spot_img
Home Blog Page 3649

ସୁପ୍ରିମକୋର୍ଟ କଲେଜିୟମକୁ ନେଇ ପୁଣି ବିବାଦ, RTI ଆବେଦନକୁ ଖାରଜ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କଲେଜିୟମକୁ ନେଇ ପୁଣି ବିବାଦ । ଜଜ୍ ନିଯୁକ୍ତି ପାଇଁ କଲେଜିୟମ ବୈଠକରେ ହୋଇଥିବା ଆଲୋଚନା ସାର୍ବଜନୀନ କରିବାକୁ ମନା କଲେ କୋର୍ଟ । ୨୦୧୮ ଡିସେମ୍ବର ୧୨ କଲେଜିୟମ ବୈଠକରେ ଜଜ୍ ନିଯୁକ୍ତି ପ୍ରକ୍ରିୟାକୁ ନେଇ ହୋଇଥିବା ଆଲୋଚନାର ତଥ୍ୟ RTI ଯୋଗେ ଦେବାକୁ ପିଟିସନ ଦାଏର ହୋଇଥିଲା। ଯାହାକୁ କୋର୍ଟ ଖାରଜ କରିଦେଇଛନ୍ତି । ଟପ୍ ପ୍ୟାନେଲଙ୍କ ଆଲୋଚନା ସାର୍ବଜନୀନ କରିବା ସମ୍ଭବ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ସର୍ବୋଚ୍ଚ କୋର୍ଟ ।

ସୂଚନା ଅଧିକାର କର୍ମୀ ଅଞ୍ଜଳି ଭରଦ୍ବାଜ ଦାଏର କରିଥିବା ପିଟିସନକୁ କୋର୍ଟ ଖାରଜ କରିଦେଇଛନ୍ତି । କଲେଜିୟମ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସାର୍ବଜନୀନ କରାଯାଇଥାଏ । ମାତ୍ର ଏନେଇ ହୋଇଥିବା ଆଲୋଚନା ତଥ୍ୟ ବାହାରକୁ ଦେବା ସାମ୍ବିଧାନିକ ବ୍ୟବସ୍ଥା ପରିସରଭୁକ୍ତ ନୁହେଁ । କଲେଜିୟମ ବୈଠକରେ କରାଯାଇଥିବା ଆଲୋଚନାର ତଥ୍ୟ ମଗାଯାଇ ପାରିବ ବୋଲି କୋର୍ଟରେ ପିଟିସନ ଦାଏର ହୋଇଥିଲା ।

ସୂଚନା ଅଧିକାରୀ କର୍ମୀ ଅଞ୍ଜଳି RTIରେ କଲେଜିୟମ ବୈଠକକୁ ନେଇ ତଥ୍ୟ ମାଗିଥିଲେ । ମାତ୍ର ଏହାକୁ ଅସ୍ବୀକାର କରିଦିଆଯିବାରୁ ସେ କୋର୍ଟରେ ପିଟିସନ ଦାଏର କରିଥିଲେ । ସେପଟେ ସେଣ୍ଟର ଭର୍ସେସ ଜୁଡିସିଆରୀ ପ୍ରସଙ୍ଗକୁ ନେଇ ଗୃହରେ ତାତି । ଲୋକସଭାରେ ଆଲୋଚନା ପାଇଁ କଂଗ୍ରେସ ସାଂସଦ ମନିଷ ତିଓ୍ବାରୀ ନୋଟିସ ଦେଇଛନ୍ତି । ଲଗାତାର ନ୍ୟାୟିକ ପ୍ରକ୍ରିୟା ଉପରେ ବିଜେପି ପ୍ରଶ୍ନ ଉଠାଉଥିବାରୁ କଂଗ୍ରେସ ଏହାର ବିରୋଧ କରିବା ସହ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛି ।

ବିବାହ ଉତ୍ସବରେ ଫାଟିଲା ସିଲିଣ୍ଡର, ଭୋଜି ଖାଇବାକୁ ଆସି ଚାଲିଗଲା ୫ ଜୀବନ

ଜୟପୁର: ବିବାହ ଉତ୍ସବ ବେଳେ ବଡ଼ ଦୁର୍ଘଟଣା । ଏକାଠି ଫାଟିଲା ୫ ଗ୍ୟାସ ସିଲିଣ୍ଡର । ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ ଜଣ ଗୁରୁତର ହୋଇଛନ୍ତି । ଘଟଣା ଘଟିଛି ରାଜସ୍ଥାନ ଯୋଧପୁରର ସେରଗଡ଼ରେ । ଦୁର୍ଘଟଣାରେ ବରଙ୍କ ମାଆ, ବାପା ଓ ଭଉଣୀ ଗୁରୁତର ହୋଇଥିବା ବେଳେ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି । ଭଉଣୀଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ସଙ୍କଟାପନ୍ନ ରହିଛି ।

ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବାହାଘର ସମାରୋହ ଚାଲିଥିବା ବେଳେ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ଗ୍ରାମବାସୀ ନିଆଁରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ । ଜିଲ୍ଲାପାଳ ଓ ଏସପି ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ମୃତକ ଓ ଆହତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି । ଆହତଙ୍କ ପରିବାରକୁ ଏକ ଲକ୍ଷ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ  ।

ଆଗପଛ ହୋଇ ଚାଲିଗଲେ ଦୁଇଭାଇ, ଦ୍ବାଦଶାହ କର୍ମରେ ଭାଇବୋହୂଙ୍କୁ ନେଇଗଲେ

ଭଦ୍ରକ: ଦୁଃଖ ଆସେ ତ ସାଥୀ ସହୋଦରଙ୍କୁ ନେଇ ଆସେ । ଏକା ସାଙ୍ଗରେ ପ୍ରାଣ ହରାଇଥିବା ଦୁଇଭାଇଙ୍କ ଦ୍ବାଦଶାହ କର୍ମ ଚାଲିଥିବାବେଳେ ଦୁର୍ଘଟଣାରେ ଆରପାରିକୁ ଚାଲିଗଲେ ଭାଇବୋହୂ । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଗୁଆମାଳ ଅଞ୍ଚଳରେ । ଗତ ମାସ ୨୭ ତାରିଖରେ ଘରର ବଡପୁଅ ଦୁର୍ଗାପ୍ରସାଦ ପାଣିଗ୍ରାହୀଙ୍କ ଦେହାନ୍ତ ହୋଇଯିବା ପରେ ପରିବାରରେ ଖେଳିଯାଇଥିଲା ଶୋକ ।

ଦୁର୍ଗାଙ୍କ ମୃତ୍ୟୁର କିଛି ଘଣ୍ଟା ପରେ ମଝିଆଁ ଭାଇ ହରପ୍ରସାଦ ବି ଚାଲିଯାଇଥିଲେ ଆରପାରିକୁ । ଗୋଟିଏ ଦିନରେ ଦୁଇ ଦୁଇ ଜଣଙ୍କ ମୃତ୍ୟୁରେ ସାରା ପରିବାର ଶୋକାକୁଳ ଥିବାବେଳେ ସେମାନଙ୍କ ଦ୍ବାଦଶାହ ଲାଗି ପ୍ରସ୍ତୁତି ଚାଲିଥିଲା । ଗତକାଲି ଘରର ସାନ ମଝିଆଁ ବୋହୂ ଭାରତୀ ପାଣିଗ୍ରାହୀ ଅଳିଆ ପକାଇବା ପାଇଁ ଯିବା ବେଳେ ଏକ ଅଜଣା ଗାଡ଼ି ଧକ୍କାରେ ଗୁରୁତର ଆହତ ହୋଇଥିଲେ ।

ତାଙ୍କୁ ଭଦ୍ରକ ମେଡିକାଲ ନିଆଯାଉଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ଏହି ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି କରିଛି ।

ଦକ୍ଷିଣ ଭାରତରେ ପ୍ରଳୟ ରଚିପାରେ ‘ମାଣ୍ଡୋସ୍’, ତାମିଲନାଡୁ ଉପକୂଳରେ ହାଇଆଲର୍ଟ

ଭୁବନେଶ୍ବର: ମାଡ଼ିଆସୁଛି ବାତ୍ୟା ମାଣ୍ଡୋସ୍ । ଦକ୍ଷିଣ ଭାରତରେ ରଚିପାରେ ପ୍ରଳୟ । ପରିସ୍ଥିତିର ମୁକାବିଲା ଲାଗି ଏନଡିଆରଏଫ ଟିମକୁ ସତର୍କ କରାଯାଇଛି । ତାମିଲନାଡୁ ଉପକୂଳରେ ଆଲର୍ଟ ଜାରି ହୋଇଛି । ତାମିଲନାଡୁର ମହାବଳିପୁରମରେ ସାଇକ୍ଲୋନ ମାଣ୍ଡୋସ ଲ୍ୟାଣ୍ଡଫଲ ହେବ ବୋଲି ଆଶଙ୍କା କରାଯାଉଛି ।

ବର୍ତ୍ତମାନ ଚେନ୍ନାଇ ଠାରୁ ୨୭୦ କିଲୋମିଟର ଦୂରରେ ବାତ୍ୟା କେନ୍ଦ୍ରୀଭୂତ ରହିଛି । ତାମିଲନାଡୁ ଓ ପୁଦୁଚେରୀର ବିଭିନ୍ନ ସ୍ପର୍ଶକାତର ଜିଲ୍ଲାରେ ସ୍କୁଲ ଓ କଲେଜ ବନ୍ଦ କରିଦିଆଯାଇଛି । ବାତ୍ୟା ଅଧିକ ଘନୀଭୂତ ହେବା ପରେ ଏହା ଉତ୍ତର ତାମିଲନାଡୁ, ପୁଦୁଚେରୀ ଓ ଦକ୍ଷିଣ ଆନ୍ଧ୍ର ଦେଇ ଗତିକରିବ । ଗତି କରିବାବେଳେ ପଦନର ବେଗ ଘଣ୍ଟାପ୍ରତି ୬୫ରୁ ୭୫ କିଲୋମିଟର ହେବା ଆଶଙ୍କା କରାଯାଉଛି । ଲ୍ୟାଣ୍ଡଫଲକୁ ଦୃଷ୍ଟିରେ ରଖି ତାମିଲନାଡୁର ୩ ଜିଲ୍ଲାରେ ରେଡ ଆଲର୍ଟ ଜାରି କରାଯାଇଥିବାବେଳେ ଥୁଥୁକୁଡିରେ ହାଇ ଆଲର୍ଟ ଜାରି କରାଯାଇଛି ।

ବିଭିନ୍ନ ସ୍ପର୍ଶକାତର ସ୍ଥାନରେ ଏନଡିଆରଏଫ ଓ ନୌସେନାକୁ ମୁତୟନ କରାଯାଇଛି । ତାମିଲନାଡୁର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ପବନ ହେବା ଆଶଙ୍କା ଥିବାରୁ ସ୍କୁଲ ଓ କଲେଜ ବନ୍ଦ କରିଦିଆଯାଇଛି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ଟିମ୍ ମୁତୟନ କରାଯାଇଛି । ବର୍ତ୍ତମାନ ଏହା ପଶ୍ଚିମ ଓ ଉତ୍ତର ପଶ୍ଚମ ଦିଗରେ ଗତିକରି ପୁ଼ଡୁଚେରୀ-ଶ୍ରୀହରିକୋଟା ମୁହାଁ ହେଉଛି । ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାର ୮ ଟି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳରେ ବର୍ଷା ସହ କୋହଲା ପାଗ ରହିବ ।

ନବୀନଙ୍କୁ ଭେଟିବାକୁ ଭୁବନେଶ୍ବର ଅଭିମୁଖେ ବର୍ଷା ସିଂ ବରିହା

ପଦମପୁର: ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ବୃହତ ବିଜୟ ପରେ ସବୁଠି ଉତ୍ସାହ। ଆଜି ସକାଳୁ ବର୍ଷା ସିଂ ବରିହା ଆତ୍ମୀୟ ପରିଜନଙ୍କ ସହ ଇଷ୍ଟଦେବୀଙ୍କୁ ପୂଜାର୍ଚ୍ଚନା ପାଇଁ ନୃସିଂହନାଥ ବିନ୍ଧ୍ୟବାସିନୀ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ପୂଜାର୍ଚ୍ଚନା କରିବା ପରେ ଭୁବନେଶ୍ବର ଅଭିମୁଖେ ବାହାରିଛନ୍ତି ବର୍ଷା। ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ ନେବେ ବର୍ଷା ସିଂ ବରିହା। ପଦମପୁର ଉପନିର୍ବାଚନରେ ବର୍ଷାଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ମୁଖ୍ୟମନ୍ତ୍ରୀ। ଏହାପରେ ରେକର୍ଡ ବିଜୟ ହାସଲ କରିଛନ୍ତି ବର୍ଷା। ଗତକାଲି ଫୋନ୍‌ରେ କଥା ହୋଇ ବିପୁଳ ବିଜୟ ପାଇଁ ବର୍ଷାଙ୍କୁ ଅଭିନନ୍ଦନ ଜଣାଇଥିଲେ ମୁଖ୍ୟମନ୍ତ୍ରୀ।

ଜାତୀୟ ପାର୍ଟି ରେସ୍‌ରେ ଆମ୍ ଆଦମୀ ପାର୍ଟି, ମାତ୍ର ୧୦ ବର୍ଷରେ ଆଶାତୀତ ସଫଳତା

ଗାନ୍ଧୀନଗର: ଗୁଜରାଟରେ ପାଦ ଥାପିଲା ଆମ୍ ଆଦମୀ ପାର୍ଟି । କେବଳ ପାଦ ଥାପିନି, ଆମ୍ ଆଦମୀ ପାର୍ଟି ଜାତୀୟ ପାର୍ଟି ହେବା ଆଶା ଉଜ୍ବଳ ହୋଇଛି । ଗୁଜରାଟ ନିର୍ବାଚନରେ ଆପକୁ ୧୩ ପ୍ରତିଶତ ଭୋଟ ମିଳିଥିବାବେଳେ ପ୍ରତିଷ୍ଠାର ମାତ୍ର ୧୦ ବର୍ଷରେ ଆପକୁ ମିଳିଛି ଆଶାତୀତ ସଫଳତା । ୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭାରେ ବିଜେପିକୁ ୧୫୬ ଆସନ ମିଳିଥିବାବେଳେ କଂଗ୍ରେସକୁ ମାତ୍ର ୧୭ଟି ଆସନ ମିଳିଛି । ଆପ୍କୁ ମିଳିଛି ୫ଟି ଆସନ ।

ଆନ୍ନା ହଜାରେଙ୍କ ଦୁର୍ନୀତି ବିରୋଧୀ ସଂଗ୍ରାମରୁ ଆରମ୍ଭ ହୋଇଥିବା ଆପ୍ ଦିଲ୍ଲୀ ଓ ପଞ୍ଜାବରେ ସରକାରରେ ରହିଥିବାବେଳେ ଦିଲ୍ଲୀ ମହାନଗର ନିଗମରେ ବି ଦଳର ଦବଦବା ପ୍ରକାଶ ପାଇଛି । ଗୋଆ ଓ କେତେକ ଉତ୍ତରପୂର୍ବାଞ୍ଚଳ ରାଜ୍ୟରେ ବି ବଢୁଛି ଆପ୍ । ବର୍ତ୍ତମାନ ଦେଶରେ 8ଟି ଜାତୀୟ ରାଜନୈତିକ ଦଳ ଅଛନ୍ତି । ସେଗୁଡିକ ହେଲେ କଂଗ୍ରେସ, ବିଜେପି, ସିପିଆଇ, ସିପିଏମ, ତୃଣମୂଳ କଂଗ୍ରେସ, ବହୁଜନ ସମାଜ ପାର୍ଟି, ଏନସିପି, ଏନପିପି ।

ଇତିମଧ୍ୟରେ ଦିଲ୍ଲୀ, ପଞ୍ଜାବ, ଗୋଆ ଓ ଗୁଜରାଟରେ ମାନ୍ୟତା ପାଇଛି ଆପ୍ । ନିୟମ ଅନୁସାରେ ଅତିକମରେ ୩ଟି ରାଜ୍ଯରେ ଲୋକସଭା ନିର୍ବାଚନରେ ଯଦି କୌଣସି ଦଳ ୨ ପ୍ରତିଶତ ଆସନ ଲାଭ କରିଥିବ କିମ୍ବା ଯଦି ୪ଟି ରାଜ୍ୟରେ ବିଧାନସଭା ବା ଲୋକସଭା ନିର୍ବାଚନରେ ଦଳ ୬ ପ୍ରତିଶତରୁ ଅଧିକ ଭୋଟ ପାଇଥାଏ ସେହି ଦଳକୁ ଜାତୀୟ ମାନ୍ୟତା ମିଳିବ ।

ହିମାଚଳରେ ରାଜ୍‌ କରିବାକୁ ପ୍ରସ୍ତୁତ ହେଲାଣି ‘ହାତ’, ଆଜି ବିଧାୟକ ଦଳ ବୈଠକ

ଶିମଲା: ୬୮ ଆସନ ବିଶିଷ୍ଟ ବିଧାନସଭାରେ କଂଗ୍ରେସ ୪୦ ଆସନ ଲାଭ କରିବା ପରେ ସରକାର ଗଠନ ଲାଗି ଆରମ୍ଭ ହୋଇଛି ପ୍ରକ୍ରିୟା । ସେପଟେ ହିମାଚଳରେ କଂଗ୍ରେସର ବିଜୟ ଓ ବିଜେପିର ପରାଜୟକୁ ନେଇ ଆରମ୍ଭ ହୋଇଛି ପୋଷ୍ଟମର୍ଟନ । 37 ବର୍ଷ ଧରି ରାଜ୍ୟରେ ବିଜେପି ଓ କଂଗ୍ରେସ କରୁଛନ୍ତି ଶାସନ ।

ପ୍ରତି ୫ ବର୍ଷରେ ପରିବର୍ତ୍ତନ ହେଉଛି ସରକାର । ଚଳିତ ନିର୍ବାଚନରେ ବିଜେପି ବିଦ୍ରୋହୀ ପ୍ରାର୍ଥୀଙ୍କ ସଂଖ୍ୟା ଥିଲା ୨୧ । ଏହି କାରଣ ହିଁ ବିଜେପି ପରାଜୟର ଥିଲା ମୁଖ୍ୟ କାରଣ । ପୁରୁଣା ପେନସନ ଯୋଜନା କଂଗ୍ରେସ ଲାଗି ଗେମଚେଞ୍ଜର ହୋଇଥିବାବେଳେ ଛତିଶଗଡ ଓ ରାଜସ୍ଥାନ ମଡେଲକୁ ଗ୍ରହଣ କରିଥିଲେ ଭୋଟର । ବିଜେପି ଏନେଇ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଭୋଟର ବିଜେପିକୁ ବିଶ୍ବାସ କରି ନଥିଲେ । ବିଜେପି ରାଜ୍ୟ ସଭାପତି ଜେ.ପି. ନଡ୍ଡାଙ୍କ ରାଜ୍ୟରେ ବିଜେପି ଧରାଶାୟୀ ହୋଇଥିବାରୁ ଦଳ ଲାଗି ଏହା ବଡ ଧକ୍କା ହୋଇଛି ।

ଜାତୀୟ ବଦଳରେ ସ୍ଥାନୀୟ ପ୍ରସଙ୍ଗକୁ କଂଗ୍ରେସ ଗୁରୁତ୍ବ ଦେଇଥିବାବେଳେ ବେକାରୀ, ମୁଦ୍ରାସ୍ଫୀତି ଆଦି ସମସ୍ୟା ବିଜେପି ଲାଗି ହୋଇଥିଲା ଘାତକ । ୫ ବର୍ଷରେ ସରକାରୀ ସ୍ତରରେ ଆଖିଦୃଶିଆ ଚାକିରି ସୃଷ୍ଟି ହୋଇ ନଥିବାବେଳେ ଅଗ୍ନିବୀର ଯୋଜନାକୁ ରାଜ୍ୟବାସୀ ଗ୍ରହଣ କରି ନଥିଲେ । ସେପଟେ ହିମାଚଳ ପ୍ରଦେଶର ସମସ୍ତ ନିର୍ବାଚନ ମଣ୍ଡଳୀରେ ସେଓ ଚାଷୀଙ୍କ ରାଜ୍ ଥିବାବେଳେ କେନ୍ଦ୍ରର ଜିଏସଟି ଯୋଗୁ ଦୀର୍ଘଦିନ ଧରି କ୍ଷତି ସହୁଥିଲେ ବ୍ୟବସାୟୀ । ଘରୋଇ କମ୍ପାନିଙ୍କୁ ଅଗ୍ରାଧିକାର ଦେଇଥିଲେ ବିଜେପି ସରକାର । ଏହାକୁ ନେଇ ତାତିଥିଲେ ଭୋଟର ।

ବିଜେପିର ଉଜ୍ବଳା ଗ୍ୟାସ ଫ୍ୟାକ୍ଟର କାମ ଦେଇ ନଥିଲା । ବିଜେପିର ପ୍ରଚାରରେ ପ୍ରଧାନମନ୍ତ୍ରୀ, ୩ କେନ୍ଦ୍ରମନ୍ତ୍ରୀ ଓ ୟୁପି, ହରିଆଣା ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ । ମାତ୍ର କଂଗ୍ରେସର ପ୍ରିୟଙ୍କା ଗାନ୍ଧୀ ଓ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ହିଁ ପ୍ରଚାରରେ ସାମିଲ ଥିଲେ । ବିଜେପି ସଭାପତି ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଚାହିଁଥିଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାକୁ । ସେଥିଲାଗି ସେମାନଙ୍କ ମଧ୍ୟରେ ରହି ନଥିଲା ତାଳମେଳ । ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରେମ କୁମାର ଧୁମାଲ ବି ଦେଇନଥିଲେ ଧରାଛୁଆଁ । ଏହି କାରଣରୁ ହିମାଚଳରେ ବିଜେପିର ପରାଜୟ ଘଟିଥିଲା ।

ଏଣିକି ପାର୍କିଂର ସମସ୍ୟା ନାହିଁ, ଲୋକାର୍ପିତ ହେବ ଅତ୍ୟାଧୁନିକ ବହୁତଳ ପାର୍କିଂ

ଭୁବନେଶ୍ବର: ସହିଦନଗର ପରେ ଲୋକାର୍ପିତ ହେବାକୁ ଯାଉଛି ରାଜମହଲ ଛକ ସ୍ଥିତ ବହୁ ପ୍ରତିକ୍ଷିତ ଅତ୍ୟାଧୁନିକ ବହୁତଳ କାର ପାର୍କିଂ । ୨୦୧୭ରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ କୋଭିଡ ଯୋଗୁଁ ପ୍ରଭାବିତ ହୋଇଥିଲା । ୭ ତାଲା ବିଶିଷ୍ଟ ଏହି ପାର୍କିଂ ସ୍ଥଳରେ ୪୫୦ ଚାରି ଚକିଆ ଓ ୩୫୦ ରୁ ଅଧିକ ମୋଟର ସାଇକେଲ ପାର୍କିଂ ହୋଇପାରିବ ।

ଦୁଇଚକିଆ ପାର୍କିଂ ପାଇଁ ଘଣ୍ଟା ପ୍ରତି ୧୦ ଟଙ୍କା ଓ ଚାରି ଚକିଆ ଯାନ ପାଇଁ ୪୦ ଟଙ୍କା ଦେୟ ଦେବାକୁ ହେବ । ଅଧିକ ସମୟ ପାଇଁ ଗାଡି ମାଲିକଙ୍କୁ ଅଧିକ ଦେୟ ଦେବାକୁ ପଡିବ । ବନାରସ’ର ମଲ୍ଟିପ୍ଲେକ୍ସ ନାମକ ଏକ କମ୍ପାନୀକୁ ସ୍ମାର୍ଟସିଟି ପକ୍ଷରୁ ୫ ବର୍ଷ ପାଇଁ ଲିଜ ସୂତ୍ରରେ ଦିଆଯାଇଛି । ଏଥିରେ ସିସିଟିଭି ସହିତ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଓ ସୁରକ୍ଷା ବ୍ୟବସ୍ଥା ରହିଛି । ଗତକାଲି ସନ୍ଧ୍ୟାରେ ଏହାର ଟ୍ରାଏଲ ରନ୍ କରାଯାଇଛି ।

ଉଭୟ ବହୁତଳ ପାର୍କିଂ କାର୍ଯ୍ୟକାରୀ ହେଲେ ରାଜଧାନୀର ଟ୍ରାଫିକ ସମସ୍ୟାରେ ସୁଧାର ଆସିବ। ପୂର୍ବରୁ ନନ୍ଦନକାନନରେ ଅନୁରୂପ ବହୁତଳ ପାର୍କିଂ କାର୍ଯ୍ୟକ୍ଷମ ହୋଇସାରିଛି ।

ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ, ତଣ୍ଟି କାଟି ନିଆଁ ଲଗାଇ ଦେଲେ

ସାଲେପୁର: ନେମାଳ ଥାନା ଲେଣ୍ଡର ଭଗବାନପୁରରେ ଅଭାବନୀୟ ଘଟଣା । ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ । ବିଳମ୍ବିତ ରାତିରେ ଲୁଟ୍ ସହ ସ୍ୱାମୀ ହୃଷିକେଶ ମୁଦୁଲି ଓ ସ୍ତ୍ରୀ କନକ ଲତାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଆକ୍ରମଣରେ ସ୍ତ୍ରୀ ଗୁରୁତର ହୋଇଥିବାବେଳେ ସ୍ବାମୀ ପ୍ରାଣ ହରାଇଛନ୍ତି ।

ହୃଷିକେଶଙ୍କ ଗଳା କାଟି ହତ୍ୟା କରିଥିବା ବେଳେ ସ୍ତ୍ରୀ କନକ ଲତାଙ୍କୁ ଗୁରୁତର କରି ଘରେ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ ।ଏହାସହ ଦୁଇ ଛୁଆଙ୍କୁ ଅନ୍ୟ ଏକ ଘରେ ବନ୍ଦ କରି ଦେଇଥିଲେ । ଗୁରୁତର କନକଲତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବରପାଇ ଘଟଣାସ୍ଥଳରେ ନେମାଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପୋଲିସ ସାମନାରେ କଙ୍ଗାରୁ କୋର୍ଟ, କମେଣ୍ଟମରାକୁ ନେଇ ଆଣ୍ଠେଇ ଦେଲେ

ଭୁବନେଶ୍ବର: ରାଜଧାନୀରେ କଙ୍ଗାରୁକୋର୍ଟ । କମେଣ୍ଟମରାକୁ ନେଇ ବରମୁଣ୍ଡାରେ ତୁମୁଳକାଣ୍ଡ । ପୋଲିସ ଉପସ୍ଥିତିରେ ସଭା ମଝିରେ ଦୁଇ ଜଣଙ୍କୁ ଆଣ୍ଠେଇଲେ ଗ୍ରାମବାସୀ । ବରମୁଣ୍ଡା ପାଲାମଣ୍ଡପ ଠାରେ ଦେଖିବାକୁ ମିଲିଛି ଏପରି ଦୃଶ୍ୟ । ସ୍କୁଲ ପିଲାଙ୍କୁ କମେଣ୍ଟ ମାରିବାକୁ ନେଇ ୩ ନାବାଳାକଙ୍କୁ ଶାସ୍ତି ଦେଇଛନ୍ତି ଗ୍ରାମବାସୀ । ଗାଁ ସଭା ଆଳରେ ଆଇନକୁ ହାତକୁ ନେଲେ ଲୋକେ ।

ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ସର୍ଵସମ୍ମୁଖରେ ଏକ ଘରିକିଆ କରିବାକୁ ଚେତାବନୀ ଦିଆଯାଇଛି । ନିଆଁ ପାଣି ବାସନ୍ଦ କରିବାକୁ ଖୁଲମଖୁଲ୍ଲା ଦିଆଯାଇଛି ଚେତାବନୀ । ଭାଇରାଲ ହେଉଛି କଙ୍ଗାରୁ କୋର୍ଟ ଭିଡିଓ । ଏସବୁ ଘଟଣା ପୋଲିସ ଉପସ୍ଥିତିରେ ହୋଇଥିବାରୁ ଏହାକୁ ଚାରିଆଡୁ ନିନ୍ଦା କରାଯାଉଛି ।