୨୦୨୪ ପାଇଁ ତୟାରୀ, ଆଜିଠୁ ଛତିଶଗଡ଼ ରାୟପୁରରେ କଂଗ୍ରେସର ମହାଅଧିବେଶନ

ରାୟପୁର: ଆଜିଠୁ କଂଗ୍ରେସର ମହାଅଧିବେଶନ । ଛତିଶଗଡ଼ ରାୟପୁରରେ ଆୟୋଜିତ ହେଉଥିବା ଏହି ଅଧିବେଶନରେ ସାମିଲ ହେବେ ୧୮୨୫ରୁ ଅଧିକ ନିର୍ବାଚିତ କର୍ମକର୍ତ୍ତାଙ୍କ ସହ ପ୍ରାୟ ୧୫ ହଜାର ପ୍ରତିନିଧି । ସମାବେଶରେ ଯୋଗଦେବେ ସମସ୍ତ ପିସିସି ସଭାପତି, ପିସିସି କମିଟି ସଦସ୍ୟଙ୍କ ସମେତ ବହୁ ହେଭିଓ୍ବେଟ । ଏଆଇସିସି ସଭାପତି ଭାବେ ମଲ୍ଲିକାର୍ଜୁନ ଖଡ଼ଗେ ନିର୍ବାଚିତ ହେବା ପରେ ଏହା ହେବ ପ୍ରଥମ ମହାଧିବେଶନ । ଆସନ୍ତା ୨୬ ତାରିଖ ଯାଏ ଚାଲିବ ଅଧିବେଶନ । ଜାତୀୟ ରାଜନୀତି, ଅର୍ଥନୀତି, ଆନ୍ତର୍ଜାତିକ ବ୍ୟାପାର, କୃଷି, ସାମାଜିକ ନ୍ୟାୟ, ଯୁବ ସମସ୍ୟା, ଶିକ୍ଷା, ନିଯୁକ୍ତି ଆଦି ସମ୍ପର୍କରେ ଏହି ଅଧିବେଶନରେ ଆଲୋଚନା ହେବା ସହ ଗୃହିତ ହେବ ଅନେକ ପ୍ରସ୍ତାବ ।

ପ୍ରତି ୩ ବର୍ଷରେ ଥରେ କଂଗ୍ରେସ ପ୍ଲେନାରୀ ଅନୁଷ୍ଠିତ ହେଉଥିବା ବେଳେ, ଏହା ହେବ ୮୫ ତମ ଅଧିବେଶନ । ଏହାସହ ୨୦୨୪ ନିର୍ବାଚନ ପୂର୍ବରୁ ଏହା ହେବ ଶେଷ ଅଧିବେଶନ । ଆସନ୍ତା ନିର୍ବାଚନରେ ବିଜେପି ଗାଦିଚ୍ୟୁତ ହେବା ସହ କଂଗ୍ରେସ ନେତୃତ୍ବରେ ସରକାର ଗଠନ ହେବ ବୋଲି ନାଗାଲାଣ୍ଡରେ ଆୟୋଜିତ ଏକ ସମାବେଶରେ ଖଡଗେ କହିଥିଲେ । ଏନେଇ ଅନ୍ୟାନ୍ୟ ଦଳ ସହ ଆଲୋଚନା ହୋଇଛି ବୋଲି ସେ କହିଥିଲେ ।