ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଆସନ୍ତା ୧୭ ତାରିଖ ସୋମବାରଠୁ ରାଜ୍ୟ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଖୋଲିବ । ପ୍ରଥମରୁ ଦ୍ବାଦଶ ପର୍ଯ୍ୟନ୍ତ ପାଠପଢା ସକାଳ ୬ଟା୩୦ରୁ ଆରମ୍ଭ ହୋଇ ଦିନ ୧୧ଟା ପର୍ଯ୍ୟନ୍ତ ଚାଲିବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ମାନେ ସେମାନଙ୍କ ଜିଲ୍ଲାର ବିଦ୍ୟାୟର ସମୟ ନିର୍ଘଣ୍ଟକୁ ପରିବର୍ତ୍ତନ କରିପାରିବେ । ବିଦ୍ୟାଳୟଗୁଡିକରେ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଇବା ନିମନ୍ତେ ସମସ୍ତ ବିଦ୍ୟାଳୟ ଯତ୍ନବାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ଏପ୍ରିଲ ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିଛି ।
ଆସନ୍ତା ଦୁଇଦିନରେ ସ୍ବାଭାବିକ ହେବ ସମ୍ବଲପୁରର ସ୍ଥିତି: ପୋଲିସ ଡିଜି
ଆସନ୍ତା ଦୁଇଦିନରେ ସ୍ବାଭାବିକ ହେବ ସମ୍ବଲପୁରର ସ୍ଥିତି । ଆସନ୍ତାକାଲି ହେବାକୁ ଥିବା ସମସ୍ତ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ । ସମ୍ବଲପୁରରେ ଆଇନଶୃଙ୍ଖଳାର ସମୀକ୍ଷା କରି ଏଭଳି କହିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ପରୀକ୍ଷା ଦେବାକୁ ଯିବା ଓ ଫେରିବା ବେଳେ ପିଲାଙ୍କ ଅସୁବିଧା ନହେବାକୁ ଗୁରୁତ୍ବ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କର୍ଫ୍ଯୁ ସମୟ କୋହଳ ହେବ ଆଗକୁ ସମ୍ବଲପୁରକୁ ଅଧିକ ପୋଲିସ ଫୋର୍ସ ଯୋଗାଇ ଦିଆଯିବ । ହିଂସା ସୃଷ୍ଟି କରୁଥିବା ଲୋକଙ୍କ ପ୍ରତି କଠୋର ହେବ ପୋଲିସ ।
ଶାନ୍ତି ଫେରାଇ ଆଣିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ଡିଜିପି । ସମ୍ବଲପୁର ଯାଇ ଉତ୍ତରାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ଡିଜିପି । ଆଇନ ଶୃଙ୍ଖଳା ADG ଆର କେ ଶର୍ମା, ଗୁଇନ୍ଦା ନିର୍ଦ୍ଦେଶକ ସଂଜୀବ ପଣ୍ଡା, ସମ୍ବଲପୁର ଏସପିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ସେପଟେ ସମ୍ବଲପୁରରେ ଆହୁରି ୨ଦିନ ବନ୍ଦ ରହିବ ଇଣ୍ଟରନେଟ୍ ସେବା । ଆସନ୍ତା ୧୭ ତାରିଖ ଦିନ ୧୦ଟା ଯାଏ ଏହି ସେବା ବନ୍ଦ ରହିବ ।
ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସମ୍ବଲପୁର ସୀମାକୁ ସିଲ୍ କରାଯାଇଥିବା ବେଳେ, ଆଉ ୮ ଜଣଙ୍କୁ ଗିରଫ କରାଯାଇଛି । ଫଳରେ ଗିରଫ ସଂଖ୍ୟା ୪୦କୁ ବୃଦ୍ଧି ପାଇଛି । ଏହାସହ ସହରର ୬ଟି ସ୍ଥାନରେ କର୍ଫ୍ୟୁ ବଳବତ୍ତର ରହିଛି । ଗତକାଲି ରାତି ୧୨ରୁ କର୍ଫ୍ୟୁ ଜାରି ହୋଇଛି । ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରିଛି ଜିଲ୍ଲା ପ୍ରଶାସନ । ସକାଳ ୮ରୁ ୧୦ଟା ଓ ଅପରାହ୍ନ ୩ଟା ୩୦ରୁ ୫ଟା ୩୦ ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ହୋଇଛି ।
ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ ଲୋକ । ସଦର, ଟାଉନ ଥାନା, ଧନୁପାଲି, ଅଇଁଠାପାଲ୍ଲୀ, କ୍ଷେତରାଜପୁର ଓ ବରେଇପାଲ୍ଲୀ ଥାନା ଅଞ୍ଚଳରେ କର୍ଫ୍ୟୁ । ସହରରେ ୪୨ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ହନୁମାନ ଜୟନ୍ତୀ ଗଣ୍ଡଗୋଳ ପରେ ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି ହୋଇଛି । ମେଡିକାଲ ଏମର୍ଜେନ୍ସି ପାଇଁ ହେଲପଲାଇନ ନମ୍ବର ଜାରି କରାଯାଇଛି ।
ଏକ ଦିବସୀୟ ଓଡ଼ିଶା ଫିନଟେକ୍ ଫେଷ୍ଟିଭାଲ୍-୨୦୨୩ ଅନୁଷ୍ଠିତ
ଭୁବନେଶ୍ୱର : ଓଡ଼ିଶା ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ ନ୍ୟାସନାଲ ପେମେଣ୍ଟ କର୍ପୋରେଶନ ଇଣ୍ଡିଆ ମିଳିତ ଆନୁକୁଲ୍ୟରେ ଓଡ଼ିଶାରେ ପ୍ରଥମଥର ପାଇଁ ଆଜି ଏକ ଦିବସୀୟ “ଓଡ଼ିଶା ଫିନଟେକ୍ ଫେଷ୍ଟିଭାଲ୍ -୨୦୨୩ ”ରାଜ୍ୟ ଲୋକସେବା ଭବନ କନଭେନସନ୍ ସେଣ୍ଟର ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଆଭାସୀ ଉପସ୍ଥିତି ମାଧ୍ୟମରେ ଶୁଭ ଉଦ୍ଘାଟନ କରିଥିଲେ ।

ଏହିଭଳି ଏକ ଅଭିନବ କାର୍ଯ୍ୟକ୍ରମର ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ଆୟୋଜକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତା ମାଧ୍ୟମରେ କହିଥିଲେ ଯେ ମୁଁ ବହୁତ ଖୁସି, ଓଡିଶା ଫିଣ୍ଟେକ୍ ଫେଷ୍ଟିଭାଲ୍, ଫିଣ୍ଟେକ୍ ଇଣ୍ଡଷ୍ଟ୍ରି କ୍ଷେତ୍ରର ନୂତନ ଉଦ୍ଭାବନ ଏବଂ ସମ୍ଭାବନା ବିଷୟରେ ବିଚାରବିମର୍ଷ ଓ ଫିଣ୍ଟେକ୍ ଉତ୍ପାଦର ପ୍ରଦର୍ଶନ କରିବା ସହ ରାଜ୍ୟବାସୀଙ୍କ ପାଇଁ ଆର୍ଥିକ ଅନ୍ତର୍ଭୁକ୍ତିର ଏକ ରୋଡ୍ ମ୍ୟାପ୍ ତିଆରି କରିବାରେ ସହାୟକ ହେବ ।

ଉଦ୍ଘାଟନୀ ଉତ୍ସବରେ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି, କ୍ରୀଡା ଓ ଯୁବସେବା ତଥା ଗୃହ ମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର, ନ୍ୟାସନାଲ ପେମେଣ୍ଟ କର୍ପୋରେଶନ ଅଫ୍ ଇଣ୍ଡିଆର ପ୍ରମୁଖ କାର୍ଯ୍ୟନିର୍ବାହୀ ପରିଚାଳିକା ପ୍ରବୀଣା ରାୟ, ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟରର ସିଇଓ ମନୋଜ ପଟ୍ଟନାୟକ, ସ୍ଵତନ୍ତ୍ର ସଚିବ ମାନସ ରଞ୍ଜନ ପଣ୍ଡା, ‘ଆଇସର୍ଭୟୁ’ ର ସିଇଓ ଦେବୀପ୍ରସାଦ ଷଡ଼ଙ୍ଗୀ ଏବଂ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ରହି ସେମାନଙ୍କ ବକ୍ତବ୍ୟ ମାଧ୍ୟମରେ ଆଗାମୀ ଦିନରେ ଫିଣ୍ଟେକ୍ ଉତ୍ପାଦର ଦ୍ରୁତ ଆଦୃତି ଦିଗରେ ପଦକ୍ଷେପ ନିଆଯିବା ପାଇଁ ସୂଚନା ଦେଇଥିଲେ ।

ଏହି ଅବସରରେ ରାଜ୍ୟ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ନ୍ୟାସନାଲ ପେମେଣ୍ଟ କର୍ପୋରେଶନ ଇଣ୍ଡିଆ ସହିତ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି । ଏହାଦ୍ୱାରା ଡିଜିଟାଲ ପେମେଣ୍ଟର ପ୍ରଭାବଶାଳୀ ବ୍ୟବହାର ଏବଂ ଡିଜିଟାଲ କାରବାର ବୃଦ୍ଧି କ୍ଷେତ୍ରରେ ରାଜ୍ୟ ପାଇଁ ଏକ ଅଭିନବ ମଡ଼େଲ ବିକାଶ କରାଯାଇ ସରକାରୀ କ୍ଷେତ୍ରରେ କାର୍ଯ୍ୟକାରୀ କରାଯାଇପାରିବ । ଭବିଷ୍ୟତରେ ରାଜ୍ୟବାସୀଙ୍କ ତଥା ବିଶେଷକରି ଗ୍ରାମାଞ୍ଚଳରେ ବସବାସ କରୁଥିବା କ୍ଷୁଦ୍ର ବ୍ୟବସାୟୀମାନଙ୍କ ଆର୍ଥିକ ସମସ୍ୟାକୁ ଦୂରୀଭୂତ କରିବା ସହିତ ପୁଞ୍ଜି ବିନିଯୋଗ ପାଇଁ ସୁବିଧା ଯୋଗାଇଦେବ ।

ରାଜ୍ୟରେ ଫିଣ୍ଟେକ୍ ଇଣ୍ଡଷ୍ଟ୍ରି ପାଇଁ ଏକ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ସହିତ ଅଧିକରୁ ଅଧିକ ଫିଣ୍ଟେକ୍ କମ୍ପାନୀମାନେ ରାଜ୍ୟରେ କିଭଳି ପୁଞ୍ଜି ନିବେଶ କରିବାପାଇଁ ଆକର୍ଷିତ ହେବେ, ସେ ବିଷୟରେ ଆଲୋଚନା କରାଯାଇଥିଲା । ଆଜିକାଲି ସାଧାରଣ ଲୋକମାନଙ୍କଦ୍ଵାରା ଫିଣ୍ଟେକ୍ ପ୍ରଡକ୍ଟର ବହୁଳ ବ୍ୟବହାର, ଗ୍ରହଣୀୟତା ଏବଂ ଲୋକପ୍ରିୟତା ବୃଦ୍ଧି ପାଉଛି । ଗାଁ ଗହଳିର ସାଧାରଣ ଲୋକମାନେ ମଧ୍ୟ ତାଙ୍କ ଦୈନନ୍ଦିନ ଆବଶ୍ୟକତା ପାଇଁ ମୋବାଇଲ ଫୋନ ମାଧ୍ୟମରେ ଆର୍ଥିକ କାରବାର କରିପାରୁଛନ୍ତି ।
ଏହାଦ୍ୱାରା ସେମାନଙ୍କ ଆର୍ଥିକ ସ୍ୱାଧୀନତାଏବଂ ଆର୍ଥିକ ପରିଚାଳନାରେ ମଧ୍ୟ ଅଭିବୃଦ୍ଧି ଘଟିଛି । ରାଜ୍ୟ ସରକାରଙ୍କ ଅନେକ ଲୋକାଭିମୁଖୀ ଯୋଜନାରେ ପ୍ରକୃତ ହିତାଧିକାରୀମାନଙ୍କୁ ସହାୟତା ଯୋଗାଇଦେବା ପାଇଁ ଡିଜିଟାଲ ବ୍ୟବସ୍ଥାରେ ଅର୍ଥ ପ୍ରଦାନ ମାଧ୍ୟମକୁ ଗୁରୁତ୍ଵ ଦିଆଯାଉଛି । ପ୍ରକୃତ ହିତାଧିକାରୀ ଚିହ୍ନଟ କରିବା, ସେମାନଙ୍କୁ ବିଭିନ୍ନ ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ କରାଇବା ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି । “ମୋ ସେବା କେନ୍ଦ୍ର” ମାଧ୍ୟମରେ ସାଧାରଣ ଲୋକମାନଙ୍କ ଡିଜିଟାଲ ପରିଚୟ ସମେତ ସାଧାରଣ ଲୋକମାନଙ୍କୁ ଅନେକ ସେବା ଉପଲବ୍ଧ ହୋଇପାରୁଛି ।

ଏହି କର୍ମଶାଳାରେ ୟୁପିଆଇ ଦ୍ୱାରା ହୋଇଥିବା ଆର୍ଥିକ ବିପ୍ଳବ ଏବଂ ଏହାର ବ୍ୟବହାରର ମାଧ୍ୟମ ଯଥା- “କ୍ରେଡିଟ୍ କାର୍ଡ – ୟୁପିଆଇ ଲିଙ୍କେଜ୍: ଡିଜିଟାଲ୍ ପେମେଣ୍ଟରେ ଅଭିବୃଦ୍ଧି,ଭଏସ୍ ଟେକ୍ନୋଲୋଜି,ଭାରତର ଅଭିବୃଦ୍ଧିରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ଭୂମିକା, ଭାରତୀୟ ଫିଣ୍ଟେକ୍ ସଫଳତାର କାହାଣୀ,ଓଡ଼ିଶାର ଫିଣ୍ଟେକ୍ ଇକୋସିଷ୍ଟମର ଅଭିବୃଦ୍ଧି ଆଦି ୫ଗୋଟି ଶୀର୍ଷକରେ ୨୦ରୁ ଉର୍ଦ୍ଧ୍ୱ ବକ୍ତା ସେମାନଙ୍କର ଅଭିଜ୍ଞତା ବାଣ୍ଟିଥିଲେ । ବର୍ତ୍ତମାନ ସୁଦ୍ଧା ୩୦୦୦ରୁ ଅଧିକ ଷ୍ଟାର୍ଟଅପ୍ ଦେଶରେ ନୂତନ ଫିଣ୍ଟେକ୍ ଉତ୍ପାଦ ଏବଂ ସେବା ସୃଷ୍ଟି କରିବାକୁ କାର୍ଯ୍ୟ କରୁଛନ୍ତି ଏବଂ ଅନେକ ସଂସ୍ଥା ମଧ୍ୟ ପ୍ରତିଷ୍ଠିତ ହୋଇସାରିଛନ୍ତି ।

ମୋବାଇଲ୍ ୱାଲେଟ୍ ଏବଂ ଡିଜିଟାଲ୍ ପେମେଣ୍ଟ ପ୍ଲାଟଫର୍ମଗୁଡ଼ିକ ଆର୍ଥିକ ଅନ୍ତର୍ଭୁକ୍ତିର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ବ୍ୟାଙ୍କ ଆକାଉଣ୍ଟ ନଥିବା ଲୋକଙ୍କୁ ଅର୍ଥନୀତିରେ ଅଂଶଗ୍ରହଣ କରିବାକୁ ସଶକ୍ତ କରୁଛି । ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶା ମଧ୍ୟ ଫିଣ୍ଟେକ୍ କ୍ଷେତ୍ରରେ ଦ୍ରୁତ ଗତିରେ ଅଗ୍ରଗତି କରିଛି ଏବଂ ଏକାଧିକ ଫିଣ୍ଟେକ୍ ଷ୍ଟାର୍ଟଅପ୍ ଜାତୀୟ ସ୍ତରରେ ସେମାନଙ୍କର ଅଭିନବ ଉତ୍ପାଦ ଏବଂ ସେବା ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ଅଧିକ ନିଯୁକ୍ତି ସୃଷ୍ଟି, ଆର୍ଥିକ କ୍ଷେତ୍ରରେ ନବସୃଜନ ବୃଦ୍ଧି ଏବଂ ଓଡିଶାକୁ ଏକ ଜାତୀୟ ଫିଣ୍ଟେକ୍ କେନ୍ଦ୍ରରେ ପରିଣତ କରିବା ପାଇଁ ସରକାରଙ୍କ ଉଦ୍ୟମକୁ ସହାୟକ ହେବ ।
ଏହି ସମାବେଶରେ ରାଜ୍ୟ ତଥା ରାଜ୍ୟ ବାହାରୁ ୭୦୦ରୁ ଉର୍ଦ୍ଧ୍ୱ ବିଶିଷ୍ଠ ବ୍ୟକ୍ତି, ଉଦ୍ୟୋଗୀ, ବ୍ୟାଙ୍କ, ଷ୍ଟାର୍ଟଅପ୍, ଫିଣ୍ଟେକ୍ କମ୍ପାନୀ, ଅନୁସନ୍ଧାନକାରୀ, ନୀତି-ନିର୍ମାତା ଏବଂ ଛାତ୍ର-ଛାତ୍ରୀ ଯୋଗଦେଇଥିଲେ । ଏଥିରେ ୩୦ରୁ ଅଧିକ ସଂସ୍ଥା ସେମାନଙ୍କ ଫିଣ୍ଟେକ୍ ଉତ୍ପାଦଗୁଡ଼ିକୁ ପ୍ରଦର୍ଶନ କରିଥିଲେ । ଏଗୁଡିକର ଗୁଣାତ୍ମକମାନ ଓ ଦୈନନ୍ଦିନ ଜୀବନରେ ଜନସାଧାରଣଙ୍କ ବ୍ୟବହାରିକ ଆବଶ୍ୟକତା କାରଣରୁ ଉପଭୋକ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା ।
ବ୍ରିଜ ତଳକୁ ଖସିପଡ଼ିଲା ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଟ୍ରାକ୍ଟର, ୧୩ ମୃତ
ଶାହଜହାଁପୁର: ଉତ୍ତରପ୍ରଦେଶର ଶାହଜହାଁପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଟ୍ରାକ୍ଟର ଟ୍ରଲି ବ୍ରିଜର ରେଲିଂ ଭାଙ୍ଗି ନଦୀରେ ଖସିପଡିବା କାରଣରୁ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାର ଶିକାର ହୋଇଥିବା ଟ୍ରାକ୍ଟର ଟ୍ରଲି ଭକ୍ତଙ୍କ ଦ୍ୱାରା ପରିପୂର୍ଣ୍ଣ ଥିଲା । ଏହି ଦୁର୍ଘଟଣାରେ ମହିଳା ଶିଶୁ ସମତେ ୧୩ ଜଣଙ୍କ ମୃତ୍ୟୁ ହୋଇଯାଇଛି । ସେହିପରି ପ୍ରାୟ ୬ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ପୋଲିସ ଅଧୀକ୍ଷକ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ସୂଚନା ମୁତାବକ ଦୁର୍ଘଟଣାର ଶିକାର ହୋଇଥିବା ଲୋକମାନେ ଗର୍ଯା ନଦୀରୁ ଜଳ ଭରିବା ପାଇଁ ଆସିଥିଲେ ଏହି ସମୟରେ ଅଚାନକ ଟ୍ରାକ୍ଟର ଟ୍ରଲି ଅନିୟନ୍ତ୍ରିତ ହୋଇ ପୋଲ ତଳକୁ ଖସିପଡ଼ିଥିଲା । ଦୁର୍ଘଟଣାରେ ଶିକାର ହୋଇଥିବା ସମସ୍ତ ଲୋକ ସନୋରା ଗାଁର ଅଟନ୍ତି । ସୂଚନା ଅନୁସାରେ ଏହି ଗାଁର ଲୋକମାନେ ଯଜ୍ଞ ପାଇଁ ନଦୀରୁ ପାଣି ଆଣିବା ପାଇଁ ଯାଇଥିବା ସମୟରେ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି ।
ଲାଞ୍ଚ ନେବାବେଳେ ସହକାରୀ ଇଞ୍ଜିନିୟରଙ୍କୁ ଗିରଫ କଲା ସିବିଆଇ
ସମ୍ବଲପୁର: ସିବିଆଇ ଜାଲରେ ଡାକ ବିଭାଗ ଅଧିକାରୀ । ସମ୍ବଲପରୁ ପୋଷ୍ଟାଲ ସିଭିଲ ସବଡିଭିଜନ ଅନ୍ତର୍ଗତ ସହକାରୀ ଇଞ୍ଜିନିୟରଙ୍କୁ ଗିରଫ କଲା ସିବିଆଇ । ଜଣେ ବ୍ୟକ୍ତିଙ୍କଠାରୁ ୧ ଲକ୍ଷ ୨୨ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଲା ସିବିଆଇ । ଏଏମସି କଣ୍ଟ୍ରାକ୍ଟ ବାବଦରେ ୩ ଲକ୍ଷ ୭୭ ହଜାର ଟଙ୍କା ରିଲିଜ କରିବା ଲାଗି ସେ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା । ଅନ୍ୟ ଜଣେ ଏକଜିକ୍ୟୁଟିଭ ଇଞ୍ଜିନିୟରଙ୍କ ଲାଗି ସମ୍ପୃକ୍ତ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କଠାରୁ ୧୮ ହଜାର ୫୦୦ ଟଙ୍କା ଗ୍ରହଣ କରିଥିବା ଜଣେ କଣ୍ଟ୍ରାକ୍ଟରଙ୍କୁ ଗିରଫ କରିଛି ସିବିଆଇ ।

