spot_img
Home Blog Page 3624

ହକି ପାଇଁ ଗଣଦୌଡ଼: ଦୌଡ଼ିବ ରାଉରକେଲା

ରାଉରକେଲା: ରନ୍ ଫର୍ ହକି ସ୍ଲୋଗାନ ନେଇ ଆଜି ରାଉରକେଲା ସହରରେ ଅନୁଷ୍ଠିତ ହେବ ଗଣଦୌଡ଼ । ରାଉରକେଲା ସହରର ହନୁମାନ ବାଟିକା ଛକରୁ ସେକ୍ଟର ୨ ଦୁର୍ଗାପୂଜା ପଡିଆ ପର୍ଯ୍ୟନ୍ତ ହେବ ଏହି ଗଣଦୌଡ । ରାଉରକେଲା ମହାନଗର ନିଗମ ପକ୍ଷରୁ ଏହାର ଆୟୋଜନ କରାଯାଇଛି ।

ରାଉରକେଲା ସହରରେ ଜାନୁଆରୀ ୧୩ ତାରିଖଠାରୁ ୨୯ ତାରିଖ ପର୍ଯ୍ୟନ୍ତ ପୁରୁଷ ହକି ବିଶ୍ବକପ ଅନୁଷ୍ଠିତ ହେଉଥିବାରୁ, ମହାନଗର ନିଗମ ପକ୍ଷରୁ ଏହି ଗଣଦୌଡର ଆୟୋଜନ କରାଯାଇଛି ।

ସୂଚନାଯୋଗ୍ୟ, ଓଡ଼ିଶା ଦ୍ବିତୀୟ ଥର ପାଇଁ ହକି ବିଶ୍ବକପ୍ ଆୟୋଜନ କରିବାକୁ ଯାଉଥିବା ବେଳେ ରାଉରକେଲାରେ ପ୍ରଥମ ଥର ଖେଳାଯିବ ଏହି ମହା ଇଭେଣ୍ଟ । ଏଥିପାଇଁ ସୁନ୍ଦରଗଡ଼ ଜିଲ୍ଲା ସମେତ ରାଉରକେଲାରେ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ଉତ୍ସାହ । ବିଶ୍ବକପକୁ ଦୃଷ୍ଟିରେ ରଖି ରାଉରକେଲାରେ ତିଆରି ହୋଇଛି ବିଶ୍ବର ସବର୍ ବୃହତ ହକି ଷ୍ଟାଡିୟମ । ଏହାସହ ପୂରା ଜିଲ୍ଲାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ କ୍ରୀଡ଼ା ପ୍ରତିଯୋଗୀତା ଅନୁଷ୍ଠିତ ହେଉଛି ।

ଶକ୍ତିଶାଳୀ ହେବ ଭାରତୀୟ ନୌସେନା: ସାମିଲ ହେବ ଡେଷ୍ଟ୍ରୟର ମୋର୍ମୁଗାଓ

ନୂଆଦିଲ୍ଲୀ: ଆହୁରୀ ଶକ୍ତିଶାଳୀ ହେବ ଭାରତୀୟ ନୌସେନା । ସେନାରେ ସାମିଲ ହେବ ବାହୁବଳୀ ମୋର୍ମୁଗାଓ । ପି-୧୫୮ ଷ୍ଟେଲଥ ଗାଇଡେଡ ମିସାଇଲ ଡେଷ୍ଟ୍ରୟର ଭାବେ ପରିଚିତ ମୋର୍ମୁଗାଓକୁ ନୌସେନାକୁ ସମର୍ପଣ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ମୋର୍ମୁଗାଓଙ୍କ ଶକ୍ତିକୁ ଦେଖି ପଡ଼ୋଶୀ ଚୀନ ଓ ପାକିସ୍ତାନ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ସମସ୍ତ ପ୍ରକାର ଆଣବିକ, ଜୈବିକ ଓ ରାସାୟନିକ ଯୁଦ୍ଧ କ୍ଷେତ୍ରରେ ବ୍ୟବହୃତ ହୋଇପାରିବ ମୋର୍ମୁଗାଓ । ଭାରତ ମହାସାଗରରେ ରହି ଭାରତର ଶତ୍ରୁଙ୍କ ଉପରେ ନଜର ରଖିବ ଏହି ଡେଷ୍ଟ୍ରୟର । ମୁମ୍ବାଇସ୍ଥିତ ନାଭାଲ ଡକୟାର୍ଡରେ ଏହାକୁ ଦେଶକୁ ଉତ୍ସର୍ଗ କରାଯିବ ।

ଭାରତୀୟ ନୌସେନାର ନିଜସ୍ବ ନିର୍ମାଣକାରୀ ସଂସ୍ଥା ଓ୍ବାରସିପ ଡିଜାଇନ ବ୍ୟୁରୋ ପକ୍ଷରୁ ଏହାର ଡିଜାଇନ କରାଯାଇଥିବାବେଳେ ମାଜାଗାଓଁ ଡକ ସିପ୍ ବିଲଡର୍ସ ଲିମିଟେଡ ପକ୍ଷରୁ ଏହାକୁ ନିର୍ମାଣ କରାଯାଇଛି । ଗତବର୍ଷ ୧୯ ଡିସେମ୍ବରରେ ମୋର୍ମୁଗାଓ ନିଜର ପ୍ରଥମ ପରୀକ୍ଷାମୂଳକ ପ୍ରୟୋଗ କରିଥିଲା । ଏହାର ଲମ୍ବ ୧୬୩ ମିଟର ହୋଇଥିବାବେଳେ ଓସାର ୧୭ ମିଟର ।

ଆଜି ଯାଏଁ ଭାରତ ନିର୍ମାଣ କରିଥିବା ନୌଜାହାଜ ମଧ୍ୟରେ ଏହା ସବୁଠାରୁ ଶକ୍ତିଶାଳୀ । ଏହାର ଓଜନ ୭ ହଜାର ଟନ ହୋଇଥିବାବେଳେ ଏଥିରେ ଶକ୍ତିଶାଳୀ ଗ୍ୟାସ ଟର୍ବାଇନ ଲାଗିଛି । ଏଥିରେ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା କ୍ଷେପଣାସ୍ତ୍ର, ସେନସର, ଏୟାର ମିସାଇଲ, ମଡର୍ଣ୍ଣ ସର୍ଭେଲାନ୍ସ ରାଡାର ଆଦି ଖଞ୍ଜାଯାଇଛି । ଏହାସହ ରକେଟ୍ ଲଞ୍ଚର, ଟର୍ପେଡୋ ଲଞ୍ଚର, ଏଏସଡବ୍ଲୁ ହେଲିକପ୍ଟର, ସୁପରରାଉଣ୍ଡ ଗନ ମାଉଣ୍ଟ ବ୍ୟବସ୍ଥା ରହିଛି ।

ଫିଫା ବିଶ୍ବକପ୍ ଫାଇନାଲ: ଆର୍ଜେଣ୍ଟିନା-ଫ୍ରାନ୍ସ ମୁକାବିଲା

ନୂଆଦିଲ୍ଲୀ: ଆଜି ବିଶ୍ବର ସବୁଠାରୁ ହାଇପ୍ରୋଫାଇଲ୍ ଓ ଲୋକପ୍ରିୟ କ୍ରୀଡ଼ା ଫିଫା ଫୁଟବଲ ବିଶ୍ବକପ୍ ଫାଇନାଲ । ମୁହାଁମୁହିଁ ହେବ ଆର୍ଗେଣ୍ଟିନା ଓ ଡିଫେଣ୍ଡିଂ ଚାମ୍ପିୟନ ଫ୍ରାନ୍ସ । ଯାହା ଉପରେ ରହିଛି ସାରା ବିଶ୍ବର ନଜର ।

ତେବେ ବିଶ୍ବକପ୍ ଫାଇନାଲର ମୁଖ୍ୟ ଆକର୍ଷଣ ଆର୍ଗେଣ୍ଟିନା ସୁପରଷ୍ଟାର ଲିଓନେଲ ମେସିଙ୍କ ଉପରେ ରହିଛି ସମସ୍ତଙ୍କ ନଜର । ଏଥର ମେସି ୟୁରୋପର ପ୍ରଭାବକୁ କ୍ଷୂର୍ଣ୍ଣ କରିବାରେ ସଫଳ ହେବେ କି ନାହିଁ ତା ଫୁଟପଲ୍ ପ୍ରେମୀଙ୍କ ମନକୁ ଆନ୍ଦୋଳିତ କରୁଛି । ଏପର୍ଯ୍ୟନ୍ତ ମୋଟ ଖେଳାଯାଇଥିବା ୨୧ଟି ବିଶ୍ବକପରୁ ୧୨ଥର ୟୁରୋପୀୟ ଦେଶ ଚାମ୍ପିୟନ ହୋଇଛନ୍ତି । ସେହିପରି ଲାଟୀନ ଆମେରିକୀୟ ଦେଶଗୁଡ଼ିକ ୯ଥର ଟାଇଟଲ ହାସଲ କରିଛନ୍ତି ।

ଡିଫେଣ୍ଡିଂ ଚାମ୍ପିୟନ ଫ୍ରାନ୍ସ ୨ଥର ଚାମ୍ପିୟନ ହୋଇଥିବା ବେଳେ ବିଶ୍ବକପରେ ବ୍ରାଜିଲ ସର୍ବାଧିକ ୫ ଥର ଟାଇଟଲ ହାସଲ କରିଛି । ସେହିପରି ଆର୍ଜେଣ୍ଟିନା ଓ ଉରୁଗୁଏ ୨ ଥର ଲେଖାଏଁ ଚାମ୍ପିୟନ ହୋଇଛନ୍ତି ।

ଅନ୍ୟପକ୍ଷରେ ୨୦୧୮ର ପ୍ରତିଶୋଧ ନେବାକୁ ଉଦ୍ୟମ କରିବ ଆର୍ଜେଣ୍ଟିନା । ୨୦୧୮ ବିଶ୍ବକପରେ ଦୁଇ ଦଳ ଶେଷଥର ପାଇଁ ରାଉଣ୍ଡ ଅଫ୍ ୧୬ରେ ମୁହାଁମୁହିଁ ହୋଇଥିଲେ । ଏଥିରେ ଫ୍ରାନ୍ସ ୪-୩ ଗୋଲରେ ବିଜୟୀ ହୋଇଥିଲା । ଏବେ ଆର୍ଜେଣ୍ଟିନା ଏହି ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ ।

ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଲା ଓଡ଼ିଶା ଏଏନଏମ କର୍ମଚାରୀ ସଂଘ

ଭୁବନେଶ୍ୱର: ଆନ୍ଦୋଳନରୁ ଓହରିଲା ଓଡ଼ିଶା ଏଏନଏମ କର୍ମଚାରୀ ସଂଘ । ସରକାରଙ୍କ ସହ ଆଲୋଚନା ସଫଳ ପରେ ଏନେଇ ନିଷ୍ପତ୍ତି ନେଇଛି ସଂଘ । ୪ ଦଫା ଦାବି ନେଇ ଦୀର୍ଘ ଏକ ମାସ ଧରି ଲୋୟର ପିଏମଜିରେ ଧାରଣାରେ ବସିଥିଲେ ଏଏନଏମ କର୍ମଚାରୀ । ଶ୍ରମ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ଆଲୋଚନା କରିଛି ଏଏନଏମର ପ୍ରତିନିଧି ମଣ୍ଡଳୀ । କେନ୍ଦ୍ରୀୟ ଶ୍ରମିକ ସଂଗଠନର ରାଷ୍ଟ୍ରୀୟ ଉପାଧ୍ୟାକ୍ଷ ବୀରେନ୍ଦ୍ର ପ୍ରସାଦ ଦାସ ଓ ଓଡ଼ିଶା ଏଏନଏମ ରାଜ୍ୟ ସଭାପତି ମଧୁସୂଦନ ପ୍ରଧାନଙ୍କ ସହିତ ସଂଘର ୫ ଜଣିଆ ପ୍ରତିନିଧି ଦଳ ସରକାରଙ୍କ ସହ ସଫଳ ଆଲୋଚନା କରିଛନ୍ତି । ଦାବି ପୂରଣ ସମ୍ପର୍କରେ ପଦକ୍ଷେପ ନିଆଯାଉଥିବାନେଇ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଛନ୍ତି କର୍ମଚାରୀ ।

ବିବାହ ଉତ୍ସବରେ ଜ୍ୱାଇଁଙ୍କୁ ବୁଲଡୋଜର ଉପହାର ଦେଲେ ଶ୍ୱଶୁର

ଲକ୍ଷ୍ନୌ: ବିବାହ ଉତ୍ସବରେ ବରଙ୍କୁ ବିଭିନ୍ନ ଉପହାର ଦିଆଯାଇଥାଏ । ବହୁ ଦାମୀ ଜିନିଷ ବି ଦିଆଯାଇଥାଏ । ମାତ୍ର ଉତ୍ତରପ୍ରଦେଶ ହମିରପୁରରେ ଜ୍ବାଇଁଙ୍କୁ ଏକ ବିଚିତ୍ର ଉପହାର ଦେଇଛନ୍ତି କନ୍ୟାପିତା । ଏହି ଉପହାର ହେଉଛି ବୁଲଡୋଜର । ହମିରପୁରର ଯୋଗେନ୍ଦ୍ର ସ୍ଥାନୀୟ ଅଞ୍ଚଳରେ ବିବାହ କରିଥିଲେ । ବିବାହ ଉତ୍ସବରେ କିନ୍ତୁ ସମସ୍ତଙ୍କ ନଜରରେ ଆସିଥିଲା ଏକ ବୁଲଡୋଜର । ବେଲୁନ ଓ ଫୁଲମାଳ ଲଗାଯାଇଥିବା ବୁଲଡୋଜରଟି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହି ବୁଲଡୋଜରକୁ ଶ୍ୱଶୁର ତାଙ୍କ ଜ୍ୱାଇଁଙ୍କୁ ଦେଇଥିବା ଜଣାପଡ଼ିଛି ।

 

GST ଫାଙ୍କିବା କ୍ଷେତ୍ରରେ ଅପରାଧିକ କାର୍ଯ୍ୟାନୁଷ୍ଠାନର ସର୍ବନିମ୍ନ ସୀମାକୁ ୨ କୋଟିକୁ ବୃଦ୍ଧି

ନୂଆଦିଲ୍ଲୀ: ଜିଏସଟି ଫାଙ୍କିବା କ୍ଷେତ୍ରରେ ଅପରାଧିକ କାର୍ଯ୍ୟାନୁଷ୍ଠାନର ସର୍ବନିମ୍ନ ସୀମାକୁ ୨ କୋଟିକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ସୀମା ୧ କୋଟି ଟଙ୍କା ଥିଲା । ୪୮ତମ ଜିଏସଟି ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ସଚିବ ସଞ୍ଜୟ ମାଲହୋତ୍ରା । ବୈଠକରେ ୧୫ଟି ବିଷୟ ସମ୍ପର୍କରେ ଆଲୋଚନା ଲାଗି ସ୍ଥିରୀକୃତ ହୋଇଥିବା ସତ୍ତ୍ବେ ୮ଟି ସମ୍ପର୍କରେ ଆଲୋଚନା ହୋଇଛି । ଜିଏସଟି ଲାଗି ଆପେଲେଟ ଟ୍ରିବ୍ୟୁନାଲ ଗଠନ ବିଷୟ ବି ଆଲୋଚିତ ହୋଇପାରିନାହିଁ ।

ସେହିପରି ପାନ ମସଲା ଓ ଗୁଟଖା ବ୍ୟବସାୟ କ୍ଷେତ୍ରରେ କର ଠକେଇ ରୋକିବା ଏବଂ ଅନଲାଇନ ଗେମିଂ ଓ କାସିନୋ ଉପରେ ଜିଏସଟି ଲାଗୁ ପ୍ରସଙ୍ଗ ବି ଆଲୋଚନା ହୋଇପାରିନାହିଁ । ଡାଲିଜାତୀୟ ଶସ୍ୟର ଚଷୁ ଉପରେ ରହିଥିବା ୫ ପ୍ରତିଶତ ଜିଏସଟିକୁ ସମ୍ପୂର୍ଣ୍ଣ ହଟାଇ ଦିଆଯାଇଛି । ବୈଠକରେ ନିଜର କର୍ତ୍ତବ୍ୟ କରିବାରେ କୌଣସି ଜିଏସଟି ଅଧିକାରୀଙ୍କୁ ଅଟକାଇବା ବା ପ୍ରତିବନ୍ଧକ ସୃଷ୍ଟି କରିବା, ତଥ୍ୟ ପ୍ରମାଣକୁ ଜାଣିଶୁଣି ଲୁଚାଇାବକୁ ଉଦ୍ୟମ କରିବା ଓ ସୂଚନା ଦେବାରେ ବିଫଳତା ଆଦିକୁ ଅପରାଧମୁକ୍ତ କରାଯାଇଛି । ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ରାଜସ୍ଥାନରେ ଦିଲ୍ଲୀ ଶ୍ରଦ୍ଧା ଓ୍ବାର୍କର ମର୍ଡର ଏପିସୋଡ, ଖୁଡୀଙ୍କୁ ୧୦ ଖଣ୍ଡ କଲା ପୁତୁରା

ନୂଆଦିଲ୍ଲୀ: ଦିଲ୍ଲୀ ଶ୍ରଦ୍ଧା ଓ୍ୱାକର ହତ୍ୟା ଘଟଣା ମନରୁ ନ ଲିଭୁଣୁ ରାଜସ୍ଥାନ ଜୟପୁରରେ ଘଟିଛି ସମଧରଣର ବୀଭତ୍ସ ହତ୍ୟାକାଣ୍ଡ । ଜଣେ ବିଧବାଙ୍କୁ ତାଙ୍କ ପୁତୁରା ହତ୍ୟା କରିବା ସହ ତାଙ୍କ ଶରୀରକୁ ୧୦ ଖଣ୍ଡ କରି ଜଙ୍ଗଲରେ ଫିଙ୍ଗିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଦିଲ୍ଲୀ ଘଟଣାରେ ଛୁରୀ ବ୍ୟବହୃତ ହୋଇଥିବାବେଳେ ରାଜସ୍ଥାନରେ ମାର୍ବଲ କଟରରେ କଟାଯାଇଛି ଶରୀର । ଏହି ଘଟଣାରେ ପୋଲିସ ଅନୁଜ ଶର୍ମା ଓରଫ ଇଚିନ୍ତ୍ୟ ଗୋବିନ୍ଦଦାସକୁ ଗିରଫ କରିଛି । ପୋଲିସ ମହିଳାଙ୍କ କେତେକ ଶରୀର ଖଣ୍ଡ ଜବତ କରିଛି ।

ସୂଚନା ଅନୁସାରେ ଗତ ୧୧ ତାରିଖରେ ଜୟପୁର ଅନ୍ତର୍ଗତ ବିଦ୍ୟାଧରନଗର ଇଲାକାର ଲାଲପୁରିଆ ଆପାର୍ଟମେଣ୍ଟରେ ଏଭଳି ଘଟଣା ଘଟିଛି । ଅନୁଜ ତା’ ଖୁଡୀ ତଥା ୬୪ ବର୍ଷ ବୟସ୍କା ସରୋଜ ଶର୍ମାଙ୍କ ମୁଣ୍ଡକୁ ହାତୁଡିରେ ପିଟି ହତ୍ୟା କରିଥିଲା । ପରେ ଏକ ମାର୍ବଲ କଟରରେ ତାଙ୍କୁ ୧୦ ଖଣ୍ଡ କରି ଅଙ୍ଗପ୍ରତ୍ୟଙ୍ଗକୁ ସୁଟକେଶ ଓ ବାଲଟିରେ ଜଙ୍ଗଲରେ ଫିଙ୍ଗିଥିଲା । ତେବେ କିଚେନରେ ଲାଗିଥିବା ରକ୍ତଛିଟାକୁ ସଫା କରିବା ବେଳେ ଧରାପଡ଼ିଥିଲା ଅନୁଜ ।

ସାଢେ ୩ ଫୁଟ ଉଠିବ କଟକ ଫ୍ରେଣ୍ଡସ କଲୋନୀ ସର୍ପେଶ୍ବର ମନ୍ଦିର, ଖର୍ଚ୍ଚ ହେବ ୮ ଲକ୍ଷ

କଟକ: କଟକ ଫ୍ରେଣ୍ଡସ କଲୋନୀ ସର୍ପେଶ୍ବର ଶିବ ମନ୍ଦିର । ୪୦ ବର୍ଷର ଏହି ପୁରୁଣା ମନ୍ଦିର ପ୍ରତି ସମସ୍ତଙ୍କ ରହିଛି ଆସ୍ଥା ଓ ବିଶ୍ବାସ । ହେଲେ ସହରିକରଣ ଭିତରେ ଏହା ତଳକୁ ଖସିଛି । ଫଳରେ ବର୍ଷା ଦିନ ହେଲେ ବଜ୍ରକବାଟୀ ମୁଖ୍ୟ ନାଳ ପାଣି ମନ୍ଦିରରେ ପ୍ରବେଶ କରିବା ସହ ମନ୍ଦିର ଜଳବନ୍ଦୀ ରହୁଛି । ଏଭଳି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଅଣ୍ଟା ଭିଡ଼ିଛି ମନ୍ଦିର ପରିଚାଳନା କମିଟି । ମନ୍ଦିରକୁ କୌଣସି କ୍ଷତି ନକରି ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି ଉଠାଇବାକୁ ଉଦ୍ୟମ କରାଯାଉଛି । ଲୁହା ଜଗ୍ ସାହାଯ୍ୟରେ ସାଢେ ତିନି ଫୁଟ ଉପରକୁ ଉଠାଯିବ । ନଭେମ୍ବର ୨୨ ତାରିଖରୁ କାମ ଆରମ୍ଭ ହୋଇଥିବାବେଳେ ଜାନୁଆରୀ ପ୍ରଥମ ସପ୍ତାହରେ କାମ ଶେଷ ହେବ । ଏହାର ଦାୟିତ୍ୱ ନେଇଛି ହରିୟାଣାର ଏକ ସଂସ୍ଥା ।

ପୂର୍ବରୁ କଟକ ଓ ଭୁବନେଶ୍ବରରେ ରାଜ୍ୟ ବାହାରର ନିର୍ମାଣକାରୀ ସଂସ୍ଥା ଏକାଧିକ ବିଲଡିଂକୁ ଉପରକୁ ଉଠାଇବା କାମ କରିଥିଲେ । ତେବେ ଜଗ୍ ସାହାଯ୍ୟରେ ଏକ ମନ୍ଦିରକୁ ଉପରକୁ ଉଠାଇବା କାମ ପ୍ରଥମ ଥର ଲାଗି ହେଉଛି । ଏଥିପାଇଁ ୭ ରୁ ୮ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ମନ୍ଦିର ଉପରକୁ ଉଠିବା ସହ ସେହିପରି ଦୃଢ ରହିବ ବୋଲି କହିଛନ୍ତି କାରିଗର ।

ରାଜ୍ୟ ଦାବି ଆଗରେ ମୁଣ୍ଡ ନୁଆଁଇଲା କେନ୍ଦ୍ର, କେନ୍ଦୁପତ୍ର ଉପରୁ ସଂପୂର୍ଣ୍ଣ କର ମୁକ୍ତି ନେଇ ଅନୁଧ୍ୟାନ କରିବ ଫିଟମେଣ୍ଟ କମିଟି

 

