ବାଣ କାରଖାନାରେ ବିସ୍ଫୋରଣ ଘଟି ଦୁଇ ମୃତ, ଛିଟିକି ପଡିଛି ଖଣ୍ଡବିଖଣ୍ଡିତ ଶରୀର

ଜଗତସିଂହପୁର: ବାଣ କାରଖାନାରେ ଅଗ୍ନିକାଣ୍ଡ । ବିସ୍ଫୋରଣ ଘଟି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ଅଛନ୍ତି। ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଇଚ୍ଛାପୁର ବଡାଗର ଠାରେ ଘଟିଛି ଏହି ଅଘଟଣ । ସୁଶାନ୍ତ ପୃଷ୍ଟିଙ୍କ ବାଣ ଗୋଦାମରେ ଅଗ୍ନିକାଣ୍ଡ ଘଟି ସମ୍ପୂର୍ଣ୍ଣ ଜଳିଯାଇଛି । ଦୁର୍ଘଟଣାରେ ବଡାଗର ଗାରଁ ଦିଲୀପ ମହାନ୍ତି ଓ ଗୋପାଳପୁରର ବୁଲୁ ଦାସଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି ।

ସୁଶାନ୍ତ ପୃଷ୍ଟି ଓ ପତିଆ ଦାସ ଗୁରୁତର ହୋଇଛନ୍ତି । ବିସ୍ଫୋରଣର ମାତ୍ରା ଏତେ ଥିଲା ଯେ ଖଣ୍ଡ ବିଖଣ୍ଡିତ ଶରୀର ଆଖ ପାଖରେ ଛିଟିକି ପଡିଥିବା ଦେଖିବାକୁ ମିଳିଛି । ଅଗ୍ନିକାଣ୍ଡ ଯୋଗୁଁ ବାଣ କାରଖାନାରେ ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ ଆଖ ପାଖ ଥରି ଉଠିଥିଲା । ଘଟଣା ସ୍ଥଳରେ ପୋଲିସ,ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ମୃତଦେହ ଜବତ କରିଥିଲେ ।

ଆହତଙ୍କୁ ପ୍ରଥମେ ଜଗତସିଂହପୁର ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ଜିଲ୍ଲା ପ୍ରଶାସନ ଅଧିକାରୀ ,ବାଲିକୁଦା ବ୍ଲକ ଅଧ୍ୟକ୍ଷ ପହଞ୍ଚି ସ୍ଥିତି ପରକ୍ଷୀଛନ୍ତି ।