ନନ୍ଦିଘୋଷ ବ୍ୟୁରୋ: ପ୍ରକାଶ ପାଇଲା ନିଟ-ପିଜି ପରୀକ୍ଷା ଫଳ । nbe.edu.in ଓ natboard.edu.inରେ ଉପଲବ୍ଧ ହେଉଛି ଫଳ । ପରୀକ୍ଷା ଫଳ ନେଇ ଘୋଷଣା କରିଛି ନ୍ୟାସନାଲ ବୋର୍ଡ ଅଫ ଏକଜାମିନେସନ ଇନ ମେଡିକାଲା ସାଇନ୍ସ ବା NBEMS । ପରୀକ୍ଷା ଫଳ ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ । ମାର୍ଚ୍ଚ ୫ ତାରିଖରେ ମେଡିକାଲ ପ୍ରବେଶିକା ନିଟ-ପିଜି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ମାତ୍ର ୯ଦିନରେ ପରୀକ୍ଷା ଫଳ ପ୍ରକାଶ କରିବାରେ ବୋର୍ଡ ସକ୍ଷମ ହୋଇଛି । ମାର୍ଚ୍ଚ ୨୫ରୁ ଛାତ୍ରଛାତ୍ରୀ ସ୍କୋର କାର୍ଡ ଡାଉନଲୋଡ କରିପାରିବେ ।
ଟେରାକୋଟା ମୁରାଲ କର୍ମଶାଳା ଉଦଘାଟନ କଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ
ଭୁବନେଶ୍ୱର: ଲଲିତ କଳା ଏକାଡେମୀ କ୍ଷେତ୍ରୀୟ କେନ୍ଦ୍ର ଭୁବନେଶ୍ୱର ତରଫରୁ ଏକ ସାତ ଦିନିଆ ଟେରାକୋଟା ମୁରାଲ କର୍ମଶାଳା ଉଦଘାଟିତ ହୋଇଯାଇଛି । ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଖ୍ୟାତିନାମା ଶିଳ୍ପୀ ଓ ସଭାପତି ଓଡ଼ିଶା ଲଳିତ କଳା ଏକାଡେମୀ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍ମଶାଳାଟିକୁ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ଉଦଘାଟନୀ ଭାଷଣରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କର୍ମଶାଳାରେ ଭାଗ ନେଇଥିବା ଓଡ଼ିଶାର ୧୨ଜଣ କଳାକାର ମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିବା ସହ ସେମାନଙ୍କୁ ଅଙ୍ଗବସ୍ତ୍ର ଏବଂ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଲଳିତ କଳା ଏକାଡେମୀ କ୍ଷେତ୍ରିୟ କେନ୍ଦ୍ରର ଏପରି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ପ୍ରଶଂସା କରିଥିଲେ ।
ଏହି କର୍ମଶାଳାଟି ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ସକାଳ ୧୦ଟା ୩୦ ମିନିଟ ଠାରୁ ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ଚାଲିବ । ଭାଗ ନେଇଥିବା ୧୨ଜଣ ଶିଳ୍ପୀ ଉକ୍ତ ଶିବିରରେ ‘ବନ୍ଦେ ଉତ୍କଳ ଜନନୀ’ ବିଷୟ ବସ୍ତୁକୁ ନେଇ କାର୍ଯ୍ୟ କରିବେ । କର୍ମଶାଳା ଶେଷରେ କର୍ମଶାଳାରେ ପ୍ରସ୍ତୁତ କଳାକୃତି ଗୁଡିକ କେନ୍ଦ୍ରରେ ଶୋଭା ପାଇବ । କର୍ମଶାଳାରେ ଭାଗ ନେଇଥିବା ଶିଳ୍ପୀମାନେ ହେଲେ ସର୍ବଶ୍ରୀ ଅଜୟ ପ୍ରତାପ ଜଗଦେବ, ଭୀଷ୍ମଦେବ ରଣା, ବିଷ୍ଣୁ ପ୍ରସାଦ ମହାପାତ୍ର, ଦେବାନନ୍ଦ ରଣା, ଗଦାଧର ରଣା, ହୃଷିକେଶ ରଣା, ଖଗେଶ୍ୱର ରାଉତ, ମାନସ କୁମାର ମହାରଣା, ନରୋତ୍ତମ ଦାସ, ସରୋଜ ରଣା, ସୁଧିରରଞ୍ଜନ ମହାରଥା, ସୁଦୀପ ବାରିକ । ଏହି କାର୍ଯ୍ୟକ୍ରମରେ ଲଳିତ କଳା ଏକାଡେମୀ କ୍ଷେତ୍ରୀୟ କେନ୍ଦ୍ର ଭୁବନେଶ୍ୱରର ସରୋଜ କୁମାର ରାଉତ ଓ କେଦାର ନାଥ ନାୟକ ସହଯୋଗ କରିଥିଲେ ।
ଅସୁସ୍ଥ ଅଳକାଙ୍କୁ ଭେଟି ଆଶୁ ଆରୋଗ୍ୟ କାମନା କଲେ 5ଟି ସଚିବ
ଭୁବନେଶ୍ୱର: ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ଅସୁସ୍ଥ । ସେ ଏବେ ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ହସ୍ପିଟାଲରେ ପହଞ୍ଚି ବିଧାୟିକାଙ୍କୁ ଭେଟିଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ଚିକିତ୍ସା ବ୍ୟବସ୍ଥାକୁ ନେଇ ଡାକ୍ତର ମାନଙ୍କ ସହ ଆଲୋଚନା କରିଛନ୍ତି ଫାଇବ-ଟି ସଚିବ । ଅଳକାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଭି.କେ. ପାଣ୍ଡିଆନ ।
EOW ପଞ୍ଝାରେ ଜାଲ୍ କମ୍ପାନୀର ନିର୍ଦ୍ଦେଶକ
ଭୁବନେଶ୍ୱର: ଇଓଡବ୍ଲୁ ପଞ୍ଝାରେ ଜାଲ୍ କମ୍ପାନିର ଜଣେ ନିର୍ଦ୍ଦେଶକ । 18football.com କମ୍ପାନିର ନିର୍ଦ୍ଦେଶକକୁ ଗିରଫ କରିଛି ଇଓଡବ୍ଲୁ । ଅନଲାଇନ ବେଟିଂ ଓ ପୁଞ୍ଜି ଠକେଇ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଏଡୁଡାଡି ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସଡ ଷ୍ଟଡିସ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ନବୀନ ପୋରିଓ୍ବାରଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା । ରାଜସ୍ଥାନ ଉଦୟପୁରରୁ ଧରାପଡିଛି ଅଭିଯୁକ୍ତ । ଏହି କମ୍ପାନି ଜରିଆରେ ୧୧ କୋଟି ୭୪ ଲକ୍ଷ ଟଙ୍କା ଠକେଇ ହୋଇଥିବା ଜଣାଯିବା ପରେ ଛାନବିନ ଚଳାଇଥିଲା ଇଓଡବ୍ଲୁ ।
କେବଳ ଏଡୁଡାଡି ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସଡ ଷ୍ଟଡିସ ପ୍ରାଇଭେଟ ଲିମିଟେଡ ନୁହେଁ, ସାଲିନଟେକ ସଫ୍ଟଓ୍ବେର ସଲ୍ୟୁସନସ ପ୍ରାଇଭେଟ ଲିମିଟେଡ, ଫ୍ରୁଡୋଟ ଟେକନୋଲୋଜିସ ପ୍ରାଇଭେଟ ଲିମିଟେଡ ଓ ଜେମଡଚ ସଫ୍ଟଓ୍ବେର ସଲ୍ୟୁସନସ ପ୍ରାଇଭେଟ ଲିମିଟେଡ ଜରିଆରେ ମଧ୍ୟ ବେଆଇନ ଅର୍ଥ କାରବାର ହୋଇଥିବା ଇଓଡବ୍ଲୁ ପ୍ରମାଣ ପାଇଥିଲା । ମୁଖ୍ୟ ଅଭିଯୁକ୍ତ ନବୀନ ପୋରିଓ୍ବାରର ଘର ଉଦୟପୁରରେ ହୋଇଥିବା ସତ୍ତ୍ବେ ତାର ସମସ୍ତ କମ୍ପାନି କେରଳରେ ପଞ୍ଜିକୃତ ହେବା ସହ ପ୍ରତିଷ୍ଠିତ ହୋଇଥିଲା ।
ତାକୁ ଗିରଫ କରାଯିବା ପରେ ଉଦୟପୁରର ଏକ କୋର୍ଟରେ ହାଜର କରାଯାଇଥିଲା ଏବଂ ତାକୁ ଓଡିଶା ଅଣାଯାଉଛି । ପୂର୍ବରୁ ଏହି ମାମଲାରେ ଦୁବାଇଭିତ୍ତିକ ପ୍ରମୋଟର ମହମ୍ମଦ ସୈଫ ବିରୋଧରେ ବି ଲୁକ ଆଉଟ ସର୍କୁଲାର ନୋଟିସ ଜାରି ହୋଇଥିଲା । ଏହି ମାମଲାରେ କୋଲକାତାର ମେସର୍ସ ହାକିମ ଆଣ୍ଡ ରୁସ୍ତମ ଫେବ୍ରିକ୍ସ ପ୍ରାଇଭେଟ ଲିମିଟେଡର ଦୁଇ ଜଣ ନିର୍ଦ୍ଦେଶକଙ୍କୁ ଗିରଫ କରାଯାଇଛି । ଗଞ୍ଜାମ ଜିଲ୍ଲାର ୮୦୦ରୁ ଅଧିକ କ୍ଷତିଗ୍ରସ୍ତ ଲୋକଙ୍କ ଦ୍ବାରା ଏଫଆଇର ରୁଜୁ ହେବା ପରେ ତଦନ୍ତ ଚଳାଇଥିଲା ଇଓଡବ୍ଲୁ ।