ନୂଆଦିଲ୍ଲୀ: ରାଜ୍ୟ ଦାବି ଆଗରେ ମୁଣ୍ଡ ନୋଇଁଲା କେନ୍ଦ୍ର । କେନ୍ଦୁପତ୍ର ଉପରୁ ଜିଏସଟି ମୁକ୍ତ ନେଇ ଅନୁଧ୍ୟାନ କରିବ ଫିଟମେଣ୍ଟ କମିଟି । ରାଜ୍ୟ ସରକାରଙ୍କ ଗର୍ଜ୍ଜନ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ଦେଲେ ପ୍ରତିଶ୍ରୁତି । କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ କର୍ମଚାରୀଙ୍କୁ ହକ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ସ୍ବର ଉଠାଇ ଆସିଛନ୍ତି । ୮ ଲକ୍ଷ ଆଦିବାସୀ ମହିଳା ଓ ତୋଳାଳିଙ୍କ ଜୀବନ ଜୀବିକା ରକ୍ଷା ଲାଗି ଏକାଧିକ ଚିଠି ଲେଖିଛନ୍ତି । ହେଲେ କେନ୍ଦ୍ର କିନ୍ତୁ ଏହାକୁ ଅଣଦେଖା କରିଚାଲିଥିଲା । ଆଜି ୪୮ତମ ଜିଏସଟି ପରିଷଦ ବୈଠକରେ ଘମାଘୋଟ ଆଲୋଚନା ପରେ ନରମ ପଡିଛି କେନ୍ଦ୍ର । କେନ୍ଦୁପତ୍ରରୁ ତିଆରି ବିଡ଼ି ଉପରେ ୨୮ ପ୍ରତଶତ ଜିଏସଟି ଲାଗୁଛି । ଏଥିରେ ୧୪ ପ୍ରତିଶତ ରାଜସ୍ବ ପାଉଛି କେନ୍ଦ୍ର । ତାହେଲେ କାହିଁକି କେନ୍ଦୁପତ୍ର ଉପରେ ଜିଏସ୍ଟି ଲାଗିବ ? କେନ୍ଦୁପତ୍ରକୁ ସମ୍ପୂର୍ଣ୍ଣ ଜିଏସଟି ମୁକ୍ତ କଲେ ନା ରାଜ୍ୟର କି କେନ୍ଦ୍ର କିଛି ବି କ୍ଷତି ହେବନାହିଁ । ଓଡ଼ିଶାର ଏପରି ଜୋରଦାର ଯୁକ୍ତି ଆଗରେ ମୁଣ୍ଡ ନୂଆଁଇଛି କେନ୍ଦ୍ର ।

ଓଡ଼ିଶା ସହିତ ସ୍ବର ମିଳାଇଛି ତେଲେଙ୍ଗାନା । ଲଘୁବନଜାତ ଦ୍ରବ୍ୟ କେନ୍ଦୁପତ୍ର ଉପରୁ ୧୮ ପ୍ରତିଶତ ଜିଏସଟି ଛାଡ଼ ନେଇ ମୁଖ୍ୟମନ୍ତ୍ରୀ ଶେଷଥର ପାଇଁ ଗତମାସ ୨୫ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । କେନ୍ଦ୍ରର ମନମାନି ଚରମ ସୀମାରେ ଥିବାବେଳେ ତୋଳାଳି ଓ ସିଜିନାଲ କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଚଳିତ ଆର୍ଥିକ ବର୍ଷ ଜୁନ୍ ମାସରେ ରାଜ୍ୟକୁ ଜିଏସଟି କ୍ଷତିପୂରଣ ଆଇନର ଅବଧି ସରିଛି । ଏହି କ୍ଷତିପୂରଣ ଅବଧି ବୃଦ୍ଧି ନେଇ ପଞ୍ଜାବ, ତେଲେଙ୍ଗାନା, ତାମିଲନାଡ଼ୁ, ରାଜସ୍ଥାନ, ଝାଡଖଣ୍ଡ ଓ ଛତିଶଗଡ଼ ବୈଠକରେ ଦାବି କରିଛନ୍ତି ।

 

