ଋଷ-ୟୁକ୍ରେନ ଯୁଦ୍ଧକୁ ପୂରିଲା ବର୍ଷେ, ଏବେ ବି ଗର୍ଜୁଛି ଟ୍ୟାଙ୍କ, କ୍ଷେପଣାସ୍ତ୍ର ମାଡ଼ରେ କମ୍ପୁଛି ସହର

1 min read

କିଭ୍: ଋଷ ଓ ୟୁକ୍ରେନ ଯୁଦ୍ଧକୁ ବର୍ଷେ । ଗତବର୍ଷ ଆଜିର ଦିନରେ ଆରମ୍ଭ ହୋଇଥିଲା ଋଷ-ୟୁକ୍ରେନ ଯୁଦ୍ଧ । ରକ୍ତପାତକୁ ବର୍ଷେ ପୂରିଥିବା ବେଳ ସେଭଳି କିଛି ସଫଳତା ପାଇପାରିନି ଋଷ । ଯୁଦ୍ଧରେ ଉଭୟ ରାଷ୍ଟ୍ର ବ୍ୟାପକ କ୍ଷତି ସହିଛନ୍ତି । ବ୍ୟାପକ ଭିତ୍ତିଭୂମି ଭୁଷୁଡ଼ି ଯାଇଥିବା ବେଳେ ମିଲିଟାରୀ ବେସ୍ ଧ୍ବସ୍ତ ହୋଇଛି । ଦୁଇ ଦେଶର ହଜାର ହଜାର ସୈନ୍ୟ ପ୍ରାଣ ହରାଇଛନ୍ତି । ମିସାଇଲ ମାଡ଼ରେ ଧ୍ବଂସ ସ୍ତୁପରେ ପରିଣତ ହୋଇଛି ବଡ଼ ବଡ଼ କୋଠା । ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ, ଲକ୍ଷାଧିକ ଲୋକ ଶରଣାର୍ଥୀ ସାଜିଛନ୍ତି । ଜୀବନ ଜୀବିକା ସହ ବାସଗୃହ ହରାଇଛନ୍ତି ଲକ୍ଷାଧିକ ଲୋକ । ବୋମା ମାଡ଼ର ଶବ୍ଦ ଭିତରେ ଚାଲିଛି ଜୀବନ ଜୀବିକାର ସଂଘର୍ଷ । ଆମେରିକା ଓ ଅନ୍ୟ ରାଷ୍ଟ୍ର ୟୁକ୍ରେନକୁ ସହାୟତାର ହାତ ବଢ଼ାଇଛନ୍ତି । ହେଲେ ଜିଦରେ ଅଟକ ଋଷ ଯୁଦ୍ଧ ବନ୍ଦ କରିବାକୁ ନାରାଜ ।

ବର୍ଷେ ଧରି ଚାଲିଥିବା ଯୁଦ୍ଧରେ ୟୁକ୍ରେନର ଅଧିକାଂଶ ସହରକୁ ନିଜ ଅକ୍ତିଆରକୁ ନେଇଛି ଋଷ । ଜାପୋରିଜିଆ, ମାରିୟୁପୋଲ, ମେଲିଟୋପୋଲ, ଲୁହାନସ୍କ ଆଦି ୬ ସହରକୁ କବଜା କରିଛି ମସ୍କୋ । ଏହି ୬ ସହର ଯୋଗେ ୟୁକ୍ରେନର ଅର୍ଥନୀତିକୁ ନିୟନ୍ତ୍ରଣକୁ ନେଇଛି ମସ୍କୋ । ଜାପୋରିଜିଆ ନ୍ୟୁକ୍ଲିଅର ପାଓ୍ବାର ପ୍ଲାଣ୍ଟ, ମାରିୟୁପୋଲର ବନ୍ଦରଗାହ ଷ୍ଟିଲ କାରବାର ୟୁକ୍ରେନ ଅର୍ଥନୀତି ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ । ମେଲିଟୋପୋଲ ଦେଇ ୟୁରୋପର ଦୁଇ ହାଇଓ୍ବେ ଯାଇଛି । ଏହା ଏକ ଶିଳ୍ପାଞ୍ଚଳ ହୋଇଥିବା ବେଳେ ଏଠାରେ ୟୁକ୍ରେନର ସବୁଠୁ ବଡ଼ ଷ୍ଟିଲ ପ୍ଲାଣ୍ଟ ରହିଛି । ବର୍ଷେ ପରେ ବି ପୂରା ୟୁକ୍ରେନକୁ କବଜା କରିବାରେ ବିଫଳ ହୋଇଛି ଋଷ । ଯୁଦ୍ଧର ଭୟାବହ ସ୍ଥିତି ଭିତରେ ଋଷକୁ ପରୋକ୍ଷରେ ଚେତାବନୀ ଦେଇଛି ଆମେରିକା । ଋଷ କେବେବି ଯୁଦ୍ଧରେ ଜିତି ପାରିବ ନାହିଁ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । କିଭ୍ ଗସ୍ତ ବେଳେ ୟୁକ୍ରେନକୁ ଅସ୍ତ୍ର ଯୋଗାଇବାକୁ ଘୋଷଣା କରିଛନ୍ତି ।

ସେହିପରି ଆମେରିକା ସହ କରିଥିବା ଆଣବିକ ଅସ୍ତ୍ର ନିୟନ୍ତ୍ରଣ ଚୁକ୍ତିକୁ ରଦ୍ଦ କରିଛି ଋଷ । ଦୁଇ ଦେଶ ମଧ୍ୟରେ ଏହି ଚୁକ୍ତି ରଦ୍ଦ ହେବା ପରେ ଆଣବିକ ପ୍ରତିଯୋଗିତା ବଢ଼ିବା ନେଇ ଆଶଙ୍କା ରହିଛି । ସେପଟେ କୂଟନୈତିକ ଆଲୋଚନାରେ ବିବାଦର ସମାଧାନ କରିବା ସହ ଯୁଦ୍ଧ ସମାପ୍ତ କରିବାକୁ ଭାରତ ସମେତ ଅନେକ ରାଷ୍ଟ୍ର ଋଷକୁ ପରାମର୍ଶ ଦେଇଛନ୍ତି ।