ସିସୋଦିଆଙ୍କ ଗିରଫ ପରେ ତାତିଲେ ବିରୋଧୀ, ଏକାଠି ଟ୍ବିଟ କରି ବିଜେପିକୁ ଟାର୍ଗେଟ

ନୂଆଦିଲ୍ଲୀ: ସିସୋଦିଆଙ୍କ ଗିରଫଦାରୀକୁ ବିରୋଧ, ଏକାଠି ହେଲେ ବିରୋଧୀ । କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର, ବିଜେପିର ତାନାସାହିକୁ ବିରୋଧ କରିଛନ୍ତି କଂଗ୍ରେସ, ଟିଏମସି, ଶିବସେନା ସମେତ ତମାମ ବିରୋଧୀ ଦଳର ନେତା । ଟ୍ବିଟ କରି କେଜ୍ରିଓ୍ବାଲଙ୍କ ଦଳ ପ୍ରତି ସମର୍ଥନ ଦେବା ସହ କେନ୍ଦ୍ରୀୟ ଏଜେନ୍ସିର ଦୁରୁପଯୋଗକୁ ବିରୋଧ କରିଛନ୍ତି । ସିବିଆଇ, ଇଡି, ଇନକମ ଟାକ୍ସ ଆଦି ବିଭାଗ ଗୁଡ଼ିକୁ ରାଜନୈତିକ ଆକ୍ରୋଶ ରଖି ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କୁ ବ୍ୟବହାର କରୁଛନ୍ତି ବୋଲି ଟ୍ବିଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ।

କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ନିଜର ବିଶ୍ବସନୀୟତା ହରାଇ ସାରିଛନ୍ତି । ବିରୋଧୀ ଦଳ ନେତାଙ୍କୁ ଟାର୍ଗେଟ କରିବା ସହ ସେମାନଙ୍କ ସମ୍ମାନ ହାନି କରିବାକୁ ବିଜେପି ଏହି ସଂସ୍ଥା ଗୁଡ଼ିକୁ ବ୍ୟବହାର କରୁଛି ବୋଲି କଂଗ୍ରେସ କହିଛି । କେନ୍ଦ୍ରରେ ବିଜେପି ସରକାରକୁ ଆସିବା ପର ଠାରୁ ବିରୋଧୀ ନେତାଙ୍କ କେନ୍ଦ୍ରୀୟ ଏଜେନ୍ସିକୁ ବିରୋଧୀ ନେତାଙ୍କ ବିରୋଧରେ ବ୍ୟବହାର କରାଯାଉଛି ବୋଲି ଟିଏମସି ସାଂସଦ ଡେରେକ ଓବ୍ରେନ ଟୁଇଟ କରିଛନ୍ତି ।

ସିସୋଦିଆଙ୍କ ଗିରଫଦାରୀ ଦିଲ୍ଲୀରେ ଶିକ୍ଷା ବ୍ୟବସ୍ଥାରେ ଆସିଥିବା ସଂସ୍କାରକୁ ବିରୋଧ କରି କରାଯାଇଛି ବୋଲି ଟୁଇଟ କରିଛନ୍ତି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶିଳେଶ ଯାଦବ । ବିଜେପି କ୍ଷମତାଚ୍ୟୁତ ହେବା ପରେ ଯଦି ଦଳର ନେତାଙ୍କ ସହ ସମାନ ବ୍ୟବହାର କରାଯାଏ, ସେମାନଙ୍କୁ କିଏ ସାହାଯ୍ୟ କରିବ ବୋଲି ଟୁଇଟ କରି ପ୍ରଶ୍ନ କରିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ ।

ସେହିପରି ସିପିଏମ, ତେଲେଙ୍ଗାନାର ଶାସକ ଦଳ ଭାରତ ରାଷ୍ଟ୍ର ସମିତି, ନୀତିଶ କୁମାରଙ୍କ ଜେଡିୟୁ, ତଜସ୍ବୀ ଯାଦବଙ୍କ ଆରଜେଡି, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଭଳି ଦଳ ମଧ୍ୟ ସିସୋଦିଆଙ୍କ ଗିରଫଦାରୀକୁ ବିରୋଧ କରିଛନ୍ତି । ବିବାଦୀୟ ମଦ ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ୫ଦିନିଆ ରିମାଣ୍ଡରେ ନେଇଛି ସିବିଆଇ ।