ମଶା କାମୁଡ଼ାରେ ଅତିଷ୍ଠ ରାଜଧାନୀବାସୀ, ମଶାବଂଶ ନିପାତ ପାଇଁ ବ୍ୟବହାର ହେଲା ଡ୍ରୋନ୍

ଭୁବନେଶ୍ୱର: ରାଜଧାନୀରେ ଚିନ୍ତା ବଢ଼ାଉଛନ୍ତି ମଶା । ମଶାଙ୍କ ଉପଦ୍ରବ ରୋକିବାକୁ ବିଏମସିର ନୂଆ ପଦକ୍ଷେପ । ବିଏମସି ଆପଣାଇଲା କୋଲକାତା ମଡେଲ । ମଶା ବଂଶ ନିପାତରେ ବ୍ୟବହାର ହେଲା ଡ୍ରୋନ୍ । ଅଳିଆ ପରେ ଏବେ ବିଏମସି ପାଇଁ ଚିନ୍ତାର କାରଣ ସାଜିଛି ମଶାଙ୍କ ପ୍ରାଦୁର୍ଭାବ । ମଶା କାମୁଡ଼ାରେ ଅତିଷ୍ଠ ରାଜଧାନୀବାସୀ । ଏଥିପାଇଁ ସିଧାସଳଖ ବିଏମସିକୁ ଦାୟୀ କରିଛନ୍ତି । ମଶାଙ୍କ ବଂଶ ବୃଦ୍ଧିକୁ ରୋକିବାକୁ ଅଣ୍ଟା ଭିଡ଼ିଛି ବିଏମସି । ମଶା ତେଲ ପକାଇବା ଓ ମଶା ଧୂଆଁ ଛାଡିବାକୁ ବ୍ୟାପକ କରାଯାଇଛି । ୯ଟି ଟିଫା ମେସିନ ସମେତ ବୁଦା ସଫା କରିବା ଟିମ ସଂଖ୍ୟାକୁ ବୃଦ୍ଧି କରାଯାଇଛି ।

ଟିଫା ମେସିନ ଯାଇପାରୁନଥିବା ଅଞ୍ଚଳକୁ ଚିହ୍ନଟ କରି ଆକାଶ ମାର୍ଗରୁ ପେଷ୍ଟିସାଇଡ ସିଞ୍ଚନ କରିବାକୁ ଯାଇ କୋଲକତାର ବେଇଟ ଲୋଜିଟେକ ଆଣ୍ଡ ସ୍ନାୟୁ ହେଲଥ କେୟାର କଂସର୍ଟିୟମ ନାମକ ଏକ ଘରୋଇ ସଂସ୍ଥା ସହ ଏମଓୟୁ ସ୍ବାକ୍ଷର କରିଛି ବିଏମସି । ଆଜି ୧୪ନମ୍ବର ଓ୍ବାର୍ଡ ଅନ୍ତର୍ଗତ ନିଳାଦ୍ରୀବିହାର ଅଞ୍ଚଳରୁ ଡ୍ରୋନ୍ ଜରିଆରେ ସନ୍ଦିଗ୍ଧ ସ୍ଥାନକୁ ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ପର୍ଯ୍ୟାୟ କ୍ରମେ ବିଏମସିର ସମସ୍ତ ଓ୍ବାର୍ଡରେ ଏହା କାର୍ଯ୍ୟକାରୀ ହେବ ।

ପାଇଲଟ ପ୍ରୋଜେକ୍ଟ ଭାବେ ୭ ଦିନିଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପ୍ରଥମ ଦୁଇଦିନ ଡ୍ରୋନ ଫଟୋ ଉଠାଇବା ପରେ ଅବଶିଷ୍ଟ ୫ ଦିନ ଆକାଶ ମାର୍ଗରୁ ପେଷ୍ଟିସାଇଡ ସିଞ୍ଚନ କରାଯିବ । ପୂର୍ବରୁ ଏହି ବ୍ୟବସ୍ଥା କୋଲକତା ମହାନଗର ନିଗମ ପକ୍ଷରୁ ହାତକୁ ନିଆଯାଇଛି । ମଶାଙ୍କ ପ୍ରାଦୁର୍ଭାବ କ୍ଷେତ୍ରରେ ବିଏମସିର ସବୁଠାରୁ ସମ୍ବେଦନଶୀଳ ଅଞ୍ଚଳ ହେଉଛି ନିଳାଦ୍ରୀବିହାର । ୧୪ ନମ୍ବର ୱାର୍ଡ ଅନ୍ତର୍ଗତ ଏହି ଇଲାକାରୁ ଏଭଳି ଅଭିଯାନ ଆରମ୍ଭ କରାଯାଇଥିବାରୁ ବିଏମସି କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ସ୍ଥାନୀୟ କର୍ପୋରେଟର ।