spot_img
Home Blog Page 3625

ଲଗାତର ତୃତୀୟ ଥର ଦୃଷ୍ଟିହୀନ ଟି-୨୦ ବିଶ୍ୱକପ ଟ୍ରଫି ହାତେଇଲା ଭାରତ

ନୂଆଦିଲ୍ଲୀ: ଇତିହାସ ରଚିଲା ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳ । ଆଜି ଖେଳାଯାଇଥିବା ଟି-୨୦ ବିଶ୍ୱକପ ଫାଇନାଲରେ ବାଂଲାଦେଶକୁ ହରାଇ ବିଶ୍ୱ ବିଜୟୀ ମୁକୁଟ ପିନ୍ଧିଲା ଭାରତ । ଲଗାତର ତୃତୀୟ ଥର ପାଇଁ ହାତେଇଲା ଟି-୨୦ ବିଶ୍ୱକପ ଟ୍ରଫି । ଏହା ପୂର୍ବରୁ ଭାରତ ୨୦୧୨ ଓ ୨୦୧୭ରେ ଦୃଷ୍ଟିହୀନ ବିଶ୍ୱକପ ଟ୍ରଫି ନିଜ ନାମରେ କରିଥିଲା । ତେବେ ଆଜି ଫାଇନାଲରେ ପୁଣି ଥରେ ବିଜୟ ହେବା ସହ ଭାରତ ବିଶ୍ୱକପ ଟ୍ରଫି ହାତେଇବାରେ ହ୍ୟାଟ୍ରିକ୍ ଅର୍ଜନ କରିଛି ।

ତେବେ ଆଜି ଖେଳାଯାଇଥିବା ଫାଇନାଲରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨୭୭ ରନ କରିଥିଲା । ଭାରତ ପକ୍ଷରୁ ସୁନୀଲ ରମେଶ ୬୩ ବଲରୁ ଅପରାଜିତ ୧୩୬ ରନ କରିଥିବାବେଳେ ଅଜୟ ରେଡ୍ଡୀ ୫୦ ବଲରୁ ବିସ୍ଫୋରକ ୧୦୦ ରନ କରିଥିଲେ । ୨୭୮ ରନର ଟାର୍ଗେଟ ପଡ଼ିଆକୁ ଓହ୍ଲାଇଥିବା ବାଂଲାଦେଶ ୨୦ ଓଭର ଖେଳି ମାତ୍ର ୧୫୭ ରନ କରିବାରେ ସଫଳ ହୋଇଥିଲା । ଯାହାଫଳରେ ଭାରତ ଏହି ମ୍ୟାଚକୁ ୧୨୦ ରନରେ ନିଜ ନାମରେ କରିଥିଲା । ଏହି ବିଜୟ ସହ ଭାରତ ଦୃଷ୍ଟିହୀନ ବିଶ୍ୱକପର ତୃତୀୟ ସଂସ୍କରଣରେ ଚମ୍ପିଆନ ହୋଇଛି ।

କୃଷି ଉପକରଣ ସବସିଡି ଅର୍ଥ ହଡ଼ପ ଘଟଣାରେ EOWର କାର୍ଯ୍ୟାନୁଷ୍ଠାନ, ମୁଖ୍ୟ ଅଭିଯୁକ୍ତ ସମେତ ୩ ଗିରଫ

ଭୁବନେଶ୍ୱର: ୧୨ କୋଟି ଟଙ୍କାର କୃଷି ଯନ୍ତ୍ରପାତି ଓ ଉପକରଣ ସବସିଡି ଅର୍ଥ ହଡ଼ପ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ । ମୁଖ୍ୟ ଅଭିଯୁକ୍ତ ପ୍ରଦୀପ କୁମାର ଆଚାର୍ଯ୍ୟଙ୍କ ସମେତ ୩ ଜଣଙ୍କୁ ଗିରଫ କଲା ଇଓଡବ୍ଲୁ । ଜାଲ କାଗଜପତ୍ର ମାଧ୍ୟମରେ ଚାଷୀଙ୍କୁ କୃଷି ଉପକରଣ ଯୋଗାଣ କରିଥିବା ଦର୍ଶାଇ ସରକାରୀ ସବସିଡି ଅର୍ଥ ହଡ଼ପ କରୁଥିଲେ ଅଭିଯୁକ୍ତମାନେ । ଏ ସଂପର୍କରେ ଖୋଳତାଡ଼ ପରେ EOWରେ ଏକ ମାମଲା ଗତ ନଭେମ୍ବର ୭ ତାରିଖରେ ରୁଜୁ ହେବାପରେ ତଦନ୍ତ ଆରମ୍ଭ ହୋଇଥିଲା ।

ତଦନ୍ତ ସମୟରେ EOW ଜାଣିବାକୁ ପାଇଥିଲା ଯେ, ୨୦୧୬-୧୭ ଠାରୁ ୨୦୧୯-୨୦ ଆର୍ଥିକ ବର୍ଷରେ ବ୍ରହ୍ମପୁରର ଶେଖ ଫାୟାଜ ନାମକ ଅଭିଯୁକ୍ତ ମିଛ ବିଲ୍, ମିଛ ଡାଟା, ମିଛ ସୂଚନା ଅପଲୋଡ କରିଥିଲା । ସେହିପରି ୩୮୧ଟି କୃଷି ଉପକରଣକୁ ଚାଷୀ ଓ ଅନ୍ୟ ହିତାଧିକାରୀଙ୍କୁ ଯୋଗାଣ କରାଯାଇଥିବା ଭଳି ମିଛ ବିଲ୍ ପ୍ରସ୍ତୁତ କରି ୧୨କୋଟି ଟଙ୍କା ସରକାରୀ ରିହାତି ହଡ଼ପ କରିଥିଲେ । ଏହି ରିହାତି ହଡ଼ପ ଘଟଣାରେ ଶେଖ୍ ଫାୟାଜକୁ ପ୍ରଦୀପ କୁମାର ଆଚାର୍ଯ୍ୟ ଓ ପ୍ରଭା ରଞ୍ଜନ ଦାସ୍ ସହୟତା କରିଥିବା ଅନୁସନ୍ଧାନରୁ ଜଣାପଡ଼ିଥିଲା ।

ପ୍ରଦୀପ କୁମାର ଆଚାର୍ଯ୍ୟ ଅନ୍ନପୂର୍ଣ୍ଣା ଆଗ୍ରୋ ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡ ଭୁବନେଶ୍ୱରର ଏମଡି ରହିଥିବା ବେଳେ, ପ୍ରଭା ରଞ୍ଜନ ଦାସ, ଦାସ ଟ୍ରେଡର୍ସ ଆଣ୍ଡ ଆଗ୍ରୋ ଏଜେନ୍ସି ଦଶପଲ୍ଲା ଓ ଶେଖ ଫାୟାଜ ବ୍ରହ୍ମପୁରର ମୁଖ୍ୟ ଥିଲେ ବୋଲି EOW ପକ୍ଷରୁ ସୂଚନା ଦିଆଯାଇଛି । ଏହି ୩ ସଂସ୍ଥା ରାଜ୍ୟ କୃଷି ବିଭାଗର DBT ଲିଙ୍କ ସହ ଜଡିତ ରହି ଏହି ସବସିଡି ଅର୍ଥର ଅପବ୍ୟବହାର କରିଥିଲେ । ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଚାଷୀ ଓ ହିତାଧିକାରୀଙ୍କ ମିଛ ଡାଟାବେସ ପ୍ରସ୍ତୁତ କରି ଅତି ଚତୁରତାର ସହ ପ୍ରାୟ ୧୨କୋଟିରୁ ଅଧିକ ଟଙ୍କାର ଚୂନ ଲଗାଇଥିଲେ ।

ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକ, ଅବହେଳା ପ୍ରସଙ୍ଗ ଉଠାଇଲା ଓଡ଼ିଶା

କୋଲକାତା: କୋଲକାତାରେ ଅନୁଷ୍ଠିତ ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକରେ ଦାବି ଉଠାଇଲା ଓଡ଼ିଶା । ଆବାସ ଯୋଜନାରେ ରାଜ୍ୟ ପ୍ରତି ହେଉଥିବା ଅବହେଳାକୁ ଉଠାଇଛନ୍ତି ଓଡ଼ିଶାର ମନ୍ତ୍ରୀ । ଏହା ସହତ କୋଇଲା ରୟାଲଟି ବୃଦ୍ଧି ପ୍ରସଙ୍ଗ ଉଠାଇଛି ଓଡ଼ିଶା । ପ୍ରତି ୩ ବର୍ଷରେ ଥରେ କୋଇଲା ରୟାଲଟି ବୃଦ୍ଧି ହେବା କଥା । କିନ୍ତୁ ୨୦୧୨ ମସିହା ପରେ ଏହା ବୃଦ୍ଧି କରାଯାଇନାହିଁ ।

ଏହା ସହିତ ଏସସି, ଏସଟି ପ୍ରି-ସ୍କଲାରସିପ ଓ ପୋଷ୍ଟ ମାଟ୍ରିକ ସ୍କଲାରସିପ ଠିକ୍ ସମୟରେ କେନ୍ଦ୍ର ଦେଉନାହିଁ । ରାଜ୍ୟ ପ୍ରତି ଅନ୍ୟାନ୍ୟ ଅବହେଳା ପ୍ରସଙ୍ଗରେ ମଧ୍ୟ ସ୍ବର ଉଠାଯାଇଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି । ଏହା ସହିତ ନକ୍ସଲ ସମସ୍ୟା, ସୀମା ବିବାଦ ଆଦି ପ୍ରସଙ୍ଗ ଉଠାଯାଇଛି । ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ସହଭାଗିତାରେ କିପରି ବିକାଶମୂଳକ କାର୍ଯ୍ୟ ହେବ, ତା’ ଉପରେ ଓଡ଼ିଶା ଗୁରୁତ୍ବ ଦେଇଛି ।

କେନ୍ଦ୍ରମନ୍ତ୍ରୀଙ୍କୁ କଡ଼ା ଜବାବ ଦେଲେ ସସ୍ମିତ ପାତ୍ର; 5T ଓ ମୋ ସରକାର ହେଉଛି ସରକାରଙ୍କ ସୁଶାସନର ମଡେଲ

ନୂଆଦିଲ୍ଲୀ: ବିଜେଡି ପାଇଁ ନିର୍ବାଚନୀ ବିଜୟ ନୁହେଁ, ବିକାଶ ହିଁ ଏକମାତ୍ର ମଡେଲ । ବିଜେଡି ପାଇଁ ପଦମପୁର ଓ ବିଜେପି ପାଇଁ ଧାମନଗର ମଡେଲ ବୋଲି କହିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିବୃତ୍ତିର ଜବାବ ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ସୁଶାସନ ପାଇଁ ନବୀନ ସରକାର ପ୍ରତିବଦ୍ଧ ଅଟନ୍ତି । ବିଜେଡି ସବୁବେଳେ ବିକାଶରେ ବିଶ୍ୱାସ କରେ ବୋଲି ସସ୍ମିତ କହିଛନ୍ତି । ବିଜେଡି କୌଣସି ନିର୍ବାଚନର ବିଜୟକୁ ମଡେଲ ଭାବେ ଗ୍ରହଣ କରେ ନାହିଁ । ବରଂ ସବୁବେଳେ ଲୋକଙ୍କ ବିକାଶ ଉପରେ ଗୁରୁତ୍ୱ ଦିଏ ।

୨୨ ବର୍ଷ ହେଲା ଓଡ଼ିଶାବାସୀଙ୍କ ସେବା କରିଆସୁଛି ବିଜେଡି । ଫାଇଭ-ଟି, ମୋ ସରକାର ଆଦି ସରକାରଙ୍କ ସୁଶାସନର ମଡେଲ । ସାଢେ ଚାରି କୋଟି ଓଡ଼ିଆ ହିଁ ଆମର ଭାଗ୍ୟବିଧାତା । ଦେଶରେ ଓଡ଼ିଶା କେମତି ଏକ ନମ୍ବର ମଡେଲ ହୋଇପାରିବ, ତାହା ସରକାରଙ୍କ ଲକ୍ଷ୍ୟ ବୋଲି କହିଛନ୍ତି ସସ୍ମିତ । ନିର୍ବାଚନର ବିଜୟକୁ ସୁଶାସନର ମଡେଲ ଭାବେ ବିଜେପି ଗ୍ରହଣ ନକରୁ ବୋଲି କହିଛନ୍ତି ସସ୍ମିତ ପାତ୍ର ।

କମିଶନରେଟ ପୋଲିସକୁ ବଡ଼ ସଫଳତା, ସ୍ପେଶାଲ ସ୍କ୍ୱାଡ କବଜାରେ ଗାଡି କାଚ ଭଙ୍ଗା ଗ୍ୟାଙ୍ଗ

ଭୁବନେଶ୍ୱର: କମିଶନରେଟ ପୋଲିସକୁ ବଡ଼ ସଫଳତା । ସ୍ପେଶାଲ ସ୍କ୍ୱାଡ କବଜାରେ ଗାଡି କାଚ ଭଙ୍ଗା ଗ୍ୟାଙ୍ଗ । ପଶ୍ଚିମବଙ୍ଗ ହୁଗୁଳି ଅଞ୍ଚଳର ୪ ଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ସେମାନେ ହେଲେ ସୂର୍ଯ୍ୟା ମୁଦାଲିଆର, ରାହୁଲ ରାଓ, ଆଦିତ୍ୟ କଇଁରି, ଶଙ୍କର ସ୍ବାମୀ । ସେମାନଙ୍କଠାରୁ ୫୨ ହଜାର ଟଙ୍କା, ଭ୍ୟାନିଟି ବ୍ୟାଗ ଓ ଗାଡ଼ି କାଚ ଭାଙ୍ଗିବା ଅସ୍ତ୍ର ସହ ମୋବାଇଲ ଓ ଲାପଟପ ଜବତ କରିଛି ପୋଲିସ । କେବଳ ଭୁବନେଶ୍ୱରରେ ଏହି ଗ୍ୟାଙ୍ଗ ନାଁରେ ୧୦ଟି ମାମାଲ ରହିଛି । କ୍ୟାପିଟାଲ ଥାନାରେ ୫ଟି, ସହିଦ ନଗରରେ ୪ଟି ଓ ଖାରବେଳ ନଗର ଥାନାରେ ଗୋଟିଏ ମାମଲା ରହିଛି । ଏହାସହ କଟକ ମାଲଗୋଦାମ ଥାନା ଅଞ୍ଚଳରେ ମଧ୍ୟ ଗୋଟିଏ ମାମଲା ରହିଛି ।

ଗିରଫ ୪ ଜଣ ସମସ୍ତେ ପଶ୍ଚିମବଙ୍ଗରୁ ଆସି ଓଡ଼ିଶା, ବିହାର ଓ ତାମିଲନାଡ଼ୁ ଭଳି ରାଜ୍ୟରେ ବୁଲି ଚୋରି କରନ୍ତି । ଲଜରେ ରହି ଚୋରି କରନ୍ତି ଏବଂ ତାପରେ ସେଠାରୁ ଚମ୍ପଟ ମାରନ୍ତି । ପୂଜା ସମୟରେ ଓଡ଼ିଶା ଆସି କାରର କାଚ ଭାଙ୍ଗି ଚୋରି କରିଥିଲେ ଏହି ଗ୍ୟାଙ୍ଗ । ବାରମ୍ବାର ସ୍ଥାନ ପରିବର୍ତ୍ତନ ଯୋଗୁଁ ଏମାଙ୍କୁ ଧରିବା ଥିଲା କମିଶନରେଟ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ । ଗ୍ୟାଙ୍ଗର ଅନ୍ୟ ଅଭିଯୁକ୍ତ ଖୋଜିବ ପାଇଁ ପଶ୍ଚିମବଙ୍ଗ ଯିବ ପୋଲିସ । ଏହାସହ ଅନ୍ୟ ଜିଲ୍ଲା ପୋଲିସକୁ ସମସ୍ତ ଅଭିଯୁକ୍ତଙ୍କ ତଥ୍ୟ ଦେବ କମିଶନରେଟ ପୋଲିସ ।

ଆଦିବାସୀ ଝିଅ ନମିତାଙ୍କ ଗୀତ ଶୁଣିବେ ବିଦେଶୀ ଖେଳାଳି, ହକି ବିଶ୍ୱକପର ଉଦଘାଟନୀ ସଂଗୀତ ଗାନ କରିବେ ନମିତା

କୋରାପୁଟ: ଆଦିବାସୀ ଝିଅ ନମିତାଙ୍କ ଗୀତ ଶୁଣିବ ସାରା ବିଶ୍ୱ । ପୁଣି ଚର୍ଚ୍ଚାରେ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ଆଦିବାସୀ ଝିଅ ନମିତା ମେଲକା । ଆସନ୍ତା ବିଶ୍ୱକପ ହକିରେ ଉଦଘାଟନୀ ସଂଗୀତ ଗାନ କରିବେ ନମିତା । ଅଭ୍ୟାସ ପାଇଁ ବାପାଙ୍କ ସହିତ ମୁମ୍ବାଇ ଯାଇଛନ୍ତି ନମିତା । ବିଶ୍ୱକପ ହକିରେ ଗୀତ ଗାଇବା ପାଇଁ ନମିତାଙ୍କୁ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ପାରିଶ୍ରମିକ ବାବଦକୁ ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି । ଏହି ଗୀତ ପରିବେଷଣ କରିବା ଲାଗି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ନମିତାଙ୍କ ନାମ ସୁପାରିସ କରିଥିଲେ ।

୨ ବର୍ଷ ତଳେ ନମିତାଙ୍କ ଗୀତ ଭାଇରାଲ ହେବା ପରେ ସେ ଲୋକଲୋଚନକୁ ଆସିଥିଲେ । କୌଣସି ତାଲିମ ନ ନେଇ ସୁନ୍ଦର ଗୀତ ଗାଉଥିବାରୁ ସେତେବେଳେ ସମସ୍ତ ଚକିତ ହୋଇଥିଲେ । ଏବେ ହକି ବିଶ୍ୱକପରେ ଉଦଘାଟନୀ ସଙ୍ଗୀତ ପରିବେଷଣ କରିବା ଖବର ପ୍ରସାରିତ ହେବା ପରେ କୋରାପୁଟ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି ।

ଦୁଇ ବର୍ଷର ପୁଅକୁ ବାଲକୋନିରୁ ଫିଙ୍ଗିଦେଲା ବାପା

ନୂଆଦିଲ୍ଲୀ: ଦାମ୍ପତ୍ୟ କଳିରୁ ଅଘଟଣ । ଦିଲ୍ଲୀରେ ସ୍ୱାମୀ-ସ୍ତ୍ରୀ ଝଗଡ଼ା ପରେ ଉତ୍ତ୍ୟକ୍ତ ମଦ୍ୟପ ସ୍ୱାମୀ ଦୁଇ ବର୍ଷର ପୁଅକୁ ବାଲକୋନିରୁ ଫିଙ୍ଗିଦେଲା । ତିନି ମହଲା କୋଠାରୁ ଫିଙ୍ଗି ଦେଇ ନିଜେ ମଧ୍ୟ ତଳକୁ ଡେଇଁପଡ଼ିଥିଲା ସ୍ବାମୀ । ଫଳରେ ଗୁରୁତର ଆହତ ହୋଇ ବାପା ଓ ପୁଅ ଏବେ ଏମ୍ସରେ ଭର୍ତ୍ତି ହୋଇଛନ୍ତି । ଦିଲ୍ଲୀ କାଲକାଜୀରେ ଗତରାତିରେ ଏହି ଅଘଟଣ ଘଟିଛି ।

ସ୍ୱାମୀ ମନ ସିଂ ଓ ସ୍ତ୍ରୀ ପୂଜା ଘରୋଇ କଳିରୁ ଅଲଗା ଅଲଗା ରହୁଛନ୍ତି । ପୂଜା ତାଙ୍କ ଦୁଇ ପିଲାଙ୍କୁ ଧରି ଜେଜେମାଆଙ୍କ ପାଖରେ ରହୁଛନ୍ତି । ଗତକାଲି ରାତିରେ ମନ ସିଂ ପୂଜାଙ୍କ ଘରକୁ ଆସିଥିଲେ । ସେଠାରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ତା’ପରେ ଉତ୍ତ୍ୟକ୍ତ ମନ ସିଂ ଦୁଇ ବର୍ଷର ପୁଅକୁ ୨୧ ଫୁଟ ତଳକୁ ଫିଙ୍ଗି ଦେଇ ନିଜେ ଡେଇଁ ପଡ଼ିଥିଲେ । ମଦ ପିଇ ମନ ସିଂ ଘରକୁ ଆସି ପୂଜାଙ୍କ ସହ ଝଗଡ଼ା କରିଥିବା କହିଛନ୍ତି ପୂଜାଙ୍କ ଜେଜେମାଆ । ଏନେଇ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି ବୋଲି ପୋଲିସ କହିଛି ।

ପୁଣି ନିରାଶ ହେଲେ ବିଲକିସ ବାନୋ, ସୁପ୍ରିମକୋର୍ଟରେ ପୁନର୍ବିଚାର ଆବେଦନ ଖାରଜ

ନୂଆଦିଲ୍ଲୀ: ବିଲକିସ ବାନୋଙ୍କ ପୁନର୍ବିଚାର ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ୨୦୦୨ ଗୁଜରାଟ ଗୋଧ୍ରା ଦଙ୍ଗାବେଳେ ବିଲକିସଙ୍କୁ ବଳାତ୍କାର କରାଯାଇଥିଲା । ୧୯୯୨ ଜେଲ ନିୟମ ଆଧାରରେ ଗତ ସ୍ୱାଧୀନତା ଦିବସରେ ୧୧ ଜଣ ଦୋଷୀଙ୍କୁ ମୁକ୍ତ କରାଯାଇଥିଲା । ସୁପ୍ରିମକୋର୍ଟଙ୍କ ରାୟ ପରେ ଏହାକୁ ବିଲକିସ ସୁପ୍ରିମକୋର୍ଟରେ ପୁଣି ଚ୍ୟାଲେଞ୍ଜ କରିଥିଲେ । ଯାହାକୁ ଆଜି ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଯାହକୁ ନେଇ ସଂପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି ବିଲକିସ ।

ସେପଟେ ଦିଲ୍ଲୀ ମହିଳା ଆୟୋଗ କହିଛନ୍ତି, ଗୁଜରାଟ ସରକାର ସବୁ ଦୋଷୀଙ୍କୁ ମୁକ୍ତ କରିଦେଇଛନ୍ତି । ଏହା ବିରୋଧରେ ସୁପ୍ରିମକୋର୍ଟ ଯଦି ବିଚାର ନକରିବେ ତେବେ ନ୍ୟାୟ କେଉଁଠି ମିଳିବ ବୋଲି କହିଛନ୍ତି ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା । ବିଲକିସ ତାଙ୍କ ଆବେଦନରେ ଦର୍ଶାଇଥିଲେ କି, ମାମଲାର ପୂରା ବିଚାର ମହାରାଷ୍ଟ୍ରରେ ଚାଲିଥିଲା । ମହାରାଷ୍ଟ୍ର ନିୟମ ଅନୁସାରେ ୨୮ ବର୍ଷ ପୂର୍ବରୁ ଆଜୀବନ ଦୋଷୀଙ୍କୁ ୧୪ ବର୍ଷ ପରେ ମୁକ୍ତି ଦିଆଯାଇପାରିବନି ନାହିଁ । ୧୪ ବର୍ଷ ପୂରିବା ପରେ ବିଲକିସଙ୍କ ଦୋଷୀଙ୍କୁ ଗତ ଅଗଷ୍ଟ ୧୫ରେ ଗୁଜରାଟ ସରକାର ମୁକ୍ତି ଦେଇଥିଲେ ।

ଛାତ୍ରଙ୍କ ବେକରେ ଜାଭେଲିନ ପଶିବା ଘଟଣା, ଚିନ୍ତାପ୍ରକଟ କରି ସମସ୍ତ ସହାୟତା ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବେକରେ ଜାଭେଲିନ ପଶି ବଲାଙ୍ଗୀରର ଗୁରୁତର ଛାତ୍ର ସଦାନନ୍ଦର ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତାପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉନ୍ନତ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସମସ୍ତ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଛାତ୍ରର ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5T ସଚିବ ଭି.କେ ପାଣ୍ଡିଆନ୍ ବଲାଙ୍ଗୀର ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ସଦାନନ୍ଦର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ।

ସେପଟେ ଏକ ଘଣ୍ଟାର ଅପରେସନ ପରେ ସଦାନନ୍ଦର ବେକରୁ ଜାଭେଲିନ ବାହାରିଛି । ଅସ୍ତ୍ରୋପଚାର ପରେ ସେ ଏବେ ସୁସ୍ଥ ଅଛନ୍ତି । ଛାତ୍ରଙ୍କୁ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ଯୋଗାଇ ଦିଆଯିବା ସହ ୩୦ ହଜାର ଟଙ୍କା ରେଡକ୍ରସ ପାଣ୍ଠିରୁ ପ୍ରଦାନ କରାଯାଯାଇଛି । ଏହାସହ ସୁସ୍ଥ ହେବା ପର୍ଯ୍ୟନ୍ତ ସମସ୍ତ ଚିକିତ୍ସା ରାଜ୍ୟ ସରକାର ବହନ କରିବେ ବୋଲି କହିଥିଲେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ।

ବଲାଙ୍ଗୀର ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଚାଲିଥିବା ବେଳେ ସଦାନନ୍ଦଙ୍କ ବେକରେ ପଶିଯାଇଥିଲା ଜାଭେଲିନ୍ । ନବମ ଶ୍ରେଣୀ ଛାତ୍ର ସଦାନନ୍ଦ ମେହେର ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସ୍ୱତନ୍ତ୍ର ୮ଜଣିଆ ଡାକ୍ତରୀ ଟିମ୍ ସଦାନନ୍ଦର ସଫଳ ଅପରେସନ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ ଓ ଡିଇଓଙ୍କ ଉପସ୍ଥିତିରେ ଚିକିତ୍ସା କରାଯାଇଛି ।

ଏକନାଥ ସିନ୍ଦେ ସରକାର ବିରୋଧରେ ମୁମ୍ବାଇରେ ‘MVA’ର ମହାରାଲି

ମୁମ୍ବାଇ: ମହାରାଷ୍ଟ୍ର ଏକନାଥ ସିନ୍ଦେ ସରକାର ବିରୋଧରେ ମୁମ୍ବାଇରେ ମହା ବିକାଶ ଅଘାଡ଼ି ବା ଏମଭିଏର ମହାରାଲି । ଆୟୋଜିତ ହଲ୍ଲାବୋଲ ପ୍ରତିବାଦ ଆନ୍ଦୋଳନରେ ସାମିଲ ହେଲେ ହଜାର ହଜାର କର୍ମୀ । ଏହି ସମାବେଶରେ ଏନସିପି ସୁପ୍ରିମୋ ଶରଦ ପାଓ୍ବାର, ଏନସିପି ନେତା ଦିଲୀପ ଓ୍ବାଲସେ ପାଟିଲ, ଶିବସେନା ନେତା ଉଦ୍ଧବ ଠାକରେ ପ୍ରମୁଖ ଯୋଗଦେଇଥିଲେ । ବାଇକୋଲାସ୍ଥିତ ଜେ.ଜେ. ହସ୍ପିଟାଲରୁ ଏହି ରାଲି ବାହାରି ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ ନିକଟରେ ପହଞ୍ଚିଥିଲା ।

ରାଜ୍ୟର ବିଭିନ୍ନ ପ୍ରସଙ୍ଗ ତଥା ଛତ୍ରପତି ଶିବାଜୀ ମହାରାଜ, ସମାଜ ସଂସ୍କାରକ ମହାତ୍ମା ଜ୍ୟୋତିବା ଫୁଲେ ଓ ସାବିତ୍ରୀ ଫୁଲେଙ୍କ ପ୍ରତି ରାଜ୍ୟପାଳ ଭଗତ ସିଂ କୋସିଆରୀଙ୍କ ଅରୁଚିକର ମନ୍ତବ୍ୟ ବିରୋଧରେ ଏହି ମେଗାରାଲି ଅନୁଷ୍ଠିତ ହୋଇଛି । ଗତ ଜୁନରେ ଏକନାଥ ସିନ୍ଦେଙ୍କ ଦ୍ୱାରା ଉଦ୍ଧବ ଠାକରେ ସରକାରର ପତନ ପରେ ଏହି ବୃହତ ରାଲି ଆୟୋଜିତ ହୋଇଛି । ସେପଟେ ଏମଭିଏ ରାଲି ପ୍ରତିବାଦରେ ବିଜେପି ପକ୍ଷରୁ ବି ଆୟୋଜିତ ହୋଇଛି ସମାବେଶ ।