ଆକାଶରୁ ଅଗ୍ନି ବର୍ଷା, ଦିନ ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ବରରେ ୩୯ ଡିଗ୍ରୀ ଛୁଇଁଲା ତାପମାତ୍ରା

ଭୁବନେଶ୍ୱର:  ଆକାଶରୁ ଅଗ୍ନି ବର୍ଷା । ତତଲା ତାଓ୍ବାରେ ସିଝୁଛି ରାଜଧାନୀ । ଦିନ ସାଢ଼େ ୧୧ଟା ସୁଦ୍ଧା ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୩୯ ଡିଗ୍ରୀ ରେକର୍ଡ ହୋଇଛି । ରାଜ୍ୟର ଅନ୍ୟସ୍ଥାନରେ ବି ଅସହ୍ୟ ତାତି ଅନୁଭୂତ ହେଉଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଶୁଷ୍କ ବାୟୁ ସ୍ଥିତି ସଙ୍ଗୀନ କରିଛି । ଏପ୍ରିଲ ୧୪ରୁ ୨୦ ତାରିଖ ଯାଏ ସ୍ଥିତି ଆହୁରି ସାଂଘାତିକ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏପ୍ରିଲ ୧୫ ତାରିଖରୁ ମେ ଶେଷ ପର୍ଯ୍ୟନ୍ତ ତାପମାତ୍ରା ଅହେତୁକ ବୃଦ୍ଧି ହେବ ହେବ। ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୪୦ରୁ ୪୪ ଡିଗ୍ରୀ ପର୍ଯ୍ୟନ୍ତ ରହିବା ସମ୍ଭାବନା ରହିଛି ।

ଆସନ୍ତା ୭ ଦିନ ଯାଏ ଅଧିକାଂଶ ଜିଲ୍ଲାକୁ ଅରେଞ୍ଜ ଏବଂ କିଛି ଜିଲ୍ଲାକୁ ରେଡ୍ ମାର୍କ ଜାରି କରିଛି ପାଣିପାଗ କେନ୍ଦ୍ର । ବଲାଙ୍ଗୀର, ଟିଟିଲାଗଡ଼, ସୋନପୁର, ବୌଦ୍ଧ, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଜିଲ୍ଲାକୁ ରେଡ୍ ମାର୍କ ଜାରି କରାଯାଇଛି । ଭୁବନେଶ୍ବର ସମେତ ଝାରସୁଗୁଡ଼ା, ବାରିପଦା, ସମ୍ବଲପୁର, ଚାନ୍ଦବାଲି, ହୀରାକୁଦ, ବାଲେଶ୍ବର, କେନ୍ଦୁଝର ଭଳି ସହରରେ ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିଛି । ଭୁବନେଶ୍ୱରରେ ୩୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ସମ୍ବଲପୁରରେ ୩୮  ଡିଗ୍ରୀ , ଝାରସୁଗୁଡ଼ାରେ ୩୭.୬ ଡିଗ୍ରୀ, ଚାନ୍ଦବାଲିରେ ୩୭.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ବାଲେଶ୍ୱରରେ ୩୬.୮ ଡିଗ୍ରୀ, ହୀରାକୁଦରେ ୩୬.୨ ଡିଗ୍ରୀ, କେନ୍ଦୁଝରରେ ୩୫.୪ ଡିଗ୍ରୀ, ଗୋପାଳପୁରରେ ୩୪ ଡିଗ୍ରୀ, ପୁରୀରେ ୩୩.୮ ଡିଗ୍ରୀ ଓ ପାରାଦୀପର ତାପମାତ୍ରା ୩୨.୮ ଡିଗ୍ରୀ ରହିଛି ।