ରାଜା ଚାର୍ଲସ ତୃତୀୟଙ୍କର ହେଲା ରାଜ୍ୟାଭିଷେକ

ଲଣ୍ଡନ: ଆଜି ବ୍ରିଟେନରେ ଐତିହାସିକ ଦିନ । ଦୀର୍ଘ ୭୦ ବର୍ଷ ପରେ ହୋଇଛି ପ୍ରଥମ ରାଜ୍ୟାଭିଷେକ । କିଙ୍ଗ ଚାର୍ଲସ ତୃତୀୟଙ୍କର ଶନିବାର ସନ୍ଧ୍ୟାରେ ବ୍ରିଟେନର ମହାରାଜା ରୂପରେ ରାଜ୍ୟାଭିଷେକ ହୋଇଛି । ସିଂହାସନ ଆରୋହଣ କରିଛନ୍ତି ରାଜା ଚାର୍ଲସ ତୃତୀୟ । ଗତବର୍ଷ ମହାରାଣୀ ଏଲିଜାବେଥଙ୍କ ପରଲୋକ ପରେ ପରମ୍ପରା ଅନୁଯାୟୀ ସିଂହାସନ ଆରୋହଣ କରିଛନ୍ତି ଚାର୍ଲସ । ଶେଷ ଥର ଲାଗି 1953ରେ ମହାରାଣୀଙ୍କ ରାଜାଭିଷେକ ଅନୁଷ୍ଠିତ ହୋଇଥିଲା । ଏହାପରେ ଆଜି ସନ୍ଧ୍ୟାରେ ଔପଚାରିକ ଭାବେ ତାଙ୍କର ରାଜ୍ୟାଭିଷେକ ହୋଇଛି ।

ତାଙ୍କର ରାଜ୍ୟାଭିଷେକ କରାଇ କ୍ୟାଣ୍ଟରବରିର ଆର୍ଚାବିଶପ ଜଷ୍ଟିନ ଭେଲବି ଏହି ଅବସରରେ ରାଜା ଚାର୍ଲସ ତୃତୀୟଙ୍କୁ ରାଜମୁକୁଟ ପିନ୍ଧାଇଥିଲେ, ଯାହା ଇଂଲଣ୍ଡର ମହାରାଜଙ୍କ ଶକ୍ତିର ପ୍ରତିକ ଅଟେ । ଏହିପରି ୭୪ ବର୍ଷୀୟ କିଙ୍ଗ ଚାର୍ଲସ ବ୍ରିଟେନର ସିଂହାସନରେ ବସିଥିବା ସବୁଠୁ ବୟଜେଷ୍ଠ ବ୍ରିଟିଶ ସମ୍ରାଟ ଭାବେ ଜଣାଯାଇଛନ୍ତି । ଏହି ଉତ୍ସବରେ ସାମିଲ ହୋଇଛନ୍ତି ବ୍ରିଟେନ ରାଜପରିବାର ସହ ସମ୍ପର୍କିତ ଅନେକ ରାଜ ପରିବାରର ସଦସ୍ୟ, ବିଭିନ୍ନ ଧର୍ମର ପ୍ରତିନିଧି, ବିଶ୍ବର ବହୁ ନେତା ପ୍ରମୁଖ ।  ରାଜ୍ୟାଭିଷେକ କାର୍ଯ୍ୟକ୍ରମକୁ ସ୍ବାଗତ କରିଥିଲେ ପ୍ରଧାନମନ୍ତ୍ରୀ ଋଷି ସୁନାକ ।

ଚାର୍ଲସ ରାଜା ଘୋଷିତ ହେବା ପରେ ଉତ୍ତରାଧିକାରୀତ୍ବ ଅନୁସାରେ ସେ ବ୍ରିଟେନର 14ଟି କମନଓ୍ବେଲଥ ରାଷ୍ଟ୍ରର ବି ମୁଖ୍ୟ ହୋଇଛନ୍ତି । ୱେଷ୍ଟମିନିଷ୍ଟର ଏବେ ୧୦୬୬ରେ ୱିଲିୟମ ଦ କନକରରଙ୍କ ପରଠୁ ପ୍ରତ୍ୟେକ ବ୍ରିଟିଶ ରାଜ୍ୟାଭିଷେକର ସ୍ଥାନ ଭାବେ ରହିଆସିଛି ଏବଂ ମହାରାଜ ଚାର୍ଲସ ତୃତୀୟ ତଥା ତାଙ୍କ ପତ୍ନୀ ମହାରାଣୀ କେମିଲା ଏହି ଭବ୍ୟ ପରମ୍ପରାର ପାଳନ କରିଥିଲେ । ଏହି ଅବସରରେ ହିନ୍ଦୁ, ମୁସଲିମ, ଶିଖ, ବୌଦ୍ଧ ଏବଂ ୟହୁଦୀ ଗୋଷ୍ଠୀର ଧାର୍ମିକ ନେତା ଏବଂ ପ୍ରତିନିଧି ମଧ୍ୟ ଉପସ୍ଥିତ ରହିଥିଲେ । ରାଜା ଚାର୍ଲସ ତୃତୀୟଙ୍କ ପରେ ତାଙ୍କ ପତ୍ନୀ କେମିଲାଙ୍କୁ ୱେଷ୍ଟମିନିଷ୍ଟର ଏବେରେ କ୍ୱୀନ ରୂପରେ ମୁକୁଟ ପିନ୍ଧାଯାଇଥିଲା ।