ଚାର୍ଜରେ ବସେଇ ଫୋନରେ କଥା ହେବାବେଳେ ବିସ୍ଫୋରଣ , ଚାଲିଗଲା ବୃଦ୍ଧଙ୍କ ପ୍ରାଣ

1 min read

ନୂଆଦିଲ୍ଲୀ :  ମୋବାଇଲ ସାଜିଲା ମୃତ୍ୟୁର କାରଣ । ଅଧା ରହିଗଲା ଇନ୍ଦୋର ବୁଲିଯିବା ସ୍ବପ୍ନ ।  ଚାର୍ଜରେ ବସିଥିବା ସମୟରେ କଥା ହେଉଥିବା ବେଳେ ଫୋନ ଫାଟି ଚାଲିଗଲା ବୃଦ୍ଧଙ୍କ ଜୀବନ ।  ଉଜ୍ଜେନରୁ ୪୦ କିମି ଦୂରସ୍ଥିତ ବଡ଼ନଗରରେ ଘଟିଛି ଏପରି ଛାତିଥରା ଘଟଣା । ଡାୟବର୍ଜନ ରୋଡ ନିକଟରେ ରହୁଥିବା ଦୟାରାମ ବାରୋଡ ନାମକ ୬୮ ବର୍ଷୀୟ ବୃଦ୍ଧ ଫୋନରେ କଥା ହେଉଥିଲେ । ଏହି ସମୟରେ ଘଟିଲା ଏକ ଭୟଙ୍କର ବିସ୍ଫୋରଣ  । ଯାହା ଦ୍ବାରା ବୃଦ୍ଧଙ୍କର ମୁଣ୍ଡରୁ ଶରୀର ପର୍ଯ୍ୟନ୍ତ ଖଣ୍ଡ ଖଣ୍ଡ ହୋଇଗଲା ।

ବିସ୍ଫୋରଣ ଘଟିଥିବା ସ୍ଥାନରୁ କୌଣସି ବିସ୍ଫୋରକ ସାମଗ୍ରୀ ମିଳିନଥିଲା  । ବରଂ ସେଠାରୁ ଏକ OPPO କମ୍ପାନୀର ଫୋନ ଭୟଙ୍କର ଭାବେ ଫାଟିକି ପଡିଥିବା ଦେଖିବାକୁ ମିଳିଥିଲା  । ପୋଲିସ ସେହି ଫୋନର ଖଣ୍ଡ ବିଖଣ୍ଡିତ ଅଂଶକୁ ସଂଗ୍ରହ କରି ତାକୁ ଯାଞ୍ଚ ପାଇଁ ପଠାଇ ଦେଇଛି  । ଘଟଣାସ୍ଥଳର ପାରିପାଶ୍ବିକ ଜିନିଷକୁ ଦେଖି ଅନୁମାନ କରାଯାଉଛି କି ବୃଦ୍ଧ ଜଣକ ଚାର୍ଜରେ ବସିଥିବା ଅବସ୍ଥାରେ ଫୋନରେ ନିଜ ସାଙ୍ଗ ସହ କଥା ହେଉଥିଲେ , ଆଉ ସେହି ସମୟରେ ମୋବାଇଲ ଫାଟିବା ଦ୍ବାରା ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି ।

ସୂଚନା ଅନୁସାରେ ଦୟାରାମ ନିଜ ସାଙ୍ଗ ଦିନେଶ ଚାଓ୍ବଡାଙ୍କ ସହ ଏକ କାର୍ଯ୍ୟକ୍ରମ ପାଇଁ ଇନ୍ଦୋର ଯିବାର ଥିଲା  । ଦିନେଶ  ରେଲଓ୍ବେ ଷ୍ଟେସନରେ ଥାଇ ଟିକେଟ କିଣିବା ପରେ ସାଙ୍ଗକୁ ଫୋନ କରିଥିଲେ , ହେଲେ ସେପଟୁ କଲ୍ ରିସିଭ୍ କରିବା ପରେ ତାଙ୍କ ନମ୍ବର ହଠାତ ବନ୍ଦ ହୋଇଯାଇଥିଲା  ଓ ସେ ବାରମ୍ବାର ଫୋନ ଲଗାଇଥିଲେ ବି ବନ୍ଦ ଆସୁଥିଲା ବୋଲି ସେ କହିଥିଲେ । ପରେ ଏପରି ଘଟଣା ଘଟିିଥିବା ଜାଣି ଦୁଃଖରେ ଭାଙ୍ଗିପଡିଛନ୍ତି ସେ ।