୧୭୦ ଯାତ୍ରୀଙ୍କୁ ନେଇ ଦୁବାଇରୁ ସିଧାସଳଖ ଓଡ଼ିଶା ଆସିଲା ପ୍ରଥମ ବିମାନ

ଭୁବନେଶ୍ୱର: ଦୁବାଇରୁ ସିଧାସଳଖ ଓଡ଼ିଶା ଆସିଲା ବିମାନ । ବିନା ଷ୍ଟପେଜରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ୧୭୦ ଜଣ ଯାତ୍ରୀ । ସାଢେ ଚାରି ଘଣ୍ଟାର ଯାତ୍ରା ପରେ ସମସ୍ତେ ଭୁବନେଶ୍ବରରେ ପହଞ୍ଚିଥିବା କହିଛନ୍ତି । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତଙ୍କୁ ଫୁଲ, ଚନ୍ଦନ ଓ ମହାପ୍ରସାଦ ଦେଇ ସ୍ବଗତ କରିଥିଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ଫ୍ଲାଇଟରେ ଜଣେ ପୁରୁଷ ଓ ଜଣେ ମହିଳା ପାଇଲଟ୍ ରହିଥିଲେ । ସିଧାସଳଖ ବିମାନସେବା ଆରମ୍ଭ ହୋଇଥିବାରୁ ସମସ୍ତ ଯାତ୍ରୀ ଖୁସି ପ୍ରକାଶ କରିଛନ୍ତି ।

ଅନ୍ୟପଟେ ଆଉ କିଛି ସମୟ ପରେ ଭୁବନେଶ୍ବରରୁ ଦୁବାଇକୁ ସିଧା ଉଡ଼ିବ ବିମାନ । ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଦିନରେ ରାଜ୍ୟ ସରକାରଙ୍କ ୭୦ ଜଣିଆ ଟିମ ସହ ମୋଟ ୧୭୦ଜଣ ଯାତ୍ରୀ ଯାତ୍ରା କରିବେ । ଯାତ୍ରୀମାନଙ୍କ ମଧ୍ୟରେ ମିଶନ ଶକ୍ତି ସଦସ୍ୟା, ଛାତ୍ରଛାତ୍ରୀ ଓ କ୍ରୀଡାବିତଙ୍କ ସମେତ କର୍ମଜୀବୀ ରହିଛନ୍ତି । ଇଣ୍ଡିଗୋ ଏୟାରଲାଇନ୍ସ ୧୮୦ ସିଟ ବିଶିଷ୍ଟ 320 ଏୟାରବସ ସପ୍ତାହରେ ତିନି ଦିନ ସୋମବାର, ବୁଧବାର ଓ ଶୁକ୍ରବାର ଦୁବାଇକୁ ସିଧାସଳଖ ସେବା ଯୋଗାଇବ । ଦୁବାଇକୁ ଯିବାଆସିବା ଦର ରହିଛି ୨୦ ହଜାର ଟଙ୍କା ।

ଦୁବାଇ ସହିତ ସିଧାସଳଖ ସଂଯୋଗ, ସବୁଠୁ ବଡ ବିମାନ ଚଳାଚଳ ହବ ମଧ୍ୟରୁ ଅନ୍ୟତମ । ଏହାଦ୍ବାରା ବିଶ୍ବକୁ ସିଧାସଳଖ ଗେଟଓ୍ବେ ଖୋଲିବା ସହ ରାଜ୍ୟରେ ଆଇଟି, ଉତ୍ପାଦନ ଓ ପର୍ଯ୍ୟଟନର ବିକାଶ ଘଟିବ । ଦୁବାଇରେ ମେକ ଇନ ଓଡିଶା କନକ୍ଲେଭରେ ବିମାନ ଚଳାଚଳ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । କେବଳ ଓଡିଶା ପାଇଁ ନୁହେଁ ବିଦେଶରୁ ଓଡିଶାକୁ ଆସୁଥିବା ଯାତ୍ରୀମଧ୍ୟ ଏହାଦ୍ବାରା ସୁବିଧା ପାଇବେ । ଗତ ଉତ୍କଳ ଦିବସରେ ଏଥିପାଇଁ ଅଗ୍ରୀମ ଟିକେଟ ବୁକିଂ ସେବାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ।