ଇମ୍ରାନଙ୍କ ମୁକ୍ତିକୁ ବିରୋଧ କରି ସୁପ୍ରିମକୋର୍ଟ ଘେରିଲେ ସରକାର ସମର୍ଥିତ ଦଳ

1 min read

ଇସଲାମାବାଦ: ପାକିସ୍ତାନରେ ରାଜନୈତିକ ଡ୍ରାମା ଜାରି ରହିଛି । ଗତ ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରାଯିବା ପରେ ବିବାଦ ଥମିବାର ନାଁ ନେଉନାହିଁ । ଇମ୍ରାନଙ୍କ ଗିରଫଦାରୀକୁ ବିରୋଧ କରି ପିଟିଆଇ ସମର୍ଥକମାନେ ଦେଶରେ ଦଙ୍ଗା ସୃଷ୍ଟି କରିଥିଲେ । ଅନେକ ସ୍ଥାନରେ ଭଙ୍ଗାରୁଜା ସହ ଜଳାପୋଡ଼ା କରିଥିଲେ । ଏହାପରେ ସୁପ୍ରିମକୋର୍ଟ ଇମ୍ରାନଙ୍କ ଗିରଫଦାରୀକୁ ବେଆଇନ ବୋଲି ଦର୍ଶାଇଥିିଲେ । ଇସଲାମାବାଦ ହାଇକୋର୍ଟ ମଧ୍ୟ ତାଙ୍କୁ ୧୫ ଦିନ ପାଇଁ ଜାମିନ ପ୍ରଦାନ କରିଥିଲେ । କୁହାଯାଉଥିଲା ଯେ ଇମ୍ରାନଙ୍କୁ ମୁକ୍ତ କରାଯିବା ପରେ ଦେଶରେ ଶାନ୍ତି ପ୍ରତିଷ୍ଠା ହେବ ହେଲେ ତାର ବୀପରିତ ହୋଇଛି ।

ଇମ୍ରାନ ବିରୋଧୀ ରାଜନୈତିକ ଦଳଗୁଡ଼ିକ ଗୋଟିଏ ମଞ୍ଚରେ ରହି ବିରୋଧ ପ୍ରଦର୍ଶନ କରିଛନ୍ତି । ଇମ୍ରାନଙ୍କ ଜାମିନକୁ ବିରୋଧ କରି ପିଡିଏମ ସୁପ୍ରିମକୋର୍ଟ ସମ୍ମୁଖରେ ବିରୋଧ ପ୍ରଦର୍ଶନ ଆରମ୍ଭ କରିଛି । ଉଗ୍ର ଭିଡ଼ ସୁପ୍ରିମକୋର୍ଟ ବାହାରେ କ୍ୟାମ୍ପ ଲଗାଇଛି । ପ୍ରକାଶଯୋଗ୍ୟ, ପାକିସ୍ତାନ ଡେମୋକ୍ରାଟିକ ମୁଭମେଣ୍ଟ (ପିଡିଏମ୍) ଅନେକ ଦଳକୁ ନେଇ ଗଠିତ ସଂଗଠନ ଅଟେ । ଏଥିରେ କ୍ଷମତାସୀନ ପାକିସ୍ତାନ ମୁସଲିମ ଲିଗ୍ ନୱାଜ, ଜମିୟତ ଉଲେମା-ଏ-ଇସଲାମ (ଜେୟୁଆଇଏଫ) ଏବଂ ପାକିସ୍ତାନ ପିଲୁଲ୍ସ ପାର୍ଟି (ପିପିପି) ସମେତ ଅନେକ ଦଳ ସାମିଲ ଅଛି । ରେଡ ଜୋନ ଥିବା ଅଞ୍ଚଳରେ ୯ ମଇରୁ ୧୪୪ ଧାରା ଲାଗୁ ରହିଛି ।

ଏହା ସତ୍ତ୍ୱେ ପିଡିଏମ କାର୍ଯ୍ୟକର୍ତ୍ତାମାନେ ସେଠାରେ ପହଞ୍ଚିଥିଲେ ଏବଂ ସେମାନେ ଗେଟ୍ ଚଢ଼ି ସୁପ୍ରିମକୋର୍ଟରେ ପଶିବାକୁ ଉଦ୍ୟମ କରିଥିଲେ । ଅନ୍ୟପକ୍ଷରେ ପ୍ରତିରକ୍ଷା ମନ୍ତ୍ରୀ ମହମ୍ମଦ ଆସିଫ ସଂସଦରେ କହିଛନ୍ତି ପୂର୍ବରୁ ଶୁଣିବାକୁ ମିଳୁଥିଲା କାଗଜ ଲିକ୍ ହେଉଛି । ଏବେ ଶୁଣିବାକୁ ମିଳୁଛି ଯେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ମଧ୍ୟ ଲିକ୍ ହେଉଛି । ଆପଣ ନ୍ୟାୟ ପାଇଁ ବସିଛନ୍ତି, କାହାର ସହାୟତା ପାଇଁ ନୁହେଁ । ଅନ୍ୟପକ୍ଷରେ ଇମ୍ରାନ ଖାନଙ୍କ ସମର୍ଥକମାନେ ମଧ୍ୟ ରାଲି କରିଛନ୍ତି । ପିଟିଆଇ ଦାବି କରି କହିଛି ଯେ ତାଙ୍କର କାର୍ଯ୍ୟକର୍ତ୍ତା ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଛନ୍ତି । ଇମ୍ରାନଙ୍କ ଦଳ ପିଟିଆଇ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ, ପ୍ରାୟ ୭ହଜାର ପିଟିଆଇ କାର୍ଯ୍ୟକର୍ତ୍ତା, ନେତା ଏବଂ ମହିଳାଙ୍କୁ ଜେଲରେ ବନ୍ଦ କରାଯାଇଛି ।

ସୁରକ୍ଷା ଏଜେନ୍ସି ସୁପ୍ରିମକୋର୍ଟ ଉପରେ କବଜା କରିବା ଏବଂ ସମ୍ବିଧାନ ସମାପ୍ତ କରିବା ପାଇଁ ଗୁଣ୍ଡାଙ୍କ ସହଯୋଗ କରୁଛି । ସମସ୍ତେ ଶାନ୍ତିପୂର୍ଣ୍ଣ ବିରୋଧ ପାଇଁ ପ୍ରସ୍ତୁତ ରୁହନ୍ତୁ, କାରଣ ପୁଣି ଗୋଟେଥର ସମ୍ବିଧାନ ଏବଂ ସୁପ୍ରିମକୋର୍ଟ ନଷ୍ଟ ହୋଇଯିବା ପରେ ପାକିସ୍ତାନର ସ୍ୱପ୍ନର ଅନ୍ତ ହୋଇଯିବ ବୋଲି ପିଟିଆଇ କହିଛି । ସେପଟେ ଅଲକାଦିର ଟ୍ରଷ୍ଟ ମାମମଲାରେ ଇମ୍ରାନଙ୍କ ପତ୍ନୀ ବୁଶାରାଙ୍କୁ ୨୩ ମଇ ପର୍ଯ୍ୟନ୍ତ ଗିରଫଦାରୀରୁ ଆଶ୍ୱସ୍ତି ମିଳିଯାଇଛି । ଇମ୍ରାନ ଏହା ପୂର୍ବରୁ ବୁଶାରାଙ୍କୁ ଗିରଫ କରାଯିବା ନେଇ ଆଶଙ୍କା ପ୍ରକାଶ କରିଥିଲେ । ବୁଶାରାଙ୍କୁ ଲାହୋର ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି ।