ବିଧାନସଭାରେ ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ, ସବୁ ଦିଗକୁ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ

1 min read

ନନ୍ଦିଘୋଷ ବ୍ୟୁରୋ: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ନେଇ ପ୍ରସ୍ତାବ ଆଲୋଚନା ଶେଷରେ ବିଧାନସଭାରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା । ଘଟଣାର ସବୁ ଦିଗକୁ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି ବୋଲି କହିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ । ତଦନ୍ତ ସମୟରେ ପ୍ରତ୍ୟକ୍ଷଦର୍ଶୀଙ୍କ ସହିତ ଅନ୍ୟାନ୍ୟ ସାକ୍ଷୀଙ୍କୁ ପଚରାଉଚରା କରାଯାଇଛି । ଅପରାଧର ସ୍ଥାନକୁ ସ୍କାନ କରାଯାଇଛି । ଫରେନସିକ୍ ବିଶେଷଜ୍ଞଙ୍କ ସହାୟତାରେ ପରୀକ୍ଷା ତଥା ଅପରାଧର ଦୃଶ୍ୟପଟକୁ କଏଦ କରାଯାଇଛି । ଡାକ୍ତରୀ ଟିମ୍ ଅଭିଯୁକ୍ତ ଗୋପାଳର ମାନସିକ ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି ।

ମାମଲାର ପାରିପାର୍ଶ୍ବକ ସ୍ଥିତିକୁ ଦେଖି FBIକୁ ତଦନ୍ତରେ ସହାୟତା କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଗୃହ ବିଭାଗ ଅନୁରୋଧ କରିଛି । ଅଭିଯୁକ୍ତ ଗୋପାଳର ବିହେଭିୟରାଲ ଯାଞ୍ଚ କରାଯିବ । ଗୋପାଳର ପଲିଗ୍ରାଫ ଟେଷ୍ଟ ସହ ନାର୍କୋ ଟେଷ୍ଟ ବି କରାଯାଇଛି । ସ୍ବଚ୍ଛତା ପାଇଁ ଜଣେ ଅବସରପ୍ରାପ୍ତ ବିଚାରପତି ତଦନ୍ତର ତଦାରଖ କରୁଛନ୍ତି ।

ଏପରିକି ଦେଶର ସର୍ବୋତ୍ତମ ବୈଜ୍ଞାନିକ ଓ ଫରେନସିକ୍ ଏକ୍ସପର୍ଟଙ୍କ ସହାୟତା ନିଆଯାଇଛି ବୋଲି କହିଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ । ଘଟଣାରେ କ୍ରାଇମବ୍ରାଞ୍ଚ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରୁଛି । ଅନ୍ୟପଟେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ଉଭୟ ବିଜେପି ଓ କଂଗ୍ରେସ କକ୍ଷତ୍ୟାଗ କରିଥିଲେ । ଏନେଇ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ବିରୋଧୀଙ୍କର ଧୈର୍ଯ୍ୟ ନାହିଁ । କେବଳ ରାଜନୀତି କରିବା ପାଇଁ ବିରୋଧ କରୁଛନ୍ତି ବୋଲି କହିଛନ୍ତି ପ୍ରଶାନ୍ତ ମୁଦୁଲି ।