spot_img
Home Blog Page 3492

ଅନ୍ତର୍ଜାତୀୟ କ୍ରାଫ୍ଟ ସମ୍ମିଳନୀକୁ ଉଦଘାଟିତ କଲେ ମୁଖ୍ୟମନ୍ତ୍ରୀ

ବ୍ୟାସନଗର: ଯାଜପୁର ବ୍ୟାସନଗରରେ ୨ଦିନିଆ ଅନ୍ତର୍ଜାତୀୟ କ୍ରାଫ୍ଟ ସମ୍ମିଳନୀ ଉଦଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କ୍ରାଫ୍ଟ ସମ୍ମିଳନୀର ଉଦଘାଟନ କରିଛନ୍ତି। ସମ୍ମିଳନୀ ଉଦଘାଟନ କରି ଖୁସି ବ୍ୟକ୍ତ କରିଛନ୍ତି ନବୀନ। ବୌଦ୍ଧ ଧର୍ମର ପ୍ରମୁଖ କ୍ଷେତ୍ର ଥିଲା ଯାଜପୁର।

ରାଜ୍ୟ ସରକାର ଓ ଯାଜପୁର ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଏହି ସମ୍ମିଳନୀ ହେଉଛି। ଆଜି ଏବଂ ଆସନ୍ତାକାଲି ୨ ଦିନ ସମ୍ମିଳନୀ ଚାଲିବ । ଏଥିରେ ୧୬ଟି ଦେଶ ଅଂଶଗ୍ରହଣ କରିଛନ୍ତି। ମୋଟ୍ ୧୦ଟି ଅଧିବେଶନ ଅନୁଷ୍ଠିତ ହେବ। ୨୦ଜଣ ଅନ୍ତର୍ଜାତୀୟ କଳାକାର ଭାଗ ନେଇଛନ୍ତି। ଶହେରୁ ଅଧିକ ସ୍ଥାନୀୟ କାରିଗର ଓ ପ୍ରତିନିଧି ଏବଂ ୫୦ ବକ୍ତା ରହିଛନ୍ତି ।

ହକି ବିଶ୍ୱକପ; ଆଜି ଖେଳାଯିବ ୪ଟି ମ୍ୟାଚ

ରାଉରକେଲା: ଆଜି ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ହେବ ଗୋଲ୍ ବର୍ଷା । ଖେଳାଯିବ ହକି ବିଶ୍ବକପର ୪ଟି ମ୍ୟାଚ । ଦିନ ଗୋଟାଏରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ ଥିବା ବେଳେ ଅପରାହ୍ନ ୩ଟାରେ ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ମୁକାବିଲା ରହିଛି। ସେହିପରି ସଂଧ୍ୟା ୫ଟାରେ ବେଲଜିୟମ ଓ ଜାପାନ ମଧ୍ୟରେ ଟକ୍କର ହେବ । ରାତି ୭ଟାରେ କୋରିଆ ଓ ଜର୍ମାନୀ ମଧ୍ୟରେ ଖେଳାଯିବ ମ୍ୟାଚ୍‌ ।

ଉଲ୍ଲେଖଯୋଗ୍ୟ, ଗତକାଲି ହକି ବିଶ୍ବକପ ମହାକୁମ୍ଭରେ ବାଜମାତ କରିଥିଲା ଭାରତ। କଳିଙ୍ଗ ଷ୍ଟାଡିୟମରେ ଓ୍ବେଲ୍ସକୁ ୪-୨ ଗୋଲରେ ହରାଇଥିଲା ଇଣ୍ଡିଆ। ଭାରତ ପକ୍ଷରୁ ପ୍ରଥମ ଗୋଲ ସମଶେର ସିଂ ଦେଇଥିବା ବେଳେ ୨ଟି ଗୋଲ ଦେଇଥିଲେ ଆକାଶଦୀପ ସିଂ ଓ ଶେଷ ଗୋଲ ଦେଇଥିଲେ ହରମନପ୍ରୀତ ସିଂ। ଶେଷରେ ମ୍ୟାଚକୁ ୪-୨ ଗୋଲରେ ଜିତି ନେଇଥିଲା ଟିମ୍ ଇଣ୍ଡିଆ । ତେବେ କ୍ବାଟରକୁ ଯିବା ପାଇଁ କ୍ରସ ଓଭର ମ୍ୟାଚ ଖେଳିବ ଭାରତ । ଆସନ୍ତା ୨୨ତାରିଖରେ ପୁଲ ସିର ତୃତୀୟରେ ଥିବା ନ୍ୟୁଜିଲାଣ୍ଡ ସହ କ୍ରସ ଓଭର ଖେଳିବ ଟିମ୍ ଇଣ୍ଡିଆ।

୨୩ରେ ନୌସେନାରେ ସାମିଲ ହେବ ଆଇଏନଏସ୍ ବାଗିର

ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ରାଜ୍ କରିବ ବାହୁବଳୀ । ଆସନ୍ତା ଜାନୁଆରୀ ୨୩ରେ ନୌସେନାରେ ସାମିଲ ହେବ ଆଇଏନଏସ୍ ବାଗିର। ଫିପଥ୍ ଡିଜେଲ ଇଲେକ୍ଟ୍ରିକ ସ୍କର୍ପିନ ଆଇଏନଏସ ବାଗିର ନୌସେନାର ସାମିଲ ହେବା ଲାଗି ଶେଷ ହୋଇଛି ସମସ୍ତ ପ୍ରସ୍ତୁତି। ଫ୍ରାନ୍ସର ମେସର୍ସ ନାଭାଲ ଗ୍ରୁପ ସହାୟତାରେ ମୁମ୍ବାଇସ୍ଥିତ ମାଜାଗାଁ ଡକ ସିପ୍ ବିଲଡର୍ସ ଲିମିଟେଡ ପକ୍ଷରୁ ନିର୍ମିତ ଏହି ବୁଡ଼ାଜାହାଜ ବିଶ୍ବସ୍ତରୀୟ ଏବଂ ଭାରତୀୟ ପ୍ରତିରକ୍ଷାକୁ ଅଧିକ ଶକ୍ତିଶାଳୀ କରିବ ।

କାଲଭାରି ଶ୍ରେଣୀର ଏହି ସବମରିନ ମଧ୍ୟରୁ ଆଇଏନଏସ କାଲଭାରି, ଆଇଏନଏସ କରଞ୍ଜ, ଆଇଏନଏସ ବେଳା ଭାରତୀୟ ନୌସେନାରେ ସାମିଲ ହୋଇସାରିଛି । ଆଣ୍ଟି ସରଫେସ ଓ୍ବାରଫେର, ଆଣ୍ଟିସବମରିନ ଓ୍ବାରଫେର, ଇଣ୍ଟେଲିଜେନସି ଗ୍ୟାଦରିଂ, ସର୍ଭେଲାନ୍ସ ମିସନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଛି ଆଇଏନଏସ ବାଗିର । ଗତ କିଛିମାସ ତଳେ ଆଇଏନଏସ ବାଗିରର ହୋଇଥିବା ସମସ୍ତ ଟ୍ରାଏଲ ସଫଳ ହୋଇଥିଲା ।

ଏଥିରେ ଖଞ୍ଜାଯାଇଥିବା ସମସ୍ତ ଅସ୍ତ୍ରଶସ୍ତ୍ର ବ୍ୟବସ୍ଥା ଓ ସେନସର ଟ୍ରାଏଲ ମଧ୍ୟ ସମ୍ପୂର୍ଣ୍ଣ ସଫଳ ହୋଇଥିଲା । ପ୍ରଥମ ଥର ଲାଗି ୧୯୭୩ ନଭେମ୍ବର ୧ରେ ଆଇଏନଏସ ବାଗିରର ପ୍ରଥମ ଭର୍ସନ ନୌସେନାରେ ସାମିଲ ହୋଇଥିଲା । ଏହା ପରଠାରୁ ଅନେକ ମିସନରେ ନିଜର ସଫଳ ପରାକାଷ୍ଠା ପ୍ରଦର୍ଶନ କରିଆସିଛି ଆଇଏନଏସ ବାଗିର ।

ଋଷ ପରାଜୟ ହେଲେ ଘଟିପାରେ ଆଣବିକ ଯୁଦ୍ଧ

ମସ୍କୋ: ଯୁଦ୍ଧରେ ଯଦି ଋଷର ପରାଜୟ ହୁଏ ତେବେ ଆଣବିକ ଯୁଦ୍ଧ ଘଟିପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ଋଷର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରି ମେଦଭେଦେବ । ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ସେ କହିଛନ୍ତି ଯଦି ପାରମ୍ପରିକ ଯୁଦ୍ଧରେ କୌଣସି ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ରର ପରାଜୟ ଘଟେ ତେବେ ଆଣବିକ ଯୁଦ୍ଧ ଆଶଙ୍କାକୁ ଏଡାଇ ଦିଆଯାଇପାରିବ ନାହିଁ ।

ସେ କହିଛନ୍ତି- ଅଧିକାଂଶ ପ୍ରମୁଖ ବିବାଦରେ ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ରମାନେ କେବେ ବି ପରାଜିତ ହୋଇନାହା୍ନ୍ତି । ଯଦି ୟୁକ୍ରେନକୁ ପାଶ୍ଚାତ୍ୟ ରାଷ୍ଟ୍ର ଅଧିକ ଅସ୍ତ୍ର ଯୋଗାନ୍ତି ତେବେ ଆଣବିକ ଯୁଦ୍ଧ ଘଟିପାରେ ବୋଲି ସେ ସତର୍କ କରାଇଛନ୍ତି । ସେପଟେ ଯଦି ୟୁକ୍ରେନକୁ ଅଧିକ ଅସ୍ତ୍ର ଦେବା ଲାଗି ପାଶ୍ଚାତ୍ୟ ରାଷ୍ଟ୍ର ଆଗ୍ରହୀ ହୁଅନ୍ତି ତେବେ ୟୁକ୍ରେନରେ ପୁନର୍ବାର ଜୋରଦାର ଆକ୍ରମଣ ହେବ ବୋଲି ଧମକ ଦେଇଛି ଋଷ ।

ଆଜି ଜର୍ମାନୀର ରାମଷ୍ଟେନ ଏୟାରବେସରେ ଆମେରିକା ନେତୃତ୍ବରେ ମିତ୍ର ଶକ୍ତିରାଷ୍ଟ୍ରଗୁଡ଼ିକର ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକ ଅନୁଷ୍ଠିତ ହେବ । ୟୁକ୍ରେନକୁ ଅଧିକ ଶକ୍ତିଶାଳୀ ଅସ୍ତ୍ର ଯୋଗାଇବା ଲାଗି ଏହି ବୈଠକରେ ନିଷ୍ପତ୍ତି ନିଆଯିବା ସମ୍ଭାବନା ରହିଛି । ସେପଟେ ୟୁକ୍ରେନକୁ ଅଧିକ ଅସ୍ତ୍ରଶସ୍ତ୍ର ନଦେବା ଲାଗି ପାଶ୍ଚାତ୍ୟରାଷ୍ଟ୍ରକୁ ଚେତାବନୀ ଦେଇଛି କ୍ରେମଲିନ । ଆମେରିକା ବା ନାଟୋ ଶକ୍ତି ୟୁକ୍ରେନକୁ ଯେକୌଣସି ଅସ୍ତ୍ର ଯୋଗାଇଲେ ବି ତାହାକୁ ଧ୍ବଂସ କରିଦିଆଯିବ ବୋଲି କହିଛି କ୍ରେମଲିନ ।

ଯାଜପୁରରେ ୨ ଦିନିଆ ଅନ୍ତର୍ଜାତୀୟ କ୍ରାଫ୍ଟ ସମ୍ମିଳନୀ

ଯାଜପୁର: ଆଜିଠୁ ଯାଜପୁର ବ୍ୟାସନଗରରେ ୨ଦିନିଆ ଅନ୍ତର୍ଜାତୀୟ କ୍ରାଫ୍ଟ ସମ୍ମିଳନୀ। ଆଜି ଏବଂ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ୧୬ଟି ଦେଶ ଅଂଶଗ୍ରହଣ କରିବେ। ମୋଟ୍ ୧୦ଟି ଅଧିବେଶନ ଅନୁଷ୍ଠିତ ହେବ। ୨୦ଜଣ ଅନ୍ତର୍ଜାତୀୟ କଳାକାର ଭାଗ ନେବେ । ଶହେରୁ ଅଧିକ ସ୍ଥାନୀୟ କାରିଗର ଓ ପ୍ରତିନିଧି ଏବଂ ୫୦ ବକ୍ତା ରହିବେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କ୍ରାଫ୍ଟ ସମ୍ମିଳନୀର ଉଦଘାଟନ କରିଛନ୍ତି। ବିଶ୍ୱବ୍ୟାପୀ ଯାଜପୁରର ହସ୍ତଶିଳ୍ପ ଓ କଳା ପ୍ରଦର୍ଶନ କରିବାକୁ ଏହି ଅନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀ ପ୍ଲାଟଫର୍ମ ପ୍ରଦାନ କରିବ। ଯାହା ଏହି ସମ୍ମିଳନୀ ଆୟୋଜନର ମୂଳ ଉଦ୍ଦେଶ୍ୟ‌। UNDP, UNESCO, UNHABITAT, UNICEF ପରି ବିଶ୍ୱସ୍ତରୀୟ ସଂଗଠନଗୁଡିକର ବିଶେଷଜ୍ଞ ଏବଂ ବିଶ୍ୱସ୍ତରୀୟ କଳାକାରମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ।

ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ, ରାଜ୍ୟ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିର଼ଞ୍ଜନ ଘଡ଼େଇ, ୟୁନେସ୍କୋର ନୂଆଦିଲ୍ଲୀ କ୍ଲଷ୍ଟର କାର୍ଯ୍ୟାଳୟର ସଂସ୍କୃତି କ୍ଷେତ୍ରରେ ମୁଖ୍ୟ ଭାବେ ଥିବା ଅଧିକାରୀ, ମନ୍ତ୍ରୀ ଅଶୋକ ପଣ୍ଡା ପ୍ରମୁଖ ଯୋଗଦେବେ। ସମ୍ମିଳନୀରେ ହେବାକୁ ଥିବା ୧୦ ଅଧିବେଶନରେ ଭିନ୍ନ ଭିନ୍ନ ବିଷୟବସ୍ତୁ ରହିଛି। ୱିମେନ୍ ଆଣ୍ଡ କ୍ରାଫ୍ଟ, କ୍ରାଫ୍ଟ ଫ୍ୟୁଚର, କ୍ରାଫ୍ଟ ଆଣ୍ଡ କଲଚର, କ୍ରାଫ୍ଟ ଆଣ୍ଡ ୱେଷ୍ଟ, କ୍ରାଫ୍ଟ ଆଣ୍ଡ ଇଣ୍ଟରନ୍ୟାସନାଲ ପାର୍ଟନରସିପ, କ୍ରାଫ୍ଟ ଆଣ୍ଡ ଟୁରିଜିମ୍‌ ଭଳି ଆହୁରି ଅନେକ କିଛି। ରାଜ୍ୟ ସରକାର ଓ ଯାଜପୁର ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଏହି ସମ୍ମିଳନୀ ହେଉଛି ।

ବିବାଦୀୟ କିମ୍ବା ରାଜନୈତିକ ପ୍ରସଙ୍ଗରେ କୌଣସି ମତ ନଦେବାକୁ CRPFକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କୌଣସି ପ୍ରକାର ବିବାଦୀୟ ପ୍ରସଙ୍ଗ କିମ୍ବା ରାଜନୈତିକ ପ୍ରସଙ୍ଗରେ ମତ ନଦେବାକୁ ନିଜର ସମସ୍ତ ପର୍ସୋନେଲ ଓ ପଦାଧିକାରୀଙ୍କ ଉଦ୍ଦେଶ୍ୟରେ ଗାଇଡଲାଇନ ଜାରି କରିଛି ସିଆରପିଏଫ । ଦେଶର ସର୍ବବୃହତ ଅର୍ଦ୍ଧସାମରିକ ବାହିନୀ ସିଆରପିଏଫ ପକ୍ଷରୁ ସୋସିଆଲ ମିଡିଆ ସଂକ୍ରାନ୍ତ ଗାଇଡଲାଇନ ଜାରି କରାଯାଇଛି । ବିବାଦୀୟ ମନ୍ତବ୍ୟ ସିଆରପିଏଫ ଲାଗି ସମସ୍ୟାର କାରଣ ହେଉଥିବାରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି ।

ସିସିଏସ କଣ୍ଡକ୍ଟ ରୁଲସ୍ ୧୯୬୪କୁ ଉଲ୍ଲଂଘନ କରି ସିଆରପିଏଫର କର୍ମଚାରୀ ଓ ଅଧିକାରୀମାନେ ନିଜର ଅଭିଯୋଗଗୁଡିକୁ ପୋଷ୍ଟ କରୁଛନ୍ତି । ଏହାକୁ ବନ୍ଦ କରିବା ଲାଗି ସିଆରପିଏଫ ଏହି ନିଷ୍ପତ୍ତି ନେଇଛି । ସାଇବର ଅପରାଧ ତଥା ତଦଜନିତ ସମସ୍ୟା ପ୍ରସଙ୍ଗରେ କର୍ମଚାରୀ ଓ ପଦାଧିକାରୀମାନଙ୍କୁ ସଚେତନ କରିବା ଲାଗି ଏହି ପଦକ୍ଷେପ ନିଆଯାଇଛି ।

ଏକ ସ୍ପର୍ଶକାତର ବିଭାଗରେ କାର୍ଯ୍ୟ କରୁଥିବାରୁ ସଚେତନ ଜରୁରୀ ବୋଲି କୁହାଯାଇଛି । ସରକାରୀ ନୀତି ସମ୍ପର୍କରେ ପ୍ରତିକୂଳ ଟିପ୍ପଣୀ ନଦେବା, ରାଜନୈତିକ ପ୍ରସଙ୍ଗରେ କୌଣସି ପ୍ରକାର ବିବାଦୀୟ ମନ୍ତବ୍ୟ ନଦେବା ଲାଗି କୁହାଯାଇଛି । ସିଆରପିଏଫରେ ୩ ଲକ୍ଷ ୨୫ ହଜାର ମହଜୁଦ ରହିବା ସହ ବିଭିନ୍ନ ସ୍ପର୍ଶକାତର ଅଞ୍ଚଳରେ ମୁତୟନ ହୋଇଛନ୍ତି ।

ଆହୁରି ଦୁଇଦିନ କଲବଲ କରିବ ଘନକୁହୁଡ଼ି, ୫୦ ମିଟର ଭିତରେ ଦୃଶ୍ୟମାନ ଦୂରତା

ଭୁବନେଶ୍ବର: ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟର ଉପକୂଳ ସମେତ ପାର୍ଶ୍ବବର୍ତ୍ତୀ ଜିଲ୍ଲାଗୁଡିକରେ ଆହୁରି ୨ ଦିନ ଘନକୁହୁଡି ପରିଲକ୍ଷିତ ହେବ । ଘନକୁହୁଡି ଦୃଶ୍ୟମାନ ହେଉଥିବା ଅଞ୍ଚଳରେ ଦୃଶ୍ୟମାନ ଦୂରତା ୨୦୦ ମିଟରରୁ ୫୦ମିଟର ଭିତରେ ରହିବା ସମ୍ଭାବନା ରହିଛି । ଆଗାମୀ ୨ଦିନ ପାଗ ଶୁଖିଲା ରହିବା ପରେ ଆସିବ ଆଉ ଏକ ପଶ୍ଚିମାଝଡ ।

୨୦ତାରିଖ ରାତ୍ରିରୁ ଏକ ପଶ୍ଚିମା-ଝଡ ପଶ୍ଚିମ-ହିମାଳୟରେ ପ୍ରଭାବ ପକାଇବାର ସମ୍ଭାବନା ଥିବା ବେଳେ ୨୨ତାରିଖରୁ ଉତ୍ତର-ଭାରତ ଉପରେ ଏହାର ପ୍ରଭାବ ରହିବ। କୁଆପଥର ବର୍ଷା ତଥା ଉପର ହିମାଳୟ ଅଞ୍ଚଳରେ ତୁଷାରପାତ ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ହାଲୁକା ବର୍ଷା ହେବାର ସମ୍ଭାବନା ଥିବା କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସୁନ୍ଦରଗଡ, କେନ୍ଦୁଝର, ଅନୁଗୁଳ, ଢେ଼ଙ୍କାନାଳ, କଟକ, ଖୋର୍ଦ୍ଧା, ନୟାଗଡ଼ ଓ କନ୍ଧମାଳରେ କୁହୁଡି ପରିଲକ୍ଷିତ ହେଉଛି ।

ଇସ୍ତଫା ଦେବାକୁ ମନା କଲେ ବ୍ରିଜ ଭୂଷଣ, ରେସଲର ରୁଜୁ କରିପାରନ୍ତି ମାମଲା

ନୂଆଦିଲ୍ଲୀ: ଜିଦରେ ଅଟଳ ରେସଲର । ରେସଲିଂ ଫେଡେରେସନ ସଭାପତି ବ୍ରିଜ ଭୂଷଣଙ୍କୁ ବିଦା ନକଲେ ଜାରି ରହିବ ଆନ୍ଦୋଳନ । ଗତକାଲି ରାତିରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିବା ସତ୍ତ୍ବେ ଆନ୍ଦୋଳନକାରୀ ଓହରି ନାହାନ୍ତି । ଇସ୍ତଫା ଦେବା ଲାଗି ବ୍ରିଜ ଭୂଷଣଙ୍କୁ କେନ୍ଦ୍ରମନ୍ତ୍ରୀ ୨୪ ଘଣ୍ଟା ମହଲତ ଦେଇଥିଲେ ବି ସେ ଇସ୍ତଫା ଦେବେ ନାହିଁ ବୋଲି କହିଛନ୍ତି । ତେଣେ ବ୍ରିଜ ଭୂଷଣଙ୍କ ବିରୋଧରେ ଆଜି ଆନ୍ଦୋଳନକାରୀ ଏଫଆଇଆର ଦେଇପାରନ୍ତି ବୋଲି ସୂଚନା ମିଳିଛି ।

ଗତକାଲି ଆନ୍ଦୋଳନରତ ରେସଲରଙ୍କୁ ଭେଟି କେନ୍ଦ୍ର ଅନୁରାଗ କହିଥିଲେ ମି-ଠୁ ଅଭିଯୋଗ ଅତି ସାଂଘାତିକ । ଏହା ବିରୋଧରେ ପଦକ୍ଷେପ ନିଆଯିବ ।
ଦେଶ ଲାଗି ଗର୍ବ ଆଣିଥିବା କୁସ୍ତିଯୋଦ୍ଧା ନ୍ୟାୟ ଲାଗି ଦିଲ୍ଲୀ ଜନ୍ତରମନ୍ତରରେ ଧାରଣା ଦେବା ପରେ ସାରା ଦେଶରେ ସୃଷ୍ଟି ହୋଇଛି ପ୍ରତିକ୍ରିୟା । ରେସଲିଂ ଫେଡେରେସନ ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରନ ସିଂ ସମେତ କେତେକ କୋଚଙ୍କ ବିରୋଧରେ ସେମାନେ ଆଣିଥିଲେ ମି-ଠୁ ଅଭିଯୋଗ ।

୭୨ ଘଣ୍ଟା ଭିତରେ ରିପୋର୍ଟ ଦେବାକୁ ଗତକାଲି ଫେଡେରେସନକୁ ନିର୍ଦ୍ଦେଶ ଦେଇଥିଲା କ୍ରୀଡ଼ା ମନ୍ତ୍ରାଳୟ । ଅଭିଯୋଗର ତଦନ୍ତ ଲାଗି ଏକ ୩ ଜଣିଆ କମିଟି ବି ହୋଇପାରେ ଗଠନ । ବିକ୍ଷୋଭରେ ବିନେଶ ଫୋଗାଟ, ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ, ସରିତା ମୋର, ସୁମିତ ମଲିକଙ୍କ ସମେତ ବହୁ ପ୍ରତିଷ୍ଠିତ ରେସଲର ହୋଇଛନ୍ତି ସାମିଲ । କେବଳ ଲକ୍ଷ୍ମୌ ନ୍ୟାସନାଲ କ୍ୟାମ୍ପ ନୁହେଁ ଅନ୍ୟାନ୍ୟ କ୍ଷେତ୍ରରେ ବି ବ୍ରିଜ ଭୂଷଣ ଓ କୋଚ ଯୌନ ଶୋଷଣ କରିଛନ୍ତି ବୋଲି ରେସଲର କରିଥିଲେ ଅଭିଯୋଗ ।

ବିବାଦର ସମାଧାନ ଲାଗି ମଧ୍ୟସ୍ଥତା କରୁଥିବା ବବିତା ଫୋଗାଟଙ୍କ ଅନୁରୋଧ ବି ପ୍ରତ୍ୟାଖ୍ୟାନ କରିଥିଲେ ଆନ୍ଦୋଳନକାରୀ । ଯୌନ ନିର୍ଯାତନାର ଅନେକ ପ୍ରମାଣ ସେମାନଙ୍କ ନିକଟରେ ରହିଛି ବୋଲି କହିଥିଲେ ଆନ୍ଦୋଳନକାରୀ । ସେପଟେ ଆସନ୍ତା ୨୨ ତାରିଖରେ ଜରୁରୀ ସାଧାରଣ ପରିଷଦ ବୈଠକରେ ସେ ଇସ୍ତଫା ଦେବା ନେଇ ଚାଲିଛି ଚର୍ଚ୍ଚା ।

ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ରୀତି ନୀତି ଅନୁଯାୟୀ ରାଧିକା ମର୍ଚ୍ଚାଣ୍ଟ ଏବଂ ଅନନ୍ତ ଅମ୍ବାନିଙ୍କ ହେଲା ନିର୍ବନ୍ଧ

ମୁମ୍ବାଇ: ରାଧିକା ମର୍ଚ୍ଚାଣ୍ଟ ଏବଂ ଅନନ୍ତ ଅମ୍ବାନିଙ୍କ ମଧ୍ୟରେ ଗୁରୁବାର ପରିବାରବର୍ଗ ଏବଂ ବନ୍ଧୁବାନ୍ଦବଙ୍କ ଉପସ୍ଥିତିରେ ପୂର୍ଣ୍ଣ ରୀତି ନୀତି ଓ ବିଧି ଅନୁଯାୟୀ ବିବାହ ପୂର୍ବ ଆନୁଷ୍ଠାନିକ ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହୋଇଛି । ଏହି ନିର୍ବନ୍ଧ କାର୍ଯ୍ୟ ମୁମ୍ବାଇ ସ୍ଥିତ ଅମ୍ବାନି ନିବାସରେ ଅନୁଷ୍ଠିତ ହୋଇଥିଲା । ଗୁଜୁରାଟୀ ହିନ୍ଦୁ ପରିବାରରେ ପିଢି ପ୍ରଚିଳତ ହୋଇଆସୁଥିବା ଶହ ଶହବର୍ଷ ପୂରାତନ ଗୋଲ୍ ଧନ ଏବଂ ଚୁନରୀ ବିଧି ଆଧି ପରମ୍ପରା ସମାରୋହ ସ୍ଥଳ ଏବଂ ପରିବାରିକ ମନ୍ଦିରରେ ଅତ୍ୟନ୍ତ ଆନନ୍ଦ ଉତ୍ସାହର ସହିତ ଆୟୋଜିତ ହୋଇଥିଲା ।

ଦୁଇ ପରିବାର ପରସ୍ପରକୁ ଉପହାର ପ୍ରଦାନ କରିଥିଲେ । ବଡ଼ ଭଉଣୀ ଇଶା ଅମ୍ବାନି ଓ ପରିବାର ପୂର୍ବରୁ ରାଧିକାଙ୍କ ଘରେ ପହଞ୍ଚିସାରିଥିଲେ । ମର୍ଚ୍ଚାଣ୍ଟ ପରିବାର ମଧ୍ୟ ସେମାନଙ୍କୁ ସ୍ୱାଗତ କରିଥିଲେ । ଏହାପରେ ଭାବି ଦମ୍ପତ୍ତିଙ୍କୁ ଶ୍ରୀ କୃଷ୍ଣ ମନ୍ଦିରକୁ ନେଇ ଆଶୀର୍ବାଦ ନେବାକୁ କୁହାଯାଇଥିଲା । ପରମ୍ପରା ଅନୁସାରେ ଅନନ୍ତ ରାଧିକାଙ୍କୁ ମୁଦି ପିନ୍ଧାଇଥିଲେ ।

ମୁକେଶ ଓ ନୀତାଙ୍କ ସାନ ପୁଅ ଅନନ୍ତ ଏବଂ ରାଧିକା ଉଭୟେ ଉଭୟଙ୍କୁ ଦୀର୍ଘ ବର୍ଷ ଧରି ଜାଣିଛନ୍ତି । ଏମାନଙ୍କ ଡେଟ୍ ଖବର ପ୍ରଥମେ ୨୦୧୮ ମସିହାରେ ସାମ୍ନାକୁ ଆସିଥିଲା । ଅନନ୍ତ ଆମେରିକାର ବ୍ରାଉନ ୟୁନିଭର୍ସିଟିରୁ ଗ୍ରାଜୁଏଟ ପାସ୍ କରିଛନ୍ତି । ଏବେ ସେ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ବିଭିନ୍ନ ଦାୟିତ୍ୱ ସମ୍ଭାଳୁଛନ୍ତି । ସେହିପରି ରାଧିକା ନ୍ୟୁୟର୍କ ୟୁନିଭର୍ସିଟୁରେ ଗ୍ରାଜୁଏସନ ସାରିବା ପରେ ଏନକେୟାର ହେଲ୍ଥକେୟାରର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ।

ବିଶ୍ବର ସର୍ବଶ୍ରେଷ୍ଠ ଧାବକ ଉସେନ ବୋଲ୍ଟଙ୍କ ଆକାଉଣ୍ଟରୁ ବଡ ଲୁଟ୍

ଜାମାଇକା: ବିଶ୍ବର ସର୍ବଶ୍ରେଷ୍ଠ ଧାବକ ଉସେନ ବୋଲ୍ଟଙ୍କ ଆକାଉଣ୍ଟରୁ ବଡ ଲୁଟ୍ । ଜାମାଇକାର ଏକ ନିବେଶ ଫାର୍ମରେ ଥିବା ତାଙ୍କ ଆକାଉଣ୍ଟରୁ ୧୨ ଦଶମିକ ୭ ନିୟୁତ ଡଲାର ଗାଏବ ହୋଇଥିବା ଅଭିଯୋଗ ହୋଇଛି । ୮ ଥରର ଅଲିମ୍ପିକ ଗୋଲ୍ଡ ମେଡାଲିଷ୍ଟ ସ୍ପ୍ରିଣ୍ଟର ବୋଲଟଙ୍କ ଆକାଉଣ୍ଟରୁ ଟଙ୍କା କିଏ ନେଲା ତାହାର ଚାଲିଛି ତନାଘନା । ଟଙ୍କା ଗାଏବ ନେଇ ବୋଲ୍ଟଙ୍କ ଓକିଲଙ୍କ ପକ୍ଷରୁ ଅଭିଯୋଗ ହେବା ପରେ ପୋଲିସ ଓ ସରକାରୀ ସ୍ତରରେ ତଦନ୍ତ ଚାଲିଛି । ଓ୍ବେଲଥ ମ୍ୟାନେଜମେଣ୍ଟ ଫାର୍ମ ଷ୍ଟକସ ଆଣ୍ଡ ସିକ୍ୟୁରିଟିଜ ଲିମିଟେଡରୁ ଏହି ଟଙ୍କା ଗାଏବ ହୋଇଥିବା ସୂଚନା ମିଳିଛି ।