ଆଜି ବିଧାନସଭାରେ ଉପସ୍ଥାପନ ହେବ ପୂର୍ଣ୍ଣାଙ୍ଗ ବଜେଟ୍, ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ

1 min read

ଭୁବନେଶ୍ୱର: ଫୋକସରେ ଚାଷୀ, ଶିଶୁ ଓ ମାଆଙ୍କ ପୁଷ୍ଟିସାଧନ, ଭିତ୍ତିଭୂମି ବିକାଶ । ଆଜି ବିଧାନସଭାରେ ଆଗତ ହେବ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ । ଅପରାହ୍ନ ୪ଟାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଆଗତ କରିବେ । ଏଥର ବଜେଟର ଆକାର ପ୍ରାୟ ୨ ଲକ୍ଷ ୩୦ ହଜାର କୋଟି ହେବ ବୋଲି ଆକଳନ କରାଯାଉଛି । କେନ୍ଦ୍ର ସରକାର ୨୦୨୩-୨୪ ଆର୍ଥିକ ବର୍ଷର ବଜେଟରେ କୃଷି କ୍ଷେତ୍ରରେ ବ୍ୟୟବରାଦ ୭ ପ୍ରତିଶତ ହ୍ରାସ କମାଇଛନ୍ତି । ଅନ୍ୟପଟେ ଚାଷୀଙ୍କ ଆୟ ବୃଦ୍ଧି ପାଇଁ କୃଷି ବଜେଟରେ ରାଜ୍ୟ ସରକାର ଅଧିକ ଅର୍ଥ ବ୍ୟୟ ବରାଦ କରିବା ନେଇ ଆଶା କରାଯାଉଛି । ସେହିପରି ଚାଷୀଙ୍କର ଫସଲର ସୁରକ୍ଷା ପାଇଁ କିଛି ନୂଆ ଯୋଜନା ବଜେଟରେ ଆସିପାରେ ।

ଏହା ସହିତ ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡା ଓ ସାମାଜିକ କ୍ଷେତ୍ର, ଶିଳ୍ପ ଓ ମହିଳା ସଶକ୍ତିକରଣକୁ ବଜେଟରେ ଗୁରୁତ୍ବ ମିଳିବ । ଆଜି ଗୃହରେ ପ୍ରଶ୍ନକାଳ ସହିତ ବିରୋଧୀଙ୍କର ମୁଲତବୀ ପ୍ରସ୍ତାବ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ପ୍ରଶ୍ନକାଳରେ ଶିଳ୍ପ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ହସ୍ତତନ୍ତ ଓ ବୟନଶିଳ୍ପ, ଶକ୍ତି, ବିଜ୍ଞାନ ଓ କାରିଗରୀ, ଏମଏସଏମଇ ଓ ସାଧାରଣ ଉଦ୍ୟୋଗ ବିଭାଗ ଉପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି ।