ମାମଲା ରଫାଦଫା ପାଇଁ ୧୦ ହଜାର ଲାଞ୍ଜ ନେବାବେଳେ ପୋଲିସ ଏସଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ଯାଜପୁର: ପୁଣି ଭିଜିଲାନ୍ସ ଜାଲରେ ପୋଲିସ ବାବୁ । ମାମଲା ରଫାଦଫା କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଜ ନେଉଥିବା ବେଳେ ଯାଜପୁର ଜିଲ୍ଲା ସୁକିନ୍ଦା ଥାନାର ସବ୍ ଇନ୍ସପେକ୍ଟର ନିର୍ମଳ କୁମାର ସେନାପତିଙ୍କୁ ମାଡ଼ି ବସିଲା ଭିଜିଲାନ୍ସ । ସେ ନେଇଥିବା ୧୦ ଜହାର ଟଙ୍କା ଜବତ କରିବା ସହ ସବ୍ ଇନ୍ସପେକ୍ଟର ନୀର୍ମଳଙ୍କୁ ଥାନାରୁ ଉଠାଇ ନେଇଛି କଟକ ଭିଜିଲାନ୍ସ ଟିମ୍ । ଗତ ୨ ଦିନ ପୂର୍ବେ ସୁକିନ୍ଦା ତହସିଲଦାର ଦମୟନ୍ତୀ ସାହୁ ସୁକିନ୍ଦା ମୁଖ୍ୟ ରାଜପଥରୁ ଏକ ଚୋରା ବାଲି ବୋଝେଇ ହାଇୱା ଜବତ କରି ସୁକିନ୍ଦା ଥାନାରେ ଜିମା ଦେଇଥିଲେ ।

ସେହି ହାଇୱା ଜବତ ଘଟଣାରେ ଗତକାଲି ସୁକିନ୍ଦା ପୋଲିସ କେସ ଏକ ମାମଲା ରୁଜ୍ଜୁ କରି ବାଲି ଗାଡି ଚାଳକ ପ୍ରକାଶ ସିଂଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ବାଲି ବୋଝେଇ ଗାଡ଼ିଟିକୁ ଥାନାରୁ ଖଲାସ କରିବା ବାବଦକୁ ନିର୍ମଳ ଗାଡି ମାଲିକଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଆଜି ସମ୍ପୃକ୍ତ ଗାଡ଼ି ମାଲିକଙ୍କ ଠାରୁ ସୁକିନ୍ଦା ଥାନାର ସବ୍ ଇନ୍ସପେକ୍ଟର ନିର୍ମଳ କୁମାର ସେନାପତି ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଚଢାଉ କରିଥିଲା ।