କ୍ୟାପିଟାଲ ହସ୍ପିଟାଲରେ ଡିଜିପି, ଆହତ ପୋଲିସ କର୍ମୀଙ୍କୁ ଭେଟିଲେ

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ପୋଲିସ ଡିଜିପି ସୁନୀଲ ବଂଶଲ  ।  ଆହତ ପୋଲିସ କର୍ମଚାରୀଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଲେ  । ସେହିପରି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଛନ୍ତି ପୋଲିସ ଡିଜିପି  । ଆହତ ପୋଲିସ କର୍ମୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଛନ୍ତି  ।

ଭୁବନେଶ୍ୱର ଲୋୟର ପିଏମଜି ଛକରେ ବିଜେପି କର୍ମୀଙ୍କ ଆକ୍ରମଣରେ ଏକାଧିକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି  ।  କଟକ ଜୋନ ୨ ଏସିପି ଅମିତାଭ ମହାପାତ୍ର ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅମିତାଭଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । 21ରୁ ଅଧିକ ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି । ବିଧାନସଭା ଅଭିମୁଖେ ଅଗ୍ରସର ହେଉଥିବା ବିଜେପି ଯୁବମୋର୍ଚ୍ଚା ରାଲିକୁ ଲୋୟର ପିଏମଜିରେ ଅଟକାଇବାକୁ ପ୍ରୟାସ କରିଥିଲେ ପୋଲିସ ଅଧିକାରୀ  । ବିଜେପି ଯୁବ ମୋର୍ଚ୍ଚା କର୍ମୀ ସୁରକ୍ଷା ଦେଉଥିବା ପୋଲିସ କର୍ମୀଙ୍କୁ ଆକ୍ରମଣ କରିବାକୁ ପଛାଇ ନଥିଲେ  ।

ସୂଚନା ମୁତାବକ ଢେଲା, ପଥର ସହ ଅଣ୍ଡା ମାଡ଼ କରିଥିଲେ ବିଜେପି ଯୁବ ମୋର୍ଚ୍ଚା କର୍ମୀ  । ଯାହା ଫଳରେ ଏକାଧିକ ପୋଲିସ କର୍ମୀ ଗଭୀର ଆହତ ହୋଇଛନ୍ତି  । ଆହତ ସମସ୍ତ ପୋଲିସ କର୍ମଚାରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି  । ଚିକିତ୍ସା ଚାଲିଥିଲା ବେଳେ ଅପରାହ୍ନରେ ପୋଲିସ ଡିଜିପି ସୁନୀଲ ବଂଶଲ, କମିଶନର ସୌମେନ୍ଦ୍ର୍ୟ ପ୍ରିୟଦର୍ଶୀ ଗସ୍ତ କରି ସମସ୍ତଙ୍କୁ ଭେଟିଥିଲେ  । ଘଟଣାରେ ସଂଶ୍ଲିଷ୍ଟ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  । ତଦନ୍ତ ଚାଲିଛି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ  ।