spot_img
Home Blog Page 3491

ବିଜେପିର ଦବଙ୍ଗ ନେତା ବ୍ରିଜଭୂଷଣ, ବିବାଦୀୟ ବୟାନ ଓ ଦବଙ୍ଗଗିରି ପାଇଁ ସବୁବେଳେ ଚର୍ଚ୍ଚାରେ

ନୂଆଦିଲ୍ଲୀ: ବିଜେପିର ଦବଙ୍ଗ ନେତା ବ୍ରିଜଭୂଷଣ ଶରଣ ସିଂ । ବିବାଦୀୟ ବୟାନ, ଦବଙ୍ଗଗିରି ପାଇଁ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି ବ୍ରିଜଭୂଷଣ । ୟୁପିର ବାହୁବଳି ନେତା ଭାବେ ଜଣାଶୁଣା ବ୍ରିଜଭୂଷଣଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣି ରାଜଧାନୀ ରାଜରାସ୍ତାରେ ଧାରଣାରେ ବସିଛନ୍ତି କୁସ୍ତିଯୋଦ୍ଧା । ଭାରତୀୟ ଜନତା ପାର୍ଟିର ଦବଙ୍ଗ ନେତା ବ୍ରିଜଭୂଷଣଙ୍କର ପୂର୍ବରୁ ଅନେକ ବିବାଦୀୟ ପ୍ରସଙ୍ଗରେ ସମ୍ପୃକ୍ତି ରହିଛି । ବାବରୀ ମସଜିଦ ଢାଞ୍ଚା ବିଗାଡ଼ିବା ମାମଲାରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଥିଲେ ବ୍ରିଜଭୂଷଣ । ବ୍ରିଜଭୂଷଣଙ୍କର ଅଣ୍ଡରଓ୍ବାଲଡ କନେକ୍ସନ ମଧ୍ୟ ସାମ୍ନାକୁ ଆସିଥିଲା ।

ଟାଡା ଆକ୍ଟରେ ସେ ଜେଲ ମଧ୍ୟ ଯାଇଥିଲେ । ସମାଜବାଦୀ ପାର୍ଟିର ବରିଷ୍ଠ ନେତା ବିନୋଦ ସିଂଙ୍କ ମରଣାନ୍ତକ ଆକ୍ରମଣ ମାମଲା ମୁଖ୍ୟ ଅଭିଯୁକ୍ତ ଥିଲେ ବ୍ରିଜଭୂଷଣ । ୨୦୧୪ରେ ବି ଅଯୋଦ୍ଧାରେ ସରକାରୀ କାର୍ଯ୍ୟରେ ଅବହେଳାକୁ ନେଇ ବ୍ରିଜଭୂଷଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ୪ଟି ବଡ଼ ବଡ଼ ମାମଲାରେ ବ୍ରିଜଭୂଷଣଙ୍କ ନାଁ ରହିଥିଲେ ବି କୌଣସି ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇନି । ଜଣେ ସରକାରୀ ଅଧିକାରୀଙ୍କୁ ବନ୍ଦୀ ରଖିବା ଅଭିଯୋଗରେ ତାଙ୍କ ନାଁରେ ଏବେ ବି ମାମଲା କୋର୍ଟରେ ରହିଛି । ଏହାସହ ରାଷ୍ଟ୍ରୀୟ କୁସ୍ତିଯୋଦ୍ଧା ଚାମ୍ପିୟନସିପ୍ ସମାରୋହରେ ମଞ୍ଚ ଉପରେ ଜଣେ କୁସ୍ତିଯୋଦ୍ଧାଙ୍କୁ ଚାପୁଡ଼ା ମାରି ଚର୍ଚ୍ଚାରୁ ଆସିଥିଲେ ବ୍ରିଜଭୂଷଣ ।

ବାରିପଦାରେ ବିଜୁ ଜନତା ଦଳ ପକ୍ଷରୁ ବନ୍ଧୁମିଳନ କାର୍ଯ୍ୟକ୍ରମ

ବାରିପଦା: ମକର ପର୍ବ ଅବସରରେ ବାରିପଦାରେ ବିଜୁ ଜନତା ଦଳ ପକ୍ଷରୁ ବନ୍ଧୁମିଳନ କାର୍ଯ୍ୟକ୍ରମ। ରାଜ୍ୟ ବିଜେଡିର ସାଂଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରିଥିଲେ। ମୟୂରଭଞ୍ଜ ଜିଲ୍ଲା ବିଜେଡ଼ିର ପ୍ରମୁଖ ନେତାମାନେ ଏଥିରେ ସାମିଲ ହୋଇଥିଲେ । ଏହାକୁ ନେଇ ସେଠାରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା ।

ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରିବେ ୨୦ ମନ୍ତ୍ରୀ, ଜାଣନ୍ତୁ କେଉଁଠି, କିଏ…

ଭୁବନେଶ୍ୱର: ଆଉ ଦିନକେଇଟା ପରେ ସାଧାରଣତନ୍ତ୍ର ଦିବସ । ରାଜ୍ୟସ୍ତରୀୟ ପରେଡ୍ ଆୟୋଜିତ ହେବ । ୨୦ଜିଲ୍ଲାରେ ମନ୍ତ୍ରୀମାନେ କରିବେ ପତାକା ଉତ୍ତୋଳନ। ଏନେଇ ପ୍ରକାଶ ପାଇଛି ତାଲିକା । ଜାଣନ୍ତୁ, ସାଧାରଣତନ୍ତ୍ର ଦିବସରେ କେଉଁଠି କିଏ କରିବେ ପତାକା ଉତ୍ତୋଳନ।…

ମନ୍ତ୍ରୀ ଜଗନ୍ନାଥ ସାରକା ଗଜପତିରେ ପତାକା ଉତ୍ତୋଳନ କରିବାକୁ ଥିବା ବେଳେ ମନ୍ତ୍ରୀ ନିରଞ୍ଜନ ପୂଜାରି ଯିବେ କଟକ । ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗଞ୍ଜାମରେ କରିବେ ପତାକା ଉତ୍ତୋଳନ । ପ୍ରଦୀପ କୁମାର ଅମାତ ସୁବର୍ଣ୍ଣପୁର । ପ୍ରମିଳା ମଲ୍ଲିକ ଜଗତସିଂହପୁର ଯିବେ। କେନ୍ଦୁଝରରେ ମନ୍ତ୍ରୀ ଉଷା ଦେବୀ । କେନ୍ଦ୍ରାପଡାରେ ପ୍ରଫୁଲ୍ଲ କୁମାର ମଲ୍ଲିକ କରିବେ ଫ୍ଲାଗ୍ ହୋଷ୍ଟିଂ । ମନ୍ତ୍ରୀ ପ୍ରତାପ କେଶରୀ ଦେବ ପୁରୀରେ ପତାକା ଉତ୍ତୋଳନ କରିବାକୁ ଥିବା ବେଳେ ଢେଙ୍କାନାଳରେ ଅତନୁ ସବ୍ୟସାଚୀ ନାୟକ ପତାକା ଉତ୍ତୋଳନ କରିବେ । କଳାହାଣ୍ଡି ଗସ୍ତ କରିବେ ମନ୍ତ୍ରୀ ନବ କିଶୋର ଦାସ । ମନ୍ତ୍ରୀ ଟୁକୁନି ସାହୁ ମାଲକାନାଗିରିରେ କରିବେ ପତାକା ଉତ୍ତୋଳନ  । ଅଶୋକ ଚନ୍ଦ୍ର ପଣ୍ଡା ମୟୁରଭଞ୍ଜ, ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଯିବେ ବରଗଡ଼ । ମନ୍ତ୍ରୀ ସମୀର ରଞ୍ଜନ ଦାସ ଯିବେ ବାଲେଶ୍ୱର ।

ସୁନ୍ଦରଗଡ଼ରେ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ, କନ୍ଧମାଳରେ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, କୋରାପୁଟରେ ମନ୍ତ୍ରୀ ତୁଷାରକାନ୍ତି ବେହେରା, ବଲାଙ୍ଗୀରରେ ମନ୍ତ୍ରୀ ରୋହିତ ପୂଜାରୀ, ସମ୍ୱଲପୁରରେ ମନ୍ତ୍ରୀ ରୀତା ସାହୁ, ଦେଓଗଡ଼ରେ ମନ୍ତ୍ରୀ ବାସନ୍ତୀ ହେମ୍ୱ୍ରମ କରିବେ ପତାକା ଉତ୍ତୋଳନ।

ଅନୁଗୁଳ, ଭଦ୍ରକ, ବୌଦ୍ଧ, ଯାଜପୁର ଝାରସୁଗୁଡ଼ା, ଖୋର୍ଦ୍ଧା, ନୂଆପଡ଼ା, ନବରଙ୍ଗପୁର, ନୟାଗଡ଼ ଓ ରାୟଗଡ଼ା ଜିଲ୍ଲାପାଳ କରିବେ ପତାକା ଉତ୍ତୋଳନ । ସେହିପରି ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ଆରଡିସି ପତାକା ଉତ୍ତୋଳନ କରିବାକୁ ସ୍ଥିର ହୋଇଥିବା ବେଳେ ରାଉରକେଲାରେ ପରେଡ୍ ଅଭିବାଦନ ଗ୍ରହଣ କରିବେ ଉତ୍ତରାଞ୍ଚଳ ଆରଡିସି ।

 

ବୋହୂକୁ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରାଯାଇନାହିଁ, ସେ ଘରେ ଜଗନ୍ନାଥ ଓ ଗଣେଶଙ୍କୁ ପୂଜା କରେ; ହ୍ୟୁମାନ ସାଗରଙ୍କ ମା’

ଭୁବନେଶ୍ୱର: ସିଙ୍ଗି ସେନସେସନ ହ୍ୟୁମାନ ସାଗର ଓ ଶ୍ରୀୟା ମିଶ୍ରଙ୍କ ଦାମ୍ପତ୍ୟ କଳିରେ ସମାଧାନର ଦିଗ ବାହାରିବ ବୋଲି ଆଶା ସୃଷ୍ଟି ହୋଇଛି। ମହିଳା ଥାନା ପୋଲିସ ଉଭୟଙ୍କୁ କାଉନସେଲିଂ କରି ସମାଧାନ ଲାଗି ଦୁଇ ଦିନ ସମୟ ଦେଇଛି। ଆଜି ଏଥିରେ ନୂଆ ମୋଡ ଦେଖିବାକୁ ମିଳିଛି। ବୋହୂ ଶ୍ରୀୟାଙ୍କୁ ଘରକୁ ଫେରାଇ ଆଣିବାକୁ ଚାହୁଁଛନ୍ତି ହ୍ୟୁମାନଙ୍କ ମାଆ ଶେଫାଳି ସୁନା ।

ନାତୁଣୀ ଓ ବୋହୂ ଶ୍ରୀୟାଙ୍କୁ ବେଶ ମନ ପକାଉଛନ୍ତି ମାଆ ଶେଫାଳି ଓ ହ୍ୟୁମାନ । ବୋହୂକୁ କୌଣସି ଭାବେ ଧର୍ମ ପରିବର୍ତ୍ତନ ନେଇ ବାଧ୍ୟ କରାଯାଇ ନାହିଁ । ତାଙ୍କୁ ଘରେ ଜଗନ୍ନାଥ, ଗଣେଶ ମୂର୍ତ୍ତି ରଖି ଠାକୁର ପୂଜା କରିବାକୁ କେହି ବାଧା ଦେଇନାହାଁନ୍ତି। ବୋହୂକୁ କୌଣସି କାମ ପାଇ ବାଧ୍ୟ ମଧ୍ୟ କରାଯାଇ ନାହିଁ । ନିଜ ଇଚ୍ଛାରେ ବୋହୂ ଘରେ ପୂଜା କରିଥାଏ । ଏହା ସହ ବୋହୂର ବାପା ମାଆ ମଧ୍ୟ ଆସିଲେ ପୂଜା କରିଥାନ୍ତି । ପୁଅ ବୋହୂ ଏକାଠି ରୁହନ୍ତୁ ଏତିକି ଚାହୁଁଥିବା କହିଛନ୍ତି ହ୍ୟୁମାନଙ୍କ ମାଆ ଶେଫାଳି ସୁନା |

