spot_img
Home Blog Page 3494

ଦିଲ୍ଲୀରେ ଆତଙ୍କରାଜ; ମହିଳା କମିଶନ ଅଧ୍ୟକ୍ଷାଙ୍କୁ ୧୫ମିଟର ଘୋଷାଡ଼ିନେଲା କାର୍ ଡ୍ରାଇଭର

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଏକ ଅମାନୁଷିକ ଘଟଣା । ଏଥର ସାଧାରଣ ମହିଳା ନୁହନ୍ତି ବରଂ ଖୋଦ୍ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ ହୋଇଛନ୍ତି ଅସାମାଜିକ ଲୋକଙ୍କ ଆତଙ୍କରାଜର ଶିକାର । ଜଣେ ମଦ୍ୟପ ଡ୍ରାଇଭର ତାଙ୍କ କାରରେ ସ୍ବାତୀଙ୍କୁ ପ୍ରାୟ ୧୫ ମିଟର ଘୋଷାଡ଼ି ନେଇଥିବା ଅଭିଯୋଗ କରିଛନ୍ତି ସ୍ବାତୀ । ଗତ ଗୁରୁବାର ରାତି ୩ଟା ୧୧ ମିନଟରେ ଘଟିଛି ଘଟଣା । ମାଲିଓ୍ବାଲ କରିଥିବା ଅଭିଯୋଗ ଅନୁସାରେ ଦିଲ୍ଲୀ ଏମସ୍ ପଛପଟେ ସେ ରିୟଲିଟି ଚେକ୍ କରୁଥିବାବେଳେ ୪୭ ବର୍ଷ ବୟସ୍କ ଜଣେ ମଦ୍ୟପ ଡ୍ରାଇଭର ହରିଶଚନ୍ଦ୍ର ତାଙ୍କୁ ବାଲେନୋ କାରରେ ବସିବା ଲାଗି ବାଧ୍ୟ କରିଥିଲା ।

ମାତ୍ର ସେ ମନା କରିବାରୁ ତାଙ୍କୁ ଜବରଦସ୍ତ କାରରେ ବସାଇବା ଲାଗି ବଳ ପ୍ରୟୋଗ କରିଥିଲା । ଏହାରି ଭିତରେ ସ୍ବାତୀଙ୍କ ହାତ କାରର ଓ୍ବିଣ୍ଡୋରେ ଲାଖିଯାଇଥିବା ସତ୍ତ୍ବେ ଡ୍ରାଇଭର ଜଣକ କାରକୁ ଆଗକୁ ଚଳାଇଥିଲା । ଫଳରେ ପ୍ରାୟ ୧୫ ମିଟର ଯାଏ ସ୍ବାତୀ କାରରେ ଘୋଷାଡି ହୋଇଯାଇଥିଲେ । ମହିଳା କମିଶନଙ୍କ ଟିମ୍ କିଛି ଦୂରରେ ଥିବାରୁ ଡ୍ରାଇଭରଜଣକ ଏହି କାଣ୍ଡ ଘଟାଇବାକୁ ସକ୍ଷମ ହୋଇଥିଲା । ଏହି ଘଟଣାରେ ଡ୍ରାଇଭରକୁ ଗିରଫ କରାଯାଇଛି । ଗତ ଜାନୁଆରୀ ୧ରେ ଅଞ୍ଜଳି ସିଂ ନାମ୍ନୀ ଜଣେ ୨୦ ବର୍ଷ ବୟସ୍କା ମହିଳାଙ୍କୁ କାରରେ ୧୨ କିଲୋମିଟର ଘୋଷାଡି ନେବାରୁ ତାଙ୍କର ହୋଇଥିଲା ମୃତ୍ୟୁ ।

ପ୍ରେମିକା ଆଉ କାହା ସହ କଥା ହେଲା ବୋଲି ଝୁଲିପଡିଲେ ପ୍ରେମିକ

ଭୁବନେଶ୍ବର: ଭିଡ଼ିଓ କଲରେ ଝୁଲି ପଡ଼ିଲେ ଯୁବକ । ପ୍ରେମରେ ବିଫଳ ହେବାରୁ ପ୍ରେମିକାକୁ ଭିଡିଓ କଲ୍‌ କରି ବେକରେ ଗାମୁଛା ବାନ୍ଧି ଝୁଲି ପଡ଼ିଲେ । ମୃତ ଯୁବକ ନୟାଗଡ଼ର ସର୍ବେଶ୍ଵର ପରିଡ଼ା । ଓଲ୍ଡ଼ଟାଉନରେ ଗାଡ଼ି ସର୍ଭିସ ସେଣ୍ଟରରେ କାମ କରୁଥିଲେ ସର୍ବେଶ୍ବର ।

ପ୍ରେମିକା ଆଉ କାହାକୁ ପ୍ରେମ କରୁଥିବା ଜାଣିବା ପରେ ଜୀବନ ହାରିଲେ ପ୍ରେମିକ । ଲିଙ୍ଗରାଜ ପୋଲିସ ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ମହିଳା ଥାନାରେ ମୁହାଁମୁହିଁ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା

କଟକ: ମହିଳା ଥାନାରେ ହାଜର ହେଲେ ଓଲିଉଡ଼ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରୀୟା ମିଶ୍ର। ଉଭୟଙ୍କୁ ମୁହାଁମୁହିଁ ବସାଇ କାଉନସେଲିଂ କରାଯାଉଛି। ହ୍ୟୁମାନଙ୍କ ବିରୋଧରେ ପତ୍ନୀ ଶ୍ରୀୟା ମିଶ୍ର ମାନସିକ ଓ ଶାରିରୀକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଡିସିପିଙ୍କୁ ଭେଟି ପତ୍ନୀ ଅଭିଯୋଗ କରିବା ପରେ ମହିଳା ଥାନାରେ କାଉନସେଲିଂ ପାଇଁ ଆଜି ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

୨୦୧୭ରେ ହ୍ୟୁମାନଙ୍କୁ ବିବାହ କରିଥିଲେ ଶ୍ରୀୟା। ତାଙ୍କର ଏକ ୪ବର୍ଷର ଝିଅ ବି ରହିଛି । ଶ୍ରୀୟା ନିଜେ ମଧ୍ୟ ଜଣେ କଣ୍ଠଶିଳ୍ପୀ। ମର୍କତନଗର ସେକ୍ଟର-୬ରେ ଉଭୟ ରହୁଥିଲେ। ତେବେ ପତ୍ନୀ ଶ୍ରୀୟା କିଛି ଦିନ ହେବ ଘରେ ରହୁନଥିଲେ। ବିଭିନ୍ନ ସମୟରେ ହ୍ୟୁମାନ ସାଗର ଯୌତୁକ ମାଗୁଥିଲେ। ମଦ ପିଇ ଶ୍ରୀୟାଙ୍କୁ ମାରପିଟ୍ କରୁଥିବା ହ୍ୟୁମାନଙ୍କ ଶ୍ବଶୂର ଅଭିଯୋଗ କରିଛନ୍ତି।

କୋରୋନା ପରେ ସରକାରୀ ସ୍କୁଲରେ ନାମ ଲେଖାଇଛନ୍ତି ଅଧିକ ୪ ପ୍ରତିଶତ ପିଲା

ଭୁବନେଶ୍ବର: ସରକାରୀ ବିଦ୍ୟାଳୟରେ ବଢୁଛି ନାମଲେଖା ହାର । କୋଭିଡ ପୂର୍ବ ସ୍ଥିତି ତୁଳନାରେ କୋଭିଡ ପରେ ସରକାରୀ ସ୍କୁଲରେ ନାମଲେଖା ହାର ବୃଦ୍ଧି ପାଇଛି । ଏଭଳି ଏକ ତଥ୍ୟ ସାମ୍ନାକୁ ଆସିଛି ଅସର ବା ଆନୁଆଲ ଷ୍ଟାଟସ ଏଜୁକେଶନ ରିପୋର୍ଟ ୨୦୨୨ରେ । ଅସର ଦ୍ୱାରା କରାଯାଇଥିବା ସର୍ଭେରେ ରାଜ୍ୟରେ ୨୦୧୮ ମସିହାରେ ୬ବର୍ଷରୁ ୧୪ବର୍ଷ ବୟସ ମଧ୍ୟରେ ସରକାରୀ ବିଦ୍ୟାଳୟଗୁଡିକରେ ପଢୁଥିବା ପିଲା ୮୮.୦ ପ୍ରତିଶତ ଥିଲା ।

ହେଲେ ୨୦୨୨ରେ ଏହି ଅନୁପାତ ବୃଦ୍ଧିପାଇ ୯୨.୧ ପ୍ରତିଶତରେ ପହଞ୍ଚିଛି । ଅଙ୍ଗନୱାଡି କେନ୍ଦ୍ରରେ ୨୦୧୮ରେ ୩ବର୍ଷ ବୟସର ଛାତ୍ରଛାତ୍ରୀ ୯୦.୩ ପ୍ରତିଶତ ଥିଲା ଏବଂ ୨୦୨୨ରେ ଏଥିରେ ବୃଦ୍ଧିପାଇ ୯୪.୪ ପ୍ରତିଶତରେ ପହଞ୍ଚିଛି । ୪ ବର୍ଷର ପିଲାମାନଙ୍କ ନାମଲେଖାରେ ବି ୬ପ୍ରତିଶତ ବୃଦ୍ଧି ପାଇଛି । ୨୦୧୮ରେ ୮୭.୩ପ୍ରତିଶତ ଥିଲାବେଳେ ୨୦୨୨ରେ ଏହା ୯୩.୧ ପ୍ରତିଶତରେ ପହଞ୍ଚିଛି । ଲକଡାଉନ କାରଣରୁ ଦୁର ସ୍ଥାନରୁ ନିଜ ଘରକୁ ଫେରିବାପରେ ଆଉଥରେ ନଫେରି ନିଜ ପିଲାଙ୍କୁ ସରକାରୀ ବିଦ୍ୟାଳୟରେ ପଢାଉଥିବା ପ୍ରମୁଖ କାରଣ ବୋଲି ଜଣାପଡିଛି ।

ସେହିପରି କୋଭିଡ ସମୟରେ ଆର୍ଥିକ ସଙ୍କଟରେ ପଡିଯାଇଥିବା ପରିବାର ଲୋକେ ଇଂରାଜୀ ମିଡିୟମ ପରିବର୍ତ୍ତେ ସରକାରୀ ବିଦ୍ୟାଳୟରେ ନିଜ ପିଲାଙ୍କୁ ପଢାଇବାକୁ ବାଛୁଛନ୍ତି । ଏହାସହ ସରକାରୀ ବିଦ୍ୟାଳୟରେ ମାଗଣା ସୁବିଧା ଅଭିଭାବକଙ୍କୁ ସରକାରୀ ବିଦ୍ୟାଳୟରେ ପିଲାଙ୍କୁ ପଢାଇବାକୁ ଉତ୍ସାହ ଯୋଗାଉଛି । ଅସର ଦ୍ୱାରା ରାଜ୍ୟର ୩୦ଟି ଜିଲ୍ଲାର ୯୦୦ଟି ଗ୍ରାମରେ ୩ରୁ ୧୬ ବର୍ଷ ବୟସର ୨୮ହଜାର ୭୮୦ ପିଲାମାନଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା ।

ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ସରକାରୀ ସ୍କୁଲର ଭିତିଭୂମିର ଯେଉଁ ବିକାଶ ହୋଇଛି, ତାହାର ପ୍ରଭାବ ପଡିଛି । 7 ଲକ୍ଷରୁ ଅଧିକ ପିଲା ଆଡ଼ମିସନ ନେଇଛନ୍ତି । ସରକାରୀ ସ୍କୁଲ ପ୍ରତି ପିଲାଙ୍କ ଆଗ୍ରହ ସୃଷ୍ଟି ହୋଇଛି ଓ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମରେ ସୁଫଳ ହୋଇଛି ।

ପୁଣି ରକ୍ତରଞ୍ଜିତ ରାଜଧାନୀ, ମାଛ ବ୍ୟବସାୟୀଙ୍କୁ ହାଣିଲେ ଅଟୋ ଡ୍ରାଇଭର

ଭୁବନେଶ୍ବର: ପୁଣି ରକ୍ତରଞ୍ଜିତ ହେଲା ରାଜଧାନୀ । ୨୨ର ରାଗ ୨୩ରେ ସୁଝେଇଲେ ମାଛ ବ୍ୟବସାୟୀ  । ପ୍ରତିଶୋଧ ପରାୟଣ ହୋଇ ବ୍ୟବସାୟୀଙ୍କୁ ହାଣିଲେ ଅଟୋ ଡ୍ରାଇଭର । ବଡଗଡ ହାଇସ୍କୁଲ ପାଖରେ ମାଛ ବ୍ୟବସାୟୀଙ୍କୁ ଆକ୍ରମଣ କରି ଲହୁଲୁହାଣ କରି ପକାଇଲେ ଅଟୋ ଡ୍ରାଇଭର। ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଅଜୟ କୁମାର‌ ରାଉତ।

ମୁଣ୍ଡରେ ଓ ହାତରେ ଆଘାତ ଲାଗିଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହାଣିଥିବା ସୁଚନା ମିଳିଛି। ଏନେଇ ଅଭିଯୁକ୍ତ ଅଟୋ ଡ୍ରାଇଭରକୁ ଖୋଜୁଛି ପୋଲିସ। ପୁରୀରେ ଲୁଚିଥିବା ବେଳେ ପୋଲିସ ଧରିବା ପାଇଁ ଡେରା ପକାଇଛି।

ନୂଆ ସାମୁଖ୍ୟର ନକ୍ସା ପ୍ରସ୍ତୁତ କଲେଣି କେସିଆର, ମୁଖ୍ୟମନ୍ତ୍ରୀଙ୍କୁ ନେଇ ମେଗା ପ୍ଲାନ

ହାଇଦ୍ରାବାଦ: ଗୋଟିଏ ମଞ୍ଚରେ ତିନୋଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ । ଉଦ୍ଦେଶ୍ୟ ସ୍ପଷ୍ଟ, ଲକ୍ଷ୍ୟ ୨୦୨୪ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନ, କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ୍, ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏବଂ ସିପିଆଇ ସାଧାରଣ ସମ୍ପାଦକ ଡି. ରାଜା । କେସିଆରଙ୍କ ନେତୃତ୍ବରେ ନୂଆ ସାମ୍ମୁଖ୍ୟର ନକ୍ସା ।

ତେଲେଙ୍ଗାନାରେ କେସିଆରଙ୍କ ଶକ୍ତି ପ୍ରଦର୍ଶନ, ନୂଆ ସାମୁଖ୍ୟ ନେଇ ଚର୍ଚ୍ଚା ଜୋର ଧରିଛି । ବିଶାଳ ଜନସଭା ସାଙ୍ଗକୁ ହଜାର ହଜାର ଜନତା, ଶହ ଶହ ନେତା ଏକାଠି ହେବେ । ଏକାଧିକ ମୁଖ୍ୟମନ୍ତ୍ରୀଙ୍କ ମେଳରେ, ଦକ୍ଷିଣରୁ ଦିଲ୍ଲୀର ଆସନ ଯାଏଁ ପହଞ୍ଚିବା ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ମେଗା ପ୍ଲାନ୍ । ଅଣ-ବିଜେପି ଓ ଅଣ କଂଗ୍ରେସ ନେତାଙ୍କୁ ଏକାଠି କରି ଏକ ନୂଆ ସାମୁଖ୍ୟର ଯୋଜନା କରୁଛନ୍ତି କେ. ଚନ୍ଦ୍ରଶେଖର ରାଓ ।

ନକଲି ବନ୍ଧୁକ ଦେଖାଇ ଲୁଟ କରୁଥିଲେ, ଡକାୟତ ଗ୍ୟାଙ୍ଗରେ କଲେଜ ଛାତ୍ର ଗିରଫ

ସୁବର୍ଣ୍ଣପୁର: ଡକାୟତି ମାମଲାରେ ଦୁଇ କଲେଜ ଛାତ୍ର ଗିରଫ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପୋଲିସ ହାତରେ ଧରା ପଡିଛନ୍ତି ଡକାୟତି ଦଳ । ଚଢେଇପଙ୍କ ଛକରେ ବାଲି ବୋଝେଇ ହାଇଓ୍ବାର ଚାଳକ ଓ ହେଲପରକୁ ବନ୍ଧୁକ ଦେଖାଇ ଟଙ୍କା ଓ ମୋବାଇଲ ଲୁଟ କରିଥିବା ଅଭିଯୋଗ ହୋଇଥିଲା । ଘଟଣାରେ ଦୁଇ ନାବାଳକ ସମେତ ୪ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି ।

ଅନ୍ୟ ଦୁଇ ଜଣ ନାବାଳକଙ୍କୁ ବାଳ ଅପରାଧ ନ୍ୟାୟିକ ବୋର୍ଡକୁ ପଠାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ସୂଚନା ଦେଇଛନ୍ତି । ଗତକାଲି ଭୋରରେ ବାଲି ବୋଝେଇ ହାଇୱା ତେଲ ମିଲକୁ ଆସୁଥିଲା । ସେହି ସମୟରେ ଚାରି ଜଣ ଦୁର୍ବୃତ୍ତ ଏକ ଆପାଚୀ ବାଇକରେ ଆସି ଅଟକାଇଥିଲେ । ବନ୍ଧୁକ ଦେଖାଇ ଧମକଚମକ ଦେବାରୁ ଭୟଭୀତ ହୋଇ ଗାଡିର ଚାଳକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ ।

ତେବେ ଗାଡିର ହେଲପର ଦୁଃଖଶ୍ୟାମ ଗାଇଗରିଆକୁ ସେମାନେ ମାଡ଼ ମାରିବା ସହ ଧମକ ଚମକ ଦେଇ ଗୋଟିଏ ମୋବାଇଲ ଓ ନଗଦ ୬ ହଜାର ୫୦୦ ଟଙ୍କା ଲୁଟି ନେଇ ଫେରାର ମାରିଥିଲେ । ପୁଲିସ ଦୁବୃର୍ତ୍ତ ମାନଙ୍କ ଠାରୁ ଗୋଟିଏ ଆପାଚି ବାଇକ୍ , ଗୋଟିଏ ଖେଲଣା ବନ୍ଧୁକ , ଦୁଇଟି ଲାଇଟର , ଦୁଇଟି ମନିପର୍ସ , ଛଅଟି ମୋବାଇଲ ଏବଂ ନଗଦ ଛଅ ହଜାର ପାଞ୍ଚଶହ ଟଙ୍କା ଜବତ କରିଥିବା ସୂଚନା ମିଳିଛି । ମୁଖ୍ୟ ଅଭିଯୁକ୍ତ ସୋନପୁର ଦେବାଶିଷ ଖପର ଧୁଆ ଏବଂ କେନ୍ଦୁପାଲିର ସୁମନ୍ତ ମେହେରଙ୍କୁ କୋର୍ଟଚାଲାଣ କରାଯାଇଛି ।

ଶ୍ବାସରୁଦ୍ଧ ହୋଇ ରାଜଶ୍ରୀଙ୍କ ମୃତ୍ୟୁ ହୋଇଛି, ପୋଷ୍ଟମର୍ଟମ ରିପୋର୍ଟରେ ଖୁଲାସା

କଟକ: ଆସିଲା ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଶ୍ବାସରୁଦ୍ଧ ହୋଇ ରାଜଶ୍ରୀଙ୍କ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ଅଛି । ମୃତ୍ୟୁ ପରେ ମୁଣ୍ଡରେ କ୍ଷତ ଚିହ୍ନ ରହିଛି । ଗୁରୁଡିଝାଟିଆ ପୋଲସକୁ ପୋଷ୍ଟମଟମ୍ ରିପୋର୍ଟ ହସ୍ତାନ୍ତର କରାଯାଇଛି । ମୃତ୍ୟୁର କାରଣ ଜାଣିବାକୁ ଭିସେରା ରିପୋର୍ଟକୁ ଅପେକ୍ଷା । ମୃତ୍ୟୁ ପୂର୍ବରୁ ରାଜଶ୍ରୀ କପୁରସିଂହ ପେଟ୍ରୋଲ ପମ୍ପରେ ଶେଷଥର ପାଇଁ ପେଟ୍ରୋଲ ପକାଇଥିଲେ ।

ତାଙ୍କ ଗାଡ଼ି ଡ଼ିକିରୁ ପେଟ୍ରୋଲ ପକାଇଥିବା ବିଲ୍‌ ସହ ଏଟିଏମ୍ କାର୍ଡ ଜବତ ହୋଇଛି । । ପେଟ୍ରୋଲ ପମ୍ପ ଠାରୁ ମାତ୍ର ୧ କିଲୋମିଟର ଦୁରରେ ମିଳିଥିଲା ମୃତଦେହ । ପେଟ୍ରୋଲ ପକାଇବାର ସିସିଟିଭି ଦୃଶ୍ୟ ଯାଞ୍ଚ କରୁଛି ପୋଲସି । ଗତ ୧୩ ତାରିଖରେ ରାଜଶ୍ରୀଙ୍କ ଝୁଲନ୍ତା ମୃତଦେହ ଆଠଗଡ ସୁବାସିଂ ଜଙ୍ଗଲରୁ ମିଳିଥିଲା । ୨୦୧୪-୧୫ ଓଡିଶା ସିନିୟର ମହିଳା କ୍ରିକେଟ ଟିମରେ ଖେଳୁଥିଲେ ରାଜଶ୍ରୀ।

ତେବେ ପୁଡୁଚେରୀ ଦିନିକିଆ ପାଇଁ ଚୂଡାନ୍ତ ଦଳରେ ତାଙ୍କ ନାଁ ନରହିବାକୁ ନେଇ ଦୁଶ୍ଚିନ୍ତାରେ ଥିଲେ। ୧୧ତାରିଖରେ ଘରକୁ ଯିବାକୁ କହି ହୋଟେଲରୁ ବାହାରିଥିଲେ, ହେଲେ ଘରେ ପହଞ୍ଚିନଥିଲେ। ଏନେଇ କଟକ ମଙ୍ଗଳାବାଗ ଥାନାରେ ତାଙ୍କ କୋଚ୍ ଏତଲା ଦେଇଥିଲେ । ଏତଲା ପରେ ଖୋଜାକୋଜି ବେଳେ ସୁବାସିଂ ଜଙ୍ଗଲରୁ ତାଙ୍କ ସ୍କୁଟି ଓ ହେଲମେଟ୍ ମିଲିଥିଲା । ପରେ ଜଙ୍ଗଲ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ପୋଲିସ ଏହି ଘଟଣାରେ ତଦନ୍ତ ଜାରି ରଖିଛି ।

ନ୍ୟୁଜିଲାଣ୍ଡରେ ସରିଲା ଜେସିଣ୍ଡା ଯୁଗ, ଆସନ୍ତା ଅକ୍ଟୋବରରେ ସାଧାରଣ ନିର୍ବାଚନ

ୱେଲିଂଟନ: ନ୍ୟୁଜିଲାଣ୍ଡରେ ରାଜନୈତିକ ସଙ୍କଟ । ପ୍ରଧାନମନ୍ତ୍ରୀ ପଦ ଛାଡିବେ ଜେସିଣ୍ଡା ଅର୍ଡନ । ଆସନ୍ତା ମାସ ଆରମ୍ଭରୁ ସେ ଇସ୍ତଫା ଦେବେ ବୋଲି କହିଛନ୍ତି । ଏଥିସହ ଆଉ ଆଗକୁ ନିର୍ବାଚନ ଲଢିବେ ନାହିଁ । ରାଜନୀତିରୁ ସନ୍ୟାସ ନେବେ । ଆସନ୍ତା ଅକ୍ଟୋବର ୧୪ରେ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ ତା ପୂର୍ବରୁ ଇସ୍ତଫା ଦେବା ଚର୍ଚ୍ଚାର ବିଷୟ ପାଲଟିଛି ।

ନ୍ୟୁଜିଲାଣ୍ଡର ଲେବର ପାର୍ଟିକୁ ପ୍ରତିନିଧିତ୍ବ କରନ୍ତି ଜେସିଣ୍ଡା ଅର୍ଡନ । ଆଗାମୀ ନିର୍ବାଚନରେ ମଧ୍ୟ ଦଳର ବିଜୟ ହେବ ବୋଲି ଆଶା କରିଛନ୍ତି ।କିନ୍ତୁ ସେ ନିର୍ବାଚନ ଲଢିବେ ନାହିଁ । ପ୍ରଧାନମନ୍ତ୍ରୀ ପଦ ଛାଡିବା ପଛରେ ଅନ୍ୟ କୌଣସି କାରଣ ନାହିଁ । ପ୍ରଧାନମନ୍ତ୍ରୀ ହେବା ସହ ଦେଶ ପ୍ରତି ଥିବା ବଡ଼ ଦାୟିତ୍ବ ମଧ୍ୟ ତୁଲାଇଛି । ଦେଶ ସମ୍ଭାଳିବାରେ କୌଣସି ଅସୁବିଧା ହୋଇନାହିଁ । ଇସ୍ତଫା ପରେ କିଏ ପ୍ରଧାନମନ୍ତ୍ରୀ ହେବ ସମୟ କହିବ ବୋଲି ସେ କହିଛନ୍ତି ।

ଏପଟେ ଏହି ଘୋଷଣା ପରେ ବିରୋଧୀ ଦଳ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି । ଆଗାମୀ ନିର୍ବାଚନ ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କଲେଣି ବିରୋଧୀ ।

ବିଜେପି ସାଂସଦଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ: ରେସଲିଂ ଫେଡେରେସନ ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରନ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ । ମାମଲାରେ ୭୨ ଘଣ୍ଟା ଭିତରେ ରିପୋର୍ଟ ଦେବାକୁ କହିଛନ୍ତି କେନ୍ଦ୍ର ସରକାରଙ୍କ କ୍ରୀଡା ମନ୍ତ୍ରାଳୟ । ଦିଲ୍ଲୀରେ ଖ୍ୟାତନାମା ରେସଲରଙ୍କ ନାରାବାଜି ପରେ ଘଟଣାକୁ ଗୁରୁତର ସହ ନେଇଛନ୍ତି କେନ୍ଦ୍ର ସରକାର । ମହିଳା ରେସଲରମାନଙ୍କୁ ସଭାପତି ବ୍ରିଜ ଭୂଣଷ ଯୌନ ନିର୍ଯାତନା ଦେଇଆସୁଥିବା ନେଇ ହୋଇଛି ଗୁରୁତର ଅଭିଯୋଗ ।

ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଏହା ଏକ ଷଡ଼ଯନ୍ତ୍ର ବୋଲି କରିଛନ୍ତି ବ୍ରିଜ ଭୂଷଣ । ଦିଲ୍ଲୀ ଜନ୍ତରମନ୍ତରଠାରେ ବ୍ରିଜ ଭୂଷଣଙ୍କ ବିରୋଧରେ ହୋଇଥିବା ବିକ୍ଷୋଭରେ ସାମିଲ ହୋଇଥିଲେ ବିନେଶ ଫୋଗାଟ, ବଜରଙ୍ଗ ପୁନିଆଙ୍କ ସମେତ ବହୁ ପ୍ରତିଷ୍ଠିତ ରେସଲର । ବ୍ରିଜ ଭୂଷଣ କହିଛନ୍ତି- ଧାରଣାରତ ରେସଲରଙ୍କ ମଧ୍ୟରୁ ଅନେକେ ଜାତୀୟ ସ୍ତରରେ ଭାଗ ନେଇନାହାନ୍ତି ।

ଯେତେବେଳେ ଫେଡେରସନ ଏକ ନିୟମ ଆଣିଥାଏ ସେତେବେଳେ ସମସ୍ୟା ଆସିଥାଏ । ଏହି ଆନ୍ଦୋଳନ ପଛରେ ଜଣେ ଶିଳ୍ପପତିଙ୍କ ହାତ ରହିଛି । ବିନେଶ ଫୋଗାଟ ହାରି ଯିବା ପରେ ସେ ତାଙ୍କୁ ସାନ୍ତ୍ବନା ଦେବା ସହ ପ୍ରେରଣା ଯୋଗାଇଥିଲେ । ଅଭିଯୋଗ ପ୍ରସଙ୍ଗରେ ଯେକୌଣସି ତଦନ୍ତର ସମ୍ମୁଖୀନ ହେବାକୁ ସେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ବ୍ରିଜ ଭୂଷଣ । ଏସିଆନ ଗେମସ ଓ କମନଓ୍ବେଲଥ ଗେମ୍ସ ସ୍ବର୍ଣ୍ଣପଦକ ବିଜୟୀ ଫୋଗାଟ ଅଭିଯୋଗ କରିଛନ୍ତି- ତାଙ୍କୁ ବ୍ରିଜ ଭୂଷଣ ମାନସିକ ଭାବେ ଆଘାତ ପହଞ୍ଚାଇଛନ୍ତି ।

ଅତୀତରେ ଯୌନ ନିର୍ଯାତନା ପ୍ରସଙ୍ଗରେ ସେ କିଛି ଅଭିଯୋଗ କରିଥିଲେ ସୁଦ୍ଧା ତାଙ୍କୁ ଦବାଇ ଦିଆଯାଇଥିଲା । ଏହାକୁ ନେଇ ସେ ଆତ୍ମହତ୍ୟା କରିବା ଲାଗି ଚିନ୍ତା କରିଥିଲେ । ଦିଲ୍ଲୀରେ ହୋଇଥିବା ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ଅଲିମ୍ପିକ ପଦକବିଜେତା ସାକ୍ଷୀ ମଲ୍ଲିକ ବି ସାମିଲ ହୋଇଥିଲେ । ବ୍ରିଜ ଭୂଷଣ ବର୍ତ୍ତମାନ ଉତ୍ତରପ୍ରଦେଶ କୈସରଗଞ୍ଜ ଆସନରୁ ବିଜେପି ସାଂସଦ ଅଛନ୍ତି ।