୪୧ ଡିଗ୍ରୀ ଉପରେ ୧୬ସହରର ତାପମାତ୍ରା, ବଲାଙ୍ଗୀର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିଲା ତାପମାତ୍ରା । ୧୬ ସହରର ତାପାମାତ୍ରା ୪୧ ଡିଗ୍ରୀ ଉପରେ ରେକର୍ଡ ହୋଇଛି । ୪୪. ୪ ଡିଗ୍ରୀ ସହ ବଲାଙ୍ଗୀର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି । ସେହିପରି ୪୪ ଡିଗ୍ରୀ ସହ ଟିଟିଲାଗଡ ଦ୍ବିତୀୟ ଉତ୍ତପ୍ତ ସହର ଥିବା ବେଳେ ଝାରସୁଗୁଡାରେ ୪୩.୬, ଭବାନୀପାଟଣା ୪୩.୫ ଡିଗ୍ରୀ ରେକର୍ଡ କରାଯାଇଛି । ତେବେ ଆଜିଠାରୁ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାତିରୁ ମିଳିବନି ନିସ୍ତାର । ପ୍ରବଳ ଗ୍ରୀଷ୍ମପ୍ରବାହ ସହ ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେବେ ରାଜ୍ୟବାସୀ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସ୍ବଭାବିକଠୁ ୨ରୁ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଉପକୂଳ ଅପେକ୍ଷା ପଶ୍ଚିମ ଓଡ଼ିଶାରେ ତାତି ଅସହ୍ୟ ହେବ । କାଲିଠୁ କିଛି ଜିଲ୍ଲାରେ ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ଏବଂ କିଛି ଜିଲ୍ଲାରେ ୭ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି । ଆଜି ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବଲାଙ୍ଗୀର ଏବଂ ସୋନପୁରକୁ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ କାଲି ପାଇଁ ୮ଟି ଜିଲ୍ଲାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୭ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର ୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । କିଛି ସ୍ଥାନରେ ତାତି ୪୫ ଡିଗ୍ରୀ ଅତିକ୍ରମ କରିପାରେ ।

ଏଥିପାଇଁ ଅଧିକାଂଶ ଜିଲ୍ଲାକୁ ୟେଲୋ, ଅରେଞ୍ଜ ଏବଂ ରେଡ ମାର୍କ ଜାରି କରାଯାଇଛି । ଦିନ ୧୧ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ପିକ୍ ଆଓ୍ବାର ଘୋଷଣା କରାଯାଇଛି । ଏହି ସମୟରେ ବୟସ୍କ ଏବଂ ଶିଶୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମପ୍ରବାହକୁ ନଜରରେ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍‌ଆରସି । ଦୈନିକ ରିପୋର୍ଟ ଦେବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । 24 ଘଣ୍ଟିଆ କଣ୍ଟ୍ରୋଲ ରୁମ କରାଯିବା ସହ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ପାନୀୟ ଜଳ ବିଭାଗକୁ ଆଲର୍ଟ ରଖାଯାଇଛି । ପିଏଚସି ଓ ସିଏଚସି ଗୁଡ଼ିକରେ ଏସି ରୁମ ବ୍ୟବସ୍ଥା ସହ ଆବଶ୍ୟକ ଔଷଧ ଓ ଓଆରଏସ ମହଜୁଦ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।