ଅନ୍ୟପଟେ ଭଗବାନ ଅଛନ୍ତି ସବୁ ଦେଖୁଛନ୍ତି ସେଥିପାଇଁ ମନରେ ଭୟ ନାହିଁ । ପତ୍ନୀ ଓ ଝିଅ ମୋ ପାଖକୁ ଫେରି ଆସନ୍ତୁ ବୋଲି ମହିଳା ଥାନାରେ କହିଛନ୍ତି ହ୍ୟୁମାନ। ଦୁଇଦିନ ସମୟ ନେଇ ଶ୍ରୀୟା ଠିକ ନିଷ୍ପତ୍ତି ନେବେ ବୋଲି ଆଶା କରିଛନ୍ତି କଣ୍ଠ ଶିଳ୍ପୀ ହ୍ୟୁମାନ ସାଗର ।

ଚଳିତ ହକି ବିଶ୍ୱକପରେ ଦଳ ବଦଳାଇଛନ୍ତି ପେଲାଟ୍ ଓ ମେନିନି

ଭୁବନେଶ୍ୱର: ଆରମ୍ଭ ହୋଇସାରିଛି ହକି ମହାକୁମ୍ଭ । ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯାଉଛି ହକି ବିଶ୍ୱକପର ୧୫ତମ ସଂସ୍କରଣ । ଚଳିତ ବିଶ୍ୱକପରେ ଦେଖିବାକୁ ମିଳୁଛି ରୋଚକ ତଥ୍ୟ । ଚଳିତ ବିଶ୍ୱକପରେ ଦୁଇ ଜଣ ଖେଳାଳି ଦଳ ବଦଳ କରି ଖେଳୁଛନ୍ତି । ଆର୍ଜେଣ୍ଟିନା ପକ୍ଷରୁ ପୂର୍ବରୁ ଖେଳୁଥିବା ଗୋଞ୍ଜାଲୋ ପେଲାଟ୍ ଓ ଜୋଆକ୍ୱିନ୍ ମେନିନି ଅଲଗା ଦେଶରୁ ଖେଳୁଛନ୍ତି । ପେଲାଟ୍ ଚଳିତ ବିଶ୍ୱକପରେ ଜର୍ମାନୀ ପକ୍ଷରୁ ଖେଳୁଥିବାବେଳେ ମେନିନି ସ୍ପେନକୁ ବଦଳ ହୋଇଆସିଛନ୍ତି ।

ଆର୍ଜେଣ୍ଟିନାର ଦୁର୍ଦ୍ଦଷ ଡ୍ରାଗ୍ ଫ୍ଲିକର ଗୋଞ୍ଜାଲୋ ପେଲାଟ୍ । ଏହି ୩୦ ବର୍ଷୀୟ ହକି ଖେଳାଳି ଆର୍ଜେଣ୍ଟିନା ବହୁ ସଫଳତା ଆଣିଛନ୍ତି । ୨୦୧୬ ରିଓ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ହେଉ କିମ୍ବା ୨୦୧୪ ବିଶ୍ୱକପରେ ବ୍ରୋଞ୍ଜ ପଦକ । ଏହି ଟୁର୍ଣ୍ଣାମେଣ୍ଟରେ ପଦକ ଜିତିଇବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ୨୦୧୬ ଅଲମ୍ପିକ୍ସରେ ପେଲାଟ୍ ଆର୍ଜେଣ୍ଟିନା ପକ୍ଷରୁ ୧୧ଟି ଗୋଲ୍ ଦେଇ ଶ୍ରେଷ୍ଠ ଗୋଲ ସ୍କୋରର ହୋଇଥିଲେ । ସେହିପରି ୨୦୧୪ ହକି ବିଶ୍ୱକପରେ ୧୦ଟି ଗୋଲ ସ୍କୋର କରି ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।

ଆର୍ଜେଣ୍ଟିନା ପକ୍ଷରୁ ଗୋଞ୍ଜାଲ ପେଲାଟ୍ ୧୫୩ଟି ମ୍ୟାଚ୍ ଖେଳି ୧୭୬ଟି ଗୋଲ୍ ସ୍କୋର କରିବାରେ ସଫଳ ହୋଇଥିଲା । କିନ୍ତୁ ୨୦୧୯ରେ ଆର୍ଜେଣ୍ଟିନା କୋଚ୍ ଜର୍ମାନ ଓରୋଜକୋଙ୍କ ସହ ତାଙ୍କର ବିବାଦ ଯୋଗୁ ଦଳ ଛାଡ଼ିବାକୁ ବାଧ୍ୟ ହୋଇଥିଲେ ପେଲାଟ୍ । ପରେ ୨୦୨୨ରେ ସେ ଜର୍ମାନୀ ନାଗରିକତ୍ୱ ଗ୍ରହଣ କରିବା ସହ ଜାତୀୟ ହକି ଦଳରେ ସାମିଲେ ହୋଇଥିଲେ ।

ସେହିପରି ୨୦୧୪ରେ ଆର୍ଜେଣ୍ଟିନା ପାଇଁ ଡେବ୍ୟୁ କରିଥିବା ଜୋଆକ୍ୱିନ୍ ମେନିନି ୨୦୨୮ ବିଶ୍ୱକପ୍ ଖେଳିବା ପରେ ଆଉ ଦଳରେ ସ୍ଥାନ ପାଇନଥିଲେ । ତେଣୁ ସେ ୨୦୨୨ରେ ସ୍ପେନ୍ ଦଳରେ ସାମିଲ ହୋଇଥିଲେ । ମେନିନି ଆର୍ଜେଣ୍ଟିନା ପକ୍ଷରୁ ୧୧୦ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ତେବେ ଉଭୟ ଖେଳାଳି ଚମତ୍କାର ପ୍ରଦର୍ଶନ କରି ଆର୍ଜେଣ୍ଟିନା ପାଇଁ ବହୁ ସଫଳତା ଆଣିଥିଲେ । ଏବେ ଏହି ଦୁଇ ଖେଳାଳି ଜର୍ମାନୀ ଓ ସ୍ପେନ ପକ୍ଷରୁ ଖେଳି କେତେ ସଫଳ ହେଉଛନ୍ତି ତାହା ଦେଖିବାର ବିଷୟ ।

ଅନ୍ତର୍ଜାତୀୟ କ୍ରାଫ୍ଟ ସମ୍ମିଳନୀରେ ବଲିଉଡ଼ ଅଭିନେତ୍ରୀ ଦୀୟା ମିର୍ଜା

ବ୍ୟାସନଗର: ଯାଜପୁର ବ୍ୟାସନଗରରେ ଅନୁଷ୍ଠିତ ଅନ୍ତର୍ଜାତୀୟ କ୍ରାଫ୍ଟ ସମ୍ମିଳନୀରେ ଯୋଗଦେଇଥିଲେ ବଲିଉଡ଼ ଅଭିନେତ୍ରୀ ଦୀୟା ମିର୍ଜା। ଓଡ଼ିଶାକୁ ଆସି ସେ ଖୁବ୍ ଖୁସି ଏବଂ ଓଡ଼ିଶାର କଳା ସଂସ୍କୃତି ତାଙ୍କୁ ବେଶି ପ୍ରଭାବିତ କରିଛି ବୋଲି କହିଛନ୍ତି। ସେ ଆଉଥରେ ଆସିବେ ବୋଲି ମଧ୍ୟ କହିଛନ୍ତି । ବର୍ତ୍ତମାନ ଅତ୍ୟାଧୁନିକ ଜ୍ଞାନ କୌଶଳ ଆପଣାଯାଉଛି । ଜଳବାୟୁ ଠିକ ରହିଲେ କାରିଗରଙ୍କୁ କାମ କରିବାରେ ସୁବିଧା ହୁଏ । କାରିଗରଙ୍କୁ ସଠିକ ପାରିଶ୍ରମିକ ମିଳୁ ବୋଲି କହିଛନ୍ତି ଦୀୟା ମିର୍ଜା । ସଠିକ ପାରିଶ୍ରମିକ ମିଳିଲେ ଶିକ୍ଷା, ସ୍ୱାସ୍ଥ୍ୟ ଆଦିରେ ଉନ୍ନତି ହୋଇପାରିବ।

ଗଞ୍ଜାମରେ ଚାଞ୍ଚଲ୍ୟ; ଶିଶୁକନ୍ୟାକୁ କୂଅରେ ଫିଙ୍ଗି ମାଆ ଫେରାର

ଗଞ୍ଜାମ: ଶିଶୁ କନ୍ୟାକୁ କୂଅରେ ଫିଙ୍ଗି ମାଆ ଫେରାର। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ କଙ୍କୋରଡ଼ା ବ୍ରାହ୍ମଣ ସାହିରେ ଏହି ଅଭାବନୀୟ ଘଟଣା ଘଟିଛି । ସୌଭାଗ୍ୟ ବଶତଃ ବଞ୍ଚିଯାଇଛି ଶିଶୁକନ୍ୟା ।

ଗତକାଲି ବିଳମ୍ବିତ ରାତ୍ରିରେ ଏଭଳି ଅଭାବନୀୟ ଘଟଣା କଙ୍କୋରଡ଼ା ବ୍ରାହ୍ମଣ ସାହିରେ ଘଟିଛି। କୂଅରୁ ଶିଶୁକନ୍ୟାକୁ ସ୍ଥାନୀୟ ବାସିନ୍ଦା ଉଦ୍ଧାର କରିଛନ୍ତି। ଶିଶୁକନ୍ୟା ଶୋଇଥିବା ବେଳେ ତା’ ମାଆ ଉଠାଇ ନେଇ କୂଅରେ ଫିଙ୍ଗିବା ପରେ ଫେରାର ହୋଇଯାଇଥିଲା। ଝିଅଟି କୂଅରେ ଓହଳିକି ଥିବା ଗ୍ରାମବାସୀ ସକାଳେ ଦେଖି ଉଦ୍ଧାର କରିଥିଲେ । ତେବେ କାହିଁକି ଶିଶୁକନ୍ୟାକୁ ମାଆ କୂଅରେ ଫିଙ୍ଗିଲା, କାରଣ ଜଣାପଡ଼ିନାହିଁ। ଏହି ଭିଡିଓ ଭାଇରାଲ ହେବା ପରେ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି ।

ଅନ୍ତିମ ଚରଣରେ ଭାରତ ଯୋଡ଼ ଯାତ୍ରା, କନ୍ୟାକୁମାରୀରୁ ବାହାରି କାଶ୍ମୀରରେ ପହଞ୍ଚିଲେ ରାହୁଲ

ନୂଆଦିଲ୍ଲୀ: ଅନ୍ତିମ ଚରଣରେ ପହଞ୍ଚିଛି ଭାରତ ଯୋଡ଼ ଯାତ୍ରା । ରାହୁଲ ଗାନ୍ଧିଙ୍କ ଅଧ୍ୟକ୍ଷତାରେ କନ୍ୟାକୁମାରୀରୁ ବାହାରିଥିବା ପଦଯାତ୍ରା କାଶ୍ମୀରରେ ପହଞ୍ଚିଛି । ଗୋଟିଏ ଟି-ସର୍ଟରେ କନ୍ୟାକୁମାରୀରୁ କାଶ୍ମୀର ଯାତ୍ରା କରିଛନ୍ତି ରାହୁଲ । ଜାମ୍ମୁ-କାଶ୍ମୀରରେ ପହଞ୍ଚିବା ପରେ ଘରକୁ ଫେରିବା ଭଳି ଲାଗୁଛି ବୋଲି ରାହୁଲ କହିଛନ୍ତି । ଉପତ୍ୟକାବାସୀଙ୍କ ଦୁଃଖ ମୁଁ ଜାଣିଛି ଓ ନତମସ୍ତକ ହୋଇ ସେମାନଙ୍କ ପାଖକୁ ଆସିଛି ବୋଲି ଆୟୋଜିତ ସଭାରେ ରାହୁଲ କହିଛନ୍ତି । ସେପଟେ ରାହୁଲଙ୍କ କନ୍ୟାକୁମାରୀରୁ କାଶ୍ମୀର ଯାତ୍ରାକୁ ଶଙ୍କରାଚାର୍ଯ୍ୟଙ୍କ ଯାତ୍ରା ସହ ତୁଳନା କରିଛନ୍ତି ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ।

ରାସ୍ତା ନଥିବା ବେଳେ ଜଙ୍ଗଲ ଦେଇ କନ୍ୟାକୁମାରୀରୁ କାଶ୍ମୀର ଆସିଥିଲେ ଶଙ୍କରାଚାର୍ଯ୍ୟ । ଏହି ଯାତ୍ରା କରିବାରେ ରାହୁଲ ଦ୍ବିତୀୟ ବ୍ୟକ୍ତି ବୋଲି ଫାରୁକ କହିଛନ୍ତି । ମାଦୋପୁରଠାରେ ରାହୁଲଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ସେଠାରେ ଏକ ଜନସଭାକୁ ରାହୁଲ ସମ୍ବୋଧିତ କରିଥିଲେ । ସଭାରେ ସାମିଲ ହୋଇ ରାହୁଲଙ୍କ ଯାତ୍ରାକୁ ପ୍ରଶଂସା କରିଥିଲେ ଫାରୁକ ଅବଦୁଲ୍ଲା । ଜାନୁଆରୀ ୩୦ ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ କାଶ୍ମୀରରେ କଂଗ୍ରେସ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏଥିରେ ୨୧ ଆଞ୍ଚଳିକ ଦଳର ନେତା ସାମିଲ ହେବାକୁ କଂଗ୍ରେସ ପକ୍ଷରୁ ଆମନ୍ତ୍ରଣ କରାଯାଇଛି ।

ବୌଦ୍ଧରେ ଗଞ୍ଜେଇ କାରବାର, ୨ କନେଷ୍ଟବଳ ନିଲମ୍ବିତ

ବୌଦ୍ଧ: ଗଞ୍ଜେଇ କାରବାରରେ ଜଣେ ଫାଣ୍ଡି ଅଧିକାରୀ ସମେତ ୨ କନେଷ୍ଟବଳ ନିଲମ୍ବିତ। ବୌଦ୍ଧ ଜିଲ୍ଲାରେ ଗଞ୍ଜେଇ ଚାଷ ପଛରେ ପୋଲିସର ସଂପୃକ୍ତିକୁ ନେଇ ସବୁବେଳେ ଅଭିଯୋଗ ହୋଇଆସୁଛି। ଏହାରି ଭିତରେ ତିନିଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ଏହି ଅଭିଯୋଗର ସତ୍ୟତାକୁ ପ୍ରମାଣିତ କରିଛି ।

ଗତ ୧୬ ତାରିଖ ଦିନ ବଡଗୋଛାପଡା ଗାଁର ଚନ୍ଦନ ପ୍ରଧାନ ଓ ସରଜିତ ମଲ୍ଲିକ ଏକ ବାଇକ ଯୋଗେ ଗଞ୍ଜେଇ ଚାଲାଣ କରୁଥିବାବେଳେ ବେରେଡାବାଡି ଛକ ନିକଟରୁ ବଘିଆପଡା ଫାଣ୍ଡି ଅଧିକାରୀ ସନାତନ ପ୍ରଧାନ ଓ ଦୁଇଜଣ କନଷ୍ଟେବଳ ସଞ୍ଜିବ କୁମାର ପ୍ରଧାନ ଓ କେଶବ ପ୍ରଧାନଙ୍କୁ ଧରିବାପରେ ଛାଡି ଦେଇଥିଲେ । ଅଭିଯୁକ୍ତମାନଙ୍କ ବିରୋଧରେ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାବେଳେ ଦୁଇଟି ବ୍ୟାଗରେ ଥିବା ଜବତ ଗଞ୍ଜେଇକୁ ପୋଲିସ କର୍ମଚାରୀମାନେ ସାଙ୍ଗରେ ନେଇ ନିଜ ସରକାରୀ କ୍ୱାର୍ଟରରେ ରଖିଥିଲେ ।

ତେବେ ଘଟଣା ସଂପର୍କରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜାଣିବାପରେ ବୌଦ୍ଧ ଥାନା ଅଧିକାରୀ ମାଧବାନନ୍ଦ ନାଏକଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ କର୍ମଚାରୀଙ୍କ ସରକାରୀ କ୍ୱାର୍ଟରରୁ ଦୁଇଟି ବ୍ୟାଗରେ ଥିବା ୧୩ କିଲୋ ଗଞ୍ଜେଇ ସହ ଏକ ମଟରସାଇକେଲ ଉଦ୍ଧାର ହେବାପରେ ଫାଣ୍ଡି ଅଧିକାରୀ ଓ ଦୁଇ କନେଷ୍ଟବଳଙ୍କୁ ଆରକ୍ଷୀ ଅଧିକ୍ଷକ ନିଳମ୍ବିତ କରିବା ସହିତ ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।

ରିଲିଜ ପୂର୍ବରୁ ବକ୍ସ ଅଫିସରେ ପଠାନ କ୍ରେଜ୍, ପ୍ରି-ବୁକିଂରେ ୯ କୋଟିର ବିଜନେସ୍

ମୁମ୍ବାଇ: ରିଲିଜ ପୂର୍ବରୁ ବକ୍ସ ଅଫିସରେ ପଠାନ କ୍ରେଜ୍ । ପ୍ରାୟ ୪ ବର୍ଷ ଧରି ବଡ଼ ସ୍କ୍ରିନରୁ ଦୂରରେ ରହିଥିବା କିଙ୍ଗ ଖାନଙ୍କ ଫିଲ୍ମ ପଠାନକୁ ନେଇ ଫ୍ୟାନଙ୍କ ମଧ୍ୟରେ ଅନେକ ଉତ୍ସାହ । ତମାମ ବିରୋଧ ସତ୍ତ୍ବେ ପଠାନ ଫିଲ୍ମକୁ ଅତି ଉତ୍ସାହର ସହ ଅପେକ୍ଷା କରିଛନ୍ତି ପ୍ରଶଂସକ । ପ୍ରି-ବୁକିଂରେ ୯ କୋଟି ଟଙ୍କାର ବିଜନେସ କରିଛି ଶାହରୁଖଙ୍କ ଫିଲ୍ମ । ଅନଲାଇନରେ ଟିକେଟ ବୁକିଂ ଆରମ୍ଭ ହୋଇଯାଇଥିବା ବେଳେ ଆଡଭାନ୍ସ ବୁକିଂରେ ୧ ଲକ୍ଷ ୧୭ ହଜାର ଟିକେଟ ବୁକ୍ ହୋଇଛି । ଇଣ୍ଡିଆନ ବକ୍ସ ଅଫିସ ଏନେଇ ଟୁଇଟ କରିଛି ।

ମଲ୍ଟିପ୍ଲେକ୍ସ ଚେନ୍ସରେ ୧ ଲକ୍ଷ ୧୭ ହଜାର ଟିକେଟ ବିକ୍ରି କରି ନୂଆ ରେକର୍ଡ ସୃଷ୍ଟି କରିଛି ପଠାନ । ପିଭିଆର୍ ୫୧ ହଜାର ଟିକେଟ ବିକ୍ରି କରିଥିବା ବେଳେ INOX ୩୮ ହଜାର ୫ ଶହ ଓ ସିନୋପଲିସ ୨୭ ହଜାର ୫ ଶହ ଟିକେଟ ବିକ୍ରି କରିଛି ବୋଲି ସିନେ ସମୀକ୍ଷକ ତରଣ ଆଦର୍ଶ କହିଛନ୍ତି । ଶାହାରୁଖ ଖାନ୍, ଦୀପିକା ପାଦୁକୋନ ଓ ଜନ୍ ଇବ୍ରେହିମଙ୍କ ଅଭିନୀତ ପଠାନ ଫିଲ୍ମ ଆସନ୍ତା ୨୫ ତାରିଖରେ ବଡ଼ ପରଦାରେ ରିଲିଜ ହେବ । ଆଶୁତୋଷ ରାଣାଙ୍କୁ ମଧ୍ୟ ଫିଲ୍ମରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ ।