ତାମିଲନାଡୁ ସୁନା ଦୋକାନରୁ ଗହଣା ଲୁଟ୍, ଓଡ଼ିଶାରୁ ୨ ଗିରଫ

କେନ୍ଦୁଝର: କୋଏମ୍ବାଟୁରର ଏକ ସୁନା ଦୋକାନରୁ ସୁନାଗହଣା ଲୁଟ୍ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଓ ପଣ୍ଡାପଡ଼ା ଥାନା ଅଞ୍ଚଳର ୨ ଜଣଙ୍କୁ ଗିରଫ କରିଛି ତାମିଲନାଡ଼ୁ ପୋଲିସ । ଗିରଫ ଯୁବକମାନେ ହେଲେ ହରିଚନ୍ଦନପୁର ଥାନା କରଞ୍ଜିଆ ଗାଁର ଶାନ୍ତନୁ ପାତ୍ର ଓ ପଣ୍ଡାପଡ଼ା ଥାନା କୁମାରନଳୀ ଗାଁର ଶିବଚରଣ ମହାନ୍ତ । ସେମାନଙ୍କ ନିକଟରୁ ୪ ଲକ୍ଷ ଟଙ୍କା ଓ ୨ଟି ବାଇକ୍ ଜବତ ହୋଇଛି ।

କରଞ୍ଜିଆ ଗାଁର ଶାନ୍ତନୁ ପାତ୍ର କୋଏମ୍ବାଟୁରର ଏକ ସୁନା ଦୋକାନରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରିବା ସମୟରେ ଗତ ଅକ୍ଟୋବର ମାସରେ ସେହି ଦୋକାନରୁ ୧ କେଜିରୁ ଉର୍ଦ୍ଧ୍ବ ସୁନାଗହଣା ଚୋରି କରି ଗାଁକୁ ପଳାଇ ଆସିଥିଲେ । କମାରନଳୀ ଗାଁର ଶିବଚରଣ ମହାନ୍ତଙ୍କ ସହ ମିଶି ସେ ସମସ୍ତ ଚୋରି ସୁନାଗହଣା ବିକ୍ରି କରି ଦେଇଥିଲେ । ଏତଲା ପରେ ତାମିଲନାଡୁ ପୋଲିସ ହରିଚନ୍ଦନପୁର ପୋଲିସ ସହାୟତାରେ ପ୍ରଥମେ ଶାନ୍ତନୁ ଓ ପରେ ଶିବଚରଣଙ୍କୁ ଉଠାଇ ନେଇଛି ।