ଝାରସୁଗୁଡା ପାଇଁ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ତରୁଣ ପାଣ୍ଡେ ହେଲେ କଂଗ୍ରେସର ବିଧାୟକ ପ୍ରାର୍ଥୀ । ତରୁଣଙ୍କ ନାଁରେ ମୋହର ମାରିଛନ୍ତି କଂଗ୍ରେସ ହାଇକମାଣ୍ଡ । ପୂର୍ବତନ ବିଧାୟକ ବୀରେନ ପାଣ୍ଡେଙ୍କ ପୁଅ ହେଉଛନ୍ତି ତରୁଣ । ବୀରେନ ପାଣ୍ଡେ ଝାରସୁଗୁଡ଼ା ଆସନରୁ ତିନି ଥର କଂଗ୍ରେସ ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ପ୍ରାର୍ଥୀ ଚୟନ ପାଇଁ କଂଗ୍ରେସର ସ୍ବତନ୍ତ୍ର ଟିମ୍ ଆଶାୟୀଙ୍କ ନାଁ ହାଇକମାଣ୍ଡଙ୍କୁ ସୁପାରିସ କରିଥିଲା । ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ସୁପାରିସ ଆଧାରରେ ତରୁଣଙ୍କ ନାଁରେ ମୋହର ମାରିଛନ୍ତି ହାଇକମାଣ୍ଡ । ଉପନିର୍ବାଚନ ପାଇଁ ବହୁ ପୂର୍ବରୁ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଛି । ସ୍ବର୍ଗତ ନବକିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରି ଗ୍ରାଉଣ୍ଡରେ ପ୍ରଚାର ଆରମ୍ଭ କରିଦେଲାଣି ଦଳ । ତେବେ ଏଯାଏ ପ୍ରାର୍ଥୀ ଘୋଷଣା କରିନି ବିଜେପି । କାହାକୁ ପ୍ରାର୍ଥୀ କରାଯିବ ସେନେଇ ଦଳ ଦ୍ବନ୍ଦ୍ବରେ ରହିଛି ।