ନଦୀରେ କିପରି ଚାଲୁଛନ୍ତି ମହିଳା? ଭାଇରାଲ ଭିଡିଓ ପଛର ସତ ଜାଣିଲେ ଉଡ଼ିଯିବ ହୋସ

1 min read

ଭୋପାଳ: ମଧ୍ୟପ୍ରଦେଶର ଜଣେ ମହିଳା ପାଣିରେ ଚାଲୁଛନ୍ତି । ତାଙ୍କୁ ଦେଖିଲେ ଏପରି ଲାଗୁଛି ଯେ, ସେ କିଛି ଚମତ୍କାର କରୁଛନ୍ତି । କାରଣ ପାଣିରେ ଚାଲିଲାବେଳେ ତାଙ୍କ କପଡ଼ା ଓଦା ବି ହେଉନି ।

ମଧ୍ୟପ୍ରଦେଶ ଜବଲପୁରର ଏହି ମହିଳା ଏବେ ଚର୍ଚ୍ଚାରେ ଅଛନ୍ତି । ନର୍ମଦା ନଦୀ ଘାଟରେ ଏହି ମହିଳାଙ୍କୁ ଦେଖାଯାଇଛି । ପାଣିରେ ମହିଳା ଚାଲିବାର ଏକ ଭିଡିଓ ବି ଭାଇରାଲ ହେବାରେ ଲାଗିଛି ।

ଏହି ଗୁଜବ ଏତେ ବଢ଼ି ଯାଇଛି ଯେ, ମହିଳା ଜଣଙ୍କ ଯେଉଁଆଡେ ଯାଉଛନ୍ତି ତାଙ୍କୁ ଦେଖିବାକୁ ଲୋକେ ଏକାଠି ହୋଇଯାଉଛନ୍ତି । ଏହି ବୃଦ୍ଧାଙ୍କୁ ନର୍ମଦା ମାଈ ବୋଲି କୁହାଯାଉଛି । ଜଣେ ବ୍ୟକ୍ତି ମହିଳାଙ୍କ ଭିଡ଼ିଓ ଟ୍ବିଟରରେ ସେୟାର କରିଛନ୍ତି । ସେ ଲେଖିଛନ୍ତି ଯେ, ‘ ଜଣେ ବୁଢ଼ି ମା’ ନର୍ମଦା ନଦୀ ମଝିରେ ଚାଲୁଛନ୍ତି । ତାଙ୍କୁ ଦେଖିଲେ ଏପରି ଲାଗୁଛି ଯେ, ସେ ରାସ୍ତାରେ ଚାଲୁଛନ୍ତି । ନଦୀରେ ବୁଡ଼ ପକାଇଲେ ବି ସେ ଓଦା ହେଉ ନାହାନ୍ତି’ ।

ଏହି ଭିଡିଓ ବହୁବାର ସୋସିଆଲ ମିଡିଆରେ ସେୟାର ହେବା ପରେ ମାମଲା ପୋଲସକୁ ଯାଇଥିଲା । ପୋଲିସ ମହିଳାଙ୍କ ବିଷୟରେ ଖୋଳତାଡ଼ କରିବା ପରେ ଜଣାପଡ଼ିଲା ଯେ, ମହିଳାଙ୍କ ନାମ ଜ୍ୟୋତି ବାଇ ରଘୁବଂଶୀ ।

ପୋଲିସ ପଚରାଉଚରା କରିବା ପରେ ଜଣାପଡ଼ିଛି ଯେ, ମହିଳା ଜଣଙ୍କ ନର୍ମଦାପୁରମରେ ରୁହନ୍ତି । ତାଙ୍କ ବୟସ ୫୧ ବର୍ଷ । ସେ ପୋଲିସଙ୍କୁ କହିଛନ୍ତି ଯେ, ନା ସେ ପାଣିରେ ଚାଲିପାରନ୍ତି ନା ତାଙ୍କ କପଡ଼ା ପାଣିରେ ଓଦା ହୁଏନି । ସେ କୌଣସି ଚମତ୍କାର କରନ୍ତି ନାହିଁ । ସେ କାହାକୁ କିଛି ନ କହି ନର୍ମଦା ପରିକ୍ରମା କରିବାକୁ ବାହାରିଥିଲେ । ସେ ଯେତେବେଳେ ନର୍ମଦା ନଦୀରେ ଚାଲୁଥିଲେ ସେତେବେଳେ କେହି ତାଙ୍କର ଭିଡିଓ ସୁଟ କରିଥିଲା । ତା ପରେ ଏହି ଗୁଜବ ବ୍ୟାପିଥିଲା ।

ପୋଲିସ ଅଧିକ ଖୋଳତାଡ଼ କରିବା ପରେ ଜଣାପଡ଼ିଥିଲା ଯେ, ମହିଳା ୨୦୨୨ ମେ’ ମାସରୁ ଘରୁ କେଉଁଆଡ଼େ ଚାଲି ଯାଇଥିଲେ । ନିଖୋଜ ନେଇ ପରିବାର ସଦସ୍ୟ ପୋଲିସରେ ରିପୋର୍ଟ କରିଥିଲେ । ଏବେ ମହିଳା ଜଣଙ୍କ ମିଳିବା ପରେ ପୋଲିସ ତାଙ୍କୁ ନେଇ ଘରେ ଛାଡ଼ିଛି ।