ଜନସଂଘର୍ଷ ଯାତ୍ରା ସମାପ୍ତ କଲେ ସଚିନ ପାଇଲଟ୍; କହିଲେ ୧୫ ଦିନରେ ଦାବି ପୂରଣ ନହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ

ଜୟପୁର: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ଜାରି କଳି ଥମିବାର ନାଁ ନେଉନାହିଁ । ଗେହଲଟ ସରକାର ବିରୋଧରେ ସଚିନ ପାଇଲଟଙ୍କ ବିଦ୍ରୋହୀ ଆଭିମୁଖ୍ୟ କମିବାର ଦେଖାଯାଉନାହିଁ । ପେପର ଲିକ୍ ମାମଲାରେ ପରୀକ୍ଷାର୍ଥୀଙ୍କୁ ଆର୍ଥିକ ସହୟତା ଦେବାକୁ ଏବଂ ବସୁନ୍ଧରା ରାଜେ ସରକାରରେ ହୋଇଥିବା ଦୁର୍ନୀତିର ତଦନ୍ତ ପାଇଁ ଦାବି କରି ସଚିନ ପାଇଲଟ ରାଜସ୍ଥାନରେ ଜନ ସଂଘର୍ଷ ଯାତ୍ରା ଆରମ୍ଭ କରିଥିଲେ । ଆଜି ଯାତ୍ରାର ପଞ୍ଚମ ଦିନ ଅର୍ଥାତ ଶେଷ ଦିନ ଥିଲା । ସେ ଏହି ଅବସରରେ ଗେହଲଟ ସରକାରଙ୍କୁ ୧୫ ଦିନର ଅଲଟିମେଟମ ଦେଇଛନ୍ତି । ଦାବି ପୂରଣ ନହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି ।

ପାଇଲଟ କହିଥିଲେ ଯେ ମୋ କାମ କରିବାର ପ୍ରକ୍ରିୟା ଉପରେ, ମୋର ନିଷ୍ଠା ଉପରେ ମୋର ଘୋର ବିରୋଧୀ ମଧ୍ୟ ପ୍ରଶ୍ନ ଉଠାଇ ପାରିବେ ନାହିଁ । ମୁଁ କୌଣସି ପଦରେ ରହେ ବା ନରହେ, ମୁଁ ରାଜସ୍ଥାନର ଜନତାଙ୍କ ସେବା ଶେଷ ନିଶ୍ୱାସ ପର୍ଯ୍ୟନ୍ତ କରିବି । ମୁଁ ଡରିବି ନାହିଁ । ଏଥିସହିତ ସଚିନ କହିଛନ୍ତି ଚଳିତ ମାସ ଶେଷରେ ତିନି ଦାବି ଯଦି ସରକାର ପୂରଣ ନକରନ୍ତି ତେବେ ଯୁବକଙ୍କ ପାଇଁ, ଦୁର୍ନୀତି ବିରୋଧରେ ସାରା ରାଜ୍ୟରେ ଆନ୍ଦୋଳନ କରିବି । ପ୍ରତି ଗାଁରେ ଜନତାଙ୍କ ସହ ପଦଯାତ୍ରା କରିବି । ମୁଁ କେବେ ବି କାହା ଉପରେ ଆରୋପ ଲଗାଇନାହିଁ କାହା ବିରୋଧରେ ଅପଶବ୍ଦ କହିନାହିଁ ।

ଆପଣ ମୋତେ ଗାଳି ଦିଅନ୍ତୁ, ଆରୋପ ଲଗାନ୍ତୁ ମୋତେ ଫରକ ପଡ଼ିବ ନାହିଁ । ଜନତା ଜନାର୍ଦ୍ଦନ ଅଟନ୍ତି । ଯେଉଁ ପିଲାଙ୍କ ପେପର ରଦ୍ଦ ହୋଇଯାଇଛି ସେମାନେ ହତାଶ ହୋଇଯାଆନ୍ତି, କିନ୍ତୁ ଏହାର ଆବଶ୍ୟକତା ନାହିଁ । ପାଇଲଟ୍ କହିଛନ୍ତି ଜନତାଙ୍କ ସମର୍ଥନ ମୋ ପ୍ରସଙ୍ଗକୁ ମିଳିଛି । ମୁଁ ଏକ ପ୍ରତିଶ୍ରୁତି ଦେବାକୁ ଚାହୁଁଛି ଯେ ମୁଁ ଦୀର୍ଘ ସମୟ ଧରି ରାଜନୀତି କରୁଛି । ଯାତ୍ରାରେ ଅନେକ ସାଥି ସାଙ୍ଗରେ ଚାଲିଥିଲେ ଏବଂ ମୁଁ କହିବାକୁ ଚାହୁଁଛି ଯେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ରାଜ୍ୟର ଜନତାଙ୍କ ସେବା କରିଚାଲିବି । ଆମର ଦାବି ରହିଛି ଯେ ପେପର ଲିକ୍ ପୀଡିତଙ୍କୁ ଆର୍ଥିକ ସହାୟତା ମିଳୁ, ଆରପିଏସ୍ କୁ ଭଙ୍ଗ କରାଯାଉ, ସାନି ଚୟନ ପ୍ରକ୍ରିୟା ହେଉ ।

ବସୁନ୍ଧରା ସରକାରଙ୍କ ବିରୋଧରେ ଲାଗିଥିବା ଅଭିଯୋଗର ଯାଞ୍ଚ ହେଉ । ସଚିନ ପାଇଲଟ୍ କହିଛନ୍ତି, ମୁଁ ଲଗାତାର ସେମାନଙ୍କୁ (ସରକାର) ଚିଠି ଲେଖିଥିଲି, ଗୃହମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖିଲି । ଅନଶନ ମଧ୍ୟ କଲି, କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲାନି । ଏହାପରେ ମୁଁ ଭାବିଲି କି ଦୁର୍ନୀତିର ପ୍ରସଙ୍ଗକୁ ନେଇ ଲୋକମାନଙ୍କ ଗହଣକୁ ଯିବାକୁ ପଡ଼ିବ । ପେପର ଲିକ୍ ଘଟଣା ପାଇଁ ସମ୍ପୂର୍ଣ୍ଣ କଳକୁ ବଦଳାଇବାର ଆବଶ୍ୟକତା ଅଛି ।

ଆମର ଯୁବଗୋଷ୍ଠୀଙ୍କ ଜୀବନ ଅନ୍ଧକାରକୁ ଠେଲି ହୋଇଯାଉଛି । ୨୦ରୁ ୨୫ ଲକ୍ଷ ପିଲା ପ୍ରତି ବର୍ଷ ଗାଁରୁ ସହର ଆସିଥାନ୍ତି, କୋଚିଂ ନେଇଥାନ୍ତି । ସେମାନଙ୍କ ମାଆ ବାପା ପେଟକାଟି କୋଚିଂ ଫିସ୍ ଦେଇଥାନ୍ତି । ସେମାନଙ୍କ ପେପର କ୍ୟାନ୍ସେଲ ହୋଇଯାଉଛି, ପେପର ଲିକ୍ ହୋଇଯାଉଛି, ସେମାନେ ଏବେ କରିବେ କଣ । ଯୁବକଙ୍କ ଭବିଷ୍ୟତ ସୁରକ୍ଷିତ ନରହିଲେ ଦେଶ ମଧ୍ୟ ସୁରକ୍ଷିତ ରହିବନାହିଁ ବୋଲି ସଚିନ କହିଛନ୍ତି ।