ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ଭିଜିଲାନ୍ସ । ସ୍ୱତନ୍ତ୍ର କୋର୍ଟ ସ୍ପେଶାଲ ଜଜଙ୍କ ନିକଟରେ ଚାର୍ଜସିଟ୍ ଦାଖଲ ହୋଇଛି । ପ୍ରଦୀପ ପାଣିଗ୍ରାହୀ ଏବେ ଗୋପାଳପୁର ବିଧାୟକ ଅଛନ୍ତି । ତାଙ୍କ ବିରୋଧରେ ୯ କୋଟି ୧୮ଲକ୍ଷ ୧୩ ହଜାର ୭ ଟଙ୍କାର ଆୟ ବହିର୍ଭୂତ ଟଙ୍କା ଠାବ ହୋଇଥିଲା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତଦନ୍ତ କରୁଛି ଭିଜିଲାନ୍ସ । ୨୦୨୧ ଅକ୍ଟୋବର ମାସରେ ଭିଜିଲାନ୍ସ ରେଡ୍ କରିଥିଲା ।
ଅକ୍ଷୟ ତୃତୀୟାରେ ଅଖି ମୁଠି ଅନୁକୂଳ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: କାଲି ପବିତ୍ର ଅକ୍ଷୟ ତୃତୀୟା । ଅକ୍ଷୟ ତୃତୀୟାରେ ଅଖି ମୁଠି ଅନୁକୂଳ କରିବ ଚାଷୀ । ଏହି ଅବସରରେ ବରମୁଣ୍ଡା ନିକଟ ଓପିକଲ ସାମ୍ନାରେ ଥିବା ଓୟୁଏଟି ଫାର୍ମରେ ଅଖିମୁଠି ଅନୁକୂଳ କରିବେ ନବୀନ ପଟ୍ଟନାୟକ । ଏହାପରେ ମିଶନଶକ୍ତି କାଫେ ସହ କୃଷି ସମୀକ୍ଷା କେନ୍ଦ୍ର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏହାପରେ ସାଢେ ୧୦ ବେଳ ୟୁନିଟ -୪ରେ ନବନିର୍ମିତ ବିଜେଡି ପାର୍ଟି ଅଫିସ ଉଦଘାଟନ କରିବେ ନବୀନ ପଟ୍ଟନାୟକ ।
ଗର୍ଭପାତ ବଟିକା ବ୍ୟବହାର ପାଇଁ ଅନୁମତି ଦେଲେ ଆମେରିକା ସୁପ୍ରିମକୋର୍ଟ
ଓ୍ୱାଶିଂଟନ: ଗର୍ଭପାତ ବଟିକାକୁ ନେଇ ଆମେରିକା ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ନିମ୍ନକୋର୍ଟଙ୍କ ନିଷେଧାଦେଶକୁ ରଦ୍ଦ କରି ଏହାର ବ୍ୟବହାରକୁ ଅନୁମତି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । କୋର୍ଟଙ୍କ ଏହି ରାୟ ପରେ ଗର୍ଭପାତ ଲାଗି ଆବଶ୍ୟକ ମିଫେପ୍ରିଷ୍ଟନ ବଟିକା ବଜାରରେ ଉପଲବ୍ଧ ହେବ । ନିମ୍ନକୋର୍ଟଙ୍କ ରାୟ ବିରୋଧରେ ତୁରନ୍ତ ରହିତାଦେଶ ଦିଆଯାଉ ବୋଲି ସୁପ୍ରିମକୋର୍ଟରେ ଆବେଦନ କରିଥିଲା ବାଇଡେନ ପ୍ରଶାସନର ଜଷ୍ଟିସ ଡିପାର୍ଟମେଣ୍ଟ । ଗର୍ଭପାତ ବିରୋଧୀ ଗୋଷ୍ଠୀଙ୍କ ଦ୍ବାରା ଆଗତ ଏକ ପିଟିସନର ଶୁଣାଣି କରି ଆମେରିକା ଟେକ୍ସାସର ଡିଷ୍ଟ୍ରିକ୍ଟ କୋର୍ଟ ଏହି ବଟିକାର ବ୍ୟବହାର ଉପରେ ନିଷେଧାଦେଶ ଜାରି କରିଥିଲେ । ନିଷେଧାଦେଶ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବାଇଡେନ ସରକାର । ସୁପ୍ରିମକୋର୍ଟଙ୍କ ରାୟକୁ ସ୍ବାଗତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । କହିଛନ୍ତି- ନିମ୍ନକୋର୍ଟଙ୍କ ରାୟ ଯୋଗୁ ମହିଳାମାନଙ୍କ ସ୍ବାସ୍ଥ୍ୟ ବିପଦଗ୍ରସ୍ତ ହେଉଥିଲା । ସୁପ୍ରିମକୋର୍ଟଙ୍କ ରାୟକୁ ବି ସ୍ବାଗତ କରିଛନ୍ତି ଉପରାଷ୍ଟ୍ରପତି କମଲା ହାରିସ ।
ବର୍ତ୍ତମାନ ଆମେରିକାର ୧୩ଟି ପ୍ରଜାତନ୍ତ୍ରରେ ଗର୍ଭପାତକୁ ନିଷିଦ୍ଧ କରାଯାଇଥିବା ବେଳେ ଅନ୍ୟ ପ୍ରଜାତନ୍ତ୍ର ଗୁଡ଼ିକରେ ଗର୍ଭପାତ ଉପରେ କଡ଼ା କଟକଣା ରହିଛି । ମିଫେପ୍ରିଷ୍ଟନ ସାଧାରଣତଃ ଗର୍ଭସଞ୍ଚାରର ୧୦ ସପ୍ତାହ ମଧ୍ୟରେ ଗର୍ଭନଷ୍ଟ ଲାଗି ବ୍ୟବହୃତ ହୋଇଥାଏ । ମିଫେପ୍ରିଷ୍ଟନର ବ୍ୟବହାର ଆରମ୍ଭ ପରଠାରୁ ଏହାକୁ ଆମେରିକାର ୫ କୋଟି ୬୦ ଲକ୍ଷ ମହିଳା ବ୍ୟବହାର କରିଥିବା ସୂଚନା ମିଳିଛି । ଏହି ବଟିକା ଜରିଆରେ ମୋଟ ଗର୍ଭପାତର ଅର୍ଦ୍ଧାଧିକ ଭାଗ ସମ୍ପନ୍ନ ହୋଇଥାଏ । ଗର୍ଭପାତ କ୍ଷେତ୍ରରେ ପ୍ରଥମେ ମିଫେପ୍ରିଷ୍ଟନ ବ୍ୟବହାର କରାଯିବା ପରେ ଅନ୍ୟାନ୍ୟ ସ୍ବାସ୍ଥ୍ୟଗତ କାରଣରୁ ମିସୋପ୍ରୋଷ୍ଟଲ ନାମକ ଅନ୍ୟ ଏକ ବଟିକା ବ୍ୟବହାର କରାଯାଇଥାଏ । ବିଗତ ୨୦୦୦ ମସିହାରେ ଆମେରିକା ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ ପକ୍ଷରୁ ଗର୍ଭାବସ୍ଥାର ସାତ ସପ୍ତାହ ମଧ୍ୟରେ ଗର୍ଭ ନଷ୍ଟ ଲାଗି ମିଫେପ୍ରିଷ୍ଟନ ଓ ମିସୋପ୍ରୋଷ୍ଟଲକୁ ଅନୁମତି ଦିଆଯାଇଥିଲା । ପରେ ଏହି ସମୟ ଅବଧିକୁ ୧୦ ସପ୍ତାହକୁ ବୃଦ୍ଧି କରାଯାଇଥିଲା । ସେବେଠାରୁ ଗର୍ଭପାତ ବିରୋଧରେ କେତେକ ସଂଗଠନ ଆନ୍ଦୋଳନ କରିଆସିବା ସହ କୋର୍ଟର ଦ୍ବାରସ୍ଥ ହୋଇଆସିଛନ୍ତି । ଏହି ବଟିକା ବ୍ୟବହାର ଦ୍ବାରା ଶାରୀରିକ ଅସୁସ୍ଥତା ହୋଇ ନଥାଏ ବୋଲି ଜଣାଥିବା ସତ୍ତ୍ବେ ଏହାକୁ ନେଇ ବିରୋଧାଭାସ ଜାରି ରହିଛି । ଡାନକୋ ଲାବରେଟୋରୀ ଦ୍ବାରା ପ୍ରସ୍ତୁତ ମିଫେପ୍ରିଷ୍ଟନ ବଟିକାକୁ ନେଇ ଦୀର୍ଘଦିନ ଧରି ବିବାଦ ଚାଲିଆସିଛି ।
ଓଡ଼ିଶା ସ୍କିଲ୍ କନକ୍ଲେଭ ୨୦୨୩ର ଆଜି ଶେଷ ଦିନ, ଡ୍ରୋନ୍ ଫେଡେରେସନ୍ ଅଫ ଇଣ୍ଡିଆର ସ୍ୱତନ୍ତ୍ର ସେସନ୍
ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା ସ୍କିଲ କନକ୍ଲେଭ ୨୦୨୩ର ଆଜି ଶେଷ ଦିନ । ବିଭିନ୍ନ କାଉନସିଲ ସହ ଡ୍ରୋନ ଫେଡେରେସନ ଅଫ ଇଣ୍ଡିଆର ସ୍ବତନ୍ତ୍ର ଆଲୋଚନା ରହିଛି । ଡ୍ରୋନ୍ ନିର୍ମାଣର ଆଧୁନିକ ଜ୍ଞାନ କୌଶଳ ଓ ଡ୍ରୋନ୍ କେମିତି ଲୋକଙ୍କୁ ସୁବିଧା ଯୋଗାଇବ ଏନେଇ ସ୍ବତନ୍ତ୍ର ସେସନ୍ ରହିଛି । ଡ୍ରୋନ୍ କେମିତି ଅଧିକ ଉପରକୁ ଯିବା ସହ କେତେ କିଲୋମିଟର ଯାଏ ଯାଇପାରୁଛି, ସେ ସଂପର୍କରେ ସ୍ବତନ୍ତ୍ର ଆଲୋଚନା କରିବେ ବରିଷ୍ଠ ବିଶେଷଜ୍ଞ । ଏହାସହିତ ସର୍ବଭାରତୀୟ ସ୍ତରର ଦକ୍ଷତା ବିକାଶ ପରିଷଦ ସହିତ ରାଜ୍ୟ ସରକାରଙ୍କର ବିଶେଷ ଆଲୋଚନା ରହିଛି ।
ଗତକାଲି ସ୍କିଲ୍ ଇନ୍ ଓଡ଼ିଶାରେ ମହିଳାଙ୍କ ଦକ୍ଷତା ବୃଦ୍ଧି ନେଇ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ମହିଳାମାନେ କେମିତି ସମାଜରେ ନିଜର ସ୍ବତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି । ସେ ଉପରେ ବିଶେଷ ଆଲୋଚନା ହୋଇଥିଲା । ଧାନ ସଂଗ୍ରହଠାରୁ ଆରମ୍ଭ କରି ବିଦ୍ୟୁତ୍ ବିଲ୍ ସଂଗ୍ରହ, ଓ୍ବେଷ୍ଟ୍ ମ୍ୟାନେଜମେଣ୍ଟ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପ୍ରଶାସନରେ ଭାଗିଦାର ହୋଇଛନ୍ତି ମିଶନ ଶକ୍ତି ସଦସ୍ୟା । ଆସନ୍ତା ୫ ବର୍ଷ ଭିତରେ ରାଜ୍ୟରେ ପ୍ରତିଷ୍ଠା ହେବ ୫୦୦ ମିଶନ ଶକ୍ତି ବଜାର । ସ୍କିଲ୍ କନକ୍ଲେଭରେ ମିଶନ ଶକ୍ତି ମହିଳାଙ୍କ ବିୟୁଟି କେୟାର ଓ ହେଲ୍ଥ ଓ୍ବେଲ୍ ବିଙ୍ଗ୍ ଟ୍ରେନିଂ ପାଇଁ ଓ୍ବାର୍ଲ୍ଡ ସ୍କିଲ ସେଣ୍ଟର ସହ ମିଶନ ଶକ୍ତି ବିଭାଗ ସ୍ବାକ୍ଷର କରିଛି ବୁଝାମଣା ପତ୍ର ।
ଭୁବନେଶ୍ବର ଉପକଣ୍ଠ ଅନ୍ଧାରୁଆରେ ଅଗ୍ନିକାଣ୍ଡ, ଘର ଭିତରେ ଜଳିଗଲା ୬ଟି ବାଇକ
ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆରେ ପ୍ରଶାନ୍ତ କୁମାର ବଡ଼ଜେନାଙ୍କ ଘରେ ଅଗ୍ନିକାଣ୍ଡ । ଜଳିଗଲା ଘର ଭିତରେ ଥିବା ୬ଟି ଗାଡ଼ି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ, ଝିଅ ବାହାଘର ପାଇଁ ଥିବା ଦାମୀ ଫର୍ଣ୍ଣିଚର ପୋଡ଼ି ପାଉଁଶ ହୋଇଯାଇଛି । ଘର ଲୋକ ଦେଖିବା ପରେ ନିଆଁ ଲିଭାଇବା ସହ ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।
ସୋମବାର ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ, ୧୦ ପ୍ରସ୍ତାବ ଉପରେ ବାଜିପାରେ ମୋହର
ଭୁବନେଶ୍ୱର: ସୋମବାର ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅପରାହ୍ନ ୫ଟା ୩୦ରେ କ୍ୟାବିନେଟ୍ ବୈଠକ ବସିବ । ବୈଠକରେ ୧୦ରୁ ଅଧିକ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିପାରେ । କୃଷି, ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ, ଦକ୍ଷିତାବିକାଶ, ଭିନ୍ନକ୍ଷମ ସଶକ୍ତିକରଣ, ରାଜସ୍ବ ବିଭାଗର ଅନେକ ଏଜେଣ୍ଡା ନେଇ କ୍ୟାବିନେଟରେ ପ୍ରସ୍ତାବ ଆସିବ ।
ଗରମ ଗୁଳୁଗୁଳିରୁ ରାଜ୍ୟବାସୀଙ୍କୁ ତ୍ରାହି, କାଳବୈଶାଖୀ ଯୋଗୁଁ କମିଛି ତାତି
ଭୁବନେଶ୍ୱର:: ଗରମ ଗୁଳୁଗୁଳିରୁ ରାଜ୍ୟବାସୀଙ୍କୁ ମିଳିଛି ତ୍ରାହି । ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଯୋଗୁଁ କମିଛି ତାପମାତ୍ରା । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଦୈନିକ ତାପମାତ୍ରା ୪ରୁ ୫ ଡିଗ୍ରୀ ହ୍ରାସ ପାଇବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ଓ ଆସନ୍ତାକାଲି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ଆଶଙ୍କା ରହିଛି । ଆଜି ଦକ୍ଷିଣ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବ ।
୨୩ ତାରିଖରେ ବର୍ଷାର ପରିମାଣ ଅଧିକ ରହିବ । ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ସାଙ୍ଗକୁ ୪୦ରୁ ୫୦ କିମି ବେଗରେ ପବନ ବହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ବର୍ଷା ନେଇ ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କୋରାପୁଟ, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କଟକ, ଜଗତସିଂହପୁର ଓ ନବରଙ୍ଗପୁରକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।
ଭୁବନେଶ୍ବରରେ ପହଞ୍ଚିଲା ଦେବାଶିଷଙ୍କ ପାର୍ଥିବ ଶରୀର, ଭାବ ବିହ୍ୱଳ ପରିବେଶରେ ଦିଆଗଲା ଗାର୍ଡ ଅଫ୍ ଅନର
ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲା ସହିଦ ଓଡ଼ିଆ ପୁଅ ଦେବାଶିଷ ବିଶ୍ବାଳଙ୍କ ମରଶରୀର । ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବା ପରେ ସେଠାରେ ସହିଦଙ୍କ ମରଶରୀରକୁ ସେନା ପକ୍ଷରୁ ଗାର୍ଡ ଅପ୍ ଅନର ଦିଆଯାଇଛି । ଏହାପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପହଞ୍ଚି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହାପରେ ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ପୋଲିସ କମିଶନର ଓ ଡିସିପି ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସହିଦ ଦେବାଶିଷ ବିଶ୍ୱାଳଙ୍କ ପତ୍ନୀ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ଏୟାରପୋର୍ଟରୁ ସିଧାସଳଖ ଜନ୍ମ ମାଟି ପୁରୀ ଜିଲ୍ଲା ଅଳଗୁମା ପଞ୍ଚୟତ ଖଣ୍ଡାୟତ ସାହିକୁ ଯିବ ସହିଦଙ୍କ ମରଶରୀର । ଗାଁ ମଶାଣିରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଦେବାଶିଷଙ୍କ ଅନ୍ତିମ ସଂସ୍କାର କରାଯିବ । ଗତ ୨୦ ତାରିଖ ଜାମ୍ମୁ ଓ କାଶ୍ମୀରର ରାଜୌରୀ ସେକ୍ଟରରେ ସେନା ଟ୍ରକ ଉପରକୁ ଆତଙ୍କବାଦୀ ଗ୍ରେନେଡ ହମଲାରେ ୫ଜଣ ସହିଦ ହୋଇଥିଲେ । ଯେଉଁଥିରେ ରହିଥିଲେ ଓଡ଼ିଆ ଯବାନ ଦେବାଶିଷ ବିଶ୍ବାଳ । ୫ ମାସ ତଳେ ଝିଅ ଜନ୍ମହେବା ଖୁସିରେ ଛୁଟିରେ ଗାଁକୁ ଆସି ଫେବ୍ରୁଆରୀରେ ପୁଣି ଡ୍ୟୁଟିରେ ଯୋଗଦେଇଥିଲେ । ୨୦୧୨ ମସିହାରେ ସେନାରେ ସିପାହୀ ଭାବରେ ନିଯୁକ୍ତି ପାଇଥିବା ଦେବାଶିଷ ପଦୋନ୍ନତି ପାଇବା ପରେ ଜାମ୍ମୁ କାଶ୍ମୀରରେ ଡ୍ୟୁଟି କରୁଥିଲେ ।

