IPL 2023 CSKvMI : ଘରୋଇ ଗ୍ରାଉଣ୍ଡରେ ମୁମ୍ବାଇକୁ ୬ ୱିକେଟରେ ହରାଇଲା ଚେନ୍ନାଇ

ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ୪୯ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ମୁମ୍ବାଇ ଇଣ୍ଡିଆନ୍ସକୁ ୬ ୱିକେଟରେ ପରାଜିତ କରିଛି । ନିଜ ହୋମ ଗ୍ରାଉଣ୍ଡରେ ମୁମ୍ବାଇକୁ ୧୩ ବର୍ଷ ପରେ ହରାଇଛି ଚେନ୍ନାଇ । ଏଠାରେ ଉଭୟଙ୍କ ମଧ୍ୟରେ ହୋଇଥିବା ଶେଷ ୫ଟି ଯାକ ମ୍ୟାଚ୍ ମୁମ୍ବାଇ ଜିତିଥିଲା । ଶେଷଥର ଧୋନୀଙ୍କ ନେତୃତ୍ୱରେ ସିଏସକେ ୨୦୧୦ରେ ଚେପକ ଷ୍ଟାଡିୟମରେ ମୁମ୍ବାଇକୁ ହରାଇଥିଲା । ଓଭରଅଲ୍ ରେକର୍ଡରେ ଏହା ଚେନ୍ନାଇର ମୁମ୍ବାଇ ଉପରେ ୧୬ତମ ବିଜୟ ଅଟେ ।

ଉଭୟଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ସୁଦ୍ଧା ୩୬ ଟି ମ୍ୟାଚ୍ ଖେଳାଯାଇଛି । ଏଥିମଧ୍ୟରୁ ୨୦ ଟି ମୁମ୍ବାଇ ଜିତିଥିବା ବେଳେ ୧୬ଟି ଚେନ୍ନାଇ ଜିତିଛି । ଚଳିତ ଆଇପିଏଲରେ ଚେନ୍ନାଇର ଏହା ଷଷ୍ଠ ବିଜୟ ଅଟେ । ବର୍ତ୍ତମାନ ଦଳ ୧୩ ଅଙ୍କ ସହ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି । ଆଜିର ମ୍ୟାଚରେ ଚେନ୍ନାଇ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୨୦ ଓଭରରେ ୮ ୱିକେଟ୍ ହରାଇ ୧୩୯ ରନ୍ ସଂଗ୍ରହ କରିପାରିଥିଲା । ୧୪୦ରନର ବିଜୟ ଲକ୍ଷ୍ୟକୁ ଚେନ୍ନାଇ ୧୬.୪ ଓଭରରେ ୪ୱିକେଟ୍ ବିନିମୟରେ ହାସଲ କରିନେଇଛି ।

ଆଜି ମୁମ୍ବାଇର ବ୍ୟାଟିଂ ଆରମ୍ଭ ଭଲ ହୋଇନଥିଲା । ଦଳ ପ୍ରାରମ୍ଭିକ ୱିକେଟ୍ ଶୀଘ୍ର ହରାଇଥିଲା । ଆଜି ମଧ୍ୟ ଅଧିନାୟକ ରୋହିତ ଶର୍ମା ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ । ଖାତା ଖୋଲି ନପାରି ସେ ଆଉଟ୍ ହୋଇଯାଇଥିଲେ । ମଧ୍ୟ ଭାଗର ଦୁଇ ବ୍ୟାଟରଙ୍କ ମଧ୍ୟରେ ଅର୍ଦ୍ଧଶତକୀୟ ପାର୍ଟନରସିପ୍ ତ ହୋଇଥିଲା କିନ୍ତୁ ଟିମ୍ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା । ଲୋୟର ମିଡିଲ ଅର୍ଡରରେ ମଧ୍ୟ ବଡ଼ ପାର୍ଟନରସିପ୍ ହୋଇନଥିଲା ।

ମୁମ୍ବାଇ ପକ୍ଷରୁ ନିହାଲ ବଧେରା ୫୧ ଟି ବଲରେ ୬୪ ରନ୍ ସଂଗ୍ରହ କରିଥିଲେ, ସେହିପରି ସୂର୍ଯ୍ୟକୁମାର ଯାଦବ ୨୨ ଟି ବଲରେ ୨୬ ରନ୍ କରିଥିଲେ ଏବଂ ଟ୍ରିଷ୍ଟନ ଷ୍ଟବ୍ସ ୨୧ ଟି ବଲରେ ୨୦ ରନ୍ ସଂଗ୍ରହ କରିଥିଲେ । ଚେନ୍ନାଇ ପକ୍ଷରୁ ମଥିଶ ପତିରାନା ତିନି ୱିକେଟ୍ ଅକ୍ତିଆର କରିଥିଲେ । ଦୀପକ ଠାକୁର ଏବଂ ତୁଷାର ଦେଶପାଣ୍ଡେ ଦୁଇଟି ଲେଖାଏଁ ୱିକେଟ୍ ନେବାରେ ସଫଳ ହୋଇଥିଲେ । ଜବାବରେ ଚେନ୍ନାଇର ଓଫନର ବ୍ୟାଟର ଋତୁରାଜ ଗାୟକ୍ୱାଡ (୩୦ ରନ୍), ଡେଭନ କନୱେ (୪୪ ରନ୍), ଆଜିଙ୍କ୍ୟ ରାହାଣେ (୨୧ ରନ୍) ଏବଂ ଶିଭମ ଦୁବେ (୨୬ରନ୍) ଦଳକୁ ବିଜୟୀ କରାଇଥିଲେ । ମୁମ୍ବାଇ ପକ୍ଷରୁ ପିୟୁଷ ଚାୱଲା ସର୍ବାଧିକ ୨ଟି ୱିକେଟ୍ ଅକ୍ତିଆର କରିଥିଲେ ।