ରାଜଧାନୀରେ ଧୁମଧାମରେ ପାଳିତ ହେଲା ଛେନାପୋଡ଼ ଦିବସ

ଭୁବନେଶ୍ୱର: ନୟାଗଡ଼ ବିକାଶ ମଞ୍ଚ ଓ ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ ମିଳିତ ଆନୁକୁଲ୍ୟରେ ଆଜି ଭୁବନେଶ୍ୱର ଜୟଦେବ ଭବନଠାରେ ଛେନାପୋଡ଼ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଓଡ଼ିଶାର ପ୍ରସିଦ୍ଧ ମିଠା ଛେନାପୋଡ଼କୁ ଅଧିକ ଲୋକପ୍ରିୟ ଓ ପ୍ରୋତ୍ସାହନ ଦେବା ଏ ଉତ୍ସବର ଉଦ୍ଦେଶ୍ୟ ବୋଲି ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ଉତ୍ସବରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ନୟାଗଡ଼ ବିଧାୟକ ଅରୁଣ ସାହୁ, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର, ପ୍ରସିଦ୍ଧ କଣ୍ଠଶିଳ୍ପୀ ତାନସେନ୍ ସିଂ ଓ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ସାବରମତି ଅତିଥି ଭାବେ ଯୋଗ ଦେଇଥିଲେ । ଉତ୍ସବରେ ଲେଖକ ତଥା ବିକାଶ ମଞ୍ଚର ଆବାହାତ ଶୁଭ୍ରାଂଶୁ ପଣ୍ଡା ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ଏକ ଶ୍ରୁତିମଧୁର ’ଛେନାପୋଡ଼ ସଙ୍ଗୀତ’ର ଶ୍ରୋତାର୍ପଣ କରାଯାଇଛି । ଏହି ଗୀତକୁ ଶୁଭ୍ରାଂଶୁ ପଣ୍ଡା ରଚନା କରିଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଓ କଣ୍ଠଦାନ କରିଛନ୍ତି ଅଭିଜିତ ମିଶ୍ର । ଗୀତରେ ଛେନାପୋଡ଼ର ମହିମାମଣ୍ଡନ ସାଙ୍ଗକୁ ନୟାଗଡ଼ ଜିଲ୍ଲାର ଐତିହ୍ୟ, ପରମ୍ପରା, ସଂସ୍କୃତି, ପର୍ବପର୍ବାଣି ଓ ମହାପୁରୁଷମାନଙ୍କ ବାବଦରେ ବର୍ଣ୍ଣନା ରହିଛି । ଉତ୍ସବରେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାର ବିଶିଷ୍ଟ ଛେନାପୋଡ଼ ବ୍ୟବସାୟୀ କାର୍ତ୍ତିକେଶ୍ୱର ସାହୁଙ୍କୁ ସମ୍ମାନିତ କରାଯାଇଥିଲା ।

ଏହି ସଭାରେ ନୟାଗଡ଼ରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇ ଆସିଥିବା ଛେନାପୋଡ଼, ମୁଗପୋଡ଼, ମୁଗମଣ୍ଡା ଓ ମୁଗ ପକୁଡ଼ି ଆଦି ଖାଦ୍ୟର ପ୍ରଦର୍ଶନ କରାଯାଇଥିଲା । ଏସବୁ ପାଟି ସୁଆଦିଆ ଖାଦ୍ୟର ଆନନ୍ଦ ନେବା ପାଇଁ ରାଜଧାନୀବାସୀଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଓ ଭିଡ଼ ଦେଖିବାକୁ ମିଳିଥିଲା । ଉତ୍ସବ ଶେଷରେ ପାଲା, ଦାସକାଠିଆ, ବାଘ ନାଚ, ଠକରା, ଖଞ୍ଜଣି, ପାରମ୍ପାରିକ ସଙ୍ଗୀତ ଓ ଆଧୁନିକ ସଙ୍ଗୀତ ପରିବେଷଣ କରାଯାଇଥିଲା ।