spot_img
Home Blog Page 3398

ସୀମାରେ ବଳ ବଢାଉଛି ଚୀନ୍, ତିଦ୍ଦତରୁ ଭାରତ ଉପରେ ରଖିଛି କଡ଼ା ନଜର

ନୂଆଦିଲ୍ଲୀ: ତିବ୍ବତରେ ବହୁ ସଂଖ୍ୟକ ଲଢୁଆ ବିମାନ, ହେଲିକପ୍ଟର, ଏୟାର ସତର୍କତା ପ୍ରଣାଳୀ ମୁତୟନ କରିଚାଲିଛି । ତିବ୍ବତର ୩ଟି ଏୟାରଫିଲଡରେ ଚୀନର ୧୨ଟି ଲଢ଼ୁଆ ବିମାନ, ୩୭ଟି ହେଲିକପ୍ଟର, ପ୍ରାୟ ଏକ ଡଜନ ଡ୍ରୋନ୍, ପରିବହନ ଓ ଇନ୍ଧନ ବିମାନ ମୁତୟନ କରିଛି । ଭାରତକୁ ଦୃଷ୍ଟିରେ ରଖି ଚୀନ୍ ଏହା କରିଥିବା ସନ୍ଦେହ କରାଯାଉଛି । ଏହାଛଡ଼ା ଲାସାଠାରେ ଏକ ସାନସି କେଜେ-୫୦୦ ବିମାନ ରହିଛି । ଏହା ଏକ ଆର୍ଲି ଓ୍ବାର୍ଣ୍ଣିଂ ଏଣ୍ଡ କଣ୍ଟ୍ରୋଲ ଏୟାରକ୍ରାଫ୍ଟ । ଏହା ଦୂରରୁ ଭାରତୀୟ ଲଢୁଆ ବିମାନଗୁଡ଼ିକୁ ଠାବ କରିପାରିବ, ଯେପରିକି ଚୀନ୍ ବିମାନଗୁଡ଼ିକ ସତର୍କ ହୋଇପାରିବେ ।

କେବଳ ଏତିକି ନୁହେଁ, ତିବ୍ବତର ୩ଟି ଏୟାରବେସରେ ମୋଟ ୩୭ଟି ହେଲିକପ୍ଟର ମଧ୍ୟ ରଖାଯାଇଛି । ଏହାଛଡ଼ା ପ୍ରାୟ ୧୨ଟି ଡ୍ରୋନ୍ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ଗଲଓ୍ବାନ୍ ସଂଘର୍ଷ ପରେ ଦୁଇ ଦେଶର ସେନା ସୀମାରେ ମୁହାଁମୁହିଁ ଅବସ୍ଥାରେ ଥିବାବେଳେ ଚୀନର ଏପରି ପଦକ୍ଷେପକୁ ନେଇ ଭାରତୀୟ ବାୟୁସେନା ସତର୍କ ହୋଇଯାଇଛି ।

ନାମାଙ୍କନ ପୂର୍ବରୁ ଝାରସୁଗୁଡ଼ାରେ ଆରମ୍ଭ ହୋଇଗଲାଣି ପ୍ରଚାର, ଗାଁକୁ ଗାଁ ବୁଲିଲେଣି ୩ ଦଳର ପ୍ରାର୍ଥୀ

ଝାରସୁଗୁଡ଼ା: ନାମାଙ୍କନ ପୂର୍ବରୁ ଝାରସୁଗୁଡ଼ାରେ ଆରମ୍ଭ ହୋଇଗଲାଣି ପ୍ରଚାର । ଗାଁକୁ ଗାଁ ବୁଲିଲେଣି ତିନି ପ୍ରମୁଖ ଦଳର ପ୍ରାର୍ଥୀ । ଗଡ଼ ଦଖଲ ପାଇଁ ସବୁ ଦଳ କରୁଛନ୍ତି ସମରସଜ୍ଜା । ଆଜି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ପ୍ରାର୍ଥିପତ୍ର ଦାଖଲ କରିବେ । ଏଥିଲାଗି ପିସିସି ସଭାପତିଙ୍କଠାରୁ ଆରମ୍ଭ କରି ଦଳର ବରିଷ୍ଠ ନେତାମାନେ ଝାରସୁଗୁଡ଼ାରେ ଡେରା ପକାଇଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଆସନ୍ତା ୧୭ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରିବେ । ୧୮ ତାରିଖରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ନାମାଙ୍କନ ଭରିବେ ।

ଦୀପାଳି ଦାସଙ୍କୁ ଜିତାଇବା ପାଇଁ ବିଜେଡି ଜୋରଦାର ପ୍ରସ୍ତୁତି ଚଳାଇଛି । ଗ୍ରାଉଣ୍ଡରେ ଲାଗିପଡ଼ିଛନ୍ତି ବିଜେଡିର ବରିଷ୍ଠ ନେତା । ଦୀପାଳିଙ୍କୁ ବଡ଼ ବ୍ୟବଧାନରେ ଜିତାଇବାକୁ ସ୍ବତନ୍ତ୍ର ରଣନୀତି କରିଛି ଦଳ । ସେପଟେ ଶାସକଦଳକୁ ଟକ୍କର ଦେବା ପାଇଁ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଜୋରଦାର କସରତ କରୁଛନ୍ତି ।

ଋଷ-ୟୁକ୍ରେନ ଯୁଦ୍ଧରେ କୌଣସି ପକ୍ଷକୁ ଅସ୍ତ୍ର ଯୋଗାଇବ ନାହିଁ ଚୀନ୍

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧରେ କୌଣସି ପକ୍ଷକୁ ଅସ୍ତ୍ର ଯୋଗାଇବ ନାହିଁ ଚୀନ୍ । ଏନେଇ ଘୋଷଣା କରିଛନ୍ତି ଚୀନ୍ ବୈଦେଶିକ ମନ୍ତ୍ରୀ କ୍ବିନ ଗାଙ୍ଗ୍ । ଯୁଦ୍ଧରେ ଋଷକୁ ଚୀନ୍ ଯୁଦ୍ଧାସ୍ତ୍ର ସହଯୋଗ କରିବ ବୋଲି ପାଶ୍ଚାତ୍ୟ ରାଷ୍ଟ୍ର ଯେଉଁ ଆଶଙ୍କା ବ୍ୟକ୍ତ କରୁଥିଲେ ତାହା ଦୂର ହୋଇଛି । ଗାଙ୍ଗ୍ କହିଛନ୍ତି- ଯୁଦ୍ଧରେ ଚୀନ୍ ନିରପେକ୍ଷ ରହିବ । ତେବେ ଋଷକୁ ଚୀନର ରାଜନୈତିକ ଓ ଅର୍ଥନୈତିକ ସମର୍ଥନ ଜାରି ରହିବ । ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଚୀନ୍ ଉଦ୍ୟମ କରିବ ବୋଲି ସେ କହିଛନ୍ତି । ସେପଟେ ଚୀନର ଏହି ଘୋଷଣାକୁ ସ୍ବାଗତ କରିଛି ହ୍ବାଇଟ୍ ହାଉସ୍ । ଋଷକୁ ଚୀନର ସମ୍ଭାବ୍ୟ ଅସ୍ତ୍ର ଯୋଗାଣକୁ ନେଇ ପୂର୍ବରୁ ଚିନ୍ତା ବ୍ୟକ୍ତ କରିଥିଲା ୟୁରୋପିଆନ ୟୁନିୟନ । ଗତମାସରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମସ୍କୋ ଗସ୍ତ ପରଠାରୁ ଅସ୍ତ୍ର ଯୋଗାଣ ନେଇ ଆଶଙ୍କା ଘନୀଭୂତ ହେବାରେ ଲାଗିଥିଲା । ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ଏହି ବୟାନ ଆମେରିକା ସମେତ ବିଭିନ୍ନ ସ୍ତରରେ ଆଶ୍ବସ୍ତି ସୃଷ୍ଟି କରିଛି ।

ସେପଟେ ୟୁକ୍ରେନର ବାଖମତ ଓ ଖେରସନରେ ପୁଣି ଆଟାକ୍ କରିଛନ୍ତି ଋଷ ସୈନ୍ୟ । ଘଟଣାରେ ୨ ଜଣ ନାଗରିକ ପ୍ରାଣ ହରାଇଛନ୍ତି । ୟୁକ୍ରେନର ପୂର୍ବାଞ୍ଚଳରେ ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ଘମାଘୋଟ ସଂଘର୍ଷ ଚାଲିଥିବା ସୂଚନା ମିଳିଛି । ତେଣେ ଦୋନେସ୍କ ଅନ୍ତର୍ଗତ ସ୍ଲୋଭିଆନସ୍କ ସହର ଉପରେ ହୋଇଥିବା ହମଲାରେ ୮ ଜଣ ପ୍ରାଣ ହରାଇଥିବାବେଳେ ଆହତ ହୋଇଛନ୍ତି ୨୧ ଜଣ । ସେପଟେ ବିଭିନ୍ନ ସହଯୋଗୀ ରାଷ୍ଟ୍ରଙ୍କଠାରୁ ଖୁବ୍ ଶୀଘ୍ର ଯୁଦ୍ଧାସ୍ତ୍ର ମିଳିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ୟୁକ୍ରେନ ଜାତୀୟ ନିରାପତ୍ତା ଓ ପ୍ରତିରକ୍ଷା ପରିଷଦ ମୁଖ୍ୟ କହିଛନ୍ତି- ଋଷ ଅଧିକୃତ କ୍ରିମିଆ ସମେତ ଅନ୍ୟାନ୍ୟ ଅଞ୍ଚଳକୁ ମୁକ୍ତ କରିବା ଲାଗି ଯୋଜନା ଚାଲିଛି । ଏଥିଲାଗି ନିଷିଦ୍ଧ ଘୋଷିତ ହୋଇ ନଥିବା ଅସ୍ତ୍ରର ପରୀକ୍ଷା ଓ ବ୍ୟବହାର କରାଯିବ ବୋଲି କହିଛନ୍ତି ଓଲେକ୍ସି ଦାନିଲୋଭ ।

ମହାରାଷ୍ଟ୍ର ରାୟଗଡ଼ ଖୋପୋଲିରେ ଭୟଙ୍କର ଦୁର୍ଘଟଣା, ଭାରସାମ୍ୟ ହରାଇ ୫୦୦ ଫୁଟ ଖାଇକୁ ଖସିଲା ଯାତ୍ରୀବାହୀ ବସ୍

ପୁଣେ: ମହାରାଷ୍ଟ୍ର ପୁଣେରେ ଭୟଙ୍କର ଦୁର୍ଘଟଣା । ରାୟଗଡ଼ ଖୋପୋଲିରେ ଖାଇକୁ ଖସିଲା ଯାତ୍ରୀବାହୀ ବସ୍ । ଭାରସାମ୍ୟ ହରାଇ ୫ଶହ ଫୁଟ ଖାଇକୁ ଖସିଲା ବସ୍ । ବସରେ ୪୦ରୁ ଅଧିକ ଯାତ୍ରୀ ଥିବା ବେଳେ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ୨୫ ଆହତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ ବସଟି ମୁମ୍ବାଇରୁ ପୁଣେ ଯାଉଥିଲା । ଭୋର ୪ଟା ୩୦ରେ ଲୋନାବାଲା ନିକଟ ଖଣ୍ଡାଲା ଘାଟ ଅଞ୍ଚଳରେ ଥିବା ସିନ୍ଦୋପା ମନ୍ଦିର ନିକଟରେ ରାସ୍ତା ସାଇଡ ୱାଲ୍ ଭାଙ୍ଗି ଖାଇକୁ ଖସି ପଡ଼ିଥିଲା ବସ୍ । ସ୍ଥାନୀୟ ଲୋକ ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିଛି । କ୍ରେନ୍ ସାହାଯ୍ୟରେ ଖାଇରୁ ବସକୁ କଢ଼ାଯାଉଥିବା ବେଳେ ଯାତ୍ରୀଙ୍କୁ ଉଦ୍ଧାର କରାଯାଉଛି ।

 

ଆଜି ରାଜ୍ୟ ବାର୍ କାଉନସିଲ ନିର୍ବାଚନ, ୨୫ଟି ସଦସ୍ୟ ପଦବୀ ପାଇଁ ୯୬ ଜଣଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା

କଟକ: ଆଜି ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ । ନିର୍ବାଚନ ପରିଚାଳନା ପାଇଁ ରାଜ୍ୟ ବାର୍ କାଉନସିଲ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଦିନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ପରିଷଦର ମୋଟ ୨୫ଟି ସଦସ୍ୟ ପଦବୀ ପାଇଁ ମତଦାନ ହେବ । ଏହି ନିର୍ବାଚନ ପ୍ରକ୍ରିୟାରେ ରାଜ୍ୟର ମୋଟ ୩୪ ହଜାର ୯୦୮ ଜଣ ଆଇନଜୀବୀ ଭୋଟ ଦେବେ । ପରିଷଦର ୨୫ଟି ସଦସ୍ୟ ପଦବୀ ପାଇଁ ବିଭିନ୍ନ ବାର୍ ଆସୋସିଏସନରୁ ୯୬ ଜଣ ଆଇନଜୀବୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେଉଛି । ପରିଷଦ ସହ ଅନୁବନ୍ଧିତ ୧୮୨ଟି ବାର୍ ଆସୋସିଏସନ ଥିବା ବେଳେ, ଭୋଟ ଗ୍ରହଣ ପାଇଁ ସାରା ରାଜ୍ୟରେ ୧୬୭ଟି ବୁଥର ବ୍ୟବସ୍ଥା କରାଯାଇଛି । ଏହି ନିର୍ବାଚନରେ ପ୍ରିଫରେନସିଆଲ ଭୋଟ ବ୍ୟବସ୍ଥା ହୋଇଥିବାରୁ ପ୍ରତ୍ୟେକ ଆଇନଜୀବୀ ୨୫ଟି ଭୋଟ ଦେଇପାରିବେ । ତେବେ ଜଣେ ଭୋଟର ସର୍ବନିମ୍ନ ୫ଟି ଭୋଟ ନଦେଲେ ବାଲାଟ ନାକଚ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଷ୍ଟିସ ପ୍ରମଥ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ପ୍ରିଫରେନସିଆଲ ଭୋଟ ହୋଇଥିବାରୁ ବିଧାନସଭାର କର୍ମଚାରୀମାନେ ଭୋଟ ଗଣତି ପ୍ରକ୍ରିୟାରେ ସାମିଲ ହେବେ । ଆସନ୍ତା ୨୧ ତାରିଖରୁ ଭୋଟ ଗଣତି ଆରମ୍ଭ ହେବାକୁ ଥିବା ବେଳେ, ପ୍ରାୟ ୨ ମାସ ଧରି ଗଣତି ଜାରି ରହିବ । ୨୦୧୩ ମସିହା ପର ଠାରୁ ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ ହୋଇନଥିଲା । ପ୍ରାୟ ୯ ବର୍ଷ ବ୍ୟବଧାନ ପରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନିର୍ବାଚନ ଯେପରି ଶାନ୍ତି ଶୃଙ୍ଖଳାର ସହ ଶେଷ ହେବ ସେନେଇ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭୋଟରମାନେ ନିଜର ପରିଚୟ ପତ୍ର ସାଙ୍ଗରେ ଆଣି ବୁଥ ଭିତରକୁ ପ୍ରବେଶ କରିପାରିବେ ।

ଆଜି ବି ଜାରି ରହିବ ଗ୍ରୀଷ୍ମ ପ୍ରବାହ, ୬ ଜିଲ୍ଲାକୁ ହିଟଓ୍ବେଭ୍ ଆଲର୍ଟ

ଭୁବନେଶ୍ୱର: ଆଜି ବି ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ୬ ଜିଲ୍ଲାକୁ ହିଟଓ୍ବେଭ୍ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ସୋନପୁର, ବୌଦ୍ଧ ଏବଂ ଦେବଗଡ ଜିଲ୍ଲାରେ ହଟ ଓ୍ବେଦର କଣ୍ଡିସନ ରହିବ। ସମସ୍ତ ପ୍ରକାର ସ୍ଥିତିର ମୁକାବିଲା ପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି । ଅଂଶୁଘାତ ମୁକାବିଲା ନେଇ ଆବଶ୍ୟକ ପଦକ୍ଷେପ ନେବା ସହ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ କାଲିଠୁ ତାତିରେ ଲାଗିବ ବ୍ରେକ୍ । ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଗରମ ଶୁଷ୍କ ବାୟୁର ପ୍ରଭାବ କମିଛି। ଏହାସହ ଏକ ନିମ୍ନ ଚାପରେଖା ସୃଷ୍ଟି ହୋଇଛି । ପ୍ରଭାବରେ ତାତିରେ ବ୍ରେକ୍ ଲାଗିବା ସହ ପୁଣି କାଳବୈଶାଖୀ ବର୍ଷା ଜାରି ରହିବ । ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଏଥିପାଇଁ ୨୧ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେପଟେ ଗତକାଲି ୪୨ ଡିଗ୍ରୀ ଉପରେ ରହିଥିଲା ରାଜ୍ୟର ରାଜ୍ୟର ୧୦ ସହରର ତାପମାତ୍ରା । ୪୦ ଡିଗ୍ରୀ ଉପରେ ରହିଥିଲା ୨୫ ସହରର ପାରଦ । ୪୪ ଡିଗ୍ରୀ ସହ ରାଜ୍ୟର ପ୍ରଥମ ଓ ବିଶ୍ୱର ଦ୍ୱିତୀୟ ଉତ୍ତପ୍ତ ସହର ପାଲଟିଥିଲା ବାରିପଦା ।

ଜୁଲାଇ ୧ରୁ ଅମରନାଥ ଯାତ୍ରା, ଆସନ୍ତା ୧୭ରୁ ଆବେଦନ କରିପାରିବେ ଶ୍ରଦ୍ଧାଳୁ

ଶ୍ରୀନଗର: ଆସନ୍ତା ଜୁଲାଇ ୧ରୁ ଆରମ୍ଭ ହେବ ଅମରନାଥ ଯାତ୍ରା । ୬୨ ଦିନ ପର୍ଯ୍ୟନ୍ତ ଯାତ୍ରା ଚାଲିବା ନେଇ ଜାରି ହୋଇଛି କାର୍ଯ୍ୟସୂଚୀ । ଏଥିପାଇଁ ଶ୍ରଦ୍ଧାଳୁମାନେ ଆସନ୍ତା ୧୭ ତାରିଖଠାରୁ ଆବେଦନ କରିପାରିବେ । ଉଭୟ ଅଫଲାଇନ ଓ ଅନଲାଇନ ମାଧ୍ୟମରେ ଆବେଦନ କରିବା ସୁବିଧା ରହିଥିବା ଜାମ୍ମୁକାଶ୍ମୀର ଉପରାଜ୍ୟପାଳ ସୂଚନା ଦେଇଛନ୍ତି । ଅନନ୍ତନାଗରେ ଥିବା ପାହାଲଗାମ ଓ ଗଣ୍ଡେରବାଲ ଜିଲ୍ଲାରେ ଥିବା ବାଲଟାଲ ଟ୍ରାକରୁ ଯାତ୍ରା ଆରମ୍ଭ ହେବ । ଦକ୍ଷିଣ କଶ୍ମୀରରେ ଗୁମ୍ପାକୁ ଯାଇ ଶ୍ରଦ୍ଧାଳୁମାନେ ବାବା ଅମରନାଥଙ୍କ ଦର୍ଶନ କରିପାରିବେ ।

ଅଗଷ୍ଟ ୩୧ରେ ଯାତ୍ରା ସରିବାକୁ ଥିବାବେଳେ ସୁରୁଖୁରୁରେ ଯାତ୍ରା ଶେଷ କରିବାକୁ ପ୍ରଶାସନ ପ୍ରସ୍ତୁତି କରିଛି । ଶ୍ରଦ୍ଧାଳୁମାନଙ୍କ ସୁରକ୍ଷିତ ଯାତ୍ରା ପାଇଁ ପ୍ରାଥମିକତା ଦିଆଯାଉଛି । ଶ୍ରେଷ୍ଠ ସ୍ବାସ୍ଥ୍ୟ ସେବା ସହ ସମସ୍ତ ପ୍ରକାରର ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ । ବିଜୁଳି, ଚିକିତ୍ସା, ଟେଲିକମ ସେବାକୁ ଫୋକସରେ ରଖାଯାଇଛି ।

ପୁରୀରେ 5T ସଚିବ, ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର କଲେ ଅନୁଧ୍ୟାନ

ପୁରୀ: ପୁରୀରେ 5T ସଚିବ ଭିକେ ପାଣ୍ଡିଆନ । ପୁରୀ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି 5T ସଚିବ । ପ୍ରଥମେ ପୁରୀ ମାଳତିପାଟପୁର ବାଇପାସ୍ ଦେଇ ଶ୍ରୀସେତୁର ନିର୍ମାଣ କାର୍ଯ୍ୟକୁ ଅନୁଧ୍ୟାନ କରିଥିଲେ । କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ନିର୍ମାଣକାରୀ ସଂସ୍ଥାର ଅଧିକାରୀଙ୍କଠାରୁ ପଚାରି ବୁଝିଥିଲେ । ସେହିପରି ସମଙ୍ଗ ମୌଜା ଅଞ୍ଚଳରେ ନିର୍ମିତ ହେଉଥିବା ପାର୍କିଂକୁ ମଧ୍ୟ ସେ ବୁଲି ଦେଖିଥିଲେ । ଏହି ପାର୍କିଂର କ୍ଷମତା ସମ୍ପର୍କରେ ପଚାରି ବୁଝିବା ସହିତ କାର୍ଯ୍ୟ ନେଇ ଅନୁଧ୍ୟାନ କରିଥିଲେ ।

ଏହା ପରେ ବାସେଳିସାହି ଥାନା ନିକଟରେ ନିର୍ମାଣ କରାଯାଉଥିବା ଯାତ୍ରୀ ନିବାସ ଅଞ୍ଚଳ ବୁଲି ଦେଖିବା ସହ ଏହାର ନିର୍ମାଣ କାର୍ଯ୍ୟ ସମ୍ପର୍କରେ ତଦାରଖ କରିଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ପୁରୀରେ କରାଯାଉଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଅନୁଧ୍ୟାନ 5T ସଚିବ ନିଜେ କରୁଥିବା ବେଳେ, ପୁରୀକୁ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ଦିଗରେ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ସାକାର ହୋଇଛି ।

ସମ୍ବଲପୁରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ

ସମ୍ବଲପୁର: ସମ୍ବଲପୁରରେ କର୍ଫ୍ୟୁ । ଗତକାଲି ରାତି ୧୨ରୁ କର୍ଫ୍ୟୁ ଜାରି ହୋଇଛି । ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରିଛି ଜିଲ୍ଲା ପ୍ରଶାସନ । ସକାଳ ୮ରୁ ୧୦ଟା ଓ ଅପରାହ୍ନ ୩ଟା ୩୦ରୁ ୫ଟା ୩୦ ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ହୋଇଛି । ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ ଲୋକ ।  ସହରର ୬ଟି ସ୍ଥାନରେ କର୍ଫ୍ୟୁ ବଳବତ୍ତର ରହିଛି । ସଦର, ଟାଉନ ଥାନା, ଧନୁପାଲି, ଅଇଁଠାପାଲ୍ଲୀ, କ୍ଷେତରାଜପୁର ଓ ବରେଇପାଲ୍ଲୀ ଥାନା ଅଞ୍ଚଳରେ କର୍ଫ୍ୟୁ । ସହରରେ ୪୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ହନୁମାନ ଜୟନ୍ତୀ ଗଣ୍ଡଗୋଳ ପରେ ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି ହୋଇଛି ।

IPL 2023: ଘରୋଇ ଷ୍ଟାଡିୟମରେ ହାଇଦ୍ରାବାଦଠୁ ୨୩ରନରେ ହାରିଲା କୋଲକାତା

କୋଲକାତା: ୧୩.୨୫ କୋଟି ଟଙ୍କାର ବ୍ୟାଟ୍ସମ୍ୟାନ୍ ହାରି ବ୍ରୁକଙ୍କ ଶତକୀୟ ଇନିଂସ ବଳରେ ସନରାଇଜର୍ସ ହାଇଦ୍ରାବାଦ୍ କୋଲକାତା ବିପକ୍ଷ ମ୍ୟାଚକୁ ୨୩ ରନରେ ଜିତିନେଇଛି । ନିଜ ଘରୋଇ ମାଟି ଇଡେନ ଗାଡେନରେ ପରାସ୍ତ ହୋଇଛି କୋଲକାତା ନାଇଟ୍ ରାଇଡର୍ସ । ସନରାଇଜର୍ସ ହାଇଦ୍ରାବାଦ୍ ଲଗାତାର ଦ୍ୱିତୀୟ ମ୍ୟାଚରେ ବିଜୟୀ ହୋଇଛି । ପଏଣ୍ଟ ଟେବୁଲରେ ଏବେ ୭ମ ସ୍ଥାନରେ ରହିଛି ହାଇଦ୍ରାବାଦ । ଇଡେନ ଗାର୍ଡେନ ଷ୍ଟାଡିୟମରେ ଆଜି କୋଲକାତା ଅଧିନାୟକ ନୀତିଶ ରାଣା ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ।

ଟସ୍ ହାରି ହାଇଦ୍ରାବାଦ୍ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ୍ ହରାଇ ୨୨୮ ରନ୍ କରି ସିଜିନର ସବୁଠୁ ବଡ଼ ସ୍କୋର କରିଥିଲା । ଜବାବରେ କୋଲକାତା ୨୦ ଓଭରରେ ୭ ୱିକେଟ ହରାଇ ୨୦୫ ରନରେ ସୀମିତ ରହିଥିଲା । ହାଇଦ୍ରାବାଦର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ହାରି ବ୍ରୁକ ଆଜି ଅପରାଜିତ ରହି ୫୫ ଟି ବଲରେ ୧୦୦ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ତାଙ୍କ ବ୍ୟତୀତ ଅଧିନାୟକ ମାକ୍ରମ ୨୬ ଟି ବଲରେ ୫୦ ରନ୍ ଏବଂ ଅଭିଶେକ ଶର୍ମା ୧୭ ଟି ବଲରେ ୩୨ ରନ୍ କରିଥିଲେ ।

କୋଲକାତା ପକ୍ଷରୁ ଆନ୍ଦ୍ରେ ରସେଲ ସର୍ବାଧିକ ୩ ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ବରୁଣ ଚକ୍ରବର୍ତ୍ତୀ ଗୋଟେ ୱିକେଟ୍ ହାସଲ କରିଥିଲେ ।୨୨୯ରନ ବିଜୟ ଲକ୍ଷକୁ ପିଛା କରି କୋଲକାତା ପକ୍ଷରୁ ଗୁରବାଜ ଏବଂ ଜଗଦୀଶନ ପଡ଼ିଆକୁ ଓହ୍ଲାଇଥିଲେ । ଗୁରବାଜ ଶୂନ ରନ୍ କରି ପାଭେଲିଅନ୍ ଫେରିଯାଇଥିଲେ । ଜଗଦୀଶନ ୨୧ ଟି ବଲ୍ ଖେଳି ୩୬ ରନ୍ କରି ଆଉଟ୍ ହୋଇଯାଇଥିଲେ । ଭେଙ୍କଟେସ୍ ଆୟର ୧୦ ରନ୍ କରିଥିବା ବେଳେ ସୁନୀଲ ନାରିନ ଖାତା ନଖୋଲି ପାରି ପାଭେଲିଅନ୍ ଫେରିଯାଇଥିଲେ ।

ଅଧିନାୟକ ନୀତିଶ ରାଣା ଭଲ ଇନିଂସ ଆଜି ଖେଳିଥିଲେ । ୪୧ ଟି ବଲରେ ୭୫ ରନ୍ କରିଥିଲେ । ଆନ୍ଦ୍ରେ ରସେଲ ଆଜି ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଥଇଲେ । ମାତ୍ର ୩ ରନ୍ କରି ପାଭେଲିଅନ୍ ଫେରିଯାଇଥିଲେ । ରିଙ୍କୁ ସିଂ ମଧ୍ୟ ଆଜି ଚମତ୍କାର ପ୍ରଦର୍ଶନ କରିଥିଲେ । ୩୧ ଟି ବଲ୍ ଖେଳି ୫୮ ରନର ଅପରାଜିତ ଇନିଂସ ଖେଳିଥିଲେ ।

ହେଲେ ତାଙ୍କର ଏହି ପ୍ରଦର୍ଶନ ଦଳକୁ ବିଜୟୀ କରାଇପାରିନଥିଲା । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ବିନିୟମରେ ୨୦୫ ରନ୍ କରିବାକୁ ସକ୍ଷମ ହୋଇଥିଲା । ଏଥିସହିତ ୨୩ ରନରେ ପରାଜିତ ହୋଇଥିଲା । ହାଇଦ୍ରାବାଦ ପକ୍ଷରୁ ମାର୍କୋ ଜାନେସନ ଓ ମୟଙ୍କ ଅଗ୍ରୱାଲ ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର୍ କରିଥିଲେ । କୋଲତାକା ଆଜିର ମ୍ୟାଚ୍ ହାରିଥିଲେ ମଧ୍ୟ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି ।