ଆର୍ଯ୍ୟନଙ୍କୁ ଛାଡି଼ଦେବା ଲାଗି ବାପା ଶାହରୁଖଙ୍କଠୁ ୨୫ କୋଟି କରାଯାଇଥିଲା ଦାବି, ସିବିଆଇ FIRରେ ଖୁଲାସା

ମୁମ୍ବାଇ: ବହୁଚର୍ଚ୍ଚିତ ଆର୍ଯ୍ୟାନ ଖାଁ ଡ୍ରଗ୍ସ ମାମଲା । ସିବିଆଇ ପକ୍ଷରୁ ଦାୟର ହୋଇଛି ଏଫଆଇଆର । ଆର୍ଯ୍ୟାନଙ୍କୁ ଛାଡିଦେବା ଲାଗି ବାପା ତଥା ବଲିଉଡ ତାରକା ଶାହାରୁଖ ଖାନଙ୍କଠାରୁ ୨୫ କୋଟି ଟଙ୍କା ଦାବି କରାଯାଇଥିଲା ବୋଲି ଏଫଆଇଆରରେ ଦର୍ଶାଯାଇଛି । ଆର୍ଯ୍ୟାନଙ୍କ ସହ ସେଲଫି ନେଇଥିବା ସାକ୍ଷୀ କେ.ପି. ଗୋସାଭିଙ୍କ ଜରିଆରେ ଏହି ଟଙ୍କା ଦାବି କରାଯାଇଥିଲା । ତତକାଳୀନ ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖଡେଙ୍କ ପକ୍ଷରୁ ଗୋସାଭି ଏହି ଟଙ୍କା ଦାବି କରିଥିଲେ । ସିବିଆଇ ଏଫଆଇଆରରେ ସମୀରଙ୍କ ନାଁ ବି ସ୍ଥାନ ପାଇଛି ।

ଏହା ସହ ଏନସିବିର ସୁପରିଣ୍ଟେଡେଣ୍ଟ ଭିଭି ସିଂ, ତତକାଳୀନ ତଦନ୍ତକାରୀ ଅଧିକାରୀ ଆଶିଷ ରଞ୍ଜନ, କେ. ପି. ଗୋସାଭି ଓ ସହଯୋଗୀ ଡି. ସୁଜାଙ୍କୁ ବି ଏଫଆଇଆରରେ ଅଭିଯୁକ୍ତ ଦର୍ଶାଇଛି ସିବିଆଇ । ସିବିଆଇର ତଥ୍ୟ ଅନୁସାରେ ଆର୍ଯ୍ୟାନଙ୍କୁ ଡ୍ରଗ୍ସ ମାମଲାରେ ଅଭିଯୁକ୍ତ ନ କରିବା ଲାଗି ୨୫ କୋଟି ଟଙ୍କା ଦାବି କରାଯାଇଥିଲା । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରର ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ବା ଏସଇଟି ପକ୍ଷରୁ କରାଯାଇଥିବା ତଦନ୍ତ ଅନୁସାରେ ଅଭିଯୁକ୍ତ ଆର୍ଯ୍ୟାନଙ୍କ ସମେତ ଅଭିଯୁକ୍ତମାନଙ୍କୁ କେ.ପି.ଗୋସାଭିଙ୍କ ବ୍ୟକ୍ତିଗତ ଗାଡ଼ିରେ ଏନସିବି ଅଫିସକୁ ଅଣାଯାଇଥିଲା ।

ଆର୍ଯ୍ୟାନ ଖାଁଙ୍କ ସହ ସେଲଫି ଉଠାଇଥିବା ଗୋସାଭିଙ୍କୁ କିପରି ଏତେ ସ୍ବାଧୀନତା ଦିଆଯାଇଥିଲା ତାହାକୁ ନେଇ ପ୍ରଶ୍ନ ଉଠାଇଛି ସିବିଆଇ । କୁହାଯାଉଛି ୨୫ କୋଟି ଟଙ୍କା ଲାଗି ଆଲୋଚନା ଚାଲିଥିବାବେଳେ ୧୮ କୋଟି ଟଙ୍କାର କଥାବାର୍ତ୍ତା ଛିଣ୍ଡିଥିଲା । ଏପରିକି କେ.ପି. ଗୋସାଭି ଓ ସହଯୋଗୀ ସାନଭିଲେ ସୁଜାଙ୍କ ଜରିଆରେ ୫୦ ଲକ୍ଷ ଟଙ୍କା ଟୋକନ ମନି ଦିଆଯାଇଥିଲା । ନିଜର ବିଦେଶ ଗସ୍ତ ନେଇ ସମୀର ଓ୍ବାଙ୍ଖଡେ କୌଣସି ସ୍ପଷ୍ଟ ବିବରଣୀ ଦେଇପାରି ନଥିଲେ ବୋଲି ଏଫଆଇଆରରେ ଦର୍ଶାଯାଇଛି ।