ମିଶନ ଶକ୍ତି ସହାୟତାରେ ଢୋଲ ମୃଦଙ୍ଗ ନିର୍ମାଣ, ସ୍ୱାବଲମ୍ବୀ ହେଉଛନ୍ତି ଗରିବ ପରିବାର

ଝାରସୁଗୁଡ଼ା: ଶିଳ୍ପ ସମୃଦ୍ଧ ଝାରସୁଗୁଡ଼ା ଜିଲ୍ଲାରେ ଏମିତି ଅନେକ ଗାଁର ପରିବାର ନିଜ କୌଳିକ ବୃତ୍ତିକୁ ଛାଡ଼ିନାହାନ୍ତି । ଏହାକୁ ମୁଖ୍ୟମନ୍ତ୍ରୀ ଚିହ୍ନିପାରି ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ସ୍ଵୀକୃତି ଦେଇଛନ୍ତି । ପିଢ଼ି ପିଢ଼ି ଧରି ଏକାଧିକ ପରିବାର ଢୋଲ ମୃଦଙ୍ଗ ତିଆରି କରି ଆସୁଛନ୍ତି; ଯାହା ଏହି ଅଞ୍ଚଳକୁ ଦେଇଛି ପରିଚୟ ।

ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଲକ ରଘୁନାଥପାଲି ପଞ୍ଚାୟତ ଅନ୍ତର୍ଗତ ପାଇକପଡ଼ା ଗ୍ରାମ । ଏକାଧିକ ପରିବାର ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଋଣ ଆଣି ଢୋଲ ମୃଦଙ୍ଗ ନିର୍ମାଣରେ ପୁଞ୍ଜି ନିବେଶ କରୁଛନ୍ତି । ଏଥିରୁ ଉପାର୍ଜିତ ଅର୍ଥ ଦ୍ଵାରା ସେମାନଙ୍କ ପରିବାରର ଆର୍ଥିକ ସ୍ଥିତି ସୁଦୂଢ ହୋଇପାରୁଛି । ଅନେକ ପରିବାର ବିନା ରଣରେ ମଧ୍ଯ ନିଜସ୍ବ ଅର୍ଥ ବିନିଯୋଗ କରି ପାରମ୍ପରିକ ପଦ୍ଧତିରେ ଉତ୍ପାଦନ କରୁଥୁବା ଜଣାପଡ଼ିଛି । ମିଶନ ଶକ୍ତି ପକ୍ଷରୁ ଆର୍ଥିକ ସହାୟତା ପାଇଥିବା ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ସହାୟତା ଦେଇଥିବାରୁ ରାଜ୍ୟ ସରକାରଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି । ସହାୟତା ପାଇନଥିବା କେତେକ ମହିଳା ସହାୟତା ପାଇଁ ରାଜ୍ୟ ସରକାରଙ୍କଠାରେ ଅନୁରୋଧ କରିଛନ୍ତି ।

ଢୋଲ ମୃଦଙ୍ଗ ପାଇଁ କଞ୍ଚାମାଲ ଭାବେ ମାଟିର ଖୋଳ୍ପା, ଚମଡ଼ା, ଓ ପ୍ଲାଷ୍ଟିକ ରଶି ଭିନ୍ନ ଭିନ୍ନ ସ୍ଥାନରୁ ଆଣିବା ପରେ ଏହାର ନିର୍ମାଣ ପ୍ରକ୍ରିୟା ଆରମ୍ଭ କରାଯାଇଥାଏ । ତିନିରୁ ଚାରିଦିନର ପରିଶ୍ରମ ପରେ ନିର୍ମାଣ ଶେଷ ହେବା ପରେ ଏହାକୁ ୫ରୁ ୬ ହଜାର ଟଙ୍କାରେ ବିକ୍ରି କରାଯାଉଥିବା ପ୍ରକାଶ କରିଛନ୍ତି ଉର୍ବଶୀ ବନଛୋର, ଲଳିତା ବାରଭାୟା, ବୃନ୍ଦାବତୀ ବନଛୋର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତି ଜରିଆରେ ଋଣ ଦେଇ ସହାୟତାର ହାତ ବଢ଼ାଇଥିବାରୁ ଆମେ ଅନେକ ମାତ୍ରାରେ ଆର୍ଥିକ ଲାଭବାନ ହେଇପାରିଛୁ ବୋଲି ଅମୂଲ୍ୟ ବନଛୋର କହିଛନ୍ତି ।