spot_img
Home Blog Page 3399

ଉମେଶ ପାଲ ମର୍ଡର: ଅତିକର ପୁଅ ଓ ଫେରାର ଶୁଟରଙ୍କ ଉପରେ ଅଢ଼େଇ ଲକ୍ଷର ପୁରସ୍କାର ରାଶି

ଲକ୍ଷ୍ନୌ: ପ୍ରୟାଗରାଜରେ ଉମେଶ ପାଲ ହତ୍ୟାକାଣ୍ଡରେ ସାମିଲ ଅତିକ ଅହମ୍ମଦର ପୁଅ ଓ ସମସ୍ତ ଶୁଟରଙ୍କ ଉପରେ ପୁରସ୍କାର ରାଶିର ଘୋଷଣା କରାଯାଇଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ୟୁପି ପୋଲିସ ପୁରସ୍କାର ରାଶିକୁ ୫୦ ହଜାରରୁ ବୃଦ୍ଧି କରି ଅଢ଼େଇ ଲକ୍ଷ ଟଙ୍କା କରିଦେଇଛି । ଉମେଶ ପାଲ ହତ୍ୟାକାଣ୍ଡରେ ସାମିଲ ଅଭିଯୁକ୍ତଙ୍କ ଗିରଫଦାରୀ ପାଇଁ ଏସଟିଏଫର ୟୁନିଟ ବ୍ୟତୀତ ସମସ୍ତ ଜିଲ୍ଲାକୁ ଟାସ୍କ ଦିଆଯାଇଛି । ଅଭିଯୁକ୍ତମାନଙ୍କ ଡିଟେଲ୍ସ ସମସ୍ତ ଜିଲ୍ଲା ସହ ସେୟାର କରାଯାଇ ଲୁଚିବାର ସମସ୍ତ ସମ୍ଭାବିତ ସ୍ଥାନର ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅତିକର ପୁଅ ଅସଦ ଉମେଶ ପାଲ ହତ୍ୟାକାଣ୍ଡର ଅଭିଯୁକ୍ତ ରହିଛି । ଏବେ ତା ଉପରେ ଅଢ଼େଇ ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖାଯାଇଛି ।

ଅସଦ ସିସିଟିଭି ପୁଟେଜରେ ଉମେଶ ପାଲଙ୍କୁ ଗୁଳିମାରୁଥିବାର ନଜର ଆସିଥିଲା । ଅସଦ ବ୍ୟତୀତ ଉମେଶ ପାଲ ହତ୍ୟାକାଣ୍ଡ ସମୟରେ ଗୁଡ୍ଡୁ ମୁସଲିମ ବ୍ୟାଗରେ ବୋମା ନେଇ ପହଞ୍ଚିଥିଲା । ଗୁଡ୍ଡୁ ମୁସଲିମ ବିରୋଧରେ ଜୈନପୁର, ସୁଲତାନପୁର ଏବଂ ପ୍ରୟାଗରାଜରେ ମୋଟ ୨୦ ମକଦ୍ଦମା ରୁଜୁ ଅଛି । ୨୦୦୫ରେ ରାଜୁ ପାଲ ହତ୍ୟା ମାମଲାରେ ସେ ଅଭିଯୁକ୍ତ ଅଛି । ଉମେଶ ପାଲ ହତ୍ୟାରେ ଗୁଲାମ ଟୋପି ପିନ୍ଧି ପିସ୍ତଲରେ ଫାୟାରିଂ କରୁଥିବାର ନଜର ଆସିଥିଲେ । ଗୁଲାମ ବିରୋଧରେ ପୂର୍ବରୁ ମରଣାନ୍ତକ ଆକ୍ରମଣ ଏବଂ ହତ୍ୟା ମାମଲା ରୁଜୁ ଅଛି ।

ଅନେକ ବିଜେପି ନେତାଙ୍କ ସହିତ ଗୁଲାମର ଭଲ ସମ୍ପର୍କ ଥିବା କୁହାଯାଉଛି । ସଲ୍ଲାହପୁର ପୁରାମୁଫତିର ବାସିନ୍ଦା ସାବିରର ଅପରାଧିକ ଇତିହାସ ପୋଲିସ ପାଖରେ ନାହିଁ । ଇମେଶଙ୍କ ଉପରେ ରାଇଫଲରେ ସାବିର ଗୁଳିମାଡ଼ କରିଥିଲା । ସାବିର ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିବା ଅରବାଜର ଗାଁର ଅଟେ । ଗୟା ବିହାରର ବାସିନ୍ଦା ଅରମାନ ସିଭିଲ ଲାଇନ୍ସରେ ରହୁଥିଲା । ସିସିଟିଭି ପୁଟେଜରେ ସେ ଟୋପି ପିନ୍ଧି ଉମେଶ ଏବଂ ସୁରକ୍ଷାକର୍ମୀଙ୍କ ଉପରକୁ ପିସ୍ତଲରେ ପାୟାରିଂ କରୁଥିବାର ନଜର ଆସିଥିଲା ।

ସିଭିଲ ଲାଇନ୍ସ ପୋଲିସ ତାକୁ ଧାରୁଅ ଅସ୍ତ୍ର ରଖିବା ଅଭିଯୋଗରେ ପୂର୍ବରୁ ଜେଲକୁ ପଠାଇଥିଲା । ସୂଚନାଥାଉକି ନିକଟରେ, ବିଧାୟକ ରାଜୁପାଲ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଉମେଶ ପାଲଙ୍କୁ ତାଙ୍କ ଘର ପାଖରେ ଗୁଳି କରି ଏବଂ ବୋମା ପକାଇ ହତ୍ୟା କରାଯାଇଥିଲା । ଉମେଶଙ୍କ ସୁରକ୍ଷାରେ ଥିବା ଦୁଇ କର୍ମଚାରୀ ମଧ୍ୟ ଏହି ଗୁଳିମାଡ଼ରେ ମୃତ୍ୟୁବରଣ କରିଥିଲେ । ରାଜୁ ପାଲ ହତ୍ୟାକାଣ୍ଡରେ ଅଭିଯୁକ୍ତ ଅତିକ ଅହମ୍ମଦ ଗୁଜୁରାଟର ଏକ ଜଲରେ ବନ୍ଦୀ ଅଛି । ତାର ପୁଅ ଅସଦ ଏବଂ ସହଯୋଗୀମାନେ ଉମେଶଙ୍କୁ ହତ୍ୟା କରିଥିଲେ । ହତ୍ୟା ପରେ ୟୁପି ପୋଲିସ ସକ୍ରିୟ ହେବା ସହ ଅଭିଯୁକ୍ତଙ୍କୁ ଖୋଜୁଛି ।

ନାବାଳିକା ଅପହରଣ ମାମଲାରେ ଦୁଇ ଅଭିଯୁକ୍ତ ଗିରଫ

ସୁବର୍ଣ୍ଣପୁର: ନାବାଳିକା ଅପହରଣ ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ତରଭା ପୋଲିସ I ଗତ ଜାନୁୟାରୀ ୩ ତାରିଖ ଦିନ ସୁବର୍ଣ୍ଣପୁର ଜିଲ୍ଲା ପାଇକବାହାଲ ଗାଁର ୧୭ ବର୍ଷର ଜଣେ ନାବାଳିକାକୁ ଅପହରଣ କରାଯାଇଥିବା ନେଇ ତରଭା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା I ପରେ ତରଭା ପୋଲିସ ଏକ ମାମଲା ରୁଜୁ କରିବା ସହ ଏକ ସ୍ବତନ୍ତ୍ର ଟିମ ଗଠନ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି I

ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଜଣେ ତରଭା ଥାନା ଅନ୍ତର୍ଗତ ଦେଉଳପଦର ଗାଁର ବିନୟ ବାଗ ଓ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ତାଙ୍କ ସହଯୋଗୀ ଭିଣୋଇ ବିଶ୍ୱଜିତ ହରିପାଲ ବୋଲି ଜଣା ପଡିଛି I ନାବାଳିକାକୁ ମୁମ୍ବାଇରର ଦିଭାରୁ ଉଦ୍ଧାର କରିଛି ପୋଲିସ । ନାବାଳିକା ଝିଅର ଡାକ୍ତରୀ ମାଇନା କରାଯାଇଥିବା ବେଳେ ଆଜି ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନାଧିକାରୀ ସୁବ୍ରତ ପାଣିଗ୍ରାହୀ ସୂଚନା ଦେଇଛନ୍ତି I

ଯାଜପୁର: ମା’ର ତଣ୍ଟିକାଟି ହତ୍ୟା କଲା ପୁଅ

ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ବିନ୍ଧାଣୀ ସାହିରେ ଅଭାବନୀୟ ଘଟଣା । ଧାରୁଆ ଅସ୍ତ୍ରରେ ମାର ତଣ୍ଟିକାଟି ହତ୍ୟା କରିଛି ପୁଅ । ମୃତକ ହେଉଛନ୍ତି ଶୁକଦେବ ଓଝାଙ୍କ ପତ୍ନୀ ପ୍ରେମଲତା । ପୁଅ ଗୋପାଳ ଓଝା ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛି l ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ପାରିବାରିକ କଳହକୁ କେନ୍ଦ୍ରକରି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୁଅ ଗୋପାଳ ଓଝାକୁ ବିଦାପଡା ଗାଁରୁ ଧରିଛି ପୋଲିସ।

ବିଜୁବାବୁଙ୍କ ଜୟନ୍ତୀରେ ପଶ୍ଚିମ ଓଡ଼ିଶାରେ ୩୦୮୧ କୋଟିର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଆଜି ମହାନ ଜନନାୟକ ବିଜୁ ପଟ୍ଟନାୟକ ଜୟନ୍ତୀ  ୲ ସାରା ରାଜ୍ୟ ଓଡିଶାର ଏହି ମହାନ ସନ୍ତାନଙ୍କ ଜୟନ୍ତୀକୁ ଶ୍ରଦ୍ଧାର ସହ ପାଳନ କରୁଛି  ୲ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ, କଳାହାଣ୍ଡି ଓ ନୁଆପଡା ଜିଲ୍ଲା ଗସ୍ତରେ ଯାଇ ଆମପାଣିଠାରେ ବିଜୁ ଏକ୍ସପ୍ରେସ ଓ୍ଵେ କୁ ଏବଂ ସୋହେଲାରୁ ଆମପାଣି ପର୍ଯ୍ୟନ୍ତ ବିଜୁ ଅର୍ଥନୈତିକ କରିଡର ଲୋକାର୍ପଣ କରିଛନ୍ତି  ୲ ଏହା ସହିତ ଏହି ତିନି ଗୋଟି ଜିଲ୍ଲାରେ ୩୦୮୧ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି  ୲

ମହିଳା ସଶକ୍ତିକରଣର କର୍ଣ୍ଣଧାର ବିଜୁବାବୁଙ୍କ ଜୟନ୍ତୀ ଅବସରରେ ବରଗଡ ନୁଆପଡା ଓ କଳାହାଣ୍ଡି ଜିଲ୍ଲାର ମିଶନ ଶକ୍ତି ମା ମାନଙ୍କୁ ୪୨ କୋଟି ଟଙ୍କାର ଋଣ ସହାୟତା ତଥା ସୁଧ ରିହାତି ମଧ୍ୟ ପ୍ରଦାନ କରିଛନ୍ତି ୲  ଏହି ଅବସରରେ ଆୟୋଜିତ ସମାବେଶ ମାନଙ୍କରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜୁ ଏକ୍ସପ୍ରେସ ଓ୍ଵେ କେବଳ ଏକ ରାସ୍ତା ନୁହେଁ ଏହା ହେଉଛି ଏ ଅଞ୍ଚଳର ଜୀବନ ରେଖା ୲ ଏହି ଏକ୍ସପ୍ରେସ ୱେ କେବଳ ଏ ଅଞ୍ଚଳ ନୂହେଁ ସାରା ଓଡ଼ିଶା ପାଇଁ ବିକାଶର ନୂଆ ଇତିହାସ ଲେଖିବ ।

ବିଜୁ ଏକ୍ସପ୍ରେସ ଓ୍ଵେ ଏ ଅଞ୍ଚଳ ପାଇଁ ଅନେକ ସୁଯୋଗ ଆଣିଛି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଲେ ଯେ , ଚାଷୀ ପାଇଁ ବଜାର ସୁବିଧା ମିଳିବ ୲ ଛାତ୍ରଛାତ୍ରୀମାନଙ୍କ ପାଠପଢା ପାଇଁ ସୁବିଧା, ବ୍ୟବସାୟୀ ମାନଙ୍କୁ ସୁବିଧା, ସ୍ୱାସ୍ଥ୍ୟ ସେବାରେ ଆହୁରି ଉନ୍ନତି ଆସିବ ,ସାଧାରଣ ଲୋକ ମଧ୍ୟ ସୁବିଧାରେ ଯାତାୟତ ରୂପାନ୍ତର କାମକୁ ମଜଭୁତ କରିବ । ସୋହେଲାରୁ ଆମପାଣି ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସର ଦୁଇପାଖେ ବିଜୁ ଅର୍ଥନୈତିକ କରିଡର ହେବାଦ୍ଵାରା ପୁଞ୍ଜି ବିନିଯୋଗ ବଢିବ ଏବଂ ନୂଆ ନୂଆ ଶିଳ୍ପ ଗଢି ଉଠିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ୲

ସେ କଥା ନୂହେଁ କାମ ରେ ବିଶ୍ବାସ କରନ୍ତି ବୋଲି ତାଙ୍କ ଉକ୍ତି କୁ ଦୋହରାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁ ଅର୍ଥନୈତିକ କରିଡରକୁ ପୁଞ୍ଜିପତିମାନଙ୍କୁ ଆକର୍ଷଣ କରିବା ପାଇଁ ପ୍ରୋତ୍ସାହନ ଭାବରେ ଅତିରିକ୍ତ ୩୦ ପ୍ରତିଶତ ରିହାତି ନିବିଶେକମାନଙ୍କୁ ମିଳିବ ୲ ଶିଳ୍ପ ବିକାଶ କାର୍ଯ୍ୟ ତ୍ଵରାନିତ କରିବା ପାଇଁ ଆଗୁଆ ଜମି ଅଧିଗ୍ରହଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି ୲ ବିଜୁ ଅର୍ଥନୈତିକ କରିଡର ଦ୍ଵାରା ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ନୁଆପଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାବାସୀ ବିଶେଷ ଭାବରେ ଉପକୃତ ହେବେ ୲

ପଶ୍ଚିମ ଓ ଦକ୍ଷିଣ ଓଡିଶା ମଧ୍ୟରେ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ଘଟିବ ୲ ପର୍ଯ୍ୟଟନର ମଧ୍ୟ ବିକାଶ ଘଟିବ ୲ ଘଟିପଡାରୁ ଆମପାଣି ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସ ଓ୍ଵେର ଚାରିଥାକିଆ ରାସ୍ତା କାମ ରେକର୍ଡ ଏକ ବର୍ଷ ମଧ୍ୟରେ ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ. ଓଡିଶାରେ ଭିତ୍ତିଭୂମି ବିକାଶ ପାଇଁ ଅଗ୍ରଣୀ ଭୁମିକା ନେଇଥିବା ମହାନ ଜନନାୟକ ବିଜୁ ବାବୁଙ୍କୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ବିଜୁ ବାବୁଙ୍କ ଆଦର୍ଶରେ ଏକ ସଶକ୍ତ ଓଡିଶା ଗଠନ ପାଇଁ ସେ କାମ କରି ଚାଲିଛନ୍ତି ।

ସମ୍ବଲପୁର- ରାଉଲକେଲା ରାସ୍ତା ବିଜୁବାବୁଙ୍କ ପରିକଳ୍ପନା ଥିଲା । L&T ରାସ୍ତାଭାବେ ପରିଚିତ ଏହି ରାସ୍ତାର ଆରମ୍ଭ ସ୍ଵର୍ଗତ ବିଜୁବାବୁ ୧୯୯୩ ମସିହାରେ ଆରମ୍ଭ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଓଡିଶା ମାଟି ଓ ଏ ମାଟିର ମଣିଷର ସ୍ଵପ୍ନ ସହ ବିଜୁବାବୁ ସବୁବେଳେ ଯୋଡିହୋଇ ରହିଥିଲେ ବୋଲି ମତ ଦେଇ ତାଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲ ୲ ଏହି ସବୁ କାର୍ଯ୍ୟକ୍ରମରେ ମନ୍ତ୍ରୀ ମଣ୍ଡଳର ସଦସ୍ୟ , ତଥା ବିଧାୟକ ମାନେ ଉପସ୍ଥିତ ଥିଲେ ।

ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରିପାରେ ପୋଲିସ

ଲାହୋର: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରିପାରେ ପୋଲିସ । ଲାହୋର ଜମାନ ପାର୍କସ୍ଥିତ ଇମ୍ରାନଙ୍କ ବାସଭବନରେ ପୋଲିସ ଟିମ୍ ପହଞ୍ଚିଛି । ତୋଷଖାନା ମାମଲାରେ ଗିରଫ ହୋଇପାରନ୍ତି ଇମ୍ରାନ୍ । ଗିରଫ ଓ୍ବାରେଣ୍ଟ ସହ ପୋଲିସ ଇମ୍ରାନଙ୍କ ବାସଭବନରେ ପହଞ୍ଚିଥିବା ବେଳେ ପୋଲିସ ଓ ଇମ୍ରାନ ସମର୍ଥକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ତୋଷଖାନା ମାମଲାର ଗତ ଫେବୃଆରୀ ୨୮ ତାରିଖରେ ଇମ୍ରାନଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରିଥିଲେ କୋର୍ଟ । ଇସଲାମାବାଦର ଅତିରିକ୍ତ ଦୌରାଜଜ୍ ଜାଫର ଇକବାଲ ଏହି ରାୟ ଦେଇଥିଲେ ।

ସେବା ଓ ଶାସନର ୨୪ ବର୍ଷ, ରାଜ୍ୟବାସୀଙ୍କ ସେବାରେ ବିଜେଡି ସରକାରକୁ ଚାଲିଲା ୨୪

ଭୁବନେଶ୍ୱର: ନବୀନ ପଟ୍ଟନାୟକ ନେତୃତ୍ବାଧୀନ ବିଜେଡି ସରକାରକୁ ୨୩ ବର୍ଷ ପୂରିଲା । କ୍ରମାଗତ ଭାବେ ୨୩ ବର୍ଷ ଧରି ଓଡ଼ିଶାକୁ ଏକ ସ୍ଥିର ସରକାର ପ୍ରଦାନ କରିଛନ୍ତି ନବୀନ । ଏଇ ୨୩ ବର୍ଷ ଭିତରେ ଦ୍ରୁତ ଗତିରେ ଦାରିଦ୍ର୍ୟ ହ୍ରାସ ପାଇଛି । ଓଡ଼ିଶାର ଦାରିଦ୍ର୍ୟ ହାର ଜାତୀୟ ଦାରିଦ୍ର୍ୟ ହାରର ପାଖାପାଖି ରହିଛି । ଭୋକ ଓ ଅନାହାର ମୃତ୍ୟୁ ଇତିହାସ ପାଲଟିଛି । ଓଡ଼ିଶାର ଅର୍ଥନୀତି ୨୦ ହଜାର କୋଟିରୁ ବୃଦ୍ଧି ପାଇ ୨ ଲକ୍ଷ ୩୦ ହଜାର କୋଟିରେ ପହଞ୍ଚିଛି । ୨୦୦୦ ମସିହା ତୁଳନାରେ ବିକାଶ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ବ୍ୟୟ ୩୫ ଗୁଣ ବଢ଼ି ୧ ଲକ୍ଷ ୨୫ ହଜାର କୋଟିରେ ପହଞ୍ଚିଥିବାବେଳେ ପୁଞ୍ଜି ବ୍ୟୟ ୬୦ ଗୁଣ ବୃଦ୍ଧି ପାଇ ୫୧ ହଜାର କୋଟି ଟଙ୍କା ଛୁଇଁଛି । ଦେଶର କୌଣସି ରାଜ୍ୟରେ ଦ୍ରୁତ ବିକାଶର ଏହି ଦୁଇ ସୂଚକାଙ୍କ ଏତେ ବେଶି ବଢ଼ି ନାହିଁ ।

ପୂର୍ବରୁ ବିତ୍ତୀୟ ପରିଚାଳନାରେ ଓଡ଼ିଶାର ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା । କର୍ମଚାରୀଙ୍କ ଦରମା ଦେବାକୁ ବି ରାଜ୍ୟ ସରକାରଙ୍କୁ ମାସରେ ୨୮ ଦିନ ଓଭରଡ୍ରାଫ୍ଟ କରିବାକୁ ପଡୁଥିଲା। ଏବେ ବିତ୍ତୀୟ ପରିଚାଳନାରେ ଓଡ଼ିଶା ଦେଶର ଏକ ନମ୍ବର ରାଜ୍ୟର ମାନ୍ୟତା ହାସଲ କରିଛି । ଗତ କିଛି ବର୍ଷ ହେଲା ଓଡ଼ିଶା ରାଜସ୍ଵ ବଳକା ରାଜ୍ୟ ଭାବେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ୨୩ ବର୍ଷ ଭିତରେ ଓଡ଼ିଶାବାସୀଙ୍କ ମୁଣ୍ଡପିଛା ଆୟ ୧୨,୪୦୦ ଟଙ୍କାରୁ ବଢ଼ି ଦେଢ଼ ଲକ୍ଷ ଟଙ୍କାରୁ ଅଧିକ ହୋଇଛି । ରାଜ୍ୟବାସୀଙ୍କ ମୁଣ୍ଡପିଛା ଆୟ ବୃଦ୍ଧିର ହାର ଜାତୀୟ ମୁଣ୍ଡାପିଛା ଆୟ ବୃଦ୍ଧିର ହାରଠାରୁ ମଧ୍ୟ ଅଧିକ ରହିଛି । କୃଷି ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି। ଏବେ ଓଡ଼ିଶା ଦେଶର ଚତୁର୍ଥ ସର୍ବାଧିକ ଚାଉଳ ଉତ୍ପାଦନକାରୀ ରାଜ୍ୟ ହେବା ସହିତ ବଳକା ରାଜ୍ୟରେ ପରିଣତ ହୋଇଛି। ଏତେ ଅଧିକ ଧାନ ଉତ୍ପାଦନ ହେଉଛି ଯେ କେନ୍ଦ୍ର ସରକାର ଚାଷୀଙ୍କ ସବୁ ଧାନ ସଂଗ୍ରହ କରି ପାରୁନାହାନ୍ତି।

କମ୍ ପାଣି ଥିବା ରାଜ୍ୟର ପାହାଡ଼ିଆ ଅଞ୍ଚଳରେ ମିଲେଟ୍ ଚାଷକୁ ପ୍ରୋତ୍ସାହନ ଦେଇ ଓଡ଼ିଶା ପ୍ରଥମେ ପଥପ୍ରଦର୍ଶକ ଭାବେ କାର୍ଯ୍ୟ କରିଥିବାବେଳେ ଏବେ ସମଗ୍ର ଦେଶ ଏହାକୁ ଗ୍ରହଣ କରିଛି । ଓଡ଼ିଶାର ଏହି ଉଦ୍ୟମକୁ ମିଳିତ ଜାତିସଂଘ ମଧ୍ୟ ସ୍ୱୀକୃତି ଦେଇଛି । ବିଗତ ୨୩ ବର୍ଷ ମଧ୍ୟରେ ଜଳସେଚନ କ୍ଷେତ୍ରରେ ବ୍ୟାପକ ରୂପାନ୍ତରଣ ହୋଇଛି । ୨୦୦୦ ମସିହାରେ ଖରିଫ୍ ଓ ରବି ମିଶି ରାଜ୍ୟରେ ମାତ୍ର ୩୬ ଲକ୍ଷ ହେକ୍ଟର ଜମିକୁ ଜଳସେଚନର ସୁବିଧା ରହିଥିବାବେଳେ ଏବେ ୬୬ ଲକ୍ଷ ହେକ୍ଟର ଜମିକୁ ଜଳେସେଚନ କରାଯାଉଛି । ୨୦୨୪ ସୁଦ୍ଧା ରାଜ୍ୟର ୭୨ ଲକ୍ଷ ହେକ୍ଟର ଜମି ଜଳସେଚିତ କରିବାକୁ ଲକ୍ଷ୍ୟ ରହିଛି ।

ସେହିପରି ଭିଭିଭୂମି ନିର୍ମାଣ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି । କେନ୍ଦ୍ର ସରକାର ବିମାନ, ରେଳ ଯୋଗାଯୋଗ ଓ ସଡ଼କ ନିର୍ମାଣରେ ଓଡ଼ିଶା ପ୍ରତି କ୍ରମାଗତ ଭାବେ ଅବହେଳା କରି ଆସୁଥିବାବେଳେ ରାଜ୍ୟ ସରକାର ନିଜସ୍ଵ ଅର୍ଥରେ ଏହି କାର୍ଯ୍ୟକୁ ଆଗେଇ ନେଉଛନ୍ତି । ସଡ଼କ ଯୋଗାଯୋଗ କ୍ଷେତ୍ରରେ ଅପେକ୍ଷାକୃତ ପଛରେ ଥିବା ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାକୁ ମୁଖ୍ୟତଃ ଫୋକସ୍ କରାଯାଇଛି । ୨୦୧୪ ମସିହାରେ ବିଜେଡି ନିର୍ବାଚନ ଇସ୍ତାହାରରେ ଅନୁସାରେ ୫୪୬ କିମି ଦୀର୍ଘ ବିଜୁ ଏସପ୍ରେସ୍ ୱେ କାମ ସରିଛି ଏଥି ଯୋଗୁଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି ଓ ନବରଙ୍ଗପୁର ଆଦି ଜିଲ୍ଲାର ଲୋକେ ଉପକୃତ ହେବେ ।

ଏହି ରାସ୍ତା କଡ଼େ କଡ଼େ ଅନେକ କମ୍ପାନୀ ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ସେହିପରି ବ୍ରହ୍ମପୁରରୁ ଜୟପୁର ଯାଏ ୩୩୫ କିମି ରାସ୍ତା ବିଜୁ ଏକ୍ସପ୍ରେସ ୱେ-୨ ନିର୍ମାଣ ଲାଗି ମଧ୍ୟ ଘୋଷଣା ହୋଇ ସାରିଛି । ଏ ବାବଦକୁ ୬୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ।  ବିଗତ ଦୁଇ ଦଶନ୍ଧି ମଧ୍ୟରେ ଶିଳ୍ପ କ୍ଷେତ୍ରରେ ବିପୁଳ ପୁଞ୍ଜି ନିବେଶ ଯୋଗୁଁ ଓଡ଼ିଶା ଦେଶର ଅନ୍ୟତମ ଶିଳ୍ପ ସମୃଦ୍ଧ ରାଜ୍ୟରେ ପରିଣତ ହୋଇଛି । ଇସ୍ପାତ ଓ ଆଲୁମିନିୟମ ଉତ୍ପାଦନରେ ଓଡ଼ିଶା ଦେଶର ଏକ ନମ୍ବର ରାଜ୍ୟ ହୋଇଛି । ଦେଶର ସର୍ବାଧୂକ ଫସଫେଟ ସାର ଉତ୍ପାଦନ ମଧ୍ୟ ଓଡ଼ିଶାରେ ହେଉଛି।

ସେହିପରି ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ଜରିଆରେ ଓଡ଼ିଶାରେ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ଲାଗି ଦେଶ ବିଦେଶର ଶିଳ୍ପସଂସ୍ଥାମାନେ ପ୍ରତିଶ୍ରୁତି ଦେଇଛନ୍ତି । ଭିତ୍ତିଭୂମିର ବିକାଶ ଫଳରେ ଡେଲଏଟ୍, ଆଇବିଏମ୍ ଭଳି ଅନ୍ତର୍ଜାତୀୟ ସ୍ତରର ବୃହତ୍ ଆଇଟି କମ୍ପାନିମାନେ ଓଡ଼ିଶାରେ ସେମାନଙ୍କ ଶାଖା ଖୋଲିଥିବାବେଳେ ଅନ୍ୟ କେତେକ ବହୁଦେଶୀୟ କମ୍ପାନୀ ମଧ୍ୟ ଓଡ଼ିଶା ଆସିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଶିଳ୍ପାଞ୍ଚଳ, ଏସଏସଏମଇ ପାର୍କ ଓ ଫୁଡ୍ ପାର୍କ ଆଦି ନିର୍ମାଣ ସାଂଗକୁ ଶିଳ୍ପ ଭିଭିଭୂମିର ବିକାଶ ଲାଗି ଖୁବଶୀଘ୍ର ଆହୁରି ୩୫୦୦ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଯାଉଛି।

ବିଗତ ୨୩ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶିକ୍ଷା ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ଓଡ଼ିଶାକୁ ଏକ ନୂତନ ଉଚ୍ଚତାକୁ ନେଇଛନ୍ତି । ଓଡ଼ିଶାରେ ଥିବା ୮ ହଜାର ସରକାରୀ ସ୍କୁଲରେ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ, ଅତ୍ୟାଧୁନିକ ବିଜ୍ଞାନ ପରୀକ୍ଷାଗାର ଆଦି ନିର୍ମାଣ କରାଯାଇ ରୂପାନ୍ତରଣ କାର୍ଯ୍ୟକ୍ରମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମୋ ସ୍କୁଲ ଅଭିଯାନରେ ୩୩ ଲକ୍ଷ ପୁରାତନ ଛାତ୍ରଛାତ୍ରୀ ପଞ୍ଜୀକୃତ ହୋଇଛନ୍ତି । ସ୍କୁଲଗୁଡ଼ିକରେ ଫାଙ୍କା ପଡ଼ିଥିବା ଶିକ୍ଷକ ପଦ ପୂରଣ ଲାଗି ପର୍ଯ୍ୟାୟକ୍ରମେ ଶିକ୍ଷକ ନିଯୁକ୍ତି ଜାରି ରହିଥିବାବେଳେ ଆଗାମୀ ଦିନରେ ସରକାର ଆହୁରି ୨୦ରୁ ୨୫ ହଜାର ଶିକ୍ଷକ ନିଯୁକ୍ତ କରିବାକୁ ଯାଉଛନ୍ତି।

ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ଇଂରାଜୀ ମାଧ୍ୟମରେ ଶିକ୍ଷା ଦେବା ଲାଗି ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଏଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିର୍ମାଣ କରାଯାଇଛି । ୧୫୦ଟି ଆଦର୍ଶ ବିଦ୍ୟାଳୟରେ ହଷ୍ଟେଲ ନିର୍ମାଣ ଲାଗି ଘୋଷଣା କରାଯାଇଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶା ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା-ବିଏସକେୱାଇ ନାମରେ ଏକ ଯୁଗାନ୍ତକାରୀ ଯୋଜନା ପ୍ରଣୟନ କରି ରାଜ୍ୟର ସାଢ଼େ ୯୬ ଲକ୍ଷ ପରିବାର ସମସ୍ତ ସରକାରୀ ଓ ୬୦୦ରୁ ଅଧିକ ବେସରକାରୀ ହସ୍ପିଟାଲରେ କ୍ୟାସ୍ ଲେସ୍ ଚିକିତ୍ସା ସୁବିଧା କରିଛନ୍ତି ।

୨୦୦୦ ମସିହା ବେଳକୁ ରାଜ୍ୟରେ ଥିବା ମାତ୍ର ୩ଟି ସରକାରୀ ମେଡିକାଲ କଲେଜରୁ ବର୍ଷକୁ ମାତ୍ର ୩୫୦ ଡାକ୍ତର ବାହାରୁଥିଲେ । ଫଳରେ ରାଜ୍ୟର ବିଭିନ୍ନ ହସ୍ପିଟାଲ ଡାକ୍ତର ପଦ ଖାଲି ପଡ଼ୁଥିଲା । ଇତିମଧ୍ୟରେ ସରକାରୀ ମେଡିକାଲ ସଂଖ୍ୟା ୯ରେ ପହଞ୍ଚି ସାରିଛି ଏବଂ ଖୁବଶୀଘ୍ର ଆଉ ୪ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ତେଣୁ ୨୦୨୪ ସୁଦ୍ଧା ୧୩ଟି ସରକାରୀ ଓ ଅନ୍ୟ ଘରୋଇ ମେଡିକାଲ କଲେଜରୁ ବର୍ଷକୁ ପ୍ରାୟ ୨୨୦୦ ଡାକ୍ତର ବାହାରିବେ ଏବଂ ଆଗାମୀ ଦୁଇ ତିନି ବର୍ଷ ମଧ୍ୟରେ ଓଡ଼ିଶାରେ ଆଉ ଡାକ୍ତର ଅଭାବ ରହିବ ନାହିଁ।

ମା’ମାନଙ୍କ ଉନ୍ନତି ନ ହେଲେ ଗୋଟିଏ ପରିବାର, ଗୋଟିଏ ରାଜ୍ୟ ଓ ଗୋଟିଏ ଜାତି ଆଗକୁ ଯାଇପାରିବ ନାହିଁ। ନବୀନ ବାବୁ କ୍ଷମତାକୁ ଆସିଲା ପରେ ଏହାକୁ ଉପଲବ୍ଧି କରିଥିଲେ ଏବଂ ଏ ଦିଗରେ ପଦକ୍ଷେପ ନେଇଥିଲେ । ଏବେ ମିଶନ ଶକ୍ତି ଜରିଆରେ ଓଡ଼ିଶାରେ ମହିଳାମାନଙ୍କ ସଶକ୍ତିକରଣ ଆଜି ସମଗ୍ର ଦେଶରେ ଅନ୍ୟ ରାଜ୍ୟମାନଙ୍କ ପାଇଁ ଅନୁକରଣୀୟ ହୋଇପାରିଛି। ରାଜ୍ୟର ୭୦ ଲକ୍ଷରୁ ଅଧିକ ମହିଳା ୭ ଲକ୍ଷ ଏସ୍ଏଚ୍ଜି ଗଠନ କରି ବିଭିନ୍ନ ବୃତ୍ତି ଓ ବ୍ୟବସାୟ ଜରିଆରେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଦେଇ ପାରିଛନ୍ତି ।

ସେହିପରି ୨୩ ବର୍ଷ ତଳେ ଓଡ଼ିଶାରେ ଶିଶୁ ମୃତ୍ୟୁ ହାର  ଓ ମାତୃ ମୃତ୍ୟୁ ହାର ଅତ୍ୟନ୍ତ ଉଦବେଗଜନକ ଥିଲା । ଶିଶୁ ମୃତ୍ୟୁ ହାରରେ ଓଡ଼ିଶା ଦେଶର ରାଜ୍ୟମାନଙ୍କ ତାଲିକାରେ ୨୯ ନମ୍ବରରେ ଥିଲା। ଏ ଦିଗରେ ନିରନ୍ତର କାର୍ଯ୍ୟ କରିବା ଫଳରେ ଓଡ଼ିଶାରେ ଶିଶୁ ମୃତ୍ୟୁ ହାର ସର୍ବାଧୂକ ହ୍ରାସ ପାଇ ୯୧ରୁ ୩୬କୁ ଖସି ଆସିଛି। ସେହିପରି ଓଡ଼ିଶାରେ ମାତୃ ମୃତ୍ୟୁ ହାର ମଧ୍ୟ ୪୫୦ରୁ ହ୍ରାସ ପାଇ ୧୧୯ ହୋଇଛି। ମାତୃ ମୃତ୍ୟୁ ହାରରେ ଏହା ଦେଶରେ ଦ୍ଵିତୀୟ ସର୍ବାଧିକ ହ୍ରାସ । ପୂର୍ବରୁ ଓଡ଼ିଶାରେ ବିଦ୍ୟୁତ କାଟ ଓ ଲୋ ଭୋଲଟେଜ୍ ସମସ୍ୟା ଉତ୍କଟ ଥିବାବେଳେ ଗତ କିଛିବର୍ଷ ମଧ୍ୟରେ ଏଥିରେ ବ୍ୟାପକ ସୁଧାର ଆସିଛି। ଏହାଛଡ଼ା ଓଡ଼ିଶାରେ ବିଦ୍ୟୁତ ଉତ୍ପାଦନ ବଢ଼ିଥିବାରୁ ଓଡ଼ିଶା ଏବେ ବିଦ୍ୟୁତ ବଳକା ରାଜ୍ୟରେ ମଧ୍ୟ ପରିଣତ ହୋଇଛି ।

ବିଜୁ ଏକ୍ସପ୍ରେସ ଓ୍ୱେ’ରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ’ , ରୋଡ୍ ସୋ’ରେ ମୁଖ୍ୟମନ୍ତ୍ରୀଙ୍କୁ ବିପୁଳ ସ୍ୱାଗତ

ବରଗଡ଼: ପଶ୍ଚିମ ଓଡ଼ିଶାର ୩ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ପ୍ରଥମେ ବରଗଡ଼ ହଳଦୀପାଲିରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ମୁଖ୍ୟମନ୍ତ୍ରୀ ବିଜୁ ଏକ୍ସପ୍ରେସ ଓ୍ୱେରେ ମୁଖ୍ୟମନ୍ତ୍ରୀ ରୋଡ୍ ସୋ’  କରିଥିଲେ । ସୋହେଲାରୁ ଘେସଁ ପର୍ଯ୍ୟନ୍ତ ୧୮ କିଲୋମିଟର ପର୍ଯ୍ୟନ୍ତ ନବୀନଙ୍କ ରୋଡ୍ ସୋ’ । ରୋଡ୍ ସୋ’ରେ ମୁଖ୍ୟମନ୍ତ୍ରୀଙ୍କୁ ବିପୁଳ ସ୍ୱାଗତ । ରାସ୍ତାର ଉଭୟ ପାର୍ଶ୍ୱରେ ଠିଆ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ଲୋକ । ରୋଡ ସୋ’ ସମୟରେ ରାସ୍ତାରେ ଗାଡ଼ି ଅଟକାଇ ଲୋକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୮ କିଲୋମିଟରର ଏହି ରୋଡ୍ ସୋ’ ବେଳେ ଏକାଧିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ସହିଦ ମାଧୋ ସିଂଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କଲେ ନବୀନ ।  ମୋଟ୍ ୫୪୬ କିଲୋମିଟର ଦୂରତାର ଏହି ବିଜୁ ଏକ୍ସପ୍ରେସ ଓ୍ୱେ । ବୀରମିତ୍ରପୁରଠାରୁ କଳାହାଣ୍ଡିର ଆମ୍ବପାଣି ଯାଏ ଲମ୍ବିଛି ଏହି ଏକ୍ସପ୍ରେସ ଓ୍ୱେ ।

ଏହା ପରେ ନୂଆପଡ଼ାରେ ସାଧାରଣ ସଭାରେ ଯୋଗଦେଇ ପଶ୍ଚିମ ଓଡ଼ିଶାର ଲାଇଫ ଲାଇନ୍ ବିଜୁ ଏକ୍ସପ୍ରେସ ଓ୍ବେର ଲୋକାର୍ପଣ କରିବେ ନବୀନ । ଏହାଛଡ଼ା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ସହିତ ଅନେକ ପ୍ରକଳ୍ପର ଶୁଭ ଉଦଘାଟନ ଏବଂ ଶିଳାନ୍ୟାସ କରିବେ । ସେଠାରୁ କଳାହାଣ୍ଡି ଯିବେ ନବୀନ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବୃନ୍ଦା ବାହାଲ ଖେଳ ପଡିଆରେ ପହଞ୍ଚି ସାଧାରଣ ସଭାରେ ଯୋଗଦେବେ । ଆମ୍ବପାଣିଠାରୁ ଧର୍ମଗଡ଼ ଭାୟା ଗୋଲାମୁଣ୍ଡା ସିନାପାଲି ପର୍ଯ୍ୟନ୍ତ ନିର୍ମିତ ବିଜୁ ଏକ୍ସପ୍ରେସ ଓ୍ବେର ଲୋକାର୍ପଣ କରିବେ ନବୀନ । ସେଠାରୁ ୬୧କିଲୋମିଟର ଦୂର ଆମ୍ବପାଣି ପର୍ଯ୍ୟନ୍ତ ବସରେ ଯାତ୍ରା କରିବେ ମୁଖ୍ୟମନ୍ତ୍ରୀ ।

ବିଜୁ ଏକ୍ସପ୍ରେସ ଓ୍ବେ କେବଳ ରାସ୍ତା ନୁହେଁ ଏ ଅଞ୍ଚଳର ଜୀବନରେଖା: ମୁଖ୍ୟମନ୍ତ୍ରୀ

ବରଗଡ଼: ବିଜୁ ଏକ୍ସପ୍ରେସ ଓ୍ବେ କେବଳ ରାସ୍ତା ନୁହେଁ ଜୀବନରେଖା । ବିଜୁବାବୁଙ୍କ ଜନ୍ମଦିନରେ ବିଜୁ ଏକ୍ସପ୍ରେସ ଓ୍ବେର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ବଲପୁରରୁ ରାଉରକେଲା ରାସ୍ତା ବିଜୁବାବୁ ହିଁ ୧୯୯୩ରେ ଆରମ୍ଭ କରିଥିଲେ। ବିଜୁ ଏକ୍ସପ୍ରେସ ଓ୍ବେ ବିକାଶର ନୂଆ ଇତିହାସ ଲେଖିବ । ଚାଷୀ ହୁଅନ୍ତୁ କି ସାଧାରଣ ଲୋକେ ରାସ୍ତା ହେବା ଦ୍ୱାରା ସମସ୍ତେ ସୁବିଧା ପାଇବେ । ସ୍ୱାସ୍ଥ୍ୟସେବାରେ ଉନ୍ନତି ଆସିବ । ଛାତ୍ରଛାତ୍ରୀଙ୍କର ସୁବିଧା ହେବ, ନୂଆ ନୂଆ ଶିଳ୍ପ ଗଢ଼ି ଉଠିବ । ବିଜୁ ଏକ୍ସପ୍ରେସ ଓ୍ବେ ଦୁଇ ପାଖରେ ବିଜୁ ଇକୋନୋମିକ କରିଡର କରାଯାଇଛି । ଏହାଦ୍ବାରା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୦ଟି ଜିଲ୍ଲା ସୁବିଧା ପାଇବେ । ଇକୋନୋମିକ କରିଡରରେ ପୁଞ୍ଚି ବିନିଯୋଗ ପାଇଁ ଅଧିକ ପ୍ରୋତ୍ସାହନ ଦିଆଯାଉଛି । ବିଜୁ ଏକ୍ସପ୍ରେସ ଓ୍ବେ ଆଉ ଏକ ମାଇଲଷ୍ଟୋନ୍ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ବିଜୁବାବୁଙ୍କ ସ୍ବପ୍ନ ଥିଲା ସୁସ୍ଥ ଓଡ଼ିଶା । ସେଦିଗରେ ରାଜ୍ୟ ସରକାର ସଫଳତାର ସହ ଆଗକୁ ବଢୁଛନ୍ତି । ବରଗଡ଼ ବିକାଶକୁ ଆହୁରି ଆଗକୁ ନେବା ପାଇଁ ୨ଶହ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଜୁ ବାବୁଙ୍କ ଜନ୍ମ ଦିବସରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ନବୀନ । ବିଜୁବାବୁ ଥିଲେ ଓଡ଼ିଶାବାସୀଙ୍କ ସବୁଠାରୁ ବଡ଼ ଭରସା । ଏ ମାଟି ଓ ମାଟିର ମଣିଷର ସ୍ବପ୍ନ ସହ ସେ ସବୁବେଳେ ଯୋଡ଼ି ହୋଇ ରହିଥିଲେ। ଜଣେ ଓଡ଼ିଆ ଭାବେ ସେ ଗର୍ବ କରୁଥିଲେ ଏବଂ ସେ ମହାନ ଓଡ଼ିଆଙ୍କ ପାଇଁ ଓଡ଼ିଆ ଜାତି ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବିଜୁ ପଟ୍ଟନାୟକ: ପ୍ରବାଦ ପୁରୁଷ, ଝଡ଼ର ଇଗଲ

ଭୁବନେଶ୍ୱର: ପ୍ରତିଟି ଓଡ଼ିଆ ପ୍ରାଣରେ ସେ ଭିନ୍ନ ଭିନ୍ନ ଭାବନାରେ ସ୍ଥାନିତ । କିଏ କହେ ତାଙ୍କୁ ମାଟିର ବରପୁତ୍ର, କିଏ କହେ ’ଝଡ଼ର ଇଗଲ’ । ସେ କିନ୍ତୁ ’କଳିଙ୍ଗ ବୀର’, ନବ ଓଡ଼ିଶାର ପ୍ରମୁଖ ବିନ୍ଧାଣୀ । କୋଟି ଓଡ଼ିଆଙ୍କ ମୁଖନିସୃତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ । ଆଜନ୍ମ ସାହାସୀ, ଉତ୍ତୁଙ୍ଗ ବ୍ୟକ୍ତିତ୍ୱର ଅଧିକାରୀ ବିଜୁବାବୁଙ୍କ କେବଳ ଓଡ଼ିଆ ଚିହ୍ନେନା; ସାରା ବିଶ୍ୱରେ ତାଙ୍କ ଦୁର୍ଦ୍ଧର୍ଷ ମାନସିକତାର, ତାଙ୍କ ଦୂରଦୃଷ୍ଟି, ତାଙ୍କ କର୍ମନିପୁଣ ଜୀବନର ପ୍ରଶଂସା ଶୁଣିବାକୁ ମିଳେ । ତାଙ୍କ ଅବର୍ତ୍ତମାନରେ ବି ଏ ଓଡ଼ିଶା ମାଟିରେ ସେ ଅବିସ୍ମରଣୀୟ, ଅତୁଳନୀୟ, ଅବର୍ଣ୍ଣନୀୟ ।

ବିଜୟାନନ୍ଦ ପଟ୍ଟନାୟକ-ଆମର ପ୍ରିୟ ବିଜୁ ବାବୁ । ୧୯୧୬, ମାର୍ଚ୍ଚ ୫ରେ ଜନ୍ମ ନେଇଥିଲେ । ପିତା- ଲକ୍ଷ୍ମୀନାରାୟଣ ପଟ୍ଟନାୟକ । ମା- ଆଶାଲତା ଦେବୀ । ସ୍ୱାଧିନତା ସଂଗ୍ରାମରେ ବିଜୁଙ୍କ ଭୂମିକା ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଥିଲା । ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଅତି ପ୍ରିୟ ଅନୁଗତ ଥିଲେ ବିଜୁ । ଯୁବାବସ୍ଥାରୁ ରାଜନୀତିରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ରାଜନେତା ଭାବେ ସେ ଥିଲେ ସାହାସୀ, ସ୍ୱାଭିମାନୀ, ଦୂରଦ୍ରଷ୍ଟା । ସ୍ୱାଧୀନତା ପରେ ଓଡ଼ିଶାକୁ ଏକ ବିଭବଶାଳୀ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ସେ ଦେଖିଥିଲେ ସ୍ୱପ୍ନ ।

ସ୍ୱାଧୀନତା ପୂର୍ବରୁ ସେ କଟକ ଉତ୍ତର ଆସନରୁ ୧୯୪୪ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସ୍ୱାଧୀନତା ପରେ ୧୯୫୨ରେ ଜଗନ୍ନାଥପ୍ରସାଦ ଓ ୧୯୫୭ରେ ସୋରଡ଼ା ଆସନରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୬୦ ଦଶକ ଆରମ୍ଭରେ ରାଜ୍ୟ କଂଗ୍ରେସର ମଙ୍ଗ ଧରିଥିଲେ ବିଜୁବାବୁ । ବିଜୁବାବୁଙ୍କ ନେତୃତ୍ୱରେ ୧୪୦ ଆସନରୁ ୮୨ ଆସନ ଜିତିଥିଲା କଂଗ୍ରେସ । ୧୯୬୧ରେ ମାତ୍ର ୪୫ ବର୍ଷ ବୟସରେ ବିଜୁ ପଟ୍ଟନାୟକ ହୋଇଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ । ଆଧୁନିକ ଓଡ଼ିଶା ନିର୍ମାଣର ନିଅଁ ପଡ଼ିଥିଲା ବିଜୁଙ୍କ ହାତରେ । ମୁଣ୍ଡ ଟେକିଥିଲା ବହୁ ଶିଳ୍ପ ।

ରାଜ୍ୟ ନୁହେଁ ଜାତୀୟ ରାଜନୀତିରେ ମଧ୍ୟ ବିଜୁ ବାବୁ ଥିଲେ ବେଶ୍ ପ୍ରଭାବଶାଳୀ । ନେହେରୁ ହୁଅନ୍ତୁ ବା ଇନ୍ଦିରା, ସବୁ ସମୟରେ ବିଜୁବାବୁଙ୍କର ଥିଲା ଅଖଣ୍ଡ ପ୍ରଭାବ । ସାଲିସ ବିହୀନ ରାଜନୀତି ଥିଲା ତାଙ୍କର ମନ୍ତ୍ର । ଯେଉଁଥିପାଇଁ ସେ କଂଗ୍ରେସ ଛାଡ଼ି ଉତ୍କଳ କଂଗ୍ରେସ ନାଁରେ ନୂଆ ଆଞ୍ଚଳିକ ଦଳ ଗଢ଼ିଥିଲେ । ପରବର୍ତ୍ତୀ ସମୟରେ ଜନତା ଦଳକୁ ଯାଇଥିଲେ ବିଜୁ ପଟ୍ଟନାୟକ । ଜରୁରୀ ପରିସ୍ଥିତି ବିରୋଧରେ ଲଢ଼ି ଜେଲ ମଧ୍ୟ ଯାଇଥିଲେ ବିଜୁବାବୁ । ପରେ ଜନତା ପାର୍ଟି କେନ୍ଦ୍ରରେ ସରକାର ଆସିବା ପରେ ବିଜୁ ପଟ୍ଟନାୟକ ହୋଇଥିଲେ କ୍ୟାବିନେଟ ମନ୍ତ୍ରୀ । ସେତେବେଳେ ସେ କେନ୍ଦ୍ରାପଡ଼ାରୁ ସାଂସଦ ଥିଲେ । ପରବର୍ତ୍ତୀ ସମୟରେ ଦେଶବ୍ୟାପୀ କଂଗ୍ରେସ ଲହର ସତ୍ତ୍ୱେ କେନ୍ଦ୍ରାପଡ଼ାରୁ ଲଗାତର ଦୁଇଥର ସାଂସଦ ହୋଇଥିଲେ । ୧୯୮୯ରେ ଭିପି ସିଂହଙ୍କୁ ପ୍ରଧାନମନ୍ତ୍ରୀ କରାଇବାରେ ବିଜୁବାବୁ ଥିଲେ ପରଦା ପଛର ନାୟକ । ୧୯୯୦ରେ ବିଜୁ ପଟ୍ଟନାୟକଙ୍କର ଏମିତି ଲହରୀ ଆସିଲା ଯେଉଁଥିରେ କି କଂଗ୍ରେସ ପୂରା ସଫା ହୋଇଯାଇଥିଲା । ରେକର୍ଡ ସଂଖ୍ୟକ ଆସନରେ ବିଜୟଲାଭ କରି ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ବିଜୁ ପଟ୍ଟନାୟକ । ପରେ ୧୯୯୬ରେ କଟକରୁ ଓ ପରେ ଆସିକା ଲୋକସଭା ଆସନରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ବିଜୁ ପଟ୍ଟନାୟକ ।

ଏହା ପରେ ୧୯୯୭ ମସିହା ଏପ୍ରିଲ ୧୭ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବିଜୁବାବୁ । ବିଜୁବାବୁଙ୍କ ପରଲୋକ ସହ ଏକ ଯୁଗର ପରିସମାପ୍ତି ହେଲା । ତାଙ୍କ ଶେଷ ଦର୍ଶନ ପାଇଁ ସାରା ଦେଶରୁ ରାଜନେତା ଛୁଟି ଆସିଥିଲେ । ପ୍ରିୟ ନେତାଙ୍କୁ ବିଦାୟ ଦେବାକୁ ଜନସମୁଦ୍ର ମାଡ଼ି ଆସିଥିଲା ରାଜରାସ୍ତାକୁ । ବିଜୁବାବୁ ଆଜି ନାହାନ୍ତି ସତ କିନ୍ତୁ ଆଜି ବି ବିଜୁବାବୁ ପ୍ରତିଟି ଓଡ଼ିଆଙ୍କ ହୃଦୟରେ ଅମର ହୋଇରହିଛନ୍ତି ।

 

ଗଞ୍ଜାମର ରଙ୍ଗେଇଲୁଣ୍ଡାକୁ ଉଡ଼ିଲା ବିମାନ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜିଠୁ ଗଞ୍ଜାମର ରଙ୍ଗେଇଲୁଣ୍ଡାକୁ ଉଡ଼ିବ ବିମାନ ସେବା । ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ବର ଓ ଭୁବନେଶ୍ବରରୁ ରଙ୍ଗେଇଲୁଣ୍ଡାକୁ ସ୍ୱତନ୍ତ୍ର ଚାର୍ଟର ବିମାନସେବା ଆରମ୍ଭ ହୋଇଛି । ବିମାନ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ଜେଟ୍‌ ଏରିନା ପକ୍ଷରୁ ଆକାଶ ଏୟାର ଲାଇନ୍ସ ଓଡ଼ିଶାରେ ଆରମ୍ଭ କରିବ ବିମାନ ସେବା । ଏହି ସେବା ଆସନ୍ତା ଏପ୍ରିଲ ୧୭ ତାରିଖଠାରୁ ଆରମ୍ଭ ହେବ ବୋଲି କମ୍ପାନୀ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି । ବେଙ୍ଗାଲୁରୁରୁ ଭୁବନେଶ୍ୱର, ଭୁବନେଶ୍ୱରରୁ ପୁଣେ ଏବଂ ପୁଣେରୁ ଭୁବନେଶ୍ୱରକୁ ମଧ୍ୟ ଉଡ଼ିବ ବିମାନ ।