ସାମଗ୍ରିକ ଅଭିବୃଦ୍ଧି ପାଇଁ ଆନ୍ତର୍ଜାତିକ ସଂଯୋଗୀକରଣ ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ପ୍ରତିକ୍ଷାର ଅନ୍ତ । ଦୁବାଇକୁ ସିଧାସଳଖ ଉଡ଼ିଲା ଇଣ୍ଡିଗୋ ବିମାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଉଡ଼ାଣ ସେବାର ଶୁଭାରମ୍ଭ କରିଛନ୍ତି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୧୭୦ ଯାତ୍ରୀଙ୍କୁ ନେଇ ଦୁବାଇ ଅଭିମୁଖେ ଉଡ଼ାଣ ଭରିଛି ଇଣ୍ଡିଗୋ ବିମାନ । ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି, ସାମଗ୍ରିକ ଅଭିବୃଦ୍ଧି ପାଇଁ ଆନ୍ତର୍ଜାତିକ ସଂଯୋଗୀକରଣ ଗୁରୁତ୍ବପୂର୍ଣ୍ଣ । ଶିଳ୍ପର ବିକାଶ ହେଉ କି ନିବେଶ, ପର୍ଯ୍ୟଟନକୁ ପ୍ରୋତ୍ସାହନ କିମ୍ବା ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ଯୋଗାଯୋଗ ଆନ୍ତର୍ଜାତିକ ସଂଯୋଗୀକରଣ ଆବଶ୍ୟକ। ୟୁରୋପ ଓ ଆମେରିକା ବଜାର ପାଇଁ ଦୁବାଇ ହେଉଛି ମଧ୍ୟପ୍ରାଚ୍ୟର ଗେଟ୍ ଓ୍ବେ ।

ଆନ୍ତର୍ଜାତିକ ସଂଯୋଗୀକରଣ ଦିଗରେ ଆଜି ଓଡ଼ିଶା ଲେଖିଛି ନୂଆ ଅଧ୍ୟାୟ। ଦୁବାଇକୁ ପ୍ରଥମ ଦିନର ଫ୍ଲାଇଟରେ ଯାତ୍ରୀଙ୍କ ସହ ମିଶନ ଶକ୍ତି ସଦସ୍ୟ, କ୍ରୀଡ଼ାବିତ ପ୍ରମୁଖ ଯାତ୍ରା କରିଛନ୍ତି । ଏୟାରକ୍ରାଫ୍ଟ କ୍ରିୟୁଙ୍କ ସହ ମୋଟ୍ ୧୭୦ ଜଣ ଭୁବନେଶ୍ବରରୁ ଦୁବାଇ ଯାଇଛନ୍ତି। ଯାତ୍ରୀଙ୍କୁ ଉତ୍ତରୀୟ, ଓଡ଼ିଶା ପର୍ଯ୍ୟଟନ କିଟ୍ ବ୍ୟାଗ୍, ଫୁଲ ଗୁଚ୍ଛ ସହ ମିଠା ଦିଆଯାଇଥିଲା । ସେହିପରି ଦୁବାଇରୁ ଭୁବନେଶ୍ବର ଆସି ପହଞ୍ଚିଥିବା ଯାତ୍ରୀଙ୍କୁ ବିମାନବନ୍ଦରରେ ସ୍ବାଗତ କରାଯାଇଥିଲା । ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଉପସ୍ଥିତ ରହିଥିଲେ । 5T ସଚିବ ଭି କେ ପାଣ୍ଡିଆନଙ୍କ ଉପସ୍ଥିତିରେ ଶୁଭେଚ୍ଛା କେକ୍ କଟାଯାଇଥିଲା ।