MSCB ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦେଲେ ଦୀକ୍ଷାନ୍ତ ଭାଷଣ, କହିଲେ, ଜଟିଳ ସମସ୍ୟା ଦେଇ ଗତି କରୁଛି ବିଶ୍ବ

ବାରିପଦା: ବିଶ୍ୱ ଏବେ ଜଟିଳ ସମସ୍ୟା ଦେଇ ଗତିକରୁଛି । ଗ୍ଲୋବାଲ ଓ୍ୱାର୍ମିଂ ବିଶ୍ୱ ପାଇଁ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ଅନ୍ୟପଟେ ବିଶ୍ୱ ଆଜି ବହୁତ ଛୋଟ ହୋଇ ଆମ ଅଙ୍ଗୁଳି ଟିପରେ ରହିଛି । ଏବେ ପ୍ରତିଯୋଗିତା ଖୁବ୍ ତୀବ୍ର ହୋଇଥିବାରୁ ନିଜକୁ ଅଧିକ ଦକ୍ଷ କରିବାକୁ ପଡ଼ିବ । ବାରିପଦାରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଏପରି ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମୟୂରଭଂଜର ଝିଅ ତାଙ୍କର ପ୍ରଥମ ପରିଚୟ ବୋଲି କହିବା ସହିତ ଚାକିରି ଦେବାର ମାନସିକତା ରଖିବାକୁ ଛାତ୍ରଛାତ୍ରୀଙ୍କୁ ସେ ପରାମର୍ଶ ଦେଇଛନ୍ତି । ଆଗକୁ ଚାଲିବା ବଳେ ଥରେ ଥରେ ପଛକୁ ଚାହିଁବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ପଛକୁ ଚାହିଁଲେ ଦେଖିପାରିବ ତୁମ ସହ କିଏ ପ୍ରତିଦ୍ୱନ୍ଦ୍ୱିତା ଦୌଡ଼ରେ ଅଛନ୍ତି । ବିକାଶର ସବୁ ପ୍ରକାର ଲାଭ ସମସ୍ତଙ୍କ ନିକଟରେ ପହଞ୍ଚିବା ଆବଶ୍ୟକ । କେବଳ ନିଜ କଥା ନୁହେଁ, ଅନ୍ୟମାନଙ୍କ କଥା ଭାବିବାକୁ ଛାତ୍ରଛାତ୍ରୀଙ୍କୁ ମହାମହିମ ପରାମର୍ଶ ଦେଇଛନ୍ତି ।

ସମାବର୍ତ୍ତନ ସମାରୋହରେ ୯୦ ଜଣ ଗବେଷକଙ୍କୁ ପିଏଚଡି ଉପାଧି, ୮ ଜଣ ବ୍ୟକ୍ତି ବିଶେଷଙ୍କୁ ଡିଲିଟ, ୩୪ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ଏହି ଅବସରରେ ମାଙ୍କିଡିଆ, ଲୋଧା ଆଦି କେତେକ ଆଦିମ ଜନଜାତିର ପ୍ରତିନିଧିଙ୍କୁ ଭେଟିଥିଲେ ରାଷ୍ଟ୍ରପତି । ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ପରେ ଦିଲ୍ଲୀ ଫେରିଯାଇଛନ୍ତି ମହାମହିମ । ରାଷ୍ଟ୍ରପତି ହେବା ପରେ ପ୍ରଥମଥର କରି ଜନ୍ମମାଟିକୁ ଆସିଥିଲେ ମହାମହିମ । ନିଜ ଗାଁ ପାହାଡ଼ପୁର ଯାଇ ସ୍ବର୍ଗତ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହାସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସେହିପରି ଗତକାଲି ଦ୍ବିତୀୟ ଦିନରେ ରାଇରଙ୍ଗପୁରସ୍ଥିତ ଶିବମନ୍ଦିର ଓ ଜଗନ୍ନାଥ ମନ୍ଦିର ପରିଦର୍ଶନ ପରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠରେ ଦେଇଥିଲେ ଶ୍ରଦ୍ଧାଞ୍ଜଳି । ଏହା ସହ ଶିମିଳିପାଳ ବୁଲି ଦେଖିଥିଲେ ।