବା ପାଇଁ ବିଜେପି ନେତା ପ୍ରତିଶ୍ରୁତି ଦେଇଥିଲେ, ହେଲେ ସେ ପ୍ରତିଶ୍ରୁତି ବି ଭୁଲିଗଲେ ।

ହରିଦାସପୁରରୁ କେନ୍ଦ୍ରାପଡ଼ା ଦେଇ ପାରାଦୀପକୁ ପାସେଞ୍ଜର ଟ୍ରେନ ଚଳାଚଳ ଓ କୋଷ୍ଟାଲ ହାଇୱେ ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇ ଭୁଲି ଯାଇଛି ବିଜେପି । କେନ୍ଦୁପତ୍ରରୁ ଜିଏସଟି ହଟାଇବା ପାଇଁ ପ୍ରତିଶ୍ରୁତି ଦେଇ ଭୁଲିଗଲେ । ପଦମପୁରକୁ ଟ୍ରେନ ଚଳାଚଳ ପାଇଁ ପ୍ରତିଶ୍ରୁତି ଦେଇଥିଲେ, ତାକୁ ମଧ୍ୟ ଭୁଲିଗଲେ । ଏଭଳି ଅନେକ ପ୍ରସଙ୍ଗରେ ବିଜେପି କେବଳ ପ୍ରତିଶ୍ରୁତି ଦେଇଛି, କିନ୍ତୁ କିଛି ପୂରଣ କରିନାହିଁ ବୋଲି ସସ୍ମିତ ପାତ୍ର କହିଛନ୍ତି ।