ଗ୍ରାହକ ବେଶରେ ଆସି ମାତ୍ର ୧୫ ମିନିରେ ୧୫ କୋଟି ଟଙ୍କାର ସୁନା ଅଳଙ୍କାର ପୋଛିନେଲେ

ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗର ସହରରେ ବଡ଼ ଧରଣର ଡକାୟତି । ବ୍ୟାସନଗର ସହରର ଡ଼ାକବଙ୍ଗଳା ଛକ ନିକଟରେ ଥିବା ସେନକୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ ଶୋରୁମରୁ ବଡ଼ ଧରଣର ସଶସ୍ତ୍ର ଡକାୟତି । ଗ୍ରାହକ ବେଶରେ ଆସି ମାତ୍ର ୧୫ ମିନିରେ ୧୫ କୋଟି ଟଙ୍କାର ସୁନା ଅଳଙ୍କାର ପୋଛିନେଲେ ଦୁର୍ବୃର୍ତ୍ତ । ଡକାୟତି ଗ୍ୟାଙ୍ଗର ଆକ୍ରମଣରେ ଶୋ’ରୁମର ୨ଜଣ କର୍ମଚାରୀ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ସୁନା ଅଳଙ୍କାର ନେବା ପରେ ସିସିଟିଭି ଓ କମ୍ପ୍ୟୁଟର ଭାଙ୍ଗିବା ସହ ହାର୍ଡଡିସ୍କ ଗୁଡ଼ିକୁ ନେଇଯାଇଛନ୍ତି ଡକାୟତ ।

କେବଳ ଦୋକାନର କର୍ମଚାରୀ ନୁହନ୍ତି ଦୋକାନରେ ଥିବା ୨ ଜଣ ଗ୍ରାହକ ବୃଦ୍ଧ ଦମ୍ପତିଙ୍କ ମୋବାଇଲ ମଧ୍ୟ ଡକାୟତମାନେ ନେଇଯାଇଥିଲେ । ଡକାୟତି ପରେ ଷ୍ଟୋର ମାଲିକ ଓ ସ୍ଥାନୀୟ ଲୋକେ କର୍ମଚାରୀମାନଙ୍କୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ । ଯାଜପୁର ଏସପି ଓ ଯାଜପୁର ରୋଡ୍ ଏସଡିପିଓଙ୍କ ସମେତ ସାଇଣ୍ଟିଫାକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ଜାରି ରଖିଛନ୍ତି ।

ଦିନ ୨ଟା ସମୟରେ ୭ ଜଣ ଦୁର୍ବୃର୍ତ୍ତ ବାଇକ ଯୋଗେ ଆସି ବ୍ୟାସନଗର ସ୍ଥିତ ସେନକୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ ସୁନା ଦୋକାନର ନିକଟରେ ପହଞ୍ଚିଥିଲେ । ପ୍ରଥମେ ଦୁଇ ଜଣ ଯୁବକ ଚେନ କିଣିବା ବାହାନାରେ ଦୋକାନ ଭିତରକୁ ଯାଇଥିଲେ । ପରେ ଦୋକାନ ଭିତରେ କେହି ଗ୍ରାହକ ନଥିବାର ସୁଯୋଗ ନେଇ ଅନ୍ୟ ସାଥୀଙ୍କୁ ମଧ୍ୟ ଫୋନ ଯୋଗେ ଭିତରକୁ ଡାକିଥିଲେ ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ସମସ୍ତ ଦୁର୍ବୁତ୍ତ ଙ୍କ ହାତରେ ବନ୍ଧୁକ ରହିଥିଲା ଓ ସେମାନେ ମୁହଁରେ କଳା କପଡା ଗୁଡ଼ାଇ ଥିଲେ, ଏହାସହ ସେମାନେ ହିନ୍ଦୀ ଭାଷାରେ ମଧ୍ୟ କଥା ହେଉଥିଲେ । ପ୍ରଥମେ ଦୁର୍ବୁତ୍ତମାନେ ସମସ୍ତଙ୍କ ହାତରୁ ମୋବାଇଲ ଛଡାଇ ନେଇଥିଲେ । ପରେ ସେମାନଙ୍କୁ ବନ୍ଧୁକ ଦେଖାଇ ଡ଼ରାଇବା ସହ ଗୋଟି ଗୋଟି କରି ସମସ୍ତ ସୁନା ଓ ହୀରା ଗହଣାକୁ ସେମାନେ ଆଣିଥିବା ବ୍ୟାଗରେ ଭର୍ତ୍ତି କରିଥିଲେ। ପରେ ବାହାରପଟୁ ସଟର ବନ୍ଦ କରି ସେଠାରୁ ଫେରାର ହୋଇଯାଇଥିଲେ।