ଅଜୟଗଡର ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଖାଇଥାନ୍ତି ପିମ୍ପୁଡି ପ୍ରଜାତିର କାଇ

ଗଜପତି: ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଅଜୟଗଡର ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଖାଇଥାନ୍ତି ପିମ୍ପୁଡି ପ୍ରଜାତିର କାଇ । ସ୍ଥାନୀୟ ଭାଷାରେ ଏହାକୁ କାଇପୁଡା କୁହାଯାଉଥିବା ବେଳେ ଏହାକୁ ଆବୁ ବୋଲି ମଧ୍ୟ କୁହାଯାଏ । ଜଙ୍ଗଲରେ ଆମ୍ବ, ପଣସ, କାଜୁ, କରଞ୍ଜ ଆଦି ଗଛରେ ଦେଖିବାକୁ ମିଳେ ଏହି କାଇ ପିମ୍ପୁଡି । ଏହାକୁ ସଂଗ୍ରହ କରି ନିଆଁରେ ପକାଇ ଖାଇଥାନ୍ତି ଏଠାକାର ଅଧିବାସୀ । କେତେକ ତେଲ ଲୁଣ, ଲଙ୍ଗା ପକାଇ ଏହାକୁ ରାନ୍ଧୁଥିବା ଦେଖବାକୁ ମିଳୁଥିବା ବେଳେ ଆଉ କେତେକ ଜଙ୍ଗଲରେ ମିଳୁଥିବା ଏକ ଶାଗ ଓ ଅନ୍ୟାନ୍ୟ ପନିପରିବାରେ ଏହାକୁ ମିଶାଇ ତରକାରୀ ପ୍ରସ୍ତୁତ କରନ୍ତି ।

ଏଠାକାର ଲୋକଙ୍କ ବିଶ୍ବାସ ଏହି କାଇ ପିମ୍ପୁଡିଙ୍କ ଦେହରେ ଭରି ରହିଛି ଔଷଧୀୟ ଗୁଣ । ଏହାକୁ ଖାଇଲେ ଆଖିକୁ ଭଲ ଦେଖାଯିବା ସହ ଥଣ୍ଡା ଦୂର ହୋଇଥାଏ ବୋଲି ଦାବି କରିଛନ୍ତି ଅଞ୍ଚଳବାସୀ । ଆଜିର ଯୁଗରେ ଲୋକଙ୍କ ସ୍ବାସ୍ଥ୍ୟ ସୁରକ୍ଷା ନେଇ ବୈଜ୍ଞାନିକ ପଦ୍ଧତିରେ ପ୍ରସ୍ତୁତ ଦେଉଛି ଖାଦ୍ୟପଦାର୍ଥ । ହେଲେ ଆଦିବାସୀଙ୍କ ଏହି ଖାଦ୍ୟକୁ ନେଇ ଦାବି କେତେ ଯୁକ୍ତିଯୁକ୍ତ ତାହା ସୃଷ୍ଟିକରିଛି ଅନେକ ପ୍ରଶ୍ନ । କାଇ ପିମ୍ପୁଡିକୁ ଖାଦ୍ୟଭାବେ ଗ୍ରହଣ କରିବା ଦେହପ୍ରତି ହିତକାରକ ନା କ୍ଷତିକାରକ ତାହା ପରୀକ୍ଷଣ କରି ଆଦିବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନିତ୍ୟାନ୍ତ ଆବଶ୍ୟକ ହୋଇପଡିଛି ।