ପାକିସ୍ତାନ ସଂସଦରେ ଦାବି; ଇମ୍ରାନ ଖାନଙ୍କୁ ସର୍ବସମ୍ମୁଖରେ ଦିଆଯାଉ ଫାଶୀ 

1 min read

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀ ଏବଂ ଜାମିନ ପରଠୁ ଆଜି ପର୍ଯ୍ୟନ୍ତ ଦେଶରେ ଉତ୍ତେଜନା ଲାଗି ରହିଛି । ରାଜନୈତିକ ଦଳଗୁଡ଼ିକ ସାମ୍ନାସାମ୍ନି ହୋଇଛନ୍ତି ଏବଂ ଲୋକମାନେ ରାସ୍ତାରେ ଆନ୍ଦୋଳନ ଜାରି ରଖିଛନ୍ତି । ପାକିସ୍ତାନ ସଂସଦରେ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଫାଶୀ ଦେବାକୁ ନେଇ ଦାବି କରାଯାଇଛି । ନ୍ୟାସନାଲ ଆସେମ୍ବଲିରେ କ୍ଷମତାସୀନ ମେଣ୍ଟରେ ସାମିଲ ଆସିଫ ଅଲି ଜରଦାରୀଙ୍କ ପାର୍ଟିର ସାଂସଦ ରାଜା ରିୟାଜ ଅହମ୍ମଦ ଖାନ ଫାଶୀ ଦାବି ଉଠାଇଛନ୍ତି । ଏହି ଦାବି ସେ ଉଠାଇ କହିଛନ୍ତି ଯେ, ୟହୁଦିଙ୍କ ଏଜେଣ୍ଟକୁ ସର୍ବସମ୍ମୁଖରେ ଫାଶୀଦଣ୍ଡ ଦିଆଯିବା ଆବଶ୍ୟକ କିନ୍ତୁ କୋର୍ଟ ତାଙ୍କୁ ଏପରି ସ୍ୱାଗର କରୁଛି ଯେମିତି କି ସେ ତାଙ୍କର ଜ୍ୱାଇଁ ।

ଏଥିସହିତ ନ୍ୟାସନାଲ ଆସେମ୍ବ୍ଲିରେ ସୁପ୍ରିମକୋର୍ଟ ବିରୋଧରେ ଏକ ନିନ୍ଦା ପ୍ରସ୍ତାବ ପାରିତ ହୋଇଛି । ଅଲ କାଦିର ଟ୍ରଷ୍ଟ ଦୁର୍ନୀତି ମାମଲାରେ ଗିରଫ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଥିବାରୁ ଏହି ନିନ୍ଦା ପ୍ରସ୍ତାବ ପାରିତ ହୋଇଛି । ସେପଟେ ଇମରାନଙ୍କ ମୁକ୍ତି ବିରୋଧରେ ପିଡିଏମର କାର୍ଯ୍ୟକର୍ତ୍ତା ସୁପ୍ରିମକୋର୍ଟ ସାମ୍ନାରେ ବିକ୍ଷୋଭ ଆରମ୍ଭ କରିଦେଇଛନ୍ତି । କେବଳ ଏତିକି ନୁହେଁ ଉଗ୍ର ଭିଡ଼ ସେଠାରେ କ୍ୟାମ୍ପ ଲଗାଇଛନ୍ତି । ପାକିସ୍ତାନ ଡେମୋକ୍ରାଟିକ ମୁଭମେଣ୍ଟ (ପିଡିଏମ) ଅନେକ ଦଳର ମିଳିତ ସଂଗଠନ ଅଟେ । ଏଥିରେ କ୍ଷମତାସୀନ ପାକିସ୍ତାନ ମୁସଲିମ ଲିଗ୍ ନୱାଜ, ଜମିୟତ ଉଲେମା-ଏ-ଇସଲାମ-ଫଜଲ ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି ସମେତ ଅନେକ ଦଳ ସାମିଲ ଅଛନ୍ତି ।