ଦିବଙ୍ଗତ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ସମ୍ମାନର୍ଥେ ଗୃହ ବନ୍ଦ 

ଭୁବନେଶ୍ୱର: ଦିବଙ୍ଗତ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ସମ୍ମାନରେ ଗୃହ ବନ୍ଦ  । ଆସନ୍ତାକାଲି ଅର୍ଥାତ ବୁଧବାର ପୂର୍ବାହ୍ନ ୧୦.୩୦ ଯାଏଁ ଗୃହ ମୁଲତବୀ ଘୋଷଣା କରାଯାଇଛି । ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି  ।  ପ୍ରଥମେ ଗହରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା  ।  ସ୍ୱର୍ଗତ ନବଦାସଙ୍କ ସ୍ମୃତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ  ।

ନବଦାସଙ୍କ ଦେହାନ୍ତଙ୍କୁ ନେଇ ମର୍ମାହତ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ  । ଓଡିଶାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ସ୍ୱର୍ଗତ ଦାସଙ୍କ ଅବଦାନ ଅତୁଳନୀୟ  । କୋଭିଡ ମହାମାରୀ ସମୟରେ ଓଡିଶାରେ ଯେପରି ଭାବରେ ପରିଚାଳନା କରିଛନ୍ତି ତାହା ସର୍ବଦା ମନେ ରହିବ  । ମେଡିକାଲ କଲେଜ ନିର୍ମାଣ ଠାରୁ କୋଭିଡ ପରିଚାଳନାରେ ନବଦାସଙ୍କ ଭୂମିକା ରାଜ୍ୟବାସୀଙ୍କ ମନରେ ସର୍ବଦା ମନେ ରହିବ ବୋଲି ଉଲ୍ଲେଖ କରିଥିଲେ ମୁଖ୍ୟମନ୍ତ୍ରୀ  ।

ସେହିପରି ବିରୋଧିଦଳ ନେତା ଏବଂ କଂଗ୍ରେସ ବିଧାୟକ ଦଳ ନେତା ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶୋକ ପ୍ରସ୍ତାବ ପରେ ଗୃହରେ ସମସ୍ତ ସଦସ୍ୟ ନିରବ ପ୍ରାର୍ଥନା କରିଥିଲେ  । ସ୍ୱର୍ଗତ ସଦସ୍ୟଙ୍କ ସ୍ମୃତିଚାରଣ କରିଥିଲେ  । ଏହାପରେ ଗୃହକାର୍ଯ୍ୟକୁ ଆଜି ପାଇଁ ସ୍ଥଗିତ ରଖାଯାଇଥିଲା  । ସ୍ୱର୍ଗତ ନବକିଶୋର ଦାସଙ୍କ ସମ୍ମାନର୍ଥେ ଆସନ୍ତା କାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିବା ପାଇଁ ଘୋଷଣା କରିଥିଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ  ।