spot_img
Home Blog Page 3495

ଆଜିଠୁ ଓଡ଼ିଶାରେ ପୁଣି ଥରେ ଟିକାକରଣ, ୪୦ ପ୍ରତିଶତ ନେଇନାହାନ୍ତି ବୁଷ୍ଟର ଡୋଜ

ଭୁବନେଶ୍ବର: ବିଦେଶରେ କରୋନା ସ୍ଥିତିକୁ ଦେଖି ଆଲର୍ଟରେ ଓଡ଼ିଶା । ସମ୍ଭାବ୍ୟ କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଆଗୁଆ ପ୍ରସ୍ତୁତି । ଆଜିଠୁ ଓଡ଼ିଶାରେ ପୁଣି ଥରେ ହେବ ଟିକାକରଣ । ରାଜ୍ୟର ସମସ୍ତ ଜିଲ୍ଲା, ସହରାଞ୍ଚଳ, ଗୋଷ୍ଠୀ ଓ ପ୍ରାଥମିକ ଡାକ୍ତରଖାନାରେ ଭ୍ୟାକସିନ୍ ଦିଆଯିବ। ଯେଉଁମାନେ ଦ୍ବିତୀୟ ଓ ପ୍ରିକସନ୍ ଡୋଜ୍ ନେଇ ନାହାନ୍ତି ସେମାନେ ଏହି ଟିକା ନେଇପାରିବେ।

ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ କେବଳ କୋଭିସିଲ୍ଡ ଟିକା ଉପଲବ୍ଧ ହେବ। ଯେଉଁ ସବୁ ଲୋକେ କୋଭିସିଲ୍ଡ ନେଇଥିବେ ସେମାନେ ପୁଣି ଦ୍ବିତୀୟ ଓ ପ୍ରିକସନ୍ ଡୋଜ୍ ନେଇ ପାରିବେ। ଲୋକେ ଟିକାକରଣର ସୁଯୋଗ ଉଠାଇବା ସହ କରୋନାରୁ ସୁରକ୍ଷିତ ରହିବା ନିମନ୍ତେ ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ମାର୍ଚ୍ଚ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହରେ କରୋନାର ଚତୁର୍ଥ ଲହର ଆସିବା ଆଶଙ୍କା କରାଯାଉଛି ।

ଏବେ ସୁଦ୍ଧା ପ୍ରାୟ ୪୦ ପ୍ରତିଶତ ଲୋକ ବୁଷ୍ଟର ଡୋଜ ନେଇନାହାନ୍ତି । ୧୦ ପ୍ରତିଶତ ଲୋକ ଦ୍ବିତୀୟ ଡୋଜ୍ ନେଇନାହାନ୍ତି ।

ନବୀନଙ୍କ ନିମନ୍ତ୍ରଣ ରଖିଲେ, ଓଡିଶା ଆସି ହକି ଉପଭୋଗ କରିବେ ତାମିଲନାଡୁ କ୍ରୀଡ଼ା ମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାରେ ତାମିଲନାଡୁ କ୍ରୀଡ଼ା ମନ୍ତ୍ରୀ । ହକି ବିଶ୍ବକପ୍‌ ପାଇଁ ନବୀନଙ୍କ ନିମନ୍ତ୍ରଣ ରଖି ଓଡ଼ିଶାକୁ ଆସିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ସେଠାକାର କ୍ରୀଡ଼ା ମନ୍ତ୍ରୀ ଉଦ୍ଧୟାନିଧି ଷ୍ଟାଲିନ୍ । ସେ ଭୁବନେଶ୍ବରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ବିଧାୟକ ତଥା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ସ୍ବାଗତ କରିଛନ୍ତି ।

ମେୟର ସୁଲୋଚନା ଦାସ, ରାଜ୍ୟ ନିର୍ମାଣ ଶ୍ରମିକ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ବିଧାୟକ ପ୍ରଣବ ବଳବନ୍ତରାୟ, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ ରାଉତ ଓ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଉଦ୍ଧୟାନିଧି ଷ୍ଟାଲିନ ସ୍ବତନ୍ତ୍ର ଭାବେ ଟିମ୍ ଇଣ୍ଡିଆର ମ୍ୟାଚ୍ ଦେଖିବାକୁ ଆସିଛନ୍ତି । ରାତି ୭ଟାରେ କଳିଙ୍ଗରେ ହେବ ମ୍ୟାଚ୍ । ଷ୍ଟାଡିୟମରେ ବସି ଭାରତ ଓ ୱେଲ୍ସର ମ୍ୟାଚ୍ ଦେଖିବେ ଏବଂ ହକି କ୍ରେଜ୍‌କୁ ପାଖରୁ ଉପଭୋଗ କରିବେ ।

କଳିଙ୍ଗରେ ୱ୍ବେଲ୍ସକୁ ଭେଟିବ ଭାରତ, କ୍ବାର୍ଟର ଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ

ଭୁବନେଶ୍ବର: ଆଜି କମ୍ପିବ କଳିଙ୍ଗ । ହକି ବିଶ୍ବକପ୍‌ର ସପ୍ତମ ଦିନରେ କଳିଙ୍ଗ ଷ୍ଟାଡିୟରେ ରହିଛି ୪ଟି ମହାମୁକାବିଲା । ଦିନ ଗୋଟାଏରେ ପ୍ରଥମେ ମୁହାଁମୁହିଁ ହେବେ ମାଲେସିଆ ଓ ନ୍ୟୁଜିଲାଣ୍ଡ । ସେହିପରି ଦିନ ୩ଟାରେ ନେଦରଲ୍ୟାଣ୍ଡ ଓ ଚିଲି ମଧ୍ୟରେ ହେବ ଟକ୍କର । ସନ୍ଧ୍ୟା ୫ଟାରେ ମୁହାଁମୁହିଁ ହେବେ ସ୍ପେନ୍ ଓ ଇଂଲଣ୍ଡ । ସନ୍ଧ୍ୟା ୭ଟାରେ ରହିଛି ହାଇଭୋଲଟେଜ୍ ମ୍ୟାଚ୍ ।

ଭାରତ ଓ ଓ୍ବେଲ୍ସ ମଧ୍ୟରେ ହେବ ଟକ୍କର । ହକି ବିଶ୍ୱକପର ଶେଷ ପୁଲ ମ୍ୟାଚରେ ଭାରତ ଓ୍ୱେଲ୍ସକୁ ଭେଟିବ । ଏହାକୁ ବଡ଼ ବ୍ୟବଧାନରେ ଜିତି ସିଧାସଳଖ କ୍ବାର୍ଟର ଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ । ଭାରତର ସବୁ ପ୍ଲେୟାର ଫିଟ୍ ଅଛନ୍ତି । ମ୍ୟାଚ ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଦଳ । ଦଳ ପେନାଲ୍ଟିକୁ ସଠିକ ପରିଚାଳନା କରିବାକୁ ଧ୍ୟାନ ଦେବ ।

ଭାରତ ପୁଲ ପର୍ଯ୍ୟାୟରେ ସ୍ପେନ ବିପକ୍ଷରେ ୨-୦ରେ ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ଡ୍ର ରଖିଥିଲା । ତେବେ ଭାରତ କ୍ୱାର୍ଟର ଫାଇନାଲରେ ସିଧା ପ୍ରବେଶ କରିବ କି କ୍ରସ ଓଭର ଖେଳିବ ଏହା ସ୍ପେନ୍ ଓ ଇଂଲଣ୍ଡ ମ୍ୟାଚର ଫଳାଫଳ ଉପରେ ମଧ୍ୟ ନିର୍ଭର କରେ ।

ଏକାଦଶାହ ଭୋଜି ଖାଇ ଅସୁସ୍ଥ ଗ୍ରାମବାସୀ

ସାଲେପୁର: ଏକାଦଶାହ ଭୋଜି ଖାଇ ସାଲେପୁର ପାଗା ଲକ୍ଷ୍ମୀ ନାରାୟଣପୁର ଗାଁରେ ୧୦୦ରୁ ଉର୍ଦ୍ଧ୍ବ ଲୋକ ଝାଡ଼ବାନ୍ତିରେ ଆକ୍ରାନ୍ତ। ଆକ୍ରାନ୍ତଙ୍କୁ ବିଭିନ୍ନ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗତକାଲି ଗ୍ରାମରେ ଏକ ଶୁଦ୍ଧିକ୍ରିୟା ଭୋଜି ହୋଇଥିଲା । ଗ୍ରାମବାସୀ ଭୋଜି ଖାଇବା ପରେ ଅନେକଙ୍କୁ ଝାଡ଼ାବାନ୍ତି ହୋଇଥିଲା ।

ଫଳରେ ଆକ୍ରାନ୍ତଙ୍କୁ ସାଲେପୁର ଜଗତପୁର ଏବଂ କଟକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଆକ୍ରାନ୍ତଙ୍କ ଅବସ୍ଥା ଏବେ ସ୍ଥିର ଥିବା ସୂଚନା ଦେଇଛନ୍ତି ଡାକ୍ତର

IND vs NZ: ୧୨ ରନରେ ଜିତିଲା ଟିମ୍ ଇଣ୍ଡିଆ

ହାଇଦ୍ରାବାଦ: ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆରେ ଟିମ ଇଣ୍ଡିଆର ରୋମାଞ୍ଚକର ବିଜୟ । ଲଢିଲଢି ହାରିଲା ନ୍ୟୁଜିଲାଣ୍ଡ । ୩୫୦ ରନକୁ ପିଛା କରି ୩୩୭ରନରେ ଅଲଆଉଟ ହୋଇଗଲା ନ୍ୟୁଜିଲାଣ୍ଡ । ଫଳରେ ପ୍ରଥମ ଦିନିକିଆକୁ ୧୨ ରନରେ ଜିତିନେଇଛି ମେନ ଇନ୍ ବ୍ଲୁ।

ପ୍ରଥମେ ବ୍ୟାଟିଂ କରି ୩୪୯ରନ କରିଥିଲା ଟିମ ଇଣ୍ଡିଆ । ରୋହିତ ଶର୍ମା ଓ ଶୁଭମନ ଗିଲ ଭାରତ ପାଇଁ ଭଲ ଆରମ୍ଭ କରିଥିଲେ । ତେବେ ରୋହିତ ଶର୍ମା ୩୪ ରନ କରି ଆଉଟ ହୋଇଥିଲେ। ପରେ ଲଗାତାର ଓ୍ବିକେଟ ପତନ ସତ୍ତ୍ବେ ନିଜର ବିସ୍ଫୋରକ ବ୍ୟାଟିଂ ଜାରି ରଖି ଦ୍ବିଶତକ ହାସଲ କରିଥିଲେ ଗିଲ୍ । ଦିନିକିଆରେ ଶୁବମନ ଗିଲ୍ କରିଥିଲେ ବିସ୍ଫୋରକ ଦ୍ବିଶତକ । ୧୪୯ ବଲରେ ୨୦୮ ରନ ହାସଲ କରିଥିଲେ। ୯ଟି ଛକା ଓ ୧୯ଟି ଚୌକା ସହ ମାତ୍ର ୧୪୯ ବଲରେ ୨୦୮ ରନ କରିଥିଲେ ।

ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ବିକେଟ ହରାଇ ୩୪୯ ରନ କରିଥିଲା । ଜବାବରେ ଆରମ୍ଭରୁ ବିପର୍ଯ୍ୟୟ ସାମ୍ନା କରିଛି ନ୍ୟୁଜିଲାଣ୍ଡ । ମିସେଲ ବ୍ରାସଓ୍ବେଲଙ୍କ ଦମଦାର ବ୍ୟାଟିଂ ଦଳର ସ୍କୋରକୁ ଆଗକୁ ବଢାଇଥିଲା । ୭୮ବଲ ଖେଳି ୧୪୦ରନ କରିଥିଲେ ବ୍ରାସଓ୍ବେଲ ।

‘ଡାକୋଟା’ରେ ବିଜୁ ବାବୁ ଅନେକ ଦୁଃସାହସିକ କାର୍ଯ୍ଯ କରିଥିଲେ: ନବୀନ

ଭୁବନେଶ୍ୱର: ଭୁବନେଶ୍ଵରରେ ପହଞ୍ଚିଛି ବିଜୁ ବାବୁଙ୍କ ଐତିହାସିକ ଡାକୋଟା ବିମାନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚି ବିମାନ ଉପରେ ପୁଷ୍ପ ବୃଷ୍ଟି କରି ସ୍ବାଗତ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଜୁ ବାବୁଙ୍କ ଐତିହାସିକ ଡାକୋଟା ବିମାନ ଆଜି ଭୁବନେଶ୍ଵରରେ ପହଞ୍ଚିଥିବାରୁ ବହୁତ ଖୁସି। ଏହି ବିମାନରେ ବିଜୁ ବାବୁ ଅନେକ ସାହସିକ କାର୍ଯ୍ଯ କରିଛନ୍ତି। ଏହା ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ହେଉଛି ଇଣ୍ଡୋନେସିଆର ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ଡଚ୍ ମାନଙ୍କ କବଜାରୁ ମୁକ୍ତ କରିବାରେ ଅପାର ସଫଳତା। ସେଥିରେ ବିଜୁ ବାବୁଙ୍କ ସହିତ କେବଳ ଜଣେ ସହ ପାଇଲଟ୍ ଥିଲେ, ସେ ହେଉଛନ୍ତି ‘ମୋ ମା’ ଜ୍ଞାନ୍ ପଟ୍ଟନାୟକ।

ଏହି ସ୍ୱାଗତ ସମାରୋହରେ ମନ୍ତ୍ରୀ ଅଶୋକ ପଣ୍ଡା. ବିଧାୟକ ପ୍ରଣବ ପ୍ରକାଶ ଦାସ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇବା ଘଟଣା; ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀ ଗିରଫ

ପୁରୀ: ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ ମାମଲା। ପଶ୍ଚିମବଙ୍ଗର ୟୁଟ୍ୟୁବ ବ୍ଲଗର ଅନିମେଶ ଚକ୍ରବର୍ତ୍ତୀଙ୍କୁ ଗିରଫ କଲା ପୁରୀ ପୋଲିସ। କୋଲକାତା ବାରାକପୁରରୁ ଅନିମେଶଙ୍କୁ ଗିରଫ କରାଯାଇଛି। ଗତ ଡିସେମ୍ବର ମାସରେ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇଥିଲେ ଅନିମେଶ।

ପୁରୀ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇ ଭିଡିଓକୁ ନିଜ ୟୁଟ୍ୟୁବ ପେଜରେ ଅପଲୋଡ କରିଥିଲେ। ଭିଡିଓ ବିକ୍ରି ପାଇଁ ଟଙ୍କା ମାଗୁଥିବା ଅଭିଯୋଗ ମଧ୍ୟ ହୋଇଥିଲା। ଏନେଇ ବିରୋଧ ହେବା ପରେ କ୍ଷମା ମାଗିଥିଲେ ଅନିମେଶ। ଆଇନ ବିଷୟରେ ନଜାଣି ଏପରି କରିଥିବା ସଫେଇ ଦେଇଥିଲେ। ତେବେ ଅନିମେଶଙ୍କୁ ଗିରଫ କରି ତଦନ୍ତ କରିବାକୁ ଦାବି ହୋଇଥିଲା।

ଜମିଜମା ରେକର୍ଡ କମ୍ପୁଟରୀକରଣରେ ଓଡ଼ିଶା ଦେଶରେ ଏକ ନମ୍ବର ରାଜ୍ୟ, ୧୯ ଜିଲ୍ଲାପାଳଙ୍କୁ ମିଳିବ ଜାତୀୟ ପୁରସ୍କାର

ଭୁବନେଶ୍ୱର: ରାଜ୍ୟରେ ଜମିଜମା ରେକର୍ଡ କମ୍ପୁଟରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ଓଡ଼ିଶାର ୧୯ଟି ଜିଲ୍ଲା ଜାତୀୟ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡ଼ିଶା ଲ୍ୟାଣ୍ଡ ରେକର୍ଡ୍ସ ମର୍ଡନାଇଜେସନ ସୋସାଇଟି (ଓଏଲଆରଏମଏସ)ର ଗଭର୍ଣ୍ଣିଂ ବଡି ବୈଠକରେ ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗ ପକ୍ଷରୁ ଏ ସଂପର୍କରେ ସୂଚନା ଦିଆଯାଇଛି ।

ଲୋକ ସେବା ଭବନର ଦ୍ଵିତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକ ପ୍ରାରମ୍ଭରେ ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କହିଲେ ଯେ ଦେଶରେ DILRMP ଅନ୍ତର୍ଗତ ଛଅଗୋଟି ବର୍ଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମୋଟ ୭୫ଟି ଜିଲ୍ଲାକୁ ପ୍ଲାଟିନମ ପୁରସ୍କାର ନିମନ୍ତେ ଚୟନ କରାଯାଇଛି । ଏଥିମଧ୍ୟରୁ ଓଡ଼ିଶାର ୧୯ଟି ଜିଲ୍ଲା ଅନ୍ତର୍ଗତ ହୋଇଥିବା ଏକ ବିଶେଷ ସଫଳତା । ଏହି ସବୁ ଜିଲ୍ଲା ଗୁଡ଼ିକର ଜମିଜମା ରେକର୍ଡ କମ୍ପୁଟରୀକରଣରେ କାର୍ଯ୍ୟଦକ୍ଷତା ୯୯ ପ୍ରତିଶତରୁ ଅଧିକ ଥିଲା । ଆଗାମୀ ଦିନରେ ଏହିସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନୂଆଦିଲ୍ଲୀରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ଦ୍ଵାରା ଆୟୋଜିତ ଉତ୍ସବରେ ସମ୍ମାନିତ କରାଯିବ । ପ୍ଲାଟିନମ ପୁରସ୍କାର ନିମନ୍ତେ ବିବେଚିତ ହୋଇଥିବା ଜିଲ୍ଲାଗୁଡ଼ିକ ହେଲେ ଅନୁଗୁଳ, ବୌଦ୍ଧ, ବରଗଡ଼, ଭଦ୍ରକ, ଦେଓଗଡ଼,ଢେଙ୍କାନାଳ, ଗଜପତି, ଗଂଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ା ଓ ସମ୍ବଲପୁର ।

ବର୍ତ୍ତମାନ ହାଇଟେକ ସର୍ଭେ ୫ଟି ଜିଲ୍ଲା ଯଥା ଦେବଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, ସମ୍ବଲପୁର ଓ ସୁବର୍ଣ୍ଣପୁରରେ କାର୍ଯ୍ୟକାରୀ ହେଉଛି । ଦେବଗଡ଼ ଜିଲ୍ଲାରେ ସର୍ଭେ କାର୍ଯ୍ୟ ଶେଷ ହୋଇଥିଲା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ଏହି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସୁନ୍ଦରଗଡ଼ ଜିଲ୍ଲାରେ ସର୍ଭେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ ସତ୍ୟବ୍ରତ ସାହୁ ସୂଚନା ଦେଇଥିଲେ । ହାଇଟେକ ସର୍ଭେକୁ ବାକିଥିବା ଜିଲ୍ଲା ଗୁଡ଼ିକରେ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏ ବାବଦରେ ଓରସାକ ଏକ ସବିଶେଷ ପ୍ରସ୍ତାବ ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗକୁ ପଠାଇବାପରେ ଏହା ଉପରେ ନିଷ୍ପତ୍ତି ଗ୍ରହଣ କରାଯିବ ।

ଲାଇସେନ୍ସ ପ୍ରାପ୍ତ ସର୍ଭେୟରମାନଙ୍କୁ ସରକାରୀ ଓ ବେସରକାରୀ ପଲିଟେକନିକ କଲେଜ ସହ ଅନୁବନ୍ଧିତ କରାଯିବା ପରେ ଏକ ତିନି ମାସିଆ ତାଲିମ ପ୍ରଦାନ ବ୍ୟବସ୍ଥା କରାଯାଇ ସାର୍ଟିଫିକେଟ ପ୍ରଦାନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବୈଠକ ନିମନ୍ତେ ଧାର୍ଯ୍ୟ କାର୍ଯ୍ୟସୂଚୀକୁ ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବ ଶଶିଧର ନାୟକ ଉପସ୍ଥାପନ କରିଥିଲେ । ଗତଥର ଅନୁଷ୍ଠିତ ହୋଇଥିବା ବୈଠକରେ ସଭାର ନିଷ୍ପତ୍ତି ଗୁଡିକ ଉପରେ ନିଆ ଯାଇଥିବା ପଦକ୍ଷେପ ସବୁକୁ ଗ୍ରହଣ କରଯାଇଥିଲା ।

ଏହି ବୈଠକରେ ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ବିଧି ବିଭାଗର ପ୍ରମୁଖ ଶାସନ ସଚିବ ଧନେଶ୍ଵର ମଲ୍ଲିକ, ଓରସାକର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଅର୍ଥ ବିଭାଗର ଅତିରିକ୍ତ ଶାସନ ସଚିବ, ଓକାକର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋଜ କୁମାର ପଟ୍ଟନାୟକଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ, ବିଏସଏନଲର ଡିଜିଏମ ଓ ଏନଆଇସିର ବରିଷ୍ଠ ପଦାଧିକାରୀ ଏବଂ ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗର ବରିଷ୍ଠ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିବାବେଳେ ଭୂ-ଅଭିଲେଖ ଓ ସର୍ବେକ୍ଷଣ ସଂସ୍ଥାର ନିର୍ଦ୍ଦେଶକ ବିକାଶ ଚନ୍ଦ୍ର ମହାପାତ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଭୁବନେଶ୍ୱରରେ ବିଜୁ ବାବୁଙ୍କ ’ଡାକୋଟା’, ସ୍ୱାଗତ ପାଇଁ ବିମାନ ବନ୍ଦରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏଣିକି ବହିରେ ନୁହେଁ ସିଧା ଡାକୋଟାକୁ ଦେଖିବେ ଓଡ଼ିଶାବାସୀ  । ଓଡ଼ିଶାରେ ପହଞ୍ଚିଛି ଭୂମିପୁତ୍ରଙ୍କ ସର୍ବଶ୍ରେଷ୍ଠ ସନ୍ତକ । ପ୍ରବାଦ ପୁରୁଷଙ୍କ ମାଟିକୁ ଫେରିଛି ବିଜୁବାବୁଙ୍କ ବିମାନ ଡାକୋଟା । ୩ଟି ଲରିରେ ଭୁବନେଶ୍ୱରକୁ ଅଣାଯାଇଛି ଡାକୋଟାର ଯନ୍ତ୍ରାଂଶ । କୋଲକାତାରୁ ବାହାରି ବିଭିନ୍ନ ଜିଲ୍ଲା ଅତିକ୍ରମ କରି ଭୁବନେଶ୍ବର ବିମାନବନ୍ଦରର ଟର୍ମିନାଲ ଓ୍ବାନ୍ ସାମନାରେ ପହଞ୍ଚିଛି ଡାକୋଟା  ।

ଭୁବନେଶ୍ୱର ବିମାନ ବନ୍ଦରରେ ବିଜୁ ବାବୁଙ୍କ ଡାକୋଟା ପହଞ୍ଚିବା ପରେ ସ୍ୱାଗତ ପାଇଁ ବିମାନ ବନ୍ଦରରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ବାବୁଙ୍କ ଡାକୋଟା ଉପରେ ପୁଷ୍ପମାଲ୍ୟ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ । ବିଜୁ ବାବୁଙ୍କ ଏହି ସର୍ବଶ୍ରେଷ୍ଠ ସନ୍ତକ ବିମାନବନ୍ଦରରେ ରହିବ । ସାଧାରଣ ଜନତାଙ୍କ ପାଇଁ ଏହି ଡାକୋଟା ପ୍ରଦର୍ଶିତ ହେବ ।

କାଲି ଭାରତର କଳିଙ୍ଗ ଲଢେଇ, ଭଲ ପ୍ରଦର୍ଶନ କରିବା ପାଇଁ ଟିମ୍ ଇଣ୍ଡିଆ ପ୍ରସ୍ତୁତ

ଭୁବନେଶ୍ୱର: ହକି ବିଶ୍ୱକପରେ ଆସନ୍ତାକାଲି ଭାରତ ଓ ଓ୍ୱେଲ୍ସ ମଧ୍ୟରେ ଖେଳାଯିବ ମହାମୁକାବିଲା । ହକି ବିଶ୍ୱକପର ଶେଷ ପୁଲ୍ ମ୍ୟାଚରେ ଓ୍ୱେଲ୍ସକୁ ଭେଟିବାକୁ ଥିବା ବେଳେ ବଡ଼ ବ୍ୟବଧାନରେ ଜିତି ସିଧା ସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି ଭାରତ । ସନ୍ଧ୍ୟା ୭ଟାରେ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବ ଏହି ମ୍ୟାଚ୍ । ଭାରତର ସବୁ ପ୍ଲେୟାର ଫିଟ୍ ଅଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଆସନ୍ତାକାଲିର ମ୍ୟାଚ ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଦଳ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦଳର କୋଚ ଗ୍ରାହାମ ରିଡ୍ ଓ ଅଧିନାୟକ ହରମନପ୍ରିତ୍ ସିଂ ।

ଟିମ୍ ଇଣ୍ଡିଆ ପେନାଲ୍ଟିକୁ ସଠିକ ପରିଚାଳନା କରିବାକୁ ଧ୍ୟାନ ଦେବ ବୋଲି ଉଭୟେ ଗୁରୁତ୍ବାରୋପ କରିଛନ୍ତି । ଭାରତ ପୁଲ୍ ପର୍ଯ୍ୟାୟରେ ସ୍ପେନ ବିପକ୍ଷରେ ୨-୦ରେ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ଡ୍ର’ ରଖିଥିଲା । ତେବେ ଭାରତ କ୍ୱାର୍ଟର ଫାଇନାଲରେ ସିଧା ପ୍ରବେଶ କରିବ କି କ୍ରସ୍ ଓଭର ଖେଳିବ ଏହା ସ୍ପେନ୍ ଓ ଇଂଲଣ୍ଡ ମ୍ୟାଚର ଫଳାଫଳ ଉପରେ ମଧ୍ୟ ନିର୍ଭର କରେ ।