ନକଲି ଔଷଧ ବିକ୍ରି ଅଭିଯୋଗରେ ଦୁଇଟି ଦୋକାନ ସିଲ୍

ଅନୁଗୁଳ: ନକଲି ଔଷଧ ବିକ୍ରି ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ । ଅନୁଗୁଳର ଗୋଟିଏ ଔଷଧ ଦୋକାନ ଓ ଆଉ ଏକ ହୋଲସେଲ ଦୋକାନ ସିଜ । ଦୁଇ ଦୋକାନରେ ପାଣ୍ଟାସିଡ ଡିଏସଆର ନାମକ ନକଲି ମେଡିସନ୍ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ଅନୁଗୁଳ ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ମା ବୁଢ଼ୀ ମେଡ଼ିସିନ ଦୋକାନରେ ପାଣ୍ଟସିଡ ଡିଏସଆର ନାମକ ଔଷଧ ନକଲି ଥିବା ଅଭିଯୋଗ ହୋଇଥିଲା । ଯାହାକି ଗ୍ୟାଷ୍ଟିକ ରୋଗ ପାଇଁ ବ୍ୟବହାର ହୋଇଥାଏ । ଏନେଇ ଷ୍ଟେଟ ଟାସ୍କଫୋର୍ସ ନିକଟରେ ଅଭିଯୋଗ ପରେ ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର ତଦନ୍ତ କରିଥିଲା ।

ଏହି ତଦନ୍ତ ବେଳେ ମା ବୁଢ଼ୀ ଔଷଧ ଦୋକାନରେ ଏହି ନକଲି ଔଷଧ ବିକ୍ରି ହେଉଥିବା ସ୍ପଷ୍ଟ ହୋଇଥିଲା । ଏହି ମେଡିସନ୍ ଅମଲାପଡା ଠାରେ ଥିବା ଗଣପତି ଏଣ୍ଟରପ୍ରାଇଜେସରୁ ଆଣିଥିବା ଜଣା ପଡିଛି । ଏହା ଜଣା ପଡିବା ପରେ ଗତକାଲି ରାତିରେ ଏସଟିଏଫ ପକ୍ଷରୁ ଗୋଟିଏ ଓ ଡ୍ରଗ୍ସ କଣ୍ଟ୍ରୋଲ ପକ୍ଷରୁ ଆଉ ଗୋଟିଏ ଅଭିଯୋଗ ଅନୁଗୋଳ ଥାନାରେ କରା ଯାଇଥିଲା । ଆଉ ଏହି ଅଭିଯୋଗ ଆଧାରରେ ଆଜି ଉଭୟ ଦୋକାନକୁ ସିଲ କରାଯାଇଛି ।ମା ବୁଢ଼ୀ ଔଷଧ ଦୋକାନର ମାଲିକ ସୁଦୀପ ପ୍ରଧାନ ହୋଇଥିବା ବେଳେ ସେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ବୋଲି ଜଣାପଡିଛି ।