ବାହା ହେବାକୁ ମନା କରିବାରୁ ନାବାଳିକାଙ୍କୁ ନିର୍ଦ୍ଦୟୀ ଭାବେ ମାଡ଼ ମାରିଲେ ୪୭ ବର୍ଷୀୟ ବ୍ୟକ୍ତି

ରାୟପୁର: ଛତିଶଗଡ଼ର ରାଜଧାନୀ ରାୟପୁରରୁ ଏକ ଆଶ୍ଚମ୍ବିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ଜଣେ ୪୭ ବର୍ଷୀୟ ବ୍ୟକ୍ତି ନାବାଳିକାଙ୍କୁ ନିର୍ଦ୍ଦୟୀ ଭାବେ ପିଟିଛନ୍ତି । ତାକୁ ବାହା ହେବାକୁ ମନା କରିଦେବାରୁ ଉତ୍ୟକ୍ତ ହୋଇ ବ୍ୟକ୍ତିଜଣଙ୍କ ମାଡ଼ ମାରିଥିବାର ସୂଚନା । ଏହି ଘଟଣା ସହ ସମ୍ବନ୍ଧିତ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓରେ ଅଭିଯୁକ୍ତ ପୀଡିତାଙ୍କ ଚୁଟି ଧରି ନେଇଯାଉଥିବାର ଦେଖାଯାଇଛି । ଏଥିସହିତ ପୀଡିତାଙ୍କ ପିଠିରେ ଖଣ୍ଡିଆ ଏବଂ ରକ୍ତର ଅନେକ ଚିହ୍ନ ଦେଖାଯାଇଛି । ପୋଲିସ କହିବା ଅନୁସାରେ ସମ୍ପୂର୍ଣ୍ଣ ଘଟଣା ରାୟପୁରର ଗୁଢ଼ିୟାରୀ ଅଞ୍ଚଳର ଅଟେ ।

ଶନିବାର ରାତିରେ ଅଭିଯୁକ୍ତ ବ୍ୟକ୍ତିଙ୍କୁ ପୀଡିତାଙ୍କ ଚୁଟି ଧରି ନିଆଯାଉଥିବାର ଦେଖାଯାଇଛି । ଏହି ଘଟଣାରେ ପୀଡିତାଙ୍କ ଶରୀରରେ ଖଣ୍ଡିଆର ଅନେକ ଚିହ୍ନ ମଧ୍ୟ ଦେଖାଯାଇଛି । ସାମାଜିକ ଗଣମାଧ୍ୟମରେ ଏହି ଭିଡିଓ ଭାଇରାଲ୍ ହେବା ପରେ ସ୍ଥାନୀୟ ପୋଲିସ ମାମଲାର ଯାଞ୍ଚ ଆରମ୍ଭ କରିଦେଇଛି । ଏଥିସହିତ ଅଭିଯୁକ୍ତକୁ ଗିରଫ କରିନେଇଛି । ପୋଲିସର ପ୍ରାରମ୍ଭିକ ତଦନ୍ତରେ ଅଭିୁକ୍ତ ଏବଂ ପୀଡିତାଙ୍କ ଚିହ୍ନଟ ମଧ୍ୟ କରାଯାଇଛି । ଏହି ମାମଲାରେ ପୋଲିସ ଅଭିଯୁକ୍ତ ବିରୋଧରେ ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି ।

ଅଭିଯୁକ୍ତ ଓମକାର ତିୱାରୀ ଓରଫ ମନୋଜଙ୍କ ଦୋକାନରେ କାମ କରୁଥିଲେ ପୀଡିତା । ପୀଡିତା ଜଣଙ୍କ ଚାକିରି ଛାଡ଼ିବା ଏବଂ ଅନ୍ୟ କାରଣକୁ ନେଇ ଅଭିଯୁକ୍ତ ଓମକାର ଉତ୍ୟକ୍ତ ଥିଲା । ଏହି ରାଗ କାରଣରୁ ସେ ପୀଡିତାଙ୍କ ଉପରେ ଆକ୍ରମଣ କରିଛି । ପୋଲିସ କହିବା ଅନୁସାରେ, ଅଭିଯୁକ୍ତ ମନୋଜ ପୀଡିତାଙ୍କୁ ବିବାହ ନେଇ ପ୍ରସ୍ତାବ ଦେଇଥିଲା । ତାଙ୍କର ଏହି ପ୍ରସ୍ତାବକୁ ପୀଡିତାଙ୍କ ମାଆ ମାନିବାକୁ ମନା କରିଦେଇଥିଲେ । ବିବାହ କରିବାକୁ ମନା କରିଦେବାରୁ ଅଭିଯୁକ୍ତ ନାବାଳିକାଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥଇଲା ଏବଂ ମଝି ରାସ୍ତାରେ ପୀଡିତାଙ୍କ ଚୁଟି ଟାଣି ଟାଣି ନେଇଥିଲା ।