ବିଧାନସଭାର ରାଜ୍ୟପାଳଙ୍କ ଅଭିଭାଷଣ, ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ଭୂୟସୀ ପ୍ରଶଂସା

1 min read

 ଭୁବନେଶ୍ୱର : ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ୍ ଅଧିବେଶନ । ଅଭିଭାଷଣରେ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ସରକାରଙ୍କ ସଫଳତା ଏବଂ ଜନହିତକର ଯୋଜନା ସମ୍ବନ୍ଧରେ ଗୃହରେ ଉଲ୍ଲେଖ କରିଛନ୍ତି ରାଜ୍ୟପାଳ  ।  ସ୍କୁଲ ରୂପାନ୍ତରଣ କାର୍ଯ୍ୟକୁ ରାଜ୍ୟପାଳ ପ୍ରଶଂସା କରିଛନ୍ତି । ଶିଳ୍ପକ୍ଷେତ୍ରରେ ବିକାଶକୁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି । ରାଜ୍ୟରେ ପୁଞ୍ଜିନିବେଶର ସମ୍ଭାବନା ସୃଷ୍ଟି କରିଛି ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ।

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା କରିବାରେ ଆଗରେ ଓଡ଼ିଶା ଅଛି ବୋଲି ଅଭିଭାଷଣରେ କହିଛନ୍ତି ରାଜ୍ୟପାଳ । ଖରିଫ ଋତୁରେ ଫସଲ ଋଣ ପ୍ରଦାନ ଲକ୍ଷ୍ୟ 9 ହଜାର କୋଟି ଟଙ୍କା ରହିଛି । ୧୮ ଲକ୍ଷ କୃଷକଙ୍କୁ 8,711 କୋଟି ଟଙ୍କା ପ୍ରଦାନ କରାଯାଇଛି । ଜାଗା ମିଶନରେ ବସ୍ତିକୁ ଆଦର୍ଶ କଲୋନୀରେ ରୂପାନ୍ତରିତ କରାଯାଇଛି । ଗରିବଙ୍କୁ ପକ୍କା ଘର ଯୋଗାଇବାକୁ ସରକାର ପ୍ରତିବଦ୍ଧ ଅଛନ୍ତି । ସେହିପରି ଧାନ ସଂଗ୍ରହ କରିବାରେ ଓଡ଼ିଶାକୁ ମିଳିଛି ସଫଳତା ।

ବସୁଧା ଯୋଜନାରେ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି । ଗ୍ରାମାଞ୍ଚଳ ଓ ସହରାଞ୍ଚଳକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । 2024 ସୁଦ୍ଧା ସବୁ ଗାଁକୁ ବିଶୁଦ୍ଧ ପାନୀୟ ଜଳ ମିଳିବ ବୋଲି ଅଭିଭାଷଣରେ କହିଛନ୍ତି ରାଜ୍ୟପାଳ । ସେହିପରି କଟକ ଆଚଚାର୍ଯ୍ୟ ହରିହର କ୍ୟାନସର ହସପିଟାଲରେ କ୍ୟାନସର ରୋଗୀଙ୍କୁ ମାଗଣାରେ ପିଇଟି-ସିଟି ସ୍କାନ ସୁବିଧା । ନୂଆ ଡାକ୍ତର ଓ ପାରାମେଡିକାଲ ପଦବୀ ସୃଷ୍ଟି କରିଛନ୍ତି ସରକାର । ତେବେ ଚିକିତ୍ସା କ୍ଷେତ୍ରରେ ବରଦାନ ସାଜିଛି ବିଏସକେଓ୍ବାଇ । ସ୍ବାସ୍ଥ୍ୟକ୍ଷେତ୍ରରେ ଓଡ଼ିଶାର ଅଭୂତପୂର୍ବ ଭାବେ ଅଗ୍ରଗତି କରିଛି ।

ଉପକୂଳବର୍ତ୍ତୀ ଜିଲ୍ଲାରେ ଲୁଣାବନ୍ଧ ନିର୍ମାଣ ଓ ସୁଦୃଢ଼ୀକରଣ ହୋଇଛି । ସମନ୍ବିତ ଜଳସମ୍ପଦ ବିକାଶ, ଜଳ ସଂରକ୍ଷଣ ଉପରେ ଗୁରୁତ୍ବ ଦେଇଛନ୍ତି ସରକାର । କୃଷକଙ୍କ ପାଇଁ ଜଳସେଚନ ସୁବିଧା କରିଛନ୍ତି ସରକାର । ମହାନଦୀ ଚିତ୍ରୋତ୍ପଳା ଦ୍ବୀପାଞ୍ଚଳରେ ଜଳସେଚନ ପ୍ରକଳ୍ପ ଶେଷ ହୋଇଛି ବୋଲି ଅଭିଭାଷଣରେ କହିଛନ୍ତି ରାଜ୍ୟପାଳ । ଏହାଛଡ଼ା ଆଭ ଆଇଡି ସୃଷ୍ଟି କରିବାରେ ଓଡ଼ିଶା ପ୍ରଥମ । ରକ୍ତହୀନତା ମୁକ୍ତ ଲକ୍ଷ୍ୟ ଅଭିଯାନ ଅମ୍ଳାନ ଆରମ୍ଭ ହୋଇଛି ।

ବଳକା ଖାଦ୍ୟଶସ୍ୟ ଉତ୍ପାଦନ ରାଜ୍ୟ ଭାବେ ଓଡ଼ିଶା ଦେଶରେ ପ୍ରଥମ । ମାଣ୍ଡିଆ ଓ ବାଜରା ଜାତୀୟ ଫସଲକୁ ବିଶ୍ବସ୍ତରରେ ମାନ୍ୟତା ମିଳିଛି । ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ପାଳୁଛି ମିଲେଟ୍ ଦିବସ । କାଳିଆ ଯୋଜନାରେ ଭୂମିହୀନ କୃଷି ପରିବାରଙ୍କୁ ସହାୟତା ପଦାନ କରିଛନ୍ତି ରାଜ୍ୟ ସରକାର । କାଳିଆ ସ୍କଲାରସିପ୍ ଯୋଜନାରେ 765 ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଛି ।

ରାଜ୍ୟରେ 25 କୋଟି ଶ୍ରମ ଦିବସ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । 30 ଲକ୍ଷ ପରିବାର ଓ 46 ଲକ୍ଷ ଶ୍ରମଜୀବୀଙ୍କୁ ମିଳିବ ରୋଜଗାର । ମୁକ୍ତା ଯୋଜନାରେ 700 କୋଟି ଟଙ୍କା ବିନିଯୋଗ ହେବ । 6320 ସହରାଞ୍ଚଳ ଭିତ୍ତିଭୂମି ପ୍ରକଳ୍ପ ଆରମ୍ଭ ହେବ । ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ 8ଟି ଆକାଂକ୍ଷା ଛାତ୍ରାବାସ ନିର୍ମାଣ ହୋଇଛି ବୋଲି ଅଭିଭାଷଣରେ କହିଛନ୍ତି ରାଜ୍ୟପାଳ